ସାଗରପଥ

 

 

 

 

 

 

 

 

 

 

ସାଗରପଥ

ଚିତ୍ତରଞ୍ଜନ ଦାସ

 

ଲେଖକଙ୍କ ଅଭିମତ

 

'ସାଗର ପଥ' ଏକ ସମୁଦ୍ର ଯାତ୍ରାର ବିବରଣୀ । ସମୁଦ୍ର ଓ ତାକୁ ସମ୍ଭାରି ଧରିଥିବା ଦୁଇ କୂଳର ବିବରଣୀ । ଠିକ୍ ନଅବର୍ଷ ତଳେ ଏହା ଜଟି ପାଇଁ ଲେଖା ହୋଇଥିଲା । ଜଟି ଏବେ ଅନେକ ବଡ଼ ହୋଇଗଲାଣି । କିନ୍ତୁ ସେତେବେଳର ଜଟି ପରି ଏବେବି ଆହୁରି ଅନେକ ପିଲା ଅଛନ୍ତି, ଯେଉଁମାନେ ଏହି ବିବରଣୀଟିକୁ ପଢ଼ି ଆନନ୍ଦ ପାଇବେ ।

 

ଏହି ସଂଗ୍ରହଟିର ଅଧିକାଂଶ ଚିଠି ସେତେବେଳେ ‘ଡଗର’ରେ ଧାରାବାହିକ ଭାବରେ ବାହାରୁଥିଲା-। 'ଡଗର’ର ସମ୍ପାଦକଙ୍କୁ ସେଥିଲାଗି କୃତଜ୍ଞତା ଜଣାଉଚି ।

 

୧୪/୧୧/୭୧

ଲେଖକ

Image

 

ଦ୍ଵିତୀୟସଂସ୍କରଣର ଭୂମିକା

 

‘ସାଗର ପଥ’ର ଦ୍ଵିତୀୟ ସଂସ୍କରଣ ବାହାରିବା ବେଳେଆଗ ମୁଁ ସାଗରକୁ ସ୍ମରଣ କରୁଛି-। ତା'ପରେ ମୋ'ର ଦେଖିଥିବା ସେହି ସାଗରଗୁଡ଼ିକର ଦୁଇପାଖରେ ଥିବା ଉପକୂଳସ୍ଥ ମଣିଷମାନଙ୍କୁ ସ୍ମରଣ କରୁଛି ।

 

ମୁଁ ଦେଖିବାର ପ୍ରାୟ ୩୫ବର୍ଷ ପରେ ସେହି ମଧ୍ୟପ୍ରାଚ୍ୟ ଓ ସେହି ଦକ୍ଷିଣ ଇଉରୋପ ତଥା ଆଫ୍ରିକା ଆଜି ଉତ୍ତେଜିତ ହୋଇ ପଡ଼ିଥିଲା ପରି ମନେ ହେଉଛି । ତଥାପି, ଏହି ଯାବତୀୟ ଉତ୍ତେଜନା ଓ ଉତ୍ତପ୍ତତା ପଛରେ ତଥାପି ମଣିଷ ରହିଛନ୍ତି, ସେମାନେ ପୃଥିବୀଯାକ ମଣିଷର ସଖ୍ୟ ଲୋଡ଼ୁଛନ୍ତି; ରାଜନୀତିକ ଦୌରାତ୍ମ୍ୟ ଦ୍ୱାରା ଛଟପଟ ହେଉଥିବା ସମୟରେ ମଧ୍ୟ ସେମାନେ ଏକ ଅନ୍ୟ ସଂସାରର ସ୍ୱପ୍ନ ଦେଖୁଛନ୍ତି ।

 

‘ଶିକ୍ଷାସନ୍ଧାନ’ ଆଗ୍ରହ କରି ଏହି ବିବରଣୀଟିର ଦ୍ୱିତୀୟ ସଂସ୍କରଣ ଛାପୁଛି, ଏହା ଅତ୍ୟନ୍ତ ଆନନ୍ଦର କଥା ।

 

ଭୁବନେଶ୍ୱର

ଲେଖକ

ଫେବୃଆରୀ, ୧୯୯୯

 

Image

 

ଏକ

 

ଆରବ ସାଗର

ତା ୯/୧୦/୬୨

ସ୍ନେହର ଜଟି,

 

ଆଜି ଦଶହରା । ତେଣେ ଗାଆଁରେ ତୁମେ ସବୁ କେତେ ମଜା କରୁଥିବ । ବୋଉ ପାଖରେ କେତେ ଅଜଟ ଲଗାଇଥିବ । ସଞ୍ଜବୁଡ଼ିଲେ ଲେଖନ ଉଠିବ, ଗାଆଁ ଯାକ ସମସ୍ତେ ନୂଆଲୁଗା ପିନ୍ଧି ଦଶହରା ପଡ଼ିଆକୁ ବାହାରିବେ । ଏଠି ଏତେ ଦୂରରେ ଥାଇ ମଧ୍ୟ ମୋର ସବୁ ମନେପଡ଼ୁଚି । ପଅରଦିନ ବମ୍ବେ ଛାଡ଼ିବା ପରେ ଆମ ଜାହାଜ ପ୍ରାୟ ଆଠଶହ ମାଇଲ ବାଟ ପଶ୍ଚିମକୁ ଆସିଲାଣି-। ପୃଥିବୀର ମାନଚିତ୍ର ଉପରେ ଆମେ ଯାହାକୁ ଆରବସାଗର ବୋଲି କହିଥାଉ, ବର୍ତ୍ତମାନ ତାହାରି ଉପରେ ଆମେ ପଶ୍ଚିମମୁହାଁ ହୋଇ ଚାଲିଚୁ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ମୁଣ୍ଡ ଉପରେ ନୀଳ ଆକାଶ । ସ୍ଥଳଭାଗ କୋଉଠି କୋଉ ଦିଗ୍‍ବଳୟ ପଛରେ କେତେଦୂରରେ ପ୍ରଚ୍ଛନ୍ନ ହୋଇ ରହିଚି । କାଲି ସଞ୍ଜବେଳେ ହଠାତ୍ ଦୁଇଟା ସମୁଦ୍ରଚିଲ ଆମର ଜାହାଜ ପଛେ ପଛେ ଖଣ୍ଡେ ଦୂରଯାଏ ଉଡ଼ି ଉଡ଼ି ଆସିଲେ । ମୁହଁ ଅନ୍ଧାର ହୋଇ ଆସିଲାବେଳକୁ ମୁଁ ସେମାନଙ୍କୁ ଆଉ ଦେଖିପାରିଲି ନାହିଁ । ମନେ ମନେ ଭାବୁଥିଲି, ରାତ୍ରିର ଅନ୍ଧାର ଭିତରେ ପଛକୁ ଉଡ଼ିଉଡ଼ି ଯାଇ ଏମାନେ କଣ ସତରେ ଥଳ ପାଇଥିବେ, ନା ବାଟରେ ଆଉ କେଉଁ ଜାହାଜର ଆଶ୍ରା ନେଇ ରାତି କଟାଇ ଦେଇଥିବେ ?

 

ଆଜି ଘରେ ତୁମେ ସମସ୍ତେ ମତେ ଭାରି ମନେ କରୁଥିବ । ବୋଉ ମନେ ପକାଉଥିବ । ତୁମମାନଙ୍କର ଖିଆପିଆ ଓ ଖେଳିବାର ଆନନ୍ଦରେ ତୁମ ସମସ୍ତଙ୍କର ମନ ଆସି ମୋ'ସ୍ମୃତିର ଶୂନ୍ୟସ୍ଥାନରେ ହଠାତ୍ ଲାଗିଯାଉଥିବ । ଏଠି ଥାଇ ମଧ୍ୟ ମୁଁ ସେ କଥା ବେଶ୍ ଅନୁଭବ କରିପାରୁଛି-। ମୋଟ ଉପରେ କହିବାକୁ ଗଲେ ପଅରିଦିନଠାରୁ ମୁଁ ଖାସ୍ ତାହାହିଁ ଅନୁଭବ କରୁଚି-। କେଉଁ ସାଂସାରିକ ସ୍ନେହମୟ ସମ୍ପର୍କର ଦଉଡ଼ିଟାକୁ ଧରି ତୁମେମାନେ ସେପାଖରୁ ଯେତିକି ଟାଣୁଚ, ଏଣେ ଏ ପାଖରେ ମୋର ହୃଦୟ ସେତିକି ଦୋହଲି ଯାଉଚି । ଏହି ଦୋହଲି ଯିବାରେ ଅବଶ୍ୟ ଦୁଃଖ ରହିଚି; କିନ୍ତୁ ହୃଦୟଟା ଗୋଟାଏ ପଥର ପରି ଟାଣ ହୋଇ ତିଆରି ହୋଇଥିଲେ ଜୀବନଟା ସତେ କେଡ଼େ ଦୁର୍ବହ ହୋଇଥାନ୍ତା ! ହୃଦୟର ଏହି ଦୋହଲିଯିବାରୁ ହିଁ ମୁଁ ଚିରଦିନ ଜୀବନର ଅଧିକ ନିର୍ଭର ପାଇଆସିଛି ।

 

ଯୋଉଦିନ କଟକରୁ ବିଦା ହୋଇ ତୁ ମଟରରେ ବସି ଗାଆଁକୁ ଗଲୁ, ସେଦିନ ତୋତେ ଜବାବ ଦେଇଥିଲି ଯେ ଜାହାଜରୁ ମୁଁ ପ୍ରତ୍ୟେକଦିନ ନିୟମିତ ଭାବରେ ତୋ ଲାଗି କିଛି କିଛି ନିଶ୍ଚୟ ଲେଖିବି । ଏହି ଜବାବ ଅନୁସାରେ ମୋର ପଅରଦିନଠାରୁ ଲେଖା ଆରମ୍ଭ କରିଦେବା ଉଚିତ ଥିଲା । ପଅରଦିନ ପ୍ରାୟ ଦିନ ଗୋଟାଏ ବେଳକୁ ଆମର ଜାହାଜ ବମ୍ବେ ଛାଡ଼ିଲା । ମୋର ବିଦେଶ ଯାତ୍ରା ଆରମ୍ଭ ହେଲା । ଏହି ବିଦେଶ ଯାତ୍ରା ପାଇଁ ଏଇଟା ସେଇଟା ପ୍ରସ୍ତୁତ କରିବାରେ ଗତ ଦୁଇ ମାସ କାଳ ମୁଁ କେତେ କୁଆଡ଼େ ଦଉଡ଼ିଚି, କେତେ ଉତ୍କଣ୍ଠା ଓ ଉତ୍ତେଜନା ସହିତ କେତେ ଅଫିସରେ କେତେ ହାକିମଙ୍କ ପାଖରେ ଯାଇ ଠିଆ ହୋଇଚି । ଏଇଟା କିଣା ହେବ, ସେଇଟା ଧୋବା ଘରକୁ ଯିବ, ଏଇଟା ମରାମତି ହୋଇ ଆସିବ–ଏହିପରି ନାନା ଧନ୍ଦା ଓ ଚିନ୍ତାର ଜ୍ଵରରେ ମୁଁ କିଛି ଖିଆଲ ରଖିପାରିନାହିଁ । ତୁମମାନଙ୍କଠାରୁ ବିଦାୟ ନେଇ ଆସିଲାବେଳେ ମଧ୍ୟ ମୁଁ କ'ଣ ସବୁ ଯେ ପଛରେ ଛାଡ଼ିକରି ଯାଉଚି, ସେ କଥା ହୃଦୟଙ୍ଗମ କରିବାକୁ ଆଦୌ ସମୟ ପାଇନାହିଁ । ସବୁ ସାରି ଯେତେବେଳେ ସେଦିନ ଜାହାଜ ଉପରକୁ ଉଠିଆସିଲି, ସେତେବେଳେ ଯାଇ ମୋର ହୋସ୍ ଆସିଲା । ମନ ଭିତରେ ହଠାତ୍ କେଉଁ ଉତ୍ତେଜିତ ବାଳକ ଯେପରି ବଡ଼ ନିଷ୍ପନ୍ଦ ହୋଇ ଆସିଲା । ଏଇ ନିସ୍ପନ୍ଦତାକୁ ମୁଁ ଦୁଃଖ ବୋଲି କହିବି ନାହିଁ । କାରଣ ଏହାରି ମଧ୍ୟ ଦେଇ ହିଁ ମୁଁ ତୁମ ସମସ୍ତଙ୍କୁ ନିକଟତର ଭାବରେ ଅନୁଭବ କରିବାକୁ ଆରମ୍ଭ କଲି । ପୂର୍ଣ୍ଣିମା ରାତିର ଜହ୍ନ ଆଲୁଅ ଆମ ଗାଆଁର ଆମ୍ବତୋଟା, ନଈପଠା ଓ ଆଖୁକିଆରୀକୁ ସ୍ନିଗ୍‍ଧ ଓ ସମଗ୍ର କରି ଧରି ରଖିଥିବା ପରି ତୁମେ ସମସ୍ତେ ଯେପରି ମୋର ଚେତନାର ଶାନ୍ତ ପ୍ରସାର ଉପରେ ଏକ ସ୍ନିଗ୍‍ଧ ସମଗ୍ରତା ବିସ୍ତାର କରି ଶାନ୍ତ ହୋଇ ରହିଥିଲ । ଖାଇବାବେଳେ, ନୂଆ ବନ୍ଧୁମାନଙ୍କ ମେଳରେ ପାଠୁଆ କଥାବାର୍ତ୍ତାରେ ମଜ୍ଜି ରହିଥିବାବେଳେ, ଶୋଇଥିବାବେଳେ, ବା ନିର୍ନିମେଷ ନୟନରେ ଏହି ସମୁଦ୍ର ଓ ଏହି ଆକାଶକୁ ଗୋଟିଏ ପ୍ରତିରୂପ କରି ଦେଖିବାବେଳେ ମଧ୍ୟ ମୁଁ ଯେପରି ଏଠି କୋଉଠି ହେଲେ ନଥିଲି । ମୋର ଅଜସ୍ର ବାସନାର ଖିଅ ଧରି ମୁଁ ଯେପରି କେବଳ ତୁମରିମାନଙ୍କ ସହିତ ଯୁକ୍ତ ହୋଇ ରହିଥିଲି । ଏହି ସଂସାରରେ ଗୋଟିଏ ଘରକୁ ମୁଁ ଘର ବୋଲି କହୁଚି, କେତେକ ମଣିଷଙ୍କୁ ମୁଁ ବାପା, ବୋଉ, ବଡ଼ ଭାଇ ଓ ସାନ ଭାଇ ବୋଲି କହୁଚି, ଆଦର ପାଉଚି ଓ ଆଦର ଦେଇ ପାରୁଚି, ଅଭିମାନ କରିପାରୁଚି । ମୋର ସମସ୍ତ ନୀତି-ସତର୍କତା ସତ୍ତ୍ୱେ ସେଠି ମୁଁ ନିର୍ମଳ ପିଲାଟି ପରି ଆପଣାର ଅଳିକୁ ପ୍ରକଟ କରି ପାରୁଚି । ସେଇ ଘର ବା ଆପଣା ସଂସାରର ଆଧାର ଉପରେହିଁ ଯେପରି ସଂସାରରେ ମୋର ଅନ୍ୟ ସମସ୍ତ ବିଚରଣ ସାର୍ଥକ ହୋଇ ପାରୁଚି । ପଅରଦିନ ଆଉ କାଲି ମୁଁ ଖାଲି ଏଇଆ ଭାବିଚି । କିଛି ପଢ଼ିବାକୁ ମନ ହୋଇ ନାହିଁ, କିଛି ଲେଖିବାକୁ ମନ ହୋଇନାହିଁ; ତୋ' ପାଖରେ ଦେଇ; ଆସିଥିବା ଜବାବକୁ ମୁଁ ପୂର୍ଣ୍ଣ କରି ପାରୁନାହିଁ ବୋଲି ଯେତେ କ୍ଷୁଣ୍ଣ ହୋଇ ପଡୁଥିଲେ ମଧ୍ୟ ତଥାପି ମୁଁ କିଛି କରି ପାରିନାହିଁ । ଖାଲି ଦୁର୍ବଳ ହୋଇ ପଡ଼ିରହିଚି ।

 

ଘରୁ ଆସିଲାବେଳେ ମୁଁ ସମସ୍ତଙ୍କୁ ବୁଝାଇ କରି ଆସିପାରିଲି । ସମସ୍ତେ ବୁଝିଲେ, କିନ୍ତୁ ବୋଉକୁ ବୁଝାଇ ପାରିଲି ନାହିଁ କି ସେ ମଧ୍ୟ ବୁଝିଲା ନାହିଁ । ମୋର ବିଦେଶ ଯିବା କଥା ଶୁଣିବା ଦିନୁ ସେ ମୋତେ ଖାଲି ଗୋଟିଏ ପ୍ରଶ୍ନ ପଚାରୁଥିଲା । ଥରେ ତ ତେଣେ ଯାଇଥିଲୁ, ତିନିଚାରି ବର୍ଷ ରହିକରି ଆସିଲୁ । ପୁଣି କାହିଁକି ଯିବୁ ? ବାର ବର୍ଷ ତଳେ ମୋର ପ୍ରଥମ ବିଦେଶ ଯାତ୍ରା ସମୟରେ ସେ ରାମ ଅବଧାନକୁ ଡକାଇ ମୋର ଜାତକ ଦେଖାଇଥିଲା । ଅବଧାନେ କୁଆଡ଼େ କହିଥିଲେ ଯେ ସେତେବେଳେ ମୋର ରାଶି ଉପରେ କେଇଟା ଦୁଷ୍ଟ ଗ୍ରହଙ୍କର କୋପ ପଡ଼ିଥିବାରୁ ମୋତେ ଭ୍ରମଣ ଯୋଗ ପଡ଼ିଚି । ଏହି ଗ୍ରହମାନେ ମୋତେ ଘରୁ ବାହାର କରାଇବେ । ସମୁଦ୍ର ପାର କରାଇବେ, ଦେଶ ଦେଶାନ୍ତର ବୁଲାଇବେ । ସେମାନଙ୍କର ଏହି କୋପକୁ ଶାନ୍ତ କରାଇବାର ଏକମାତ୍ର ପ୍ରତିକାର ରୂପେ ବୋଉ ଖାସ୍ ମୋ ପାଇଁ ସପ୍ତାହରେ ଦିନେ ଉପାସ ରହିବାକୁ ଆରମ୍ଭ କଲା । ବାଡ଼ିରେ ନୂଆ ହୋଇ କାକୁଡ଼ିଟିଏ ଫଳିଲେ, ଗଡ଼ିଆ ପାଣିରୁ ସୁନୁସୁନିଆ ଶାଗ ତୋଳାହୋଇ ଘରକୁ ଆସିଲେ ବୋଉ କେତେଥର ମୋ’କଥା ମନେ କରିଚି । ଗାଧୋଇବା ବୋଲି ଅଣ୍ଟାକ ପାଣିରେ ଠିଆ ହୋଇ ସେ କେତେଥର ମୋ’ପାଇଁ ଗ୍ରହମାନଙ୍କୁ ଡାକିଚି । ଯାହାର ପ୍ରଭାବରୁ ହେଉ ପଛକେ, ଚାରି ବର୍ଷ ପରେ ମୁଁ ଦେଶକୁ ଫେରିଆସିଲି; ଯେଉଁ ଘରର ପୁଅ ହୋଇ ଯାଇଥିଲି, ପୁଣି ସେହି ଘରର ପୁଅ ହୋଇ ଫେରିଆସିଲି । ଗ୍ରହମାନେ ଶାନ୍ତ ହେଲେ, ବୋଉର ମନରେ ଦମ୍ଭ ପଶିଲା । ସେ ଭାବିଥିଲା, ଏଇ ଥରକରେ ତାର ଧୈର୍ଯ୍ୟର ପରୀକ୍ଷା ସରିଯିବ; କୌଣସି ଦୁଷ୍ଟ ଗ୍ରହର କୋପ ମୋତେ ଆଉ ଚଗଲା କରିବାକୁ ଆସିବ ନାହିଁ ।

 

କିନ୍ତୁ ମୋର ପୁଣିଥରେ ବିଦେଶଯାତ୍ରାର ପ୍ରଶ୍ନ ଉଠିଲାବେଳକୁ ସେ ଏଥିଲାଗି କୌଣସି ଯୁକ୍ତି ପାଇଲା ନାହିଁ । ଗ୍ରହମାନେ ସିନା ଜୀବନ ଭିତରେ ଥରେ କୋପଦୃଷ୍ଟି ପକାଇବାକୁ ଆସନ୍ତି । କିନ୍ତୁ ମୋ’ପରି ଗୋଟିଏ ବିଗ୍ରହକୁ ପୁଣି ପାରିବ କିଏ ? ସେଥିପାଇଁ ଥରେ ମନର ସଂଶୟ ପ୍ରକାଶ କରି ବୋଉ ମତେ କହିଥିଲା, ତୁ ଏ ସଂସାରୁ ବାହାର, ତୋତେ ଭଗବାନ ମଧ୍ୟ ପାରିବେ ନାହିଁ । ମୁଁ ତାକୁ କେତେ ପ୍ରବୋଧ ଦେଲି, କେତେ ଯୁକ୍ତି ଦେଖାଇଲି । କହିଲି, ଆରଥର ବିଦେଶକୁ ପଢ଼ିବାକୁ ଯାଇଥିଲି, ଏଥର ଯାଉଚି ପଢ଼ାଇବାକୁ । ଏଥିରେ କେତେ ପଇସା ମିଳିବ, କେତେ ମାନ ସମ୍ମାନ ମିଳିବ, ଦେଶର ସୁନାମ ହେବ ଇତ୍ୟାଦି ଇତ୍ୟାଦି । କିନ୍ତୁ ଏଥିରେ ବୋଉର ସଂଶୟ ଆହୁରି ବଢ଼ିଲା ସିନା, କମିଲା ନାହିଁ । ଆସିବା ଦିନ ଯେତେବେଳେ ସେ ଦାଣ୍ଡଯାଏ ମୋତେ ବଳାଇ ଦେବାକୁ ଆସିଥିଲା, ସେତେବେଳେ ତାର ଆଖିରେ ମୁଁ ପ୍ରଧାନତଃ ଏହି ସଂଶୟ ହିଁ ଦେଖିବାକୁ ପାଇଥିଲି । ତା’ର ଏହି ସଂଶୟର କାରଣକୁ ମୁଁ ଅନ୍ଧବିଶ୍ୱାସ ବୋଲି କଦାପି କହିବି ନାହିଁ । ଯୋଉଠି ଅନ୍ଧବିଶ୍ୱାସ ଥାଏ, ସେଠି ଗୋଟାଏ ପ୍ରକାର ଉଗ୍ରତା ମଧ୍ୟ ଥାଏ ।

 

ମୋର ସମୁଦ୍ରଯାତ୍ରା ବିଷୟରେ କିଛି ଲେଖିବାପୂର୍ବରୁ ମୁଁ ତୋତେ ଗୋଟାଏ ଅନୁରୋଧ କରି ରଖୁଚି-। ତୁ ମଝିରେ ମଝିରେ ବୋଉ ପାଖକୁ ଯିବୁ, ସେଠି ଘଡ଼ିଏ ଶାନ୍ତ ହୋଇ ବସିବୁ । ମନ ଖୁସିରେ ତା’ ଆଗରେ କଥା ପଦେ କହିବୁ । ତେବେ ତୋ'ରି ପାଖରେ ବସି ଓ ତୋ'ରି କଥା ଶୁଣି ସେ ମୁଁ ମଧ୍ୟ ତା’ ପାଖରେ ବସିଥିଲା ପରି ଓ କଥା କହୁଥିଲା ପରି ଅନୁଭବ କରିବ ।

 

। ଇତି ।

ତୋରଭାଇ

Image

 

ଦୁଇ

 

ଆରବ ସାଗର

ତା ୧୦/୧୦/୬୨

ସ୍ନେହର ଜଟି,

 

ଜାହାଜର ନୋଟିସ୍ ବୋର୍ଡ଼ରୁ ଜଣାପଡ଼ିଲା ଯେ ବମ୍ବେଠାରୁ ଆମେ ଏହା ଭିତରେ ଏଗାର ଶହ ମାଇଲରୁ ଅଧିକ ଆସି ସାରିଲୁଣି । ମାନଚିତ୍ରରୁ ଜଣାପଡ଼ୁଚି ଯେ ହୁଏତ ଆଜି ସନ୍ଧ୍ୟାବେଳକୁ ଆମେ ଦୁଇ ପାଖରେ ବା ଅନ୍ତତଃ ଗୋଟିଏ ପାଖରେ ସ୍ଥଳଭାଗ ଦେଖବାକୁ ପାଇବୁ ଏଡେନ୍ ବନ୍ଦର କ୍ରମେ ନିକଟ ହୋଇ ଆସୁଚି । ଗତ ଚାରିଦିନ ହେଲା ସ୍ଥଳଭାଗ ଦେଖି ନ ଥିବାରୁ ଆମ ଭିତରୁ ଅନେକେ ବଡ଼ ଅସ୍ଥିର ହୋଇ ପଡ଼ିଲେଣି । ଆଜି ସକାଳେ ମୁଁ ବଡ଼ିଭୋରୁ ଗାଧୁଆ ପାଧୁଆ ସାରି ଉପରେ ଯାଇ ବସିଚି । ଶାନ୍ତ ସମୁଦ୍ର ଉପରେ ଆକାଶର ସିଗ୍‍ଧ ଆଶୀର୍ବାଦି ଅଜାଡ଼ି ଦେଇ ସୂର୍ଯ୍ୟ ଉଠୁଚି । ମୁଁ ଏକା ଆଖିରେ ସେହି ଆଡ଼କୁ ଅନାଇ ରହିଚି । ହଠାତ୍ ପଛରୁ ଜଣେ ସହଯାତ୍ରୀ ବନ୍ଧୁ ମୋତେ ସମ୍ବୋଧନ କରି ଚିତ୍କାର କରି ଉଠିଲେ; Mr. Das, that bloody horizon is still not visible । ବନ୍ଧୁ ଜଣକ ଭାରତୀୟ । ପାଟଣାରେ ଅଧ୍ୟାପକ । ବର୍ତ୍ତମାନ ଉଚ୍ଚତର ଶିକ୍ଷା ପାଇଁ ବିଲାତ ଯାଉଚନ୍ତି । ଶବ୍ଦଟାକୁ ସେ ଏହି ଜାହାଜ ଉପରେ ଆସି ଶିଖିଛନ୍ତି । ସେଇଥିଲାଗି ତାହାକୁ ସେ ଯଥାସମ୍ଭବ ସବୁ ବାକ୍ୟରେ ବ୍ୟବହାର କରି ପାରିବାର ଅଭ୍ୟାସ କରୁଛନ୍ତି । ଯେଉଁ ଦିଗ୍‌ବଳୟକୁ ଅନାଇ ରହି ମୁଁ ହୃଦୟକୁ ପୂର୍ଣ୍ଣ କରୁଥିଲି, ତାକୁ ସେ bloody ବୋଲି କହିବାରୁ ବନ୍ଧୁଙ୍କ ପ୍ରତି ଟିକିଏ ବିରକ୍ତି ଆସିଲା, କିନ୍ତୁ ତଥାପି ତାଙ୍କ ମନର ଅସ୍ଥିରତାକୁ ମୁଁ ଭଲ କରି ବୁଝି ପାରିଲି । ଚାରିପାଖ ଯାକ ଖାଲି ପାଣି ଦେଖି ଦେଖି ସେ ବଡ଼ ଅସ୍ଥିର ହୋଇ ପଡ଼ିଲେଣି । ମାଟିର ମୋହ ତାଙ୍କୁ ଏଇ ପାଣି ପ୍ରତି ବିତୃଷ୍ଠ କରି ପକାଇଲାଣି । ମୋ ପାଖରେ ବସିପଡ଼ି ସେ କହିଲେ, ମୁଁ ଭାବିଥିଲି, ଆମର ଜାହାଜ ଦିନେ ଦୁଇଦିନ ଜଳଯାତ୍ରା କରିବା ପରେ କୋଉଠି କୂଳଯାଗା ଦେଖି ରହିବ, ଆମେ ସବୁ ଉପରକୁ ଯିବା, ଟିକିଏ ଚଲାବୁଲା କରିବା, ମନଟାକୁ ଟିକିଏ ଖେଳେଇ ଆସିବା, ତା ପରେ ଜାହାଜ ପୁଣି ଆଗକୁ ଚାଲିବ । କିନ୍ତୁ ଏକାବେଳକେ ଚାରି ପାଞ୍ଚ ଦିନ ଯାଏ ଦିଗ୍‍ବଳୟ ମଧ୍ୟ ଦେଖିବାକୁ ମିଳିବ ନାହିଁ ବୋଲି ମୁଁ ଆଦୌ କଳ୍ପନା କରି ନଥିଲି ।

 

ଆମ ଜାହାଜର ନାଆଁ ହେଉଚି ସିଡ୍‍ନି । ଜାହାଜ କମ୍ପାନୀ ହେଉଚି ଇତାଲୀ ଦେଶର । ଜାହାଜର ଓଜନ ୧୮୦୦୦ ଟନ୍ । ଖୁବ୍ ବଡ଼ ନ ହେଲେ ମଧ୍ୟ ବେଶ୍ ବଡ଼ । ଆମେରିକାର ଗୋଟିଏ ଯାତ୍ରୀବାହୀ ଜାହାଜର ଓଜନ ହେଉଚି ୩୦୦୦୦ ଟନ୍ । ଗତଥର ବମ୍ବେ ଠାରୁ ଲିଭର୍ ପୁର ଗଲାବେଳେ ମୁଁ ଯେଉଁ ଭାରତୀୟ ଜାହାଜରେ ଯାଇଥିଲି, ତାର ଓଜନ ଦଶହଜାର ଟନ୍‍ରୁ ମଧ୍ୟ କମ୍ ଥିଲା । ଜାହାଜର ଓଜନ ଯେତେ ବେଶୀ ହେବ, ସମୁଦ୍ର ଉପରେ ଜାହାଜର ଗତିମଧ୍ୟ ସେତିକି ବେଶି ହେବ । ଓଜନ କମ୍ ଥିଲେ ଜାହାଜ ଟଳଟଳ ହେବ । ପବନର ଗତି ଟିକିଏ ପ୍ରଖର ହେଲେ ଜାହାଜର ଯାତ୍ରୀମାନଙ୍କ ଲାଗି ଜାହାଜ ଯାତ୍ରା ବେଶ୍ କଷ୍ଟକର ହୋଇ ଉଠିବ । ଆମ ଗାଆଁରେ ନଈବଢ଼ି ଆସିଥିଲାବେଳେ ତୁ କେବେ ଡଙ୍ଗା ଚଳାଇବୁ ? ଖାଲି ଡଙ୍ଗାକୁ କାତ ମାରି ନେଲାବେଳେ ଯେତେ କଷ୍ଟ ଲାଗେ, ବୋଝାଇ ଡଙ୍ଗାକୁ ନେଲାବେଳେ ସେତେ କଷ୍ଟ ଲାଗେନାହିଁ । ଖାଲି ଡଙ୍ଗାଠାରୁ ବୋଝାଇ ଡଙ୍ଗା ଅଧିକ ବୋଲମାନେ ।

 

ଏଇ ଖାଲି ଡଙ୍ଗା ଆଉ ବୋଝାଇ ଡଙ୍ଗା ବିଷୟରେ କହିଲା ବେଳକୁ ମୋର ଆଉ ଗୋଟିଏ କଥା ମନେ ପଡ଼ିଗଲା । ତୁ ଇତିହାସ ବହିରେ ପଢ଼ିଥିବୁ ଯେ ଇଂରେଜମାନେ ପ୍ରଥମେ ଆମ ଦେଶକୁ ବାଣିଜ୍ୟ କରିବାକୁ ଆସିଥିଲେ । ସେତେବେଳେ ସେମାନେ ବିଲାତରୁ ଜିନିଷ ଆଣି ଭାରତର ବଜାରରେ ବିକୁନଥିଲେ । ଭାରତର ଜିନିଷ ନେଇ ବିଲାତର ବଜାରରେ ହିଁ ବିକୁଥିଲେ । ସେହି ସମୟରେ ଆମ ଦେଶରେହିଁ ଆମର ସକଳ ପ୍ରୟୋଜନୀୟ ପଦାର୍ଥ ଭରପୂର ହୋଇ ରହିଥିଲା । ଆମ ଦେଶରୁ ମସଲା, ସୂତା ଆଉ ରେଶମର ଲୁଗା ଓ ନୀଳରଙ୍ଗ ନେଇ ବିଲାତରେ ବିକି ପଇସା କମାଇବା ପାଇଁ ଇଂଲଣ୍ଡର ପ୍ରଥମ ବଣିକ ଦଳ ଭାରତକୁ ଆସିଥିଲେ । ଏଠୁ ଅର୍ଥାତ୍ ଆମ ଦେଶରୁ ବିଲାତକୁ ଗଲାବେଳେଜାହାଜ ବୋଝାଇ ହୋଇ ଯାଇଥିଲା । କିନ୍ତୁ ତେଣୁ ଅର୍ଥାତ୍ ବିଲାତରୁ ଭାରତକୁ ଆସିଲାବେଳେ ଜାହାଜଗୁଡ଼ିକୁ ବାଧ୍ୟ ହୋଇ ଖାଲି ଆସିବାକୁ ପଡ଼ୁଥିଲା । ଏଠି ଆମ ଦେଶରେ ବିକିବା ଲାଗି କୌଣସି ପଣ୍ୟ ଦ୍ରବ୍ୟ ଥିଲେ ସିନା ଇଂରେଜ ବଣିକମାନେ ତାହାକୁ ଜାହାଜରେ ବୋଝାଇ କରି ଏଠାକୁ ଆଣୁଥାନ୍ତେ । ଏହାଫଳରେ ଖାଲି ଜାହାଜ ନେଇ ଭାରତକୁ ଆସିଲାବେଳେ ସେମାନଙ୍କୁ ସମୁଦ୍ରରେ ଭାରି କଷ୍ଟ ସହିବାକୁ ପଡୁଥିଲା । ଝଡ଼ ତୋଫାନ ଓ ଖରାପ ପାଗର ଅନେକ ଦାଉ ସହିବାକୁ ପଡ଼ୁଥିଲା । ଶେଷକୁ ବାଧ୍ୟ ହୋଇ ସେମାନେ ବିଲାତରୁ ଆସିବାବେଳେ ଜାହାଜ ଭିତରେ ମାଟି ବୋଝାଇ କରି ଆଣିଲେ । ବିଲାତର ମାଟି ଜାହାଜରେ ଚଢ଼ି କଲିକତା ପର୍ଯ୍ୟନ୍ତ ଆସିଲା । ଏହିସବୁ ଜାହାଜରୁ ଉତରା ହୋଇଥିବା ମାଟି ଯେଉଁଠି ପଡ଼ୁଥିଲା, ସେହି ସ୍ଥାନକୁ ବର୍ତ୍ତମାନ କଲିକତାର ଚୌରଙ୍ଗୀ ବୋଲି କୁହାଯାଉଛି । ଏଥର ଯେତେବେଳେ ତୁ ମୋ ସହିତ କଲିକତା ବୁଲିଆସିବୁ, ସେତେବେଳେ ଦେଖିବୁ ବିଲାତର ମାଟିରେ ମୂଳୁଦୁଆ ମଡ଼ା ହୋଇଥିବା ଏହି ଚୌରଙ୍ଗୀର ରୂପ ବର୍ତ୍ତମାନ କିପରି ବଦଳି ଗଲାଣି !

 

ଏଇ କାହାଣୀର ଏକ ଦ୍ଵିତୀୟ ଅଧ୍ୟାୟ ମଧ୍ୟ ରହିଚି । ବିଲାତରୁ ମାଟି ବୁହାହୋଇ ବେଶ୍ କିଛିଦିନ ପର୍ଯ୍ୟନ୍ତ କଲିକତାର ଚୌରଙ୍ଗୀରେ ମୂଳଦୁଆ ମଡ଼ା ହେବାପରେ ଜଣେ ବୁଦ୍ଧିଆ ଇଂରେଜଙ୍କର ମୁଣ୍ଡରେ ଗୋଟିଏ ନୂଆ ବୁଦ୍ଧି ଆସି ପହଞ୍ଚିଲା । ସେ ଭାବିଲେ, ଆମ ଦେଶରୁ ମାଟି ନେଇ କଲିକତାରେ ମୂଳଦୁଆ ପକାଇଲେ ଆମର କି ଲାଭ ହେବ ? ତା ଅପେକ୍ଷା ବରଂ ଏପରି କିଛି ସାମଗ୍ରୀ ନେଇକରି ଆସିବା ଉଚିତ, ଯାହାଫଳରେ କି ଭାରତବର୍ଷରେ ଦୁଇ ପଇସା ମିଳିବାର ସମ୍ଭାବନା ମଧ୍ୟ ରହିବ । ସେହି ଦିନଠାରୁ ବିଲାତର ଖାଲି ଜାହାଜରେଆମ ଦେଶକୁ ଲୁଣ ବୋଝେଇ ହୋଇ ଆସିବାକୁ ଆରମ୍ଭ କଲା । ବିଲାତର ଚେଶାୟାର ପ୍ରଦେଶରେ ଲୁଣର ପାହାଡ଼ ରହିଚି, ସେଇଠୁ କଟାହୋଇ ଆମଦେଶକୁ ଲୁଣ ଆସିଲା ! କିନ୍ତୁ ଭାରତରେ କଣ ଲୁଣ ଅଭାବ ? ଯେଉଁ ଦେଶରେଶହ ଶହ ମାଇଲ ସମୁଦ୍ର ଉପକୂଳ ରହିଚି, ସେଠି ଲୋକମାନେ ଅତି ଶସ୍ତାରେ ସମୁଦ୍ର ପାଣିରୁ ଲୁଣ ମାରି ଖାଉଥିଲେ । ତେଣୁ ଭାରତରେ ବିଲାତୀ ଲୁଣର ବିକ୍ରି ପାଇଁ ବଜାର ସୃଷ୍ଟି କରିବା ଲାଗି ଭାରତର ଆପଣା ଉପାୟରେ ଏହି ଲୁଣଅମଳ କରିବା ବନ୍ଦ କରିବାକୁ ପଡ଼ିଲା-। ସେହିମାନଙ୍କ ହାତରେ ତ ଆଇନ ରହିଚି, ତେଣୁ ସମୁଦ୍ରରୁ ଆଉ କେହି ଲୁଣ ମାରି ପାରିବେ ନାହିଁ ବୋଲି ସେହିମାନେହିଁ ଆଇନ୍ ଜାରି କରିଦେଲେ । ସେମାନଙ୍କର ଏକମାତ୍ର ମତଲବ ହେଲା, ଭାରତର ଲୁଣ ମରାକୁ ଯେକୌଣସି ପ୍ରକାରେ ବନ୍ଦ କରି ପାରିଲେ ଯାଇ ଭାରତବାସୀ ବିଲାତର ଲୁଣ କିଣିବାକୁ ବାଧ୍ୟ ହେବେ । ଏବଂ ସେହି ଉପାୟରେ ବିଲାତର ବାଣିଜ୍ୟ ବଢ଼ିବ, ଲକ୍ଷ୍ମୀ ବଢ଼ିବ । କମ୍ପାନୀ ସରକାରର ଏହି ଆଇନ ସତ୍ତ୍ୱେ ତଥାପି ଯେଉଁ ଭାରତୀୟମାନେ ସମୁଦ୍ରରୁ ଲୁଣ ମାରିଲେ, ସେମାନଙ୍କୁ ନାନାପ୍ରକାର ଶାସ୍ତି ଦିଆଗଲା । ସରକାରୀ ପୋଲିସ୍‍ଙ୍କର ଦୃଷ୍ଟି ଏଡ଼ିବା ଲାଗି ସମୁଦ୍ର କୂଳର ଅନେକ ଗରିବ ଲୋକ ଲୁଣ ଖାଇବାର ଗୋଟିଏ ନୂତନ ଉପାୟ ଅବଲମ୍ବନ କଲେ । ସେମାନେ ବାହୁଙ୍ଗୀରେ ଘାସ ହଳା ବାନ୍ଧି ଘାସ ଧୋଇବା ବାହାନାରେ ତାକୁ ସମୁଦ୍ର ପାଣିକୁ ନେଇ ବୁଢ଼ାଇ ଆଣୁଥିଲେ । ସେହି ଘାସକୁ ଶୁଖାଇବା ପରେ ସେଥିରେ ନିଆଁ ଲଗାଇ ଦେଉଥିଲେ ଏବଂ ତାହାର ପାଉଁଶକୁ ଭାତ ସହିତ ଲୁଣ ପରି ଗୋଳାଇ ଖାଉଥିଲେ । କିନ୍ତୁ ବାଣିଜ୍ୟ ବୁଭୁକ୍ଷିତ ବେପାରୀ ଲାଗି ପୁଣି କୋଉ ପାପର ମନା ରହିଛି ? ଭାରତବାସୀଙ୍କର ଏହି ଚଲାଖି ବୁଝିପାରି ଇଂରେଜମାନେ ପୁଣି ଆଇନ୍ ପାସ୍ କରିଦେଲେ ଯେ ଯିଏ ଏହିପରି ଭାବରେ ମଧ୍ୟ ସମୁଦ୍ରର ପାଣିରେ ଘାସ ଧୋଇ ଲୁଣ ଖାଇବାର ଅନ୍ୟାୟ କରିବ, ତାକୁ ପାଞ୍ଚଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ଓ ଛଅମାସ ଜେଲ ଭୋଗିବାକୁ ପଡ଼ିବ । ତୁ ଜାଣିବୁ, ଇଂରେଜ ସରକାରଙ୍କର ଏଇ ଲୁଣ-ଆଇନ୍ ଭାଙ୍ଗିବା ପାଇଁ ୧୯୩୦ ମସିହାରେ ମହାତ୍ମାଗାନ୍ଧୀ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।

 

ଭାରତବର୍ଷର ଇତିହାସ ଭିତରୁ ବର୍ତ୍ତମାନ ଆମେ ପୁଣି ଆମ ଜାହାଜକୁ ଫେରି ଆସିବା-। ଇତାଲୀର ଏହି ଜାହାଜ କମ୍ପାନୀର ଦୁଇଟି ଜାହାଜ ଅଷ୍ଟ୍ରେଲିଆ ଓ ଇତାଲୀ ଭିତରେ ଯାତ୍ରୀ ନେବା ଆଣିବା କରେ । ଅଷ୍ଟ୍ରେଲିଆର ଗୋଟିଏ ବଡ଼ ସହର ସିଡ଼୍‍ନିର ନାମ ଅନୁସାରେ ଆମ ଜାହାଜର ନାମକରଣ ହୋଇଛି । ଆର ଜାହାଜଟିର ନାମ ହେଉଛି 'ରୋମା’ । ଇତାଲୀ ଦେଶର ଭାଷାରେ ରାଜଧାନୀ 'ରୋମ'–ସହରକୁ ‘ରୋମା’ ବୋଲି କହନ୍ତି । ସେହି ଜାହାଜଟି ବର୍ତ୍ତମାନ 'ଇଉରୋପରୁ ଅଷ୍ଟ୍ରେଲିଆ, ଫେରୁଥିବ । ଆମ ଜାହାଜରେ ବର୍ତ୍ତମାନ ସର୍ବମୋଟଏଗାରଶହ ଯାତ୍ରୀ । ଏମାନଙ୍କ ଭିତରୁ ୧୭୫ ଜଣ ଯାତ୍ରୀ ବମ୍ବେ ବନ୍ଦରରେ ଜାହାଜ ଚଢ଼ିଛନ୍ତି । ଅଷ୍ଟ୍ରେଲିଆର ସିଡ଼୍‍ନି ବନ୍ଦର ଛାଡ଼ିବା ପରେ ‘ସିଡ଼ି୍‍ନି’ ସିଙ୍ଗାପୁର ଦେଇ ବମ୍ବେ ଆସିଚି । ବମ୍ବେ ପରେ ଆମର ଜାହାଜ ସୁଏଜ୍, ପୋର୍ଟସୟଦ ମେସିନା ଓ ନେପ୍‍ଲ୍‍ସ୍ ବନ୍ଦର ହୋଇ ଜେନୋଆଠାରେ ଆପଣାର ଏହି ଯାତ୍ରା ଶେଷ କରିବ । ହଁ, ଦରକାର ପଡ଼ିଲେ ଭୂମଧ୍ୟସାଗରର ମାଲ୍‍ଟା ଦ୍ୱୀପରେ ମାତ୍ର କେତେ ଘଣ୍ଟା ଲାଗି ରହିବ, ନହେଲେ ନାହିଁ । ଜେନୋଆ ହେଉଚି ଉତ୍ତର ଇତାଲୀର ଏକ ପ୍ରଧାନ ବନ୍ଦର । ସମୁଦ୍ରପଥ ଲାଗି ସମଗ୍ର ମହାଦେଶୀୟ ଇଉରୋପର ଦକ୍ଷିଣଦ୍ୱାରା ସ୍ୱରୂପ ! ଏହି ଜେନୋଆ ବନ୍ଦରରେ ହିଁ ଆମ ସମସ୍ତଙ୍କର ସମୁଦ୍ର ଯାତ୍ରା ଶେଷ ହେବ-। ଏହି କେତେ ଦିନର ସଂସାର ଭାଙ୍ଗି ଆମେ ସେହିଠାରୁ ଯିଏ ଯୁଆଡ଼େ ଆପଣାର ଗନ୍ତବ୍ୟ ପଥରେ ଚାଲିଯିବୁ ।

 

ଆମ ଜାହାଜରେ ଅଷ୍ଟ୍ରେଲିଆ ବାସୀ ଅନେକ ଲୋକ ଅଛନ୍ତି । ସିଙ୍ଗାପୁର ଓ ମାଲୟ ରାଜ୍ୟରୁ ମଧ୍ୟ କେତେକ ଯାତ୍ରୀ ଆସିଛନ୍ତି । ଯେଉଁମାନେ ବମ୍ବେ ବନ୍ଦରରୁ ଉଠିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତବାସୀ । ଏମାନେ ସମସ୍ତେ ବିଦେଶ ଯାତ୍ରା କରି ବାହାରିଛନ୍ତି । ଅନ୍ୟମାନେ ଘରକୁ ଫେରୁଛନ୍ତି । ଘରକୁ ଫେରୁଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇତାଲୀ ଦେଶର । ଏହା ବ୍ୟତୀତ ଜର୍ମାନୀ ଦେଶର ମଧ୍ୟ ପ୍ରାୟ ଶହେ ଦୁଇଶହ ଯାତ୍ରୀ ଅଛନ୍ତି । ଏମାନେ ଜାହାଜରେ ଜେନୋଆ ପର୍ଯ୍ୟନ୍ତ ଯିବେ । ଇତାଲୀ ଓ ଜର୍ମାନୀ ଦେଶର ଲୋକମାନଙ୍କ ଭିତରେ ଚେହେରାରେ ବେଶ୍ ପ୍ରାର୍ଥକ୍ୟ ରହିଚି । ଇତାଲୀୟମାନଙ୍କର ମୁଣ୍ଡରେ କଳା ବାଳ, ନାକ ତଳେ କଳା ନିଶ, ଆଖିରେ କଳା କଳା ଡୋଳା । ଦେହର ରଙ୍ଗ ଟିକିଏ ସାବନା ହୋଇଥିଲେ ଏମାନେ ଭାରତୀୟ ବୋଲି ମଧ୍ୟ ବେଶ୍‍ ଭ୍ରମ ହେଉଥାନ୍ତା । ଜର୍ମାନୀ ଦେଶର ଲୋକମାନଙ୍କର ମୁଣ୍ଡର ବାଳ କହରା ! କାହାରି କାହାରି ନାଲି ପୁଣି ଆଉ କାହାରି ତମ୍ବା ରଙ୍ଗର । ସେମାନେ ଦେଖିବାକୁ ଟିକିଏ ଅଧିକ ଡେଙ୍ଗା, ନାକ ତଳର ନିଶ ପରିଷ୍କାର ଭାବରେ ପୋଛା ହୋଇଚି । ଆଖିଗୁଡ଼ାକ ବିଲେଇ ଆଖି ପରି ଚିଲି ଚିଲା ଦେଖାଯାଉଚି । ଦେହର ବର୍ଣ୍ଣକୁ ଆମ ଭାରତୀୟ ଅର୍ଥର ଗୋରା ବୋଲି ନ କହି ଶେତା ବୋଲି କହିଲେ ବୋଧହୁଏ । ଅଧିକ ଯୁକ୍ତିଯୁକ୍ତ ହେବ ।

 

ହଁ, ଭାଷାରେ ମଧ୍ୟ ତଫାତ୍ ରହିଚି । ଇତାଲୀର ଭାଷା ଆସିଚି ଲାଟିନ୍‍ ଭାଷାରୁ । ଫ୍ରାନ୍ସ, ସ୍ପେନ ଓ ଇତାଲୀ, ଇଉରୋପର ଏହି ତିନୋଟି ଦେଶର ଭାଷା ଇଉରୋପୀୟ ପ୍ରାଚୀନ ଭାଷା ଲାଟିନ୍‍ରୁ ଉଦ୍‍ଭୂତ ହୋଇଚି । ଆମ ଦେଶର ଉତ୍ତରାଞ୍ଚଳରେ ସଂସ୍କୃତ ଭାଷା ଯେମିତି, ଇଉରୋପର ଏହି ତିନି ଦେଶ ଲାଗି ଲାଟିନ୍‍ ଭାଷା ମଧ୍ୟ ଠିକ୍ ସେମିତି । ଆମ ଦେଶରେ ବେଶ୍ ଅନେକ ଶତାବ୍ଦୀ ଲାଗି ସଂସ୍କୃତ ଭାଷା ଦେବଭାଷା ହୋଇ ରହିଥିବାପରି ସେଠି ଲାଟିନ୍ ମଧ୍ୟ ମଧ୍ୟଯୁଗରେ ଧର୍ମର ଶାସ୍ତ୍ରୀୟ ଭାଷା ହୋଇ ରହିଥିଲା । ଜର୍ମାନୀ ଭାଷାରେ ଅନେକ ଲାଟିନ୍‍ ଶବ୍ଦ ରହିଚି । ଦକ୍ଷିଣ ଭାରତର ଦ୍ରାବିଡ଼ୀ ଭାଷାରେ ଯେପରି ଅନେକସଂସ୍କୃତ ଶବ୍ଦ ରହିଚି, ଠିକ୍ ସେହିପରି । କିନ୍ତୁ ତଥାପି ଜର୍ମାନ୍‍ ଭାଷା ଲାଟିନ୍ ବଂଶର ଭାଷା ନୁହେଁ । ଇତାଲୀୟ ଭାଷା ଠାରୁ ଏହା ଉଚ୍ଚାରଣରେ ଭିନ୍ନ, ବ୍ୟାକରଣରେ ଭିନ୍ନ ଓ ସ୍ଵରାଘାତରେ ମଧ୍ୟ ଭିନ୍ନ ।

 

ଜାହାଜକୁ ମୁଁ ପ୍ରକୃତରେ ଗୋଟିଏ ପରିପୂର୍ଣ୍ଣ ସଂସାର ବୋଲି କହିବି । ଯେକୌଣସି ସଂସାର ଅପେକ୍ଷା ଏହା କୌଣସି ଗୁଣରେ ଆଦୌ କମ୍ ବିଚିତ୍ର ନୁହେଁ । ଦେଖବାର ଆଖି ଓ ଜାଣିବାର ମନ ନେଇ ଜାହାଜକୁ ଆସିଥିଲେ ଏଠି ଅନେକ କିଛି ଦେଖିହେବ, ଅନେକ କିଛି ଜାଣିହେବ, ମଣିଷ ଜୀବନର ଅନେକ ନୂତନ କ୍ଷେତ୍ର ଓ ନୂତନ ଦିଗକୁ ଆବିଷ୍କାର କରିହେବ । କୌଣସି ପ୍ରକାରେ କୁପିତ ବା କ୍ରୃଦ୍ଧ ନ ହୋଇ ଉପଭୋଗ କରିବାର ହୃଦୟ ରହିଥିଲେ ଏଠି ଚାରିପାଖର ଜୀବନରୁ ଅନେକ କିଛି ଉପଭୋଗ କରିହେବ । ଆମର ଏହି ସଂସାରରେ ବାସ କରୁଥିବା ଏଗାରଶହ ଯାତ୍ରୀ ଅଛନ୍ତି; ଏହି ସଂସାରର ଯନ୍ତ୍ରମାନଙ୍କୁ ଚଳାଉଥିବା ପ୍ରାୟ ପଚାଶଜଣ କୁଶଳୀ କାରିଗର ଅଛନ୍ତି, ଆମର ଦୈନନ୍ଦିନ ଜୀବନକୁ ଖାଦ୍ୟପେୟ, ଚର୍ବି, ଚୋଷ୍ୟ ଓ ବାସଯୋଗ୍ୟ ପରିଷ୍କାର ପରିଚ୍ଛନ୍ନତା ଦ୍ଵାରା ସମ୍ପନ୍ନ ଓ ମଣ୍ଡିତ କରି ରଖିବା ଲାଗି ପ୍ରାୟ ଶହେ ସରିକି ପରିଚାରକ ମଧ୍ୟ ଅଛନ୍ତି । ଜାହାଜରେ କପ୍ତାନ ଅଛନ୍ତି, ଡ଼ାକ୍ତର ଅଛନ୍ତି, ଇଞ୍ଜିନିଅର ଅଛନ୍ତି, ପାଦ୍ରୀ ମଧ୍ୟ ଅଛନ୍ତି । ରୋଷେଇ କରିବାର ପୁଝାରି ଅଛନ୍ତି, ବିଛଣା ପାରିଦେବାକୁ ଭୃତ୍ୟ ଅଛନ୍ତି । ମଦ୍ୟ ବିପଣିରେ ମଦ୍ୟ ପରିବେଷଣ କରି ଯାତ୍ରୀମାନଙ୍କ ଚିତ୍ତକୁ ରଞ୍ଜାଇ ରଖିବାର ପରିକରମାନେ ମଧ୍ୟ ଅଛନ୍ତି । ଯାତ୍ରୀମାନଙ୍କ ମଧ୍ୟରେ ରହିଥିବା ବୈଚିତ୍ର୍ୟ ମଧ୍ୟ କମ୍ ନୁହେଁ । ଆମ ଭିତରେ ଛାତ୍ର ଅଛନ୍ତି, ଶିକ୍ଷକ ଅଛନ୍ତି, ଗ୍ରୀଷ୍ମକାଳରେ ଗ୍ରୀଷ୍ମମଣ୍ଡଳକୁ ବୁଲି ଆସିଥିବା ଇଉରୋପବାସୀ ଅଛନ୍ତି । କାହାର ସ୍ଵାମୀ ବିଲାତରେ ଚାକିରୀ କରିଛନ୍ତି, ସେ ପିଲାପିଲି ଧରି ବିଲାତକୁ ବାହାରିଛନ୍ତି । କିଏ ଆମ ଦେଶରେ କୋଉ କାରଖାନାରେ କାମ କରୁଥିଲା, ଜର୍ମାନୀର କୌଣସି କାରଖାନାରେ କାମ ଯୋଗାଡ଼ କରି ଜର୍ମାନୀ ଯାଉଛି । ଦିନରେ କାରଖାନାରେ କାମ କରି ଜୀବିକା ଲାଗି ଅର୍ଥୋପାର୍ଜନ କରିବ । ରାତିରେ ପାଠ ପଢ଼ି ଶେଷକୁ ଉଚ୍ଚତର ଯୋଗ୍ୟତା ନେଇ ଦେଶକୁ ଫେରିବ !

 

ହଁ, କେହି କେହି ବ୍ୟବସାୟ କରିବାକୁ ମଧ୍ୟ ଯାଉଛନ୍ତି । ଆଜି ସକାଳେ ଚାହା ପିଇଲାବେଳେ ମୁଁ ଯୋଗକୁ ଜଣେ ପଞ୍ଜାବୀ ଭଦ୍ରଲୋକଙ୍କ ସହିତ ଗୋଟିଏ ଟେବୁଲ୍‌ରେ ବସିଥିଲି-। ଦେଖିବାକୁ ବେଶ୍ ମୋଟାସୋଟା, ଲମ୍ବା ଯେତିକି, ଚଉଡ଼ା ମଧ୍ୟ ସେତିକି । ମୁଖ ବର୍ଗାକାର, ବକ୍ଷ ମଧ୍ୟ ବର୍ଗାକାର । ଶରୀରର ଛାଞ୍ଚ ଅନୁସାରେ ଶରୀର ଉପରର ପୋଷାକ ମଧ୍ୟ ଅନୁରୂପ ଭାବେ ତିଆରି ହୋଇଚି । ତାଙ୍କ ସହିତ କଥାବାର୍ତ୍ତା ଜମିଲା ପରେ ଜାଣିଲି ଯେ ସେ ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ବିଲାତ ଯାଉଛନ୍ତି । ଲଣ୍ଡନ ସହରରେ ତାଙ୍କର ଲୁଗା ବେପାର ଅଛି । ବେପାରୀ ତ ବେପାରୀ, ପୁଣି ଲଣ୍ଡନ ସହରର ବେପାରୀ । ମୋର ଅର୍ଥଦରିଦ୍ର ପୋଷାକୀ ମନଟାରେ ଟିକିଏ ସମ୍ବ୍ରମ ଉତ୍ପନ୍ନ ହେବାର ଉପକ୍ରମ ହେଲା । ତା'ପରେ ଅନେକ ଉତ୍କଣ୍ଠା ନେଇ ମୁଁ ପୁଣି ପଚାରିଲି; ଆପଣ ବିଲାତରୁ ଲୁଗା ଆଣି ଭାରତରେ ବିକନ୍ତି ନା ଭାରତରୁ ଲୁଗା ନେଇ ବିଲାତରେ ବିକନ୍ତି ? ସେ ଉତ୍ତର ଦେଲେ, ନାଇଁ, ମୁଁ ଲଣ୍ଡନରୁ ଲୁଗା କିଣେ, ପୁଣି ସେହି ଲଣ୍ଡନରେ ବିକ୍ରି କରେ । ମୁଁ ପଚାରିଲି ! ସେଥିରେ କଣ ଲାଭ ହୁଏ ? ମୋ' ଭିତରେ ଅସୀମ ବିସ୍ମୟର ସୃଷ୍ଟିକରି ସେ ଅସୀମ ବିଶ୍ୱାସର ସହିତ ଉତ୍ତର ଦେଲେ ହଁ, ଭାରି ଲାଭ ହୁଏ । ମୁଁ ମୋଟା ପରିମାଣରେ ଲୁଗା କିଣେ, କଳା ବଜାରରେ କିଣେ ଓ ତାକୁ ଖୁଚୁରା ବଜାରରେ ବିକ୍ରି କରେ । ସବୁ ଶୁଣି ମୁଁ ମନେ ମନେ ଭଦ୍ରଲୋକଙ୍କର ଅର୍ଥକାରୀ ବୁଦ୍ଧିକୁ ଧନ୍ୟବାଦ ନ ଦେଇ ରହି ପାରିଲିନାହିଁ I

 

ଆମ ସଂସାରର ପୋଷାକପତ୍ର ମଧ୍ୟ କମ୍ ବିଚିତ୍ର ନୁହେଁ । ଅଷ୍ଟ୍ରେଲିଆ ମଧ୍ୟ ଆମ ଭାରତବର୍ଷ ପରି ଗୋଟିଏ ଗ୍ରୀଷ୍ମପ୍ରଧାନ ଦେଶ । ଯେଉଁମାନେ ସେହିଦେଶରୁ ଆସିଚନ୍ତି, ସେମାନେ ଏ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ପୋଷାକ ପିନ୍ଧିଛନ୍ତି । ଯେଉଁମାନେ ଗ୍ରୀଷ୍ମ ମଣ୍ଡଳର ଭ୍ରମଣ ସମାପ୍ତ କରି ଇଉରୋପରେ ଥିବା ଆପଣା ଦେଶକୁ ଫେରି ଯାଉଚନ୍ତି, ସେମାନେ ମଧ୍ୟ ଗ୍ରୀଷ୍ମ ମଣ୍ଡଳୀୟ ପୋଷାକ ଛାଡ଼ିନାହାନ୍ତି । ଅଧିକାଂଶ ହାପ୍‍ପ୍ୟାଣ୍ଟ ପିନ୍ଧୁଛନ୍ତି । ଏହାକୁ ହାପ୍‍ପ୍ୟାଣ୍ଟ ନ କହି ମୋଟା ଅଣ୍ଡର ଓୟାର କହିଲେ ଅଧକ ସଙ୍ଗତ ହେବ । ଦେହ ଉପରେ ଗୋଟାଏ ମୋଟା ଗେଞ୍ଜି, ଛାତିର ଅଧଯାଏ ଫଡା ହୋଇରହିଚି । ଗୋଡ଼ରେ ଚଟି । ଅନେକଙ୍କର ଗୋଡ଼ରେ ହୁଏତ କୌଣସି ପ୍ରକାରର ହିଁ ପାଦୁକା ନାହିଁ । ନାନା ଦେଶ ବୁଲିସାରିବା ପରେ ଆପଣା ଦେଶକୁ ଫେରୁଛନ୍ତି ବୋଲି ମନ ଭାରି ଖୁସିଅଛି । ତେଣୁ ସେମାନେ ଦିନଯାକ ଏଠି ସେଠି ହୋଇ ଜାହାଜର ଜୀବନକୁ ମୁଖର ଉଚ୍ଛ୍ୱସିତ କରି ରଖିଛନ୍ତି । ପୁରୁଷମାନଙ୍କର ପୋଷାକ ପରି ସ୍ତ୍ରୀଲୋକମାନେ ପିନ୍ଧିଥିବା ପୋଷାକକୁ ମଧ୍ୟ ନିରାପଦରେ ସ୍ଵଳ୍ପ ବୋଲି କୁହାଯାଇପାରିବ । ଏମାନଙ୍କୁ ଦେଖିଲାବେଳକୁ ହଠାତ୍ ଇଉରୋପର କୌଣସି ଗ୍ରୀଷ୍ମକାଳୀନ ସମୁଦ୍ର-ଉପକୂଳର କଥା ମନେ ପଡ଼ିଯାଉଚି । ଦୀର୍ଘ ଶୀତର ଜୀବନହୀନତା ପରେ ଯେତେବେଳେ ଗଛର ନୂଆ ପତର ଓ ନୂଆ ଚଢ଼େଇର କଣ୍ଠସ୍ୱନରେ ଇଉରୋପର ଧରାତଳ ଜୀବନମୟ ହୋଇଉଠେ, ସେତେବେଳେ ଇଉରୋପର ଅଧିବାସୀମାନେ ସହସ୍ର ସହସ୍ର ସଂଖ୍ୟାରେ ସମୁଦ୍ର କୂଳକୁ ସ୍ନାନ କରିବାକୁ ଆସନ୍ତି । ଦିନଯାକ ସମୁଦ୍ର ଉପକୂଳରେ ବାଲି ଉପରେ ପଡ଼ି ଖରା ଖାଉଥାନ୍ତି । ଖରା କାଟିଲେ ପାଣିରେ ଯାଇ ପଡ଼ନ୍ତି, ପୁଣି ଶୀତ କଲେ ପାଣିରୁ ଉଠି ବାଲି ଉପରେ ଆସି ପଡ଼ନ୍ତି । ହଠାତ୍ ଦେଖିଲେ ଏମାନଙ୍କୁ ମଣିଷର ପୋଷାକ ପିନ୍ଧିଥିବା କୁମ୍ଭୀରମାନଙ୍କର ଏକ ସଂସାର ବୋଲି ମନେହୁଏ । ସାଧାରଣ ସମାଜର ସଂସ୍କାର ବିଷୟରେ ସେତେବେଳେ ସେମାନଙ୍କର କୌଣସି ହୋସ୍ ନଥାଏ, ନିଜର ପୋଷାକପତ୍ର ବିଷୟରେ ମଧ୍ୟ କୌଣସି ହୋସ୍ ନଥାଏ ।

 

ପୋଷାକ ବିଷୟରେ ଏଠି ଅଭାରତୀୟମାନେ ଯେତିକି ଅଣହୁସିଆର, ଆମ ଭାରତୀୟମାନେ ଠିକ୍ ସେତିକି ହୁସିଆର । ଆଗେ ଭାରତରୁ ପ୍ରଧାନତଃ ରାଜା ମହାରାଜାମାନେ ବିଲାତ ଯାଉଥିଲେ । ତେଣୁ ଇଉରୋପର ସାହେବମାନେ ଜାଣୁଥିଲେ ଯେ ଭାରତବର୍ଷରେ ମଣିଷମାତ୍ରେ ହିଁ ରାଜା ମହାରାଜାମାନଙ୍କ ପରି ଦେଖା ଯାଉଥିବେ । ତେଣୁ ସେମାନେ ଭାବୁଥିଲେ ଯେ ଭାରତରୁ ଯିଏ ଆସିବ, ତା' ଦେହରେ ଚପକନ ରହିଥିବ, ମୁଣ୍ଡରେ ପଗଡ଼ି ବନ୍ଧା ହୋଇଥିବ । ଠିକ୍‍ ସେହିପରି 'ବିଲାତର' ଯେଉଁ ଲୋକମାନେ ଇଂରେଜ ଅମଳରେ ଆମ ଦେଶକୁ ଆସୁଥିଲେ, ସେମାନେ ପ୍ରଧାନତଃ କୌଣସି ଦେଶ, ସଂସ୍କୃତି ବା ସଭ୍ୟତାର ପ୍ରତିନିଧ ହୋଇ ଆମ ଦେଶକୁ ଆସୁ ନ ଥିଲେ, ସେମାନେ ଶାସକ ହୋଇ ଆସୁଥିଲେ । ଭାରତୀୟ ଶାସିତ ବର୍ଗଠାରୁ ଆପଣାକୁ ଭିନ୍ନକରି ଦେଖାଇବାକୁ ଓ ଆପଣାକୁ ଉଚ୍ଚତର ବର୍ଗ ବୋଲି ପ୍ରମାଣ କରିବାକୁ ସେମାନେ ଆପଣାର ପୋଷାକପତ୍ର ବିଷୟରେ ଭାରି ସଚେତ ଥିଲେ । ଆମ ଭାରତୀୟ ସମାଜରୁ ଯେଉଁମାନେ ପ୍ରଥମେ ଇଂରାଜୀ ପାଠ ପଢ଼ି ସାହେବ ହୋଇ ଶିଖିଲେ, ସେମାନଙ୍କୁ ଏହି ଶାସକ ବର୍ଗଠାରୁ ହିଁ ଇଂରାଜୀ ଚାଲିଚଳନ ଓ ଇଂରାଜୀ ପରିଧାନର ସଂସ୍କାରମାନ ଶିଖିବାକୁ ପଡ଼ିଥିଲା । ତେଣୁ ଏମାନେ ମଧ୍ୟ ଆପଣାର ପୋଷାକଗତ ବାହ୍ୟ କାଇଦାଗୁଡ଼ାକ ବିଷୟରେ ଭାରି ସଚେତ ହୋଇ ପଡ଼ିଥିଲେ । ଆମଦେଶରୁ ବର୍ତ୍ତମାନ ଇଂରେଜଶାସନ ଅପସରି ଗଲାଣି, ଇଂରାଜୀ ସଂସ୍କାର ଓ ଇଂରାଜୀ କାଇଦାର ଶାସନକର୍ତ୍ତୃତ୍ୱ ମଧ୍ୟ ଅପସରି ଗଲାଣି । ତଥାପି ଦୁର୍ଭାଗ୍ୟର ବିଷୟ ଯେ ଆମ ଭିତରୁ ଅନେକ ଭାରତବାସୀ ପୋଷାକ ବିଷୟରେ ଏକ ତୀକ୍ଷ୍‍ଣ ଓ ଦୁର୍ଦ୍ଧର୍ଷ ସଚେତନତା ଦ୍ଵାରା ବଡ଼ ଉତ୍କଟ ଭାବରେ ପୀଡ଼ିତ ହୋଇ ରହିଛନ୍ତି । ଏହିମାନେ ସକାଳଠାରୁ ସଞ୍ଜପର୍ଯ୍ୟନ୍ତ ଦିନକୁ ଚାରିଥର କରି ପୋଷାକ ବଦଳାଉଛନ୍ତି । ଆମ ଗାଁଆରେ ଆଗେ କୌଣସି ସ୍ଥାନକୁ ଅନୁକୂଳ କରି ଗଲାବେଳେ ଯେପରି ନାହାକ ଡାକି ବାରବେଳା ଓ ରାଶି ନକ୍ଷତ୍ର ବିଷୟରେ ପରାମର୍ଶ କରି ଲୋକେ ତାପରେ ଯାଇ କୁଆଡ଼କୁ ବାହାରୁ ଥିଲେ, ସେଇପରି ଏମାନେ ମଧ୍ୟ ଦେଶରୁ ବାହାରିବାବେଳେ ସାହେବି କାଇଦା ବିଷୟରେ ପାରଙ୍ଗମ ହୋଇଥିବା ଅନେକ ଲୋକଙ୍କଠାରୁ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ସମ୍ବନ୍ଧରେ ଯାବତୀୟ ପରାମର୍ଶ ନେଇ ଆସନ୍ତି । ତେଣୁ ଦେଶର କୂଳ ଛାଡ଼ିବା ମାତ୍ରକେ ସେମାନଙ୍କର ସଚେତନ ମନ ଆପଣାର ସବୁ କୁଳ ଭୁଲି କେବଳ ଏକ ଅନୁକରଣ-ପ୍ରକ୍ରିୟା ହିଁ ଆରମ୍ଭ କରିଦିଏ ।

 

ଆମ ଜାହାଜରେ ଅଧିକାଂଶ ଭାରତୀୟମାନଙ୍କ ମଧ୍ୟରେ ପୋଷାକ ବିଷୟରେ ମୁଁ ପ୍ରଧାନତଃ ଏହି ପ୍ରକ୍ରିୟାଟି ଦେଖିବାକୁ ପାଉଛି । ସେମାନେ ପାଠ ପଢ଼ିବାବେଳେ, ସଭ୍ୟ ସମାଜରେ ମିଶିଲାବେଳେ ଆପଣାର ଭୂଇଁଛଡ଼ା ଆଗ୍ରହ ନେଇ ଯେଉଁ ପରାମର୍ଶମାନ ପାଇଛନ୍ତି, ଏଠି ସେହିପରି ପରାମର୍ଶ ଅନୁସାରେ ଆପଣାର ବାହ୍ୟାଚାର ଗୁଡ଼ାକୁ କେବଳ ସଜାଇବାରେ ଲାଗି ପଡ଼ିଛନ୍ତି । ଭିନ୍ନ ଭିନ୍ନ ସମୟରେ ଭଳିକି ଭଳି ପୋଷାକ ପିନ୍ଧିବା ଏମାନଙ୍କର ଆଚାରଧର୍ମ ହୋଇ ରହିଚି । ସକାଳେ ପାଇଖାନା ଓ ଗାଧୁଆଘରକୁ ଯିବାବେଳଠାରୁ ଆରମ୍ଭ କରି ରାତି ଭୋଜନରେ ବସିବା ପର୍ଯ୍ୟନ୍ତ ଦେହର କେଉଁ ଅଂଶ ଓ କେଉଁ ଅଞ୍ଚଳରେକିପରି ପୋଷାକ ରହିବା ଉଚିତ, ଏହିପରି ଏକ ସୂତ୍ରର ନିର୍ଦ୍ଦେଶାନୁସାରେ ଏମାନେ ଆପଣାର ମଣ୍ଡନ ବଦଳାଇବାରେ ବ୍ୟସ୍ତ ଅଛନ୍ତି-। ଦେଖିଲେ ମନେହେଉଚି, ଯେପରି ଏମାନଙ୍କର ଜୀବନ ବଞ୍ଚିବାକୁ ହୋଇନାହିଁ । କେବଳ ଯାତ୍ରାରେ ବାହାରିବାକୁ ହିଁ ତିଆରି ହୋଇଚି । ଯାତ୍ରା ଦେଖିବାକୁ ଗଲାବେଳେ ଅନେକ ମଣିଷ ଯାତ୍ରା ଦେଖିବା ଅପେକ୍ଷା ଆପଣାକୁ ଦେଖାଇ ହେବାରେ ଅଧିକ ବ୍ୟସ୍ତ ଥାଆନ୍ତି । ସେଥିପାଇଁ ଭଲ ପୋଷାକ, ଭଲ ଗହଣା ପିନ୍ଧି ଏମାନେ ଯାତ୍ରାକୁ ଯାଆନ୍ତି । ଆପଣାର ନ ଥିଲେ ପରଠାରୁ ମାଗିକରି ପିନ୍ଧି ଯାଆନ୍ତି । ଆମ ଜାହାଜ ଉପରେ ଆପଣାର ଅର୍ଥାତ୍ ଆପଣା ଦେଶର କିଛି ଦେଖାଇ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ଆପଣା ଦେଶର ଭୂମିଉପରେ ଯାହାର ହୁଏତ କୌଣସି ପ୍ରକାର ଚେର ନାହିଁ, ସେହିମାନେ ହିଁ ବଡ଼ ପ୍ରସନ୍ନ ମନରେ ନିଜର ଅନୁକରଣପଟୀୟସୀ ତୃଷ୍ଣାଗୁଡ଼ାକୁ ଦେଖାଇବାରେ ଭାରି ବ୍ୟସ୍ତ ଅଛନ୍ତି । ଏହି ତିନିଟା ଦିନଭିତରେ ଏମାନେ ତିନି ଚାରିଭଳି ପ୍ୟାଣ୍ଟକୋଟ୍ ଦେଖାଇ ସାରିଲେଣି । ଆପଣାର ବେକରେ ତିନିଚାରି ପ୍ରକାରର ଟାଇ ବାନ୍ଧି ସାରିଲେଣି ।

 

ବର୍ତ୍ତମାନ ତୋତେ ମୁଁ ଫିନ୍‌ଲାଣ୍ଡ୍‍ ଦେଶରେ ଅନେକଥର ଶୁଣିଥିବା ଗୋଟିଏ ଗପ କହିବି । ଥରେ କୌଣସି ସ୍କୁଲରେ ପିଲାମାନଙ୍କୁ ହାତୀ ବିଷୟରେ ରଚନାଟିଏ ଲେଖିବାକୁ ଦିଆଗଲା । ସେଇ ସ୍କୁଲରେ ନାନା ଦେଶର ପିଲା ପାଠ ପଢ଼ୁଥିଲେ । ଯେଉଁ ପିଲାକୁ ହାତୀ ଜୀବନର ଯେଉଁ ଦିଗଟି ସବୁଠାରୁ ଅଧିକ ଆକର୍ଷକ ମନେହେଲା, ସେହି ବିଷୟଟି ନେଇ ସେ ରଚନା ଲେଖିଲା । ଜର୍ମାନୀ ଦେଶର ପିଲା ଲେଖିଲା, ହାତୀ ଜାତିର ଉତ୍ପତ୍ତି, କ୍ରମବିକାଶ ଓ ପ୍ରାଣୀଜଗତରେଏହାର ଭବିଷ୍ୟତ । ଫରାସୀ ପିଲାଟି ଯେଉଁ ବିଷୟରେ ରଚନାଟି ଲେଖିଲା, ତାହା ହେଉଚି, ହାତୀ ଜଗତରେ ପ୍ରେମ । ଇଂଲଣ୍ଡର ପିଲା ‘ହାତୀ ଓ ଆମର ସାମ୍ରାଜ୍ୟ ବିଷୟରେ ଲେଖିଲା । ତେଣେ ଆମେରିକାର ପିଲା ବଡ଼ ଆଣ୍ଟରେ ଲେଖିଲା, ‘ପୃଥିବୀର ବୃହତ୍ତମ ହାତୀ । ପୁଣି ଫିନ୍‍ଲାଣ୍ଡ୍‍ର ଗୋଟିଏ ପିଲା ଥିଲାଯେ ଲେଖିଲା,' ହାତୀ ମୋ ବିଷୟରେ କଣ ଭାବୁଥିବ ?' ତୁ ଭାବିକରି କହିଲୁ, ଯଦି ଭାରତବର୍ଷର କୌଣସି ପିଲା ସେହି ସ୍କୁଲରେ ପଢ଼ୁଥାଆନ୍ତା, ସେ କୋଉ ବିଷୟରେ ରଚନା ଲେଖିଥାନ୍ତା ?

 

ଏହି କଥାଟି ପଛରେ ଯେଉଁ ବ୍ୟଙ୍ଗ ରହିଚି, ବୋଧହୁଏ ତୁ ତାହା ନିଶ୍ଚୟ ବୁଝି ପାରୁଥିବୁ-। ଯିଏ ଆପଣାର ମନଭିତରେ ଆପଣାକୁ ହୀନ ବୋଲି ଭାବେ, ସେହି ମଣିଷ ଅନେକ ସମୟରେ ଅନ୍ୟର ଆଖିରେ ବଡ଼ ଓ ଭଲ ବୋଲି ଦେଖାଯିବାର ପ୍ରୟାସ କରୁଥାଏ । ତାରି ଜୀବନ ବଞ୍ଚିବାର ପ୍ରେରଣା ସେ ଆପଣା ଭିତରେ ପାଏ ନାହିଁ । ଜୀବନର ଭୂମିଉପରେ ତା’ର ଆପଣାର କୌଣସି ଚେର ନ ଥାଏ । ସେଥିଲାଗି ଯେଉଁଠିକି ସେ ଯାଏ, ସେଠାକୁ କେବଳ ଏକ ସତର୍କତା ପ୍ରପୀଡ଼ିତ ମନ ଦେଇ ଯାଏ । ମେଳରେ ବସେ, ସେଠି ବଡ଼ ଅଶାନ୍ତ ଭାବରେ ବେଳ କଟାଏ । ଏପରି ଜୀବନରେ ବାହାରକୁ ଅନେକ ସ୍ଫୁର୍ତ୍ତି ପ୍ରକାଶ ପାଏ, ଅନେକ ଫୁତ୍‍କାର ଶୁଣିବାକୁ ମିଳେ, କିନ୍ତୁ ଆନନ୍ଦ ମିଳେନାହିଁ । ସତର୍କ ମନକୁ ଆନନ୍ଦ ମିଳିବ କୁଆଡ଼ୁ ? ଆମ ଭାରତୀୟମାନଙ୍କର ଭେକ ଆଉ ବେଶ ବିଷୟରେ ଏହି ଅତି-ସତର୍କତା ଦେଖି ମୋର ସେହି ଗପଟି ବାରମ୍ବାର ମନେ ପଡ଼ିଯାଉଚି । ଯେତେ ଅପ୍ରିୟ ଲାଗିଲେ ମଧ୍ୟ ଗୋଟିଏ କଥା ମୋର ମନକୁ ବାରମ୍ବାର ଆଘାତ କରିଯାଉଚି ଯେ ଏହା ହେଉଚି ଦାସତ୍ୱ ଓ ଦାସତ୍ୱଜର୍ଜର ମନର ଏକ ଅବଶେଷ ମାତ୍ର । ଆମେ କୋଉଦିନ କାହାର ଅଧୀନ ଥିଲୁ, ସେହି ଅଧିନତାର ଅବଶେଷରୂପେ ଆଜି ସ୍ଵାଧୀନ ହେବାର ପରେ ମଧ୍ୟ ଆମେ ସେଇ ସଂସ୍କାରଗୁଡ଼ାକୁ ବଡ଼ ସତର୍କ ଭାବରେ ଅନୁକରଣ କରିବାରେ ଲାଗିଚୁ । ଫିନ୍‍ଲାଣ୍ଡ୍‍ର ଅବାସୀମାନେ ଫିନ୍‌ଲାଣ୍ଡ୍‍ ପିଲାର ଦ୍ୱାହି ଦେଇ ଆପଣାର ହୀନଭାବକୁ ବ୍ୟଙ୍ଗ କରିଥାଆନ୍ତି । ଏହା ଏକ ପ୍ରଶଂସନୀୟ କଥା । ଆପଣାର ଦୋଷକୁ ଦୋଷ ବୋଲି ସ୍ଵୀକାର କରିବା ଆଦୌ ସହଜ କଥା ନୁହେଁ, ପୁଣି ଆପଣାର ଦୋଷକୁ ବ୍ୟଙ୍ଗ କରିବା ତା'ଠାରୁ ଅଧିକ କଠିନ । କିନ୍ତୁ ଆମେ ଭାରତବର୍ଷରେ ଆମର ଅନୁକରଣ ପ୍ରୟାସକୁ ବ୍ୟଙ୍ଗ କରିବାତ ଦୂରର କଥା, ଏହାକୁ ଉଚ୍ଚ ସଭ୍ୟତାର ଏକ ସରଣୀ ବୋଲି କହି ଏହାର ପକ୍ଷ ଲଢ଼ିବାକୁ ବାହାରିପଡ଼ୁ । ସାହେବ ହେବାକୁ ଅର୍ଥାତ୍ ସାହେବଙ୍କ ପରି ଦିଶିବାକୁ ଆଧୁନିକତାର ଧର୍ମ ବୋଲି ମାନିନେଉ । ଆପଣ ବିଷୟରେ ଅଜ୍ଞ ଥିବାଯାଏ ଏହାହିଁ ହୁଏ । ପୁଣି ଆପଣା ବିଷୟରେ ଯେ ଅଜ୍ଞ ଥାଏ, ସେ ଅନ୍ୟଠାରୁ ମଧ୍ୟ କୌଣସି ସତ୍ୟ ଆହରଣ କରି ପାରେନାହିଁ । ପହଁରି ନ ଜାଣି ପାଣିକୁ ଝାସଦେଲେ କେବଳ ଆତ୍ମହତ୍ୟା ହିଁ ମଣିଷର ଏକମାତ୍ର ଗତି ହୁଏ ।

 

ମୁଁ ଭାବେ, କୋଉ ପୋଷାକ କାହାକୁ ସୁନ୍ଦର ଦିଶିବ, ସେ କଥା ସେହି ବ୍ୟକ୍ତିର ଦେହର ଗଠନ ଓ ସ୍ୱାସ୍ଥ୍ୟଉପରେ ଅନେକ ପରିମାଣରେ ନିର୍ଭର କରେ । ସବୁ ମଣିଷଙ୍କୁ ସବୁପ୍ରକାରର ପୋଷାକ ଘେନାଏ ନାହିଁ । ଫୁଲ୍ ପ୍ୟାଣ୍ଟ ପିନ୍ଧି ବାହାରକୁ ବାହାରିଲେ କାହାକୁ କେଡ଼େ ଘଟଣ ଦେଖାଯାଏ, ପୁଣି ଆଉକିଏ ସେହି ଫୁଲ୍‍ ପ୍ୟାଣ୍ଟ ପିନ୍ଧିଲେ ସର୍କସର ଜୋକର ପରି ଦେଖାଯାଏ । କାହାର ଦେହକୁ ହାପ୍‍ପ୍ୟାଣ୍ଟ୍ କେଡ଼େ ସୁନ୍ଦର ମାନେ, ପୁଣି ଆଉ କିଏ ହାପ୍‍ପ୍ୟାଣ୍ଟ୍‍ ପିନ୍ଧିଲେ ଠିକ୍‍ ଷଣ୍ଢମାର୍କା ଗୋଟାଏ କ'ଣପରି ଦେଖାଯାଏ, ପୁଣି ଆଉକିଏ ରଣପା ଚଢ଼ି ଯାଉଥିଲାପରି ମନେହୁଏ-। ମୋର ଅନୁମାନ ଇଉରୋପରେ ଏପରି ଅନେକ ସ୍ତ୍ରୀଲୋକ ଅଛନ୍ତି, ଯେଉଁମାନେ କି ଶାଢ଼ୀ ପିନ୍ଧୁଥିଲେ ଆହୁରି ଅଧିକ ସୁନ୍ଦର ଦେଖାଯାଉଥାନ୍ତେ । ଭାରତରେ ମଧ୍ୟ ଏପରି ଅନେକ ସ୍ତ୍ରୀଲୋକ ଅଛନ୍ତି, ଯେଉଁମାନେ ମେମସାହେବୀ ପୋଷାକ ପିନ୍ଧୁଥିଲେ ଅଧିକ ସୁନ୍ଦର ଦେଖାଯାଉଥା'ନ୍ତେ ।

 

ମୁଁ କୌଣସି ପୋଷାକର ନିନ୍ଦା କରେନାହିଁ । କିନ୍ତୁ ଅକାରଣରେ ପୋଷାକଟା ବିଷୟରେ ଅତିସତର୍କ ହୋଇ ଅନୁକରଣ କରିବାର ପ୍ରବୃତ୍ତିଟାକୁ ମୁଁ ମଣିଷସୁଲଭ ଏକ ସୁନ୍ଦର ପ୍ରବୃତ୍ତି ବୋଲି ଗ୍ରହଣ କରି ପାରେ ନାହିଁ । ଇଉରୋପକୁ ଯିବାକୁ ହେଲେ ଇଉରୋପୀୟ ପୋଷାକ ପିନ୍ଧିବାକୁ ହିଁ ହେବ । ସେଠି ଜଳବାୟୁ ଅଲଗା, ତେଣୁ ଲୁଗା କମିଜରେ ସେଠି କାମ ଚଳିବ ନାହିଁ । ଆମ ଗାଁଆର ନାବ ଗୁଡ଼ିଆଣୀ ବା ନବାଭଣ୍ଡାରି ବିଲାତରେ ଜନ୍ମ ହୋଇଥିଲେ ସେମାନଙ୍କୁ ମଧ୍ୟ ସାହେବୀ ପୋଷାକ ପିନ୍ଧିବାକୁ ପଡ଼ିଥାଆନ୍ତା । ତେଣୁ ଲୁଗାଚଦର ପିନ୍ଧି ସାଧାରଣ ମଣିଷ ଇଉରୋପର ଜଳବାୟୁରେ କଦାପି ଚଳି ପାରିବନାହିଁ । ଅବଶ୍ୟ ମହାମା ଗାନ୍ଧୀ ଲୁଗା ଚଦରରେ ବିଲାତ ଯାଇଥିଲେ । କିନ୍ତୁ ସିଏ ତ ସାଧାରଣ ମଣିଷ ନୁହନ୍ତି । ସେ ହେଉଛନ୍ତି ମହାତ୍ମା । ଯେ ପର୍ଯ୍ୟନ୍ତ ପରିସ୍ଥିତି ସହିତ ଆପଣାକୁ ଖାପଖୁଆଇବାକୁ ଆମେ ପୋଷାକ ପିନ୍ଧୁ, ସେ ପର୍ଯ୍ୟନ୍ତ କୌଣସି ପୋଷାକ ପିନ୍ଧିବାରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ଯେଉଁଠି ପୋଷାକ ଆପଣାର ଅଭିମାନ ଓ ଅହଙ୍କାରଟାକୁ ଜାହିର କରିବାର ଏକ ସାଧନ ହୋଇପଡ଼େ ବା ଆପଣାର ହୀନଭାବନାଟାକୁ ଘୋଡ଼ାଇ ରଖିବାକୁ ଯେଉଁଠି ପୋଷାକଟାକୁ ଏକ ଆବରଣ କରି ବ୍ୟବହାର କରାଯାଏ, ସେଠି ତାହାକୁ ମୁଁ ସ୍ୱାଭାବିକ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ । ଆଧୁନିକ ସମାଜରେ ଏବେ ପୋଷାକ ପ୍ରତି ଯେଉଁ ଅତ୍ୟାସକ୍ତି ଦେଖାଯାଉଚି, ତାହା ଆଧୁନିକ ମନର କେଉଁ ଶୂନ୍ୟତା ବା କେଉଁ ହୀନତାକୁ ଆବୃତ କରି ରଖିବାର ଏକ ପ୍ରୟାସ ନୁହେଁ ତ ?

 

ଯେତେବେଳେ ଇଂରେଜମାନେ ଭାରତକୁ ଆସିଥିଲେ, ସେତେବେଳେ ସଂସାରର ସଞ୍ଚାରପଥ ଅତି ସୀମାବଦ୍ଧ ଥିଲା । ଦେଶ ସହିତ ଦେଶର ପରିଚୟ ନଥିଲା, ସଂସ୍କୃତି ସହିତ ସଂସ୍କୃତିର ପରିଚୟ ନଥିଲା । ତେଣୁ ସମସ୍ତେ ଭାବୁଥିଲେ ଯେ ସେମାନଙ୍କର ଆପଣାର ଦେଶ ହେଉଚି ପୃଥିବୀଯାକରେ ସବୁଠାରୁ ବଡ଼ ଦେଶ, ସେମାନଙ୍କର ଆପଣାର ସଂସ୍କୃତି ହେଉଛି ପୃଥିବୀର ଉଚ୍ଚତମ ସଂସ୍କୃତି । ସେତେବେଳେ ଯିଏ ଅନ୍ୟ ଦେଶକୁ ଯାଉଥିଲା, ସିଏ କେବଳ ଆପଣା ଦେଶ ଓ ଆପଣା ସଂସ୍କୃତିର ବଡ଼ାଇ କରିବାକୁ ଯାଉଥିଲା । ଇଂରେଜମାନେ ଆମ ଦେଶକୁ ବାଣିଜ୍ୟ କରିବାକୁ ଆସିବାବେଳେ ପ୍ରଧାନତଃ ଏହିପରି ଏକ ଅଭିମାନ ନେଇ ଆସିଥିଲେ-। କ୍ରମେ ବଣିକମାନେ ଏହି ଦେଶର ଶାସକ ହୋଇ ବସିଲେ । ସେମାନଙ୍କର ଆଖିରେ ଇଉରୋପର ସଭ୍ୟତା ହିଁ ଏକମାତ୍ର ସଭ୍ୟତା ଥିଲା, ଇଉରୋପୀୟ ଧର୍ମ ହିଁ ଏକମାତ୍ର ଧର୍ମ ଥିଲା, ଇଉରୋପୀୟ ଆଚାର ଓ ଅନୁଶାସନ ଏକମାତ୍ର ଆଚାର ଓ ଅନୁଶାସନ ଥିଲା । କିନ୍ତୁ ଆଜି ସେହି ଯୁଗ ବଦଳି ଯାଇଚି । ମନୁଷ୍ୟର ସାମାଜିକ ଓ ମାନସିକ ସଞ୍ଚରଣ ବଢ଼ିବା ସଙ୍ଗେ ସଙ୍ଗେ ତାହାର ଜୀବନସୀମା ମଧ୍ୟ ସମ୍ପ୍ରସାରିତ ହୋଇ ଯାଇଚି, ପୃଥିବୀର ଯାବତୀୟ ଦେଶରେ ଯେଉଁ ଜ୍ଞାନ ଓ ବିଜ୍ଞାନ ରହିଚି, ଯାବତୀୟ ସଂସ୍କୃତି ଭିତରେ ଯେଉଁ ଜୀବନ ସୌନ୍ଦର୍ଯ୍ୟ ରହିଚି, ଆଜି ସେସବୁ ଆମର ଦ୍ୱାରଦେଶକୁ ଆସିପାରିଲାଣି । ଏହା ଦ୍ୱାରା ଆମେ କୂପ ଭିତରୁ ବାହାରି ଜୀବନ ସମ୍ପର୍କର ମହାସାଗରରେ ପ୍ରବେଶ କରିଛୁ, ଏଣେ ଆମ ଅଭିମାନର ସମସ୍ତ ବନ୍ଧ ମଧ୍ୟ ଭାଙ୍ଗିଯାଇଛି । ବିଂଶ ଶତାବ୍ଦୀର ମଣିଷ ଆପଣାର ଧର୍ମ ଓ ଆପଣା ସଂସ୍କୃତି ବ୍ୟତୀତ ଅନ୍ୟ ଧର୍ମ ଅନ୍ୟ ସଂସ୍କୃତି ପ୍ରତି ମଧ୍ୟ ଆଗ୍ରହ ରଖି ଶିଖିଚି । ଏହାଦ୍ୱାରା ଅପରକୁ ଆପଣାର କରି ଚିହ୍ନିବାର ଅଧିକ ସୁଯୋଗ ମିଳିଚି, ଏଣେ ଆପଣାକୁ ମଧ୍ୟ ଅଧିକ ଗଭୀର ଭାବରେ ଚିହ୍ନିବାର ଅବକାଶ ମିଳିପାରିଚି । ବର୍ତ୍ତମାନ ଜ୍ଞାନ ବିଶ୍ଵଜ୍ଞାନ ହେବାକୁ ଯାଉଚି, ଧର୍ମ ବିଶ୍ଵ ଧର୍ମରେ ପରିପୂର୍ଣ୍ଣତା ଲାଭ କରୁଚି, ବିଶ୍ୱ ମାନବର ଅଭିଷେକ ଲାଗି ଆଜି ନାନା ଦେଶୀୟ ନାନା ରଙ୍ଗର ମଣ୍ଡନରେ ମଙ୍ଗଳଘଟ ପୂର୍ଣ୍ଣ ହେବାକୁ ଆରମ୍ଭ କଲାଣି । ଏହି ନୂତନ ଯୁଗାରମ୍ଭର ଶୁଭବେଳାରେ ଆମେ ଅନୁକରଣ କରିବା କାହିଁକି, ଆପଣାକୁ ହୀନ ମଣି କାହିଁକି ଆମେ ଅପରର ପାତ୍ରରେ ଏକ ଦୁର୍ଗତ ଲାଳସା ନେଇ ଝାସଦେବାକୁ ଯିବା ? କୌଣସି ସମ୍ଭମଶୀଳ ଇଉରୋପବାସୀ ଆପଣାର ଧର୍ମ ଓ ସଂସ୍କୃତି ଆଜି ଏକମାତ୍ର ଧର୍ମ ଓ ସଂସ୍କୃତି ବୋଲି କହିବାକୁ କଦାପି ଯିବନାହିଁ । ମୋର ମନେ ହେଉଚି ଯେ ଏହିପରି ଭାବରେ ମଣିଷ ପରସ୍ପରର ନିକଟତର ହୋଇ ଆସିବା ସଙ୍ଗେ ସଙ୍ଗେ ତା’ର ପୋଷାକ ଓ ପୋଷାକ-ସମ୍ପର୍କୀୟ ରୁଚିରେ ମଧ୍ୟ ଅପୂର୍ବ ପରିବର୍ତ୍ତନ ଘଟିବ । ସେ ଯୋଉଦେଶକୁ ଯିବ, ସେଠି ସେ ସେହି ଦେଶର ପୋଷାକକୁ ଭଲ ପାଇବ; ତାହାକୁ ପରିଧାନ କରି ସେ ଗୌରବ ଅନୁଭବ କରିବା ସଙ୍ଗେ ସଙ୍ଗେ ଆପଣା ଦେଶର ପୋଷାକକୁ ମଧ୍ୟ ଭଲ ପାଇବ । ତା'ର ଆପଣା ରୁଚି ଓ ଆପଣା ପୋଷାକ ବିଶ୍ୱମାନବର ପୋଷାକ ଓ ରୁଚିର ନିଦର୍ଶନ ହୋଇ ରହିବ । କିନ୍ତୁ ଆମେ ସମସ୍ତେ ମଳିନତା ଛାଡ଼ି ମଣିଷ ହୋଇ ଶିଖିଲେ ସିନା ଏହି ଶୁଭଦିନ ଶୀଘ୍ର ଆସିବ ।

 

ପୋଷାକ ବିଷୟରେ ଏତେ ଗୁଡ଼ାଏ ବକର ବକର ହୋଇ ତୋତେ ମୁଁ ଆଜିଦିନର ସବୁଠାରୁ ବଡ଼ ଅନୁଭୂତିଟି କହିବାକୁ ଭୁଲି ଯିବିନାହିଁ ତ ? ଗତ ତିନିଦିନ ପରେ ଆଜି ସକାଳର ସୂର୍ଯ୍ୟୋଦୟ ସବୁଠାରୁ ଅଧିକ ମନୋରମ ଲାଗିଲା । କେବଳ ନୟନାଭିରାମ ନୁହେଁ, ହୃଦୟାଭିରାମ ମଧ୍ୟ । ନିତି ସକାଳେ ମୁଁ ପ୍ରାୟ ସାଢ଼େପାଞ୍ଚଟା ବେଳକୁ ପ୍ରାତଃକର୍ମ ଓ ସ୍ନାନ ସାରି ଉପରକୁ ଦଉଡ଼ିଯାଏ ନୂତନ ଦିନଟିର ସୂର୍ଯ୍ୟୋଦୟ ଭିତରେ ମୋର ପରିଚିତ ହୃଦୟର ସନ୍ଦର୍ଶନ କରିବାକୁ । ଅତି ଧୈର୍ଯ୍ୟର ସହିତ ଅପେକ୍ଷା କରି ବସେ । ସମୟର ସମସ୍ତ ଗତି ବନ୍ଦ ହୋଇଯାଏ । କେବଳ ଅନ୍ଧାର ଅପସରି ଯାଇ କେତେଆଡ଼େ କେତେ ପଥ ଆଲୋକିତ ହୋଇ ଆସୁଥିବାର ଗତିକୁ ହିଁ ମୁଁ ଅନୁଭବ କରୁଥାଏ । ମୋର ସମସ୍ତ ଅନୁଭୂତିର ନୈବେଦ୍ୟ ସ୍ଵୀକାର କଲାପରି ସମୟ ଜାଣି ସୂର୍ଯ୍ୟ ଉଠିଆସେ । ସୃଷ୍ଟିବ୍ୟାପୀ ଜଳ ଉପରେ ଆଲୋକ ଖେଳିଯାଏ, ମୋ ଜୀବନର ଗୋଚର ଓ ଅଗୋଚର ସକଳ ଭୂମି ହଠାତ୍ ଆଲୋକମୁହାଁ ହୋଇଉଠେ । ଆଜି ଠିକ୍ ସେହିପରି ହେଲା । ଆଜି ସକାଳର ସୂର୍ଯ୍ୟଭିତରେ ମୁଁ ଯେପରି କାହାର ସତୃଷ୍ଣ ହସ ଦେଖିବାକୁ ପାଇଲି । ମୋର ଅନାଗତ ଦିନମାନଟି ପ୍ରସନ୍ନ ଓ ହୃଷ୍ଟ ହୋଇଉଠିଲା । କାଲି ଓ ପଅରିଦିନ ସୂର୍ଯ୍ୟୋଦୟରେ କୌଣସି ଜୀବନ ନ ଥିଲା । ମେଘ ବିରିବିରି ଶୀର୍ଣ୍ଣ ଆକାଶ ଉପରେ ସୂର୍ଯ୍ୟର ନିଷ୍ପ୍ରଭ ଗୋଲକର ପିଣ୍ଡଟା ବଡ଼ ଅନୌପଚାରିକ ଭାବରେ ଉପରକୁ ଉଠିଆସିଲା ଓ ସତେ ସେପରି ଅଚଳ ହୋଇ ଆକାଶ ଦାଢ଼ରେ ଠିଆହୋଇ ରହିଲା । ତୁମ ସ୍କୁଲରେ ଅନେକ ବର୍ଷରୁ ରହିଥିବା ଓ ଅତି କମ ବ୍ୟବହୃତ ହେଉଥିବା ପୁରୁଣା ଗ୍ଲୋବ୍‍ଟା ତୋର ମନେ ଅଛି ? କାଲି ଆଉ ପଅରଦିନ ସକାଳେ ଉଦୟ-ସମୟର ସୂର୍ଯ୍ୟ ଠିକ୍ ସେହି ଗ୍ଲୋବ୍‍ଟା ପରି ଦେଖା ଯାଉଥିଲା । ମନେ ହେଉଥିଲା, ଯେପରି ଏହି ସୂର୍ଯ୍ୟୋଦୟଟି ଲାଗି କେହି ଅପେକ୍ଷା କରି ବସି ନଥିଲେ । କିନ୍ତୁ ଆଜିକା ସୂର୍ଯ୍ୟୋଦୟର ତୁଳନା ନାହିଁ । ଏକାବେଳକେ ହୃଦୟର ସକଳ ଗ୍ରନ୍ଥିକୁ ଖୋଲିଦେଲାଭଳି ସୂର୍ଯ୍ୟୋଦୟ ! ମୁଁ ତ କହିବି, ସକାଳେ ଏହିପରି ଏକ ପରିପୂର୍ଣ୍ଣ ସୂର୍ଯ୍ୟୋଦୟ ଦେଖିଥିଲି ବୋଲି ଆଜି ପ୍ରସନ୍ନ ମନରେ ଏଠାରେ ବସି ତୋ' ପାଖକୁ ଏତେ କଥା ସଜାଡ଼ି କରି ଲେଖିପାରିଲି ।

Image

 

ତିନି

 

ଆରବ ସାଗର

ତା ୧୧/୧୦/୬୨

 

ସ୍ନେହ ଜଟି,

 

ଆଜି ବଡ଼ିଭୋରୁ ସୂର୍ଯ୍ୟ ଦର୍ଶନ ପାଇଁ ଉପରକୁ ଉଠି ଦେଖିଲି, ଡାହାଣ ପାଖରେ ସ୍ଥଳଭାଗ ଦେଖା ଯାଉଚି । ପୂର୍ବଦିଗରୁ ପ୍ରାୟ ଚଉଠେ ମାଡ଼ି ବସିଥିବା ଏକ ଅନୁଚ୍ଚ ପର୍ବତଶ୍ରେଣୀ, ସକାଳର ଶାନ୍ତ ମେଘସ୍ତୁପ ଗୁଡ଼ିକ ସହିତ ପ୍ରାୟ ମିଶିଗଲା ପରି ମନେ ହେଉଚି । ଆଖିକୁ ଅନେକ ଦୂର ପର୍ଯ୍ୟନ୍ତ ଭେଦାଇ ମୁଁ ଅଧିକ କିଛି ଦେଖିବି ବୋଲି ଅନାଇ ରହିଥାଏ । ପ୍ରତ୍ୟୁଷ ସମୟର ଅନ୍ଧାର ଭିତରେ ତଥାପି ଏକ ମୌନ ପର୍ବତ ବ୍ୟତୀତ ମୁଁ ଅଧିକ କିଛି ଦେଖି ପାରିଲିନାହିଁ । ଠିକ୍ ଏହିପରି ସମୟରେ ଅପରଦିଗରେ ଆଜିର ସୂର୍ଯ୍ୟଦୟ ହେଲା ।

 

ଦିବସର ପ୍ରଥମ ରଶ୍ମିପାତରେ ଅସ୍ପଷ୍ଟ ସ୍ଥଳଭାଗ ଈଷତ୍ ସ୍ପଷ୍ଟତର ହୋଇ ଉଠିଲା । ଦେଖିବାକୁ ପାଇଲି ରାଜନୀତିକ ଜଗତରେ ବ୍ରିଟିଶ୍ ସାମ୍ରାଜ୍ୟର ସଂରକ୍ଷିତ ଭୂମି ବୋଲି କୁହାଯାଉଥିବା ଆରବ ଭୂଖଣ୍ଡର ଏହି ଅଂଶଟି ଥାଇ ଥାଇ ଆଖିଅଗରେ ଝଲସି ଉଠୁଛି । ଅନେକ ଦୂରରୁ ତଥାପି ଜାଣି ହେଉଥାଏ ଯେ ଆମେ ବର୍ତ୍ତମାନ ଏଡେନ୍ ବନ୍ଦର ଅତିକ୍ରମ କରି ଯାଉଛୁ । ଏଡେନ୍ ହେଉଚି ଲୋହିତ ସାଗରର ମୁହଁରେ ଏକ ବନ୍ଦର, ବ୍ରିଟିଶ ବନ୍ଦର, କଳା ବାଣିଜ୍ୟର ଏକ ପ୍ରଧାନ ପେଣ୍ଠ । ଏ ପର୍ଯ୍ୟନ୍ତ ଆରବବାସୀଙ୍କର ଏହି ଭୂଖଣ୍ଡ ଉପରେ କୌଣସି ଅଧିକାର ନାହିଁ । ଏ ପର୍ଯ୍ୟନ୍ତ ପ୍ରାଚୀନ ପରମ୍ପରାକୁ ନେଇ ସନ୍ତୁଷ୍ଟ ହୋଇ ରହିଥିବାରୁ ସେମାନେଏହାକୁ ବଣିକ ଇଂରେଜ ଓ ବ୍ୟବସାୟୀ ଭାରତୀୟମାନଙ୍କର କ୍ରୀଡ଼ାକ୍ଷେତ୍ର କରିଛାଡ଼ି ଦେଇଛନ୍ତି । ପର୍ବତର ଏ ପାଖରେ ସମୁଦ୍ର କୂଳରେ ଆରବବାସୀର କୌଣସି ଆଗମନ ନାହିଁ । ଏଠି ସଭ୍ୟ ଜଗତରେ କେବଳ ଅସ୍ତ୍ର ଓ ପଣ୍ୟ ନେଇ କାରବାର କରୁଥିବା ଇଂରାଜ ଓ ଭାରତୀୟମାନଙ୍କର ସଂସାର ଚାଲେ । କିନ୍ତୁ ପାହାଡ଼ର ଉପତ୍ୟକାମାନଙ୍କରେ କଣ୍ଟାବୁଦା ମଝିରେ ଥିବା ପ୍ରଶସ୍ତ ଅନ୍ତରାଳ ଗୁଡ଼ିକରେ ପର୍ବତ ସେପାଖେ ଆରବ ଯୁବକ ଛେଳି ଚରାଏ, ଓଟ ନେଇ ମରୁଭୂମି ଭିତରେ ଭାଗ୍ୟ ପରୀକ୍ଷା କରିବାକୁ ଯାଏ, ବା ରାତ୍ରିର ଆକାଶକୁ ଅନାଇ ନିରାଶାର ନକ୍ଷତ୍ରଗୁଡ଼ିକୁ ଗଣନା କରିବାରେ ଲାଗିଥାଏ । ପୃଥିବୀର ଚଳନ୍ତି ଇତିହାସଟା ଯେତେ ଅପ୍ରିୟ ଲାଗିଲେ ମଧ୍ୟ ସାନ ଏଡେନ୍ ରାଜ୍ୟଟି ବିଷୟରେ ମୁଖ୍ୟତଃ କେବଳ ଏତିକି କୁହାଯାଇପାରେ ।

 

ତଥାପି ଏ ପାହାଡ଼ର ମଧ୍ୟ ନିଦ ଭାଙ୍ଗିଲାଣି । ବିଶ୍ଵବାଣିଜ୍ୟର ତୋରଣ ଦ୍ଵାରରେ ମୂକ ସ୍ତମ୍ଭପରି ଠିଆ ହୋଇ ଏଡେନ୍ ଆଉ ଅଧିକ ଦିନଯାଏ ପରମ୍ପରା ଅର୍ଥାତ୍ ସବଳ କୌଶଳୀର ଠେଙ୍ଗାକୁ ଆଦରି ରହି ପାରିବ ନାହିଁ । ଏଡେନ୍‍ର ଆରବବାସୀ ମଧ୍ୟ ଏବେ ଖବରକାଗଜ ପଢ଼ିବାକୁ ଆରମ୍ଭ କଲାଣି; ଚାରିପାଖରେ ଘଟୁଥିବା ପରିବର୍ତ୍ତନମାନ ତାହାର ହୃଦୟରେ ମଧ୍ୟ ଆଘାତ କରି ବସିଲାଣି । ସେ ଆଉ ବେଶୀ ଦିନଯାଏ ଆପଣା ଭାଗ୍ୟଟାକୁ ପଥରପରି ମୁଣ୍ଡାଇ ମାଦଳ ପରିବସି ରହିବ ନାହିଁ । ତେଣୁ ଆଜି ଭୂମଧ୍ୟସାଗରର ମାଲ୍‍ଟା ବା ମାଳୟର ସିଙ୍ଗାପୁରରେ ଯେଉଁ ପରିବର୍ତ୍ତନର ସମ୍ଭାବନା କଡ଼ ଲେଉଟାଇବାକୁ ଆରମ୍ଭ କଲାଣି, ଏଡେନ୍‍ର ମାଳଭୂମିରେ ମଧ୍ୟ ସେହି ପରିବର୍ତ୍ତନର ପ୍ରତିଧ୍ୱନି ଶୁଣା ଗଲାଣି । ଆଫ୍ରିକା ସ୍ଵାଧୀନ ହେବାରେ ଲାଗିଛି । ଏସିଆ ସ୍ୱଧୀନ ହୋଇ ସାରିଲାଣି, ଇଉରୋପ ସମେତ ସମସ୍ତ ପୃଥିବୀ ଆଜି ଅଧିକ ସୁନ୍ଦର, ସମ୍ମାନିତ ଓ ମନୁଷ୍ୟୋଚିତ ଭାବରେ ବଞ୍ଚି ରହିବାର ଉଦ୍ୟମ କରୁଚି, ତେଣୁ ସାନ ଏଡେନ୍ ଉପରେ ଏହି ମଝିବାଟଟାରେ ସେହି ପୁରୁଣା କଳଙ୍କଟା ଲାଗି ରହିଥିବ କାହିଁକି ? ଆଠବର୍ଷ ତଳେ ଦେଶକୁ ଫେରି ଗଲାବେଳେ ମୁଁ ଏଡେନ୍ ବନ୍ଦରରେ କେତେଘଣ୍ଟା ରହିବାର ସୁଯୋଗ ପାଇଥିଲି, ଜାହାଜରୁ ଓହ୍ଲାଇ ଉପରକୁ ମଧ୍ୟ ଯାଇଥିଲି । ସେତେବେଳେ ବିଦେଶୀ ଶାସକ ଓ ବିଦେଶୀ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ଦେଖି ବଡ଼ ଅସହ୍ୟ ବୋଧ ହୋଇଥିଲା । ଇତ୍ୟବସରେ ମଣିଷର ମନ ବଦଳି ଯାଇଛି । ସମୟର ଗତିନିର୍ଦ୍ଦେଶ ମଧ୍ୟ ବଦଳି ଯାଇଛି । ତେଣୁ ଆଜି ପୁଣି ଏହି ତୋରଣ ଦେଇ ଯାଉଥିବା ବେଳେ ମୁଁ ନୂତନ ଏଡେନ୍ ଓ ନୂତନ ଆରବ-ସଂସାରକୁ ପ୍ରଣାମ ଜଣାଇ ଯାଉଚି ।

 

ଆମ ଦୁଇପାଖରେ ସ୍ଥଳଭାଗ କ୍ରମେ ନିକଟତର ହୋଇ ଆସିଲାଣି । ଅବଶ୍ୟ ଏତେବେଳଯାଏ ଆମେ ଆଫ୍ରିକାର ଉପକୂଳ ଆଦୌ ଦେଖିବାକୁ ପାଇନାହୁଁ । ଏଡେନ୍ ପରେ ଆରବ ଉପକୂଳ ମଧ୍ୟ କ୍ରମେ ଦୂରତର ହୋଇ ଯାଇଥିବା ପରି ଲାଗୁଚି । ତଥାପି ଏକଥା ସତ ଯେ ଆମ ଜାହାଜ ସ୍ଥଳଭାଗ ଠାରୁ ଖୁବ୍ ବେଶୀ ଦୂରରେ ଯାଉନାହିଁ । ଏବଂ ଏହାର ଅନେକ ପ୍ରମାଣ ମଧ୍ୟ ମିଳିଗଲାଣି । ସର୍ବପ୍ରଧାନ ପ୍ରମାଣ ହେଉଛନ୍ତି ଚଢ଼େଇ । ମୁଁ ସକାଳୁ ଆଜି ଅନେକ ଚଢ଼େଇ ଦେଖିଲିଣି । ଧଳା, ନାଲି ଓ କଳା ନାନା ରଙ୍ଗର ଚଢ଼େଇ । କେତେବେଳେ ପାଖରେ, ପୁଣି କେତେବେଳେ ବେଶ୍ ଅନେକ ଦୂରରେ । ସେମାନେ ମେଳାମେଳା ହୋଇ ସମୁଦ୍ରର ତରଙ୍ଗ ଉପରେ ଉଡ଼ି ଉଡ଼ି ଚାଲିଛନ୍ତି । ଗତ ଚାରିଦିନ ହେବ କୌଣସି ପକ୍ଷୀ ଦେଖି ନଥିବାରୁ ଆଜି ସେମାନଙ୍କୁ ଦେଖିବା ମାତ୍ରକେ ସତେ ଅବା ଅପୂର୍ବ ସମ୍ପଦ ପାଇଲା ପରି ମନେ ହେଉଚି । ଅନେକ ଦିନ ଗତ ହେବାପରେ ଆଜି ସତେଅବା ଅନେକ ଦିନର ପୁରାତନ ବନ୍ଧୁ ସହିତ ଦେଖା ହେବାପରି ମନେ ହେଉଚି, ପୁରୁଣା ପୃଥିବୀ ସହିତ ଭେଟ ହେବାପରି ମନେ ହେଉଛି । ଯେଉଁ ପୃଥିବୀରେ ଗଛ ପତର ଅଛି, ଫୁଲ ଫଳ ଅଛି, ଜୀବନ ଅଛି, ମଣିଷ ଅଛନ୍ତି, ସେହି ପୃଥିବୀ ସହିତ ପୁଣି ଭେଟ ହେବାର ଇସାରା ପାଇବା ପରି ଲାଗୁଛି ।

 

ଆରବ ସାଗରରେ ଆମେ ଉଡ଼ନ୍ତା ମାଛ ବ୍ୟତୀତ (Flying fish) ଆଉ କୌଣସି ଜୀବ ଦେଖିନଥିଲୁ । ଆରବ ସାଗରର ଜୀବଭଣ୍ଡାରରେ ଏହିମାନେ ହେଉଛନ୍ତି ଏକ ବିଶେଷ ସମ୍ପଦ । ଆମ ଜାହାଜ ଚାଲିଯିବା ମାତ୍ରକେ ଢେଉମାଳର ଦୁଇ ପାଖରେ କେତେ ଥର ମୁଁ ଏହି ଉଡ଼ନ୍ତା ମାଛର ଦଳମାନ ଦେଖିବାକୁ ପାଇଚି । ଆମ ଗାଁ ନଈର ଜହ୍ଲାମାଛ ପରି ଛୋଟ ଛୋଟ ଧୋବ ଫର ଫର ମାଛଗୁଡ଼ିକ ଅଧିକାଂଶ ସମୟ ପାଣି ଭିତରେ ବୁଡ଼ିକରି ରହିଥାନ୍ତି । ହଠାତ୍‍ ପାଣି ଭିତରୁ ବାହାରିପଡ଼ି ପାଣି ଉପରେ ଖଣ୍ଡେଦୂର ପର୍ଯ୍ୟନ୍ତ ଉଡ଼ିଯାଉଥାନ୍ତି ଓ ପୁଣି ହଠାତ୍ ସେହି ପାଣି ଭିତରେ ଅଦୃଶ୍ୟ ହୋଇ ଯାଉଥାନ୍ତି । କେତେବେଳେ ଗୋଟିଏ ଦୁଇଟା ଓ ପୁଣି କେତେବେଳେ ଶହ ଶହ ସଂଖ୍ୟାରେ । ସେମାନଙ୍କୁ ଦେଖି ସତକୁ ସତ ଚଢ଼େଇ ବୋଲି ଭ୍ରମ ହେଉଥାଏ । ଆମ ଭିତରୁ ଅନେକେ ସହାନୁଭୂତି ପ୍ରକାଶକରି କହୁଥାନ୍ତି- ବିଚାରା ଚଢ଼େଇ ଗୁଡ଼ିକ ଏହି ଅକୂଳ ସମୁଦ୍ର ଭିତରେ କୋଉଠି ଯାଇ ଆଶ୍ରା ପାଇବେ । ସତେ କ'ଣ ସେମାନେ କୂଳ ପର୍ଯ୍ୟନ୍ତ ଉଡ଼ିଯାଇ ପାରିବେ-? ଏପରି ଭ୍ରମ ହେବା ଅତ୍ୟନ୍ତ ସ୍ଵାଭାବିକ, ଉଡ଼ନ୍ତା ମାଛର ପଲ ଉଡ଼ିଗଲା ବେଳକୁ ପ୍ରକୃତରେ ବାୟା ବା ଘରଚଟିଆ ଚଢ଼େଇଙ୍କର ପଲଉଡ଼ି ଚାଲି ଯାଉଥିଲା ପରି ମନେ ହେଉଥାଏ ।

 

ଆଜି ସକାଳେ ଆମେ ଏଡେନ୍ ଅତିକ୍ରମ କରି ଆସିଲୁ, ଅର୍ଥାତ୍‍ ବମ୍ବେଠାରୁ ଆମେ ପ୍ରାୟ ସତର ଶହ ମାଇଲ ବାଟ କଟାଇ ସାରିଲୁଣି । ଏଥିରୁ ଜଣାଯାଉଚି ଯେ, ଆମେ ଦିନକୁ ପ୍ରାୟ ସାଢ଼େ ତିନିଶହ ମାଇଲ କରି ଆସୁଛୁ । ଜାହାଜ ଉପରେ ଆମ ଯାତ୍ରାପଥର ଏକ ବିରାଟ ଓ ବିଶଦ ମାନଚିତ୍ର ଟଙ୍ଗାହୋଇଚି । କୋଉଦିନ ଆମେ କେତେବାଟ ଅତିକ୍ରମ କରୁଛୁ ପ୍ରତ୍ୟହ ସକାଳେ ମାନଚିତ୍ର ଉପରେ ତାହାର ଏକ ଚିହ୍ନ ଲଗାଇ ଦିଆ ଯାଉଚି । ପ୍ରତିଦିନ ପ୍ରକାଶ ପାଇଥିବା ବିବରଣୀରୁ ଜଣା ଯାଉଚି ଯେ, ଆମେ ଘଣ୍ଟାକୁ ପ୍ରାୟ ଷୋଳ ମାଇଲ ହିସାବରେ ଚାଲିଛୁ । ଏକ ସାଇକେଲର ସାଧାରଣ ଗତିଠାରୁ କିଞ୍ଚତ୍ ଅଧିକ । ଅବଶ୍ୟ କୌଣସି ସାଇକେଲ୍ ଚଢ଼ାଳୀ ଅବିରାମ ଭାବରେ ଚବିଶି ଘଣ୍ଟା ସାଇକେଲ ଚଳାଇ ପାରନ୍ତା ନାହିଁ, ତେଣୁ ଦିନକୁ ସାଢ଼େ ତିନିଶହ ମାଇଲ ପଥ ଅତିକ୍ରମ କରିବା ତାହା ପକ୍ଷରେ କଦାପି ସମ୍ଭବ ହୋଇ ପାରନ୍ତା ।

 

ସମୁଦ୍ର ଉପରୁ ବର୍ତ୍ତମାନ ମୁଁ ତୋତେ ଆମ ଜାହାଜର ଭିତରକୁ ଆସିବାକୁ କହିବି । ଆଜି ଜାହାଜର ଖାଦ୍ୟପେୟ ବିଷୟରେ ତୋତେ କେତେକ କଥାକହିବି । ପ୍ରତ୍ୟେକ ଯାତ୍ରୀବାହୀ ଜାହାଜରେ ସାଧାରଣତଃ ଦୁଇଟି ଶ୍ରେଣୀର ଯାତ୍ରୀ ଥାଆନ୍ତି । ପ୍ରଥମ ଶ୍ରେଣୀ ଓ ସାଧାରଣ ଶ୍ରେଣୀ । ଏହି ସାଧାରଣ ଶ୍ରେଣୀକୁ ଇଂରାଜୀ ଭାଷାରେ Tourist ବୋଲି କହନ୍ତି । ଏମାନଙ୍କର ରହିବାଲାଗି ଅଲଗା ଅଲଗା ବ୍ୟବସ୍ଥା କରାଯାଇଥାଏ । ଖାଇବା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥାମାନ ରହିବା ସ୍ଵାଭାବିକ । କାରଣ ପ୍ରଥମ ଶ୍ରେଣୀର ଯାତ୍ରୀମାନେ ବେଶୀ ପଇସା ଦେଇଛନ୍ତି । ଯାତ୍ରୀମାନଙ୍କର ରୁଚି ଅନୁସାରେ ଖାଇବା ପଦାର୍ଥର ମଧ୍ୟ ଶ୍ରେଣୀ ବିଭାଗ କରାଯାଇଛି । ଅବଶ୍ୟ ସାତଟାବେଳେ ସକାଳ ଜଳଖିଆ ଓ ଚାରିଟାବେଳେ ଚାହା ପିଇବାବେଳେ ସମସ୍ତେ ଏକାଠି ଏକ ପଙ୍ଗତରେ ବସନ୍ତି । କିଏ କୋଉଁଠି ବସନ୍ତି ତାହାର କୌଣସି ନିୟମ ନଥାଏ । ସେତେବେଳେ ସମସ୍ତଙ୍କୁ ଏକ ପ୍ରକାରର ଖାଇବା ଦିଆଯାଏ । କିନ୍ତୁ ଦିନ ଗୋଟାଏ ଓ ରାତି ଆଠଟା ବେଳେ ଯେଉଁ ଦୁଇ ପ୍ରଧାନବକ୍ତ ଖାଇବା ମିଳେ, ସେଥିରୁ ରୁଟିଭେଦରେ ଅନେକ ତାରତମ୍ୟ ରହିଥାଏ ଓ ସେଥି ସକାଶେ ଆପଣାର ରୁଚି ଅନୁସାରେ ଯାଇ ଅନୁରୂପ ସ୍ଥାନରେ ଓ ଅନୁରୂପ ସମୟରେ ବସିବାକୁ ପଡ଼େ । ପ୍ରଥମେ ପିଲାମାନଙ୍କୁ ଓ ନିରାମିଷ ଭୋଜନ କରୁଥିବା ଯାତ୍ରୀମାନଙ୍କୁ ଖାଇବା ପରଷାଯାଏ । ପିଲାମାନଙ୍କର ତ ଶୀଘ୍ର ଖାଇବା କଥା, ତେଣୁ ସେମାନଙ୍କର ପାଳି ପ୍ରଥମେ ପଡ଼େ-। ନିରାମିଷାହାରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପିଲାଙ୍କ ସହିତ ବସାଇଦିଆଯାଏ । ଅବଶିଷ୍ଟ ଯାତ୍ରୀମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଛି । ଗୋଟିଏ ହେଉଛି ମହାଦେଶୀୟ ଓ ଅନ୍ୟଟି ହେଉଛି ଭାରତୀୟ । ଇଂରାଜୀରେ ଗୋଟିକୁ Continental ଓ ଅନ୍ୟଟିକୁ Indian ବୋଲି କୁହାଯାଏ । ଶ୍ରେଣୀବିଭାଗ କଲାବେଳେ ଏମାନେ ସାଧାରଣତଃ କଳା ଚମଡ଼ା ଥିବା ସବୁ ଭାରତୀୟଙ୍କୁ Indian ଶ୍ରେଣୀରେ ପକାଇ ଦେଇଚନ୍ତି ଓ ଗୋରା ଚମଡ଼ା ଥିବା ଅଷ୍ଟ୍ରେଲିଆ ଏବଂ ଇଉରୋପ ଅଧିବାସୀ ଓ ଭାରତରୁ ବିଲାତ ଯାଉଥିବା ଦରଗୋର ଆଙ୍ଗ୍ଳୋଇଣ୍ଡିଆନମାନଙ୍କୁ continental ଶ୍ରେଣୀର ଅନ୍ତର୍ଭୁକ୍ତ କରିଚନ୍ତି-। ମହାଦେଶୀୟ ଖାଇବାରେ ଭାତ ନାହିଁ ରୁଟି ନାହିଁ । ଇଚ୍ଛାକଲେ ପାଉଁରୁଟି ଯାହାକୁ ଯେତେ ମିଳିପାରିବ । କିନ୍ତୁ ଖାଦ୍ୟସାମଗ୍ରୀର ପ୍ରଧାନ ପ୍ରକାର ଗୁଡ଼ିକ ହେଉଛି ମାଂସ, କେବଳ ସିଦ୍ଧ ହୋଇଥିବା ପରିବା ଓ ସାଲାଡ଼୍‍ । ତେଣୁ ଏହା ପ୍ରଧାନତଃ ମାଂସାହାର । ନାନା ପ୍ରକାରର ମାଂସ । କୁଶଳ ଯନ୍ତ୍ର ଓ କୁଶଳ ହାତର କାରିଗରୀ ବାଜି ତାହା ପୁଣି ଏତେ ବିଚିତ୍ର ରଙ୍ଗ ଓ ସ୍ଵାଦ ଧାରଣ କରିଛି ଯେ ଯେତେବଡ଼ ଚିହ୍ନାଳି ହେଲେ ମଧ୍ୟ ଦେଖିକରି ମାଂସର ଜାତି ବା ବର୍ଣ୍ଣ ନିରୂପଣ କରିବାର କୌଣସି ସମ୍ଭାବନା ନାହିଁ । ଧର୍ମଭୀରୁ ହିନ୍ଦୁ ହୋଇଥିଲେ ହୁଏତ ପତରରେ ପଡ଼ୁଥିବା ସବୁ ମାଂସକୁ ଖାଲି ଗୋମାଂସ ବୋଲି ମନେହେବ, ବା ଧର୍ମଭୀରୁ ମୁସଲମାନ ହୋଇଥିଲେ ସବୁ ପ୍ରକାର ମାଂସ କେବଳ ସୁକରମାର୍ଦ୍ଦବର ଭ୍ରମ ଜାତ କରିବ । ତେଣୁ ଏପରି ସ୍ଥଳରେ ବିଦ୍ରୋହ ଜାତ ହେବା ଅତି ସ୍ୱଭାବିକ । ସେଥିପାଇଁ ଏହି ମହାଦେଶୀୟ ପଂକ୍ତିରେ ବସିବାକୁ ଭାରତୀୟମାନେ ସାଧାରଣତଃ ନିରାପଦ ମନେ କରନ୍ତି ନାହିଁ । ତେଣୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ଭାରତୀୟ ଆହାରର ବ୍ୟବସ୍ଥା ହୋଇଚି ।

 

କିନ୍ତୁ ଭାରତୀୟ ଆହାର ବୋଲି ସେପରି କୌଣସି ମାର୍କାମରା ନିର୍ଦ୍ଦିଷ୍ଟ ଆହାର ଅଛି କି-? ଗୋଟିଏ ଅର୍ଥରେ ଭାରତବର୍ଷର ପ୍ରତ୍ୟେକ ଧର୍ମକୁ ହିନ୍ଦୁଧର୍ମ (ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଗ୍ରୀକ୍‍ମାନେ ଏହାକୁ ଯେଉଁପରି ଅର୍ଥ ଦେଇଥିଲେ) କୁହା ଯିବାପରି ଭାରତର ଯାବତୀୟ ସ୍ଥାନରେ ପ୍ରଚଳିତ ଯାବତୀୟ ପ୍ରକାରର ଆହାରକୁ ଭାରତୀୟ ଆହାର ବୋଲି କୁହାଗଲେ ଅବଶ୍ୟ ସ୍ୱତନ୍ତ୍ର କଥା ହେବ । ଏହି ଅର୍ଥରେ ଇଂରାଜୀ ଭାଷାକୁ ଯେପରି ଭାରତୀୟ ଭାଷାବୋଲି କୁହାଯାଇ ପାରିବ, ମହାଦେଶୀୟ ବା ଇଉରୋପୀୟ ଆହାରକୁ ମଧ୍ୟ ସେହି ପରି ବ୍ୟତିକ୍ରମାର୍ଥେ ଭାରତୀୟ ଆହାର ବୋଲି କୁହାଯାଇ ପାରିବ । କିନ୍ତୁ ଖାଇବା ବିଷୟରେ ମଣିଷର ରୁଚି ଦୃଷ୍ଟିରୁ ଯଦି ଆମେ ଭାରତୀୟ ରୁଚି ଅନୁସାରେ ଗୋଟାଏ ପ୍ରକାର ଭାରତୀୟ ଆହାରର ବ୍ୟବସ୍ଥା କରିବାକୁ ଯାଉ, ତେବେ ଏହା ଅନେକ ଭାରତୀୟଙ୍କର ରୁଚିକୁ କଦାପି ସନ୍ତୁଷ୍ଟ କରିପାରିବ ନାହିଁ । ଆମ ଜାହାଜରେ ଭାରତୀୟ ଆହାର ବିଷୟରେ ବର୍ତ୍ତମାନ ଏହି ପ୍ରମାଦ ଆସି ପହଞ୍ଚିଚି । ଭାରତୀୟ କହିଲେ ଇଉରୋପରେ ଏହାର ଏକ ସ୍ଥାନୀୟ ବା ଦେଶୀୟ ଅର୍ଥ କରାଯାଇଥାଏ । ଇଉରୋପରେ ଧର୍ମ ଏକ, କିନ୍ତୁ ଏକଦେଶୀୟତା ଦୃଷ୍ଟ । ପରମ୍ପରାର ଦୋଷରୁ ସେଠି ସଂସ୍କାର ଓ ଆଚାରିଗୁଡ଼ାକ କ୍ରମେ ଅତି ଦେଶୀୟ ହୋଇ ପଡ଼ିଚି ଓ ମଣିଷର ବିଚାରକୁ ମଧ୍ୟ ତାହା କ୍ରମେ ଗ୍ରାସ କରି ପକାଇଛି । ସେଥିପାଇଁ ଭାରତ ବିଷୟରେ ବିଚାର କଲାବେଳେ ସାନ ଡେନମାର୍କର ଶିକ୍ଷିତ ଅଧିବାସୀଭାବେ ଯେ ଭାରତ ଠିକ୍ ଡେନମାର୍କ ପରି ଖଣ୍ଡେ ଛୋଟିଆ ଅରାଏ ମାତ୍ର ଥାନ ହୋଇଥିବ । ଏହିପରି ଏକ ଭ୍ରମର ବଶବର୍ତ୍ତୀ ହୋଇ ଭାରତବାସୀଙ୍କର କାହିଁକି ଗୋଟାଏ ସାଧାରଣ ଭାଷା ନାହିଁ ବୋଲି ସେ ବିସ୍ମୟ ପ୍ରକାଶ କରିଥାଏ, କିନ୍ତୁ ତେଣେ ଆପଣା ଘରେ ସେ ସୁଇଡେନ୍ ଓ ନର୍‍ଓୟେ ଦେଶର ଭାଷାକୁ ମଧ୍ୟ ବିଦେଶୀ ଭାଷା ବୋଲି ମନେକରି ତା'ଠାରୁ ଦୂରରେ ରହେ ।

 

ଆମ ଜାହାଜର ଇତାଲୀୟ ବ୍ୟବସ୍ଥାପକମାନେ ମଧ୍ୟ ସେହିପରି ଏକ ଭ୍ରମ ଦ୍ୱାରା ପରିଚାଳିତ ହୋଇ ଏଠି ଭାରତୀୟ ଆହାରର ବ୍ୟବସ୍ଥା କରିଥିବା ପରି ମନେହେଉଚି । ଭାରତୀୟ ଆହାର କହିଲେ ସେମାନେ ଭାତ ଆଉ ମାଂସଝୋଳର ଏକ ସମାହାର ବୋଲି ବୁଝିଚନ୍ତି । ଏହି ଭାରତୀୟ ଆହାରକୁ ସୁଚାରୁରୂପେ ପ୍ରସ୍ତୁତ କରିବା ଲାଗି ସେମାନେ ବମ୍ବେଠାରୁ ଭାରତୀୟ ରାନ୍ଧୁଣିଆ ମଧ୍ୟ ଯୋଗାଡ଼ କରି ଆଣିଛନ୍ତି । ସମୁଦ୍ରଯାତ୍ରାର ଏହି ପାଞ୍ଚଦିନ ଭିତରେ ଭାରତୀୟ ଆହାର ହିସାବରେ ଆମକୁ କେବଳ ଅପର୍ଯ୍ୟାପ୍ତ ଭାତ ହିଁ ମିଳିଚି । ଭାତ ଉପରେ ଅସଣ୍ଠଣା ହୋଇ ରନ୍ଧା ହୋଇଥିବା ଗୁଡ଼ାଏ ଡାଲି ଅଜାଡ଼ି ଦିଆଯାଉଚି । ଯେଉଁଦିନ ଡାଲି ନାହିଁ, ସେଦିନ କେବଳ ମାଂସର ଝୋଳରେ ସନ୍ତୁଷ୍ଟ ରହିବାକୁ ପଡ଼ିବ । ନାନା ସ୍ଵାଦପୂର୍ଣ୍ଣ ମସଲାରେ ଏହି ଝୋଳ ବଡ଼ ସୁଦୃଶ୍ୟ ଓ ସୁସ୍ୱାଦୁ ହୋଇ ଯେ ତିଆରି ହେଉଚି, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଭାତ ନଖାଉଥିବା ଭାରତୀୟ ଯେ ଭାରତବର୍ଷରେ ଅନେକ ଅଛନ୍ତି, ଏକଥା ଆଉ କାହାରି ମନେନାହିଁ । ତେଣୁ ପଞ୍ଜାବ, ଉତ୍ତରପ୍ରଦେଶ, ବିହାର ବା ମଧ୍ୟପ୍ରଦେଶରୁ ଯେଉଁ ଯାତ୍ରୀମାନେ ଆମ ସହିତ ଯାଉଚନ୍ତି, ଭାରତୀୟ ହେଲେ ମଧ୍ୟ ଏହି ଭାରତୀୟ ଆହାର ଉପରେ ସେମାନଙ୍କର ଖୁବ୍‍ ବେଶୀ ସରାଗ ଥିଲାପରି ମନେ ହେଉନାହିଁ ।

 

ଇଉରୋପୀୟ ସଂସ୍କାରରେ ଉପନୟନ ହୋଇ ପାରିବାଲାଗି ଜାହାଜ ହେଉଚି ଏକ ଚମତ୍କାର ପାଠଶାଳା । ଟେବୁଲ ଉପରେ ଖାଇବାକୁ ହେବ । ଅସ୍ତ୍ରଶସ୍ତ୍ର ଅର୍ଥାତ୍ ଇଉରୋପୀୟ ହାତହତିଆର ଧରି ପାତ୍ରସ୍ଥିତ ଆହାରକୁ ଗର୍ଭସ୍ଥ କରିବାକୁ ହେବ । ଭାରତବର୍ଷରେ ଘରେ ଥିଲାବେଳେ ତ ଏସବୁ କୌଶଳ ଆୟତ୍ତ କରିବା ସମ୍ଭବ ନୁହେଁ । ତେଣୁ ବମ୍ବେ ଛାଡ଼ିବାପରେ ଆମଭିତରୁ ଅନେକେ ଏହି ଶିକ୍ଷା ଆରମ୍ଭ କରିଦେଇଛନ୍ତି । ଅନେକ ନିଷ୍ଠାସହିତ ସେମାନେ ଏହା ଆରମ୍ଭ କରିଚନ୍ତି । ନୂଆ ନୂଆ ଇସ୍କୁଲକୁ ଯାଉଥିବା ପିଲା ଯେପରି ଇସ୍କୁଲରୁ ଫେରିବା ବେଳକୁ ମୁହଁରେ ହାତରେ ଖଡ଼ି ଲଗାଇ ବଡ଼ ଅବିନ୍ୟସ୍ତ ହୋଇ ଆସେ, ଇଉରୋପୀୟ ଆଚାରର ନୂଆପାଠ ପଢ଼ୁଥିବା ଭାରତୀୟ ଯୁବକ ମଧ୍ୟ ଖାଇବା-ଟେବୁଲରୁ ଉଠି ବାହାରକୁ ବାହାରି ଆସିବାବେଳେ ଅନେକାଂଶରେ ପ୍ରାୟ ସେହିପରି ଦେଖାଯାଏ । ସେଦିନ ସକାଳେ ଜଣେ ଭାରତୀୟ ବନ୍ଧୁଙ୍କ ସହିତ ଏକାଠି ବସି ଚାହା ପିଉଥିଲି । ପାଉରୁଟିରେ ଲହୁଣୀ ଲଗାଇ ସେ ତାହାକୁ ଖାଇବାରେ ଲାଗିଥାନ୍ତି । ମଣିଷର ବଡ଼ ବଡ଼ ନିଶ ଥିଲେ ଯେପରି ଦହି ବା ଦୁଧ ପିଇଲାବେଳେ ନିଶର ଅଧଯାଏ ଧଳା ହୋଇଯାଏ, ନୂଆ ଆଚାର ସମ୍ବନ୍ଧରେ ସମ୍ପୂର୍ଣ୍ଣ ନୈପୁଣ୍ୟ ଅର୍ଜନ ନକରିଥିବା ହେତୁ ଏହି ବନ୍ଧୁଙ୍କର ମୁହଁଯାକ ଲହୁଣୀ ବୋଳିହୋଇ ଯାଇଥାଏ । ନାସିକାର ଶୃଙ୍ଗଠାରୁ ଆରମ୍ଭ କରି ଚିବୁକ ପର୍ଯ୍ୟନ୍ତ ତିଳକ ଛପାହୋଇ ରହିଥାଏ । ତେଣୁ ଏଠି ଖାଇଲାବେଳେ ଦେଖିବାର ଆନନ୍ଦ କିଛି କମ୍ ମିଳେନାହିଁ । କେଉଁ ଜିନିଷ ଖାଇଲାବେଳେ କେଉଁ ହାତରେ କେଉଁ ଜିନିଷ କିପରି ଭାବରେ ଧରିବାକୁ ହେବ, ଇଉରୋପୀୟ ଆଚାରପଦ୍ଧତିରେ ସେସବୁର ନିର୍ଦ୍ଦିଷ୍ଟ ନିୟମମାନ ରହିଚି । କିନ୍ତୁ ଜାହାଜକୁ ଆସି ନୂଆ ପାଠ ପଢ଼ୁ ପଢ଼ୁ ଏସବୁ କାଇଦା ଏକାବେଳକେ ଦୋରସ୍ତ ହୋଇଯିବ କିପରି ? ତେଣୁ ଡ଼ାହାଣ ହାତର ହତିଆରକୁ ବାଆଁ ହାତରେ ଓ ବାଆଁ ହାତର ହତିଆରକୁ ଡାହାଣ ହାତରେ ଧରି ଯିଏ ବଡ଼ ଅସୁବିଧାରେ ପଡ଼ି ଧନ୍ଦି ହେଉଥାଏ, ସେତେବେଳେ ତାକୁ ଦେଖିଲେ ଠିକ୍ ସ୍କୁଲଘରେ ଅନ୍ୟ ପିଲାଙ୍କ ତୁଳନାରେ ପଛରେ ପଡ଼ିଯାଇଥିବା ପିଲାଙ୍କପରି ହିଁ ମନେହୁଏ । କଣ୍ଟାଟାକୁ କିଏ କେତେବେଳେ ଖଣତିପରି ଧରେ ତ ପୁଣି କିଏ ଖୁରୁପିପରି ଧରେ-ବୁଢ଼ାପାଟିର ଦାନ୍ତରେ ମାଉଁସକୁ ଭିଡ଼ିଓଟାରି ଛିନ୍ନ ଭିନ୍ନ କରି ପକାଇବାପରି କାହାର ହତିଆର ଖାଇବା ପଦାର୍ଥ ଗୁଡ଼ାକୁ ବଡ଼ ଅସ୍ତବ୍ୟସ୍ତ କରି ପକାଏ । ଆଉକିଏ ଭାବେ, ଭାରତବର୍ଷ ପରି ନଖରେ କମଳାଲେମ୍ବୁ ଛଡ଼ାଇ ଖାଇବା ବୋଧହୁଏ ଇଉରୋପୀୟ କାଇଦା ଅନୁସାରେ ଆଦୌ ଅନୁମୋଦନୀୟ ହେବନାହିଁ ଓ ସେଥିଲାଗି ସଭାର ଆଖିରେ ଆଦୌ ଘେନାଇବ ନାହିଁ । ତେଣୁ ସେ ଆଗ ବଡ଼ ସାବଧାନରେ ଚତୁର୍ଦ୍ଦିଗକୁ ଚାହିଁ ଆପଣ ଚାଖୁ ସାହାଯ୍ୟରେ ଲେମ୍ବୁ ଛଡ଼ାଇବାକୁ ଆରମ୍ଭ କରେ । ଏହାର ଫଳସ୍ୱରୂପ ତାହାର ଲେମ୍ବୁ ଖାଇବା ଅବଶ୍ୟ ସଫଳ ହୁଏ । କିନ୍ତୁ ଏହି ସଫଳତା ଅର୍ଜନ କରିବା ଲାଗି ତାକୁ ହାତ, ମୁହଁ, ଲୁଗାପଟା, ଟେବୁଲ ଓ ଥାଳିଆ ଚାରିଆଡ଼ ରସରେ ବୁଡ଼ାଇ ଦେବାକୁ ପଡ଼େ । ସେତେବେଳେ ସିଏ ବୁଝିପାରେ ନାହିଁ ଯେ ଏହିସବୁ ଗୁଡ଼ାକ ଏଡ଼େ ନିଷ୍ଠାର ସହିତ ଅନୁସରଣ କରିବାର ଆଦୌ କୌଣସି ଆବଶ୍ୟକତା ନାହିଁ । ଇଉରୋପରେ ମଧ୍ୟ ଖାଇବା ବିଷୟରେ ଏହି କାଇଦା ଗୁଡ଼ିକ ଦେଶ ଦେଶକେ ଫରକ । ବଡ଼ ହୋଟେଲମାନଙ୍କରେ ଯେଉଁ କାଇଦାମାନ ଚଳେ, ହୁଏତ ଗାଁଆର ଚାଷୀଘରେ ସେ ସବୁ ଚଳେ ନାହିଁ । ଧନୀ ଘରେ ଯାହା ଚଳେ, ସାଧାରଣ ଶ୍ରମିକର ଘରେ ହୁଏତ ତାହା ଚଳେନାହିଁ । କିନ୍ତୁ ଏହି ସଦ୍‍ଜ୍ଞାନ ଅନେକ ପରେ ହୁଏ । ସାମାଜିକ ଓ ଭୌଗୋଳିକ ସ୍ଥିତି ଅନୁସାରେ ରୁଚି ଯେ ବିଭିନ୍ନ ହୁଏ, ଏହି ସତ୍ୟଟି ହୃଦୟଙ୍ଗମ କରିବାଲାଗି ଜୀବନରେ ଅନେକ ଶିକ୍ଷାର ଦରକାର ହୁଏ ।

 

ସବୁ ବ୍ୟଙ୍ଗରେ ମୁଁ ଆମ ଭାରତୀୟମାନଙ୍କୁ ଏହି ବିଷୟରେ ଅବଶ୍ୟ ବାହାଦୂରୀ ଦେବି-। ପିଲାଦିନୁଁ ଅନ୍ୟ ଆଚାର ଓ ଅନ୍ୟସଂସ୍କାର ମଧ୍ୟରେ ବଢି ଆସିଥିଲେ ସୁଦ୍ଧା ଆମେ ଯେଉଁ ଦେଶକୁ ଯାଉ କ୍ରମେ ସେହି ଦେଶର ଆଚାରକୁ ଆୟତ୍ତ କରିନେଉ । ପ୍ରଥମେ ପ୍ରଥମେ ଅବଶ୍ୟ କଷ୍ଟ ହୁଏ, କିନ୍ତୁ କେବେହେଲେ ବିଫଳ ହେବାକୁ ପଡ଼େନାହିଁ । ଭାରତର ଘର ଛାଡ଼ି ଆମ ଭିତରୁ ଯେଉଁମାନେ ବିଲାତ ବା ଆମେରିକା ଯାଆନ୍ତି, ସେମାନେ କଷ୍ଟେମଷ୍ଟେ ଅତି ଅଳ୍ପ ସମୟରେ ସେହିସବୁ ଦେଶର ଚାଲିଚଳନ ଓ ଆଦବ କାଇଦାକୁ ଅକ୍ତିଆର କରି ନିଅନ୍ତି । ସେଗୁଡ଼ିକ ସହିତ କ୍ରମେ ମନକୁ ଓ ଆପଣାର ରୁଚିକୁ ସୁହାଇ ନିଅନ୍ତି । କିନ୍ତୁ ବିଲାତଓ ଆମେରିକାରୁ ଯେଉଁମାନେ ଅଳପ ବା ବହୁତ ଦିନପାଇଁ ଭାରତବର୍ଷକୁ ଆସନ୍ତି, ସେମାନେ ଆମ ଦେଶର କାଇଦା ଶିଖି ପାରନ୍ତି ନାହିଁ କାହିଁକି ? ସମସ୍ତେ ପାରନ୍ତିନାହିଁ ବୋଲି ମୁଁ କହୁନାହିଁ । କିନ୍ତୁ ଲକ୍ଷକରେ ଦଶଜଣଙ୍କୁ ଛାଡ଼ିଦେଲେ ଅନ୍ୟକେହି ପାରନ୍ତି ନାହିଁ । ସେମାନେ ବିଲାତରେ ଯେପରି ଖାଆନ୍ତି, ଭାରତରେ ମଧ୍ୟ ଠିକ୍ ସେହିପରି ଖାଆନ୍ତି । ଆମେରିକାରେ ଯେପରି ଲୁଗା ପିନ୍ଧନ୍ତି, ଭାରତୀୟ ସମାଜ ଭିତରେ ମଧ୍ୟ ଠିକ୍ ସେହିପରି ଲୁଗା ପିନ୍ଧନ୍ତି । ବିଲାତରେ ଯେପରି ଠିକ୍‍ ଜାଗା ଓ ବିଛଣା ନହେଲେ ସେମାନଙ୍କୁ ନିଦ ମାଡ଼େନାହିଁ, ଭାରତବର୍ଷରେ ମଧ୍ୟ ସେମାନେ ବୋଉ-କାଖଛଡ଼ା ପିଲାଙ୍କ ପରି ଅତି ବ୍ୟାକୁଳ ଭାବରେ ସେହିପରି ଜାଗା ଓ ସେହିପରି ବିଛଣା ଦରାଣ୍ଡି ହୁଅନ୍ତି । ଏପରି ହୁଏ କାହିଁକି ? ନୃତତ୍ତ୍ୱବିଜ୍ଞାନରେ ଏହି ପ୍ରକୃତିର ଅନେକ କାରଣ ଥିବାର ଅନୁମାନ କରାଯାଏ । ଯେଉଁମାନେ ତୁଳନାତ୍ମକ ଭାବରେ ନାନା ସମାଜ ଓ ନାନା ସଂସ୍କୃତିର ଅଧ୍ୟୟନ କରନ୍ତି, ସେମାନେ ମଧ୍ୟ ଏହି ବିଷୟରେ ନାନା ପ୍ରକାର ଅନୁମାନ କରିଛନ୍ତି । କିନ୍ତୁ ଏଠି ମୁଁ ତୋତେ ସେସବୁ କଥା ବଖାଣିକରି କହିବାକୁ ଯାଉନାହିଁ । ଯେତେବେଳେ ତୁ ବଡ଼ ହେବୁ, ମଣିଷର ବିଚିତ୍ର ସଂସ୍କୃତି ଓ ସାଂସ୍କୃତିକ ସ୍ଵଭାବକୁ ଜାଣିବା ଲାଗି ଯଦି ତୋର ସ୍ଥାୟୀ ଆଗ୍ରହ ରହିଥିବ, ତେବେ ହୁଏତ ତୁ ନୃତତ୍ୱବିଜ୍ଞାନ ଅଧ୍ୟୟନ କରିବୁ ଓ ମଣିଷଜୀବନ ବିଷୟରେ ଅନେକ କିଛି ଜାଣିବାକୁ ପାଇବୁ ।

 

ଆମର ଜାହାଜ ପାଣି ଉପରେ ରହିଚି ! ଏଠି ଖାଇବା, ଶୋଇବା, ଖେଳିବା, ସବୁ ଚାଲିଚି । କେତେଦିନର ଏହି ସମୁଦ୍ରଯାତ୍ରାକୁ ସ୍ଥାୟୀ ଜୀବନର ବ୍ୟଞ୍ଜନା ଦେବାକୁ ଯେତେ ଯାହା ବ୍ୟବସ୍ଥା କରି ପାରିବା ସମ୍ଭବ, ସେହି ସକଳ ବ୍ୟବସ୍ଥା ଏଠି ଖଞ୍ଜା ହୋଇ ରହିଚି । ତୁ ଇଚ୍ଛାକଲେ ନଈରେ ପହଁରିଲା ପରି ଏଠି ମଧ୍ୟ ଆମ କୃତ୍ରିମ ପୋଖରୀରେ ପହଁରିପାରିବୁ । କେହି ଇଚ୍ଛାକଲେ ଦିନ ଯାକ ବସି ଜୁଆ ଖେଳି ପାରିବ ବା ଦିନଯାକ ବସି ମଦ ପିଇ ପାରିବ । ପୁଣି ଇଚ୍ଛାକଲେ କେବଳ ଖାଇବା ସମୟଟା ଛଡ଼ା ଆପଣା ଘରେ ଆରାମରେ ଶୋଇ ମଧ୍ୟ ପାରିବ ! କେହି ତୁମକୁ ଘର ଭିତରୁ ବାହାରକୁ ଆସିବାକୁ ବାଧ୍ୟ କରିବ ନାହିଁ । ହଁ, ଆମରଏଠି ରାତି ଖାଇବା ପରେ ସିନେମା ଦେଖା ଯିବାର ମଧ୍ୟ ବନ୍ଦୋବସ୍ତ ରହିଚି । ସାଧାରଣତଃ ସାଢ଼େ ନଅଟାଠାରୁ ରାତି ବାରଟା ଯାଏ ସିନେମା ଦେଖା ହୁଏ । ନିଦ ନ ମାଡ଼ୁଥିଲେ ଯେ କେହି ଅତି ଆରାମରେ ବସି ସିନେମା ଦେଖି ପାରିବ । କାଲି ଏହି କାର୍ଯ୍ୟକ୍ରମରେ ଭାରତୀୟ ଚିତ୍ରର ବ୍ୟବସ୍ଥା ଥିଲା । ଉପରେ ଖୋଲା ଡକ୍ ଉପରେ ଏହି ମନୋରଞ୍ଜନର ବ୍ୟବସ୍ଥା ହୋଇଥିଲା । ଉପରୁ ଶୁକ୍ଳ ଦ୍ଵାଦଶୀର ଉଜ୍ଜ୍ୱଳ ଜହ୍ନଆଲୁଅ ବିଞ୍ଚିହୋଇ ପଡ଼ୁଚି । ଚାରି ପାଖରେ ନୀଳ ଚନ୍ଦନର ସ୍ନିଗ୍ଧତାକୁ ପରିବ୍ୟାପ୍ତ କରିଦେଇ ସମୁଦ୍ର ଆଗକୁ ବାଟ ଛାଡ଼ି ଦେଉଚି । ଚାରିଆଡ଼ର ନିସ୍ତବଧତା ଭିତରେ ଆମେ ଅତି ନିମଗ୍ନ ଭାବରେ ବସି ସିନେମା ଦେଖୁଚୁ । ଇଷତ୍‍ ନିଦରୁ ଉଠିଥିବା ପରି ମୋ ପାଖରେ ବସିଥିବା ଜଣେ ବଙ୍ଗୀୟ ବନ୍ଧୁ ବଡ଼ ଭାବବିହ୍ୱଳ ଭାବରେ କହି ଉଠିଲେ, ଆରେ ମୁଁ ଏତେ ବେଳ ଯାଏ ସବୁ ଭୁଲି ଯାଇଥିଲି । ଏହି ସମୁଦ୍ର, ଏହି ଆକାଶ, ଏହି ଜାହାଜ ଓ ଏହି ସମୁଦ୍ରଯାତ୍ରା, ଏହି ସମସ୍ତ କଥା ମୁଁ ଏକାବେଳକେ ଭୁଲିଯାଇଥିଲି । ଭାବୁଥିଲି ଯେପରି କଲିକତାର କୌଣସି ସିନେମାଘରେ ବସି ମୁଁ ସିନେମା ଦେଖୁଚି !

Image

 

ଚାରି

 

ଆରବ ସାଗର

ତା ୧୨/୧୦/୬୨

 

ସ୍ନେହର ଜଟି,

 

ଆମ ଜାହାଜରେ ସତେ କ'ଣ ନମିଳୁଚି ? ଘରଠାରୁ ଅଧିକ ବଢ଼ିଆ ଖାଇବା ମିଳୁଚି । ଦିନରେ ଦୁଇ ବକ୍ତଯାକ ମାଛ ଓ ମାଂସ । ସକାଳ ଜଳଖିଆରେ ଦୁଇଟା ଲେଖାଏଁ ଅଣ୍ଡା, ଖାଇବା ପରେ ମୁଖରୋଚନ ଉଦ୍ଦେଶ୍ୟରେ ଗୋଟାଏ ଲେଖାଏଁ ଫଳ । ସକାଳକୁ କମଳାଲେମ୍ବୁ ଓ ରାତିରେ ଶେଉ । ରାତିକୁ ଶେଉ ତ, ତହିଁ ଆରଦିନ ସକାଳକୁ ପୁଣି ନାସପାତି । ବଢ଼ିଆ ପରିଷ୍କାର ଟେବୁଲ ଉପରେ ଆଧୁନିକ ସମସ୍ତ ସନ୍ତର୍ପଣ ସହିତ ଥାଳି ଓ ଥାଳିଆମାନ ସଜାହୋଇ ରହିଚି - ପିଇବା ପାଣି ମଧ୍ୟ ରହିଚି । ପସନ୍ଦ ଅନୁସାରେ ଇଉରୋପର ଅଙ୍ଗୁର ରସରୁ ତିଆରି ମଦ ବି ରହିଚି । ମଣିଷଯାକ ସେଠି ବସିଯିବା ମାତ୍ରକେ ପରିଚାରକମାନେ ଆଜ୍ଞାପ୍ରମାଣେ ଖାଇବା ବାଢ଼ିଦେଇ ଯିବେ । ଖାଇବାକୁ ମନ ନଥିଲେ ବଳାଇକରି ଖୁଆଇବେ, ନାନା ମଧୁର ବ୍ୟଙ୍ଗୋକ୍ତିରେ ଭୋଜନର ବାସନାକୁ ଉଦ୍ରେକ କରିବାରେ ଲାଗିଥିବେ । ପଇସା ଦେଲେ ମଧ୍ୟ କେତେଟା ଜାଗାରେ ଏସବୁ ମିଳେ ? ଆମେ ଯେଉଁ ସବୁ ଘରେ ଅଛୁ, ସେ ଗୁଡ଼ିକ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖବାକୁ ମଣିଷ ନିଯୁକ୍ତ ଅଛନ୍ତି । ସକାଳୁ ଉଠି ମୁହଁ ଧୋଇ ଆମେ ଜଳଖିଆ ଖାଇବାକୁ ଯାଇଥିବା ସମୟରେ ସେମାନେ ବଡ଼ ଖଞ୍ଜରେ ଆସି ଘର ପରିଷ୍କାର କରି ଦେଇଯିବେ, ଅସନା ଲୋଚାକୋଚା ହୋଇଥିବା ବିଛଣାକୁ ସଜାଡ଼ି ଦେଇଯିବେ । ସ୍ପ୍ରିଙ୍ଗ୍ ଖଟ ଉପରେ ମୋଟା ଗଦି, ତା ଉପରେ ଜହ୍ନ ଆଲୁଅ ପରି ତୋଫା ଛନଛନିଆ ଚାଦର ଓ ତକିଆ ଦେହରେ ଘୋଡ଼ାଇ ଦେବାଲାଗି ଧୋବ ଚାଦର ଓ ଦାମିକା କମ୍ବଳ । ହାତମୁହଁ ପୋଛିବାଲାଗି ବଢ଼ିଆ ସଫା ତଉଲିଆ । କୋଠରୀ ସାମନାକୁ ପାଇଖାନା, ଗାଧୁଆ ଘର, ଇଉରୋପୀୟ ସ୍ଵଚ୍ଛତାରେ ସୁମଣ୍ଡିତ ହୋଇ ରହିଥିବା ବ୍ୟବସ୍ଥାମାନ । ରାତି ବାରଟାବେଳେ ଗାଧୋଇବାକୁ ମନ କଲେ ମଧ୍ୟ କଳ ଫିଟାଇଦେବା ମାତ୍ରକେ ଆପଣାର ଆବଶ୍ୟକତା ଅନୁସାରେ ଗରମ ଓ ଥଣ୍ଡା ପାଣି ଆସି ଦେହ ଉପରେ ବରଷି ହୋଇଯିବ-। ଘରେ ଘରେ ପିଇବା ପାଣିର ବ୍ୟବସ୍ଥା । ବମ୍ବେଠାରୁ ଅନୁକୂଳ କଲାବେଳେ ଜାହାଜରେ ଯେଉଁ ମିଠା ପାଣି ବୋଝାଇ ହୋଇ ଆସିଥିଲା, ତାହାକୁ ଅତି ଯତ୍ନରେ ଆଜିପର୍ଯ୍ୟନ୍ତ ମଧ୍ୟ ପିଇବାର ଯୋଗ୍ୟ କରି ରଖାଯାଇଚି । ବମ୍ବେ ପରେ ତିନିଦିନ ପର୍ଯ୍ୟନ୍ତ ଗାଧୋଇବାକୁ ଓ ମୁହଁହାତ ଧୋଇବାକୁ ମଧ୍ୟ ମିଠାପାଣି ମିଳୁଥିଲା । ପଅରଦିନଠାରୁ ଲୁଣପାଣି ମିଳୁଚି । ବୋଧହୁଏ ମିଠାପାଣିର ଭଣ୍ଡାର ସରି ଆସିଲାଣି । କିନ୍ତୁ କାଲି ପଅରଦିନ ଯେତେବେଳେ ଆମେ ସୁଏଜ୍ ବନ୍ଦରରେ ଯାଇଁ ପହଞ୍ଚିବୁ, ସେତେବେଳେ ଜାହାଜ ଭିତରେ ପୁଣି ମିଠାପାଣି ଭରି ନିଆଯିବ ।

 

ଆମ ଜାହାଜରେ ପିଲାଙ୍କର ସଂଖ୍ୟା ଅନେକ । ମୁଁ ତ ଭାବୁଚି ଯେ ଏଗାରଶହ ଯାତ୍ରୀଙ୍କ ଭିତରେ ପ୍ରାୟ ଏକଶହରୁ ଅଧିକ ପିଲା ରହିବେ । ଏମାନେ ନାନା ଦେଶରୁ ଆସିଚନ୍ତି । ଅଷ୍ଟ୍ରେଲିଆରୁ ଆସିଛନ୍ତି, ମାଳୟ ଓ ସିଙ୍ଗାପୁରରୁ ଆସିଚନ୍ତି । ଭାରତବର୍ଷର ନାନାସ୍ଥାନରୁ ମଧ୍ୟ ଆସିଚନ୍ତି । ଭାରତରୁ ଆସିଥିବା ଅନେକ ପିଲା ଇଂରାଜୀ ଭାଷା ମଧ୍ୟ ଜାଣିନାହାନ୍ତି । ପଞ୍ଜାବ ପ୍ରଦେଶରେ କେତୋଟି ପରିବାର ଆମ ସହିତ ଯାଉଚନ୍ତି । ଅବସ୍ଥା ମଧ୍ୟବିତ୍ତ ସ୍ତରର । ତେଣୁ ଏ ପର୍ଯ୍ୟନ୍ତ ଏମାନଙ୍କର କଳେବର ଉପରେ ସାହେବୀ ସଂସ୍କାରର ସାଜମାନ ଲାଗିନାହିଁ । ବାପାମାନେ ବିଲାତରେ ଚାକିରୀ କରନ୍ତି, ହୁଏତ ଲଣ୍ଡନ ବା ଆଉ କୌଣସି ସହରରେ କୌଣସି କାରଖାନାରେ ବା ଆଉ କୌଣସି କମ୍ପାନୀରେ । ଜୀବିକାର ସନ୍ଧାନରେ ସେମାନେ ଆଗ ବିଲାତକୁ ବାହାରି ଆସିଥିଲେ, ବର୍ତ୍ତମାନ ସେହିଠାରେ ହିଁ ସ୍ଥାୟୀଭାବରେ ରହିଯିବେ ବୋଲି ସ୍ଥିର କରିଛନ୍ତି । ସେଥିପାଇଁ ସେମାନଙ୍କର ପିଲାପିଲି ବର୍ତ୍ତମାନ ସେମାନଙ୍କ ସହିତ ଏକାଠି ରହିବେ ବୋଲି ବିଲାତ ଯାଉଛନ୍ତି । ନାନା ଦେଶର ନାନା ପିଲାଙ୍କର କଳରୋଳରେ ଆମ ଜାହାଜର ସଂସାର ପ୍ରକୃତରେ ଭାରି ଜୀବନମୟ ହୋଇ ଉଠିଚି । ହସ ଖୁସି ଓ ଖେଳକୁଦରେ ଉଛୁଳି ଉଠୁଚି । ଅତି ସାନ ପିଲାମାନେ ଯାତାୟତ ପଥର ଚଟାଣ ଉପରେ ଗଡ଼ାଗଡ଼ି ଲଢ଼ାଲଢ଼ି ହେଉଛନ୍ତି । ବନ୍ଧୁତା ଓ ଶତ୍ରୁତାର ନାନା ସମ୍ପର୍କ ପାଲଟାରେ ସେମାନଙ୍କର ଆଉ କୌଣସି ବିଷୟରେ ହୋସ୍ ମଧ୍ୟ ରହୁନାହିଁ-। କେଉଁଠି ଦଳେ ପିଲା ଲୁଚକାଳି ଖେଳୁଚନ୍ତି । ଏଠାରେ ଲୁଚିବା ଲାଗି ତ ବଣବୁଦା କି କୁଟା ଗଦା ନାହିଁ, ତେଣୁ ଚଉକୀ ବା ଟେବୁଲ ତଳେ, ପୁଣି କେତେବେଳେ ଏକତ୍ର ଠିଆହୋଇ କଥାବାର୍ତ୍ତା ହେଉଥିବା ବୟସ୍କମାନଙ୍କର ଗୋଡ଼ ସନ୍ଧିରେ ଲୁଚି ସେମାନେ ଭାରି ଆନନ୍ଦ ପାଉଚନ୍ତି । ଅଷ୍ଟ୍ରେଲିଆରୁ ଆସିଥିବା ପିଲାମାନେ ଖେଳର ଓସ୍ତାଦିରେ ସମସ୍ତଙ୍କୁ ବଳି ଗଲେଣି । କାରଣ ପ୍ରାୟ ତିନି ସପ୍ତାହ ହେଲା ସେମାନେ ଜାହାଜ ଭିତରେ ଅଛନ୍ତି । ଜଳଯାତ୍ରାର ନୀରସ ସମୟକୁ ନାନା ଆଗ୍ରହ ଓ ଉତ୍ସାହରେ ଉତ୍ତେଜିତ କରି ରଖିବାଲାଗି ସେମାନେ ନାନା ପ୍ରକାର ନୂଆ ନୂଆ ଖେଳର ଉଦ୍ଭାବନ ମଧ୍ୟ କରିଚନ୍ତି । ଜାହାଜ ଉପରେ ସବୁଠାରୁ ଅଧିକ ଅଭିଜ୍ଞ ହିସାବରେ ସେମାନେ ବର୍ତ୍ତମାନ ଅନ୍ୟ ସବୁ ପିଲାଙ୍କର ଅନୁକରଣୀୟ ହୋଇଚନ୍ତି । ଖାଲି ବୋତଲ ଆଣି ଜାହାଜ ଉପରୁ ସମୁଦ୍ର ଭିତରକୁ ପକାଇବା ଓ ଦୂର ତରଙ୍ଗ ଭିତରେ ସେଇଟି ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ତାହାକୁ ଲକ୍ଷ୍ୟ କରି ଦେଖିବା ଏମାନଙ୍କର ଗୋଟିଏପ୍ରଧାନ କ୍ରୀଡ଼ା ହୋଇଛି । ଜାହାଜରେ କଣ ଖାଲି ବୋତଲର ଅଭାବ ରହିଚି ? ଏଠି ଦିନରାତି ଅର୍ଥାତ୍ ସକାଳ ସାତଟାରୁ ରାତି ବାରଟା ପର୍ଯ୍ୟନ୍ତ ମଦବିପଣିରେ ମଦପିଆ ଚାଲିଚି । ସମସ୍ତେ କହୁଛନ୍ତି, ସମୁଦ୍ର କୌଣସି ସରକାରଙ୍କ ଅଧୀନ ନୁହେଁ-। ତେଣୁ ସମୁଦ୍ରପଥରେ ଯାଉଥିଲା ପର୍ଯ୍ୟନ୍ତ ଜାହାଜରେ ଯେଉଁ ମଦ କିଣାଯିବ, ସେଥିଲାଗି ପୃଥିବୀର କୌଣସି ସରକାରକୁ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ । ଏହିପରି ଏକ ଅନୁକୂଳ ବାତାବରଣରେ ଜାହାଜ ଉପରର ମଦପିଇବା ପାଣି ପିଇବାର ପରିମାଣକୁ ମଧ୍ୟ ବଳି ପଡ଼ିଚି । ଇଉରୋପରେ ଅନେକଲୋକ ମଦ ପିଅନ୍ତି, ମୁଁ ସେକଥା ଜାଣିଚି । ଭାରତରେ ମଦ ପିଅନ୍ତି । କିନ୍ତୁ ଅଷ୍ଟପ୍ରହରୀ ନାମସଂକୀର୍ତ୍ତନ କରିବାପରି ଖାଇବା ଥାଳି ଛାଡ଼ିବାମାତ୍ରକେ ମଦବୋତଲର ଅନ୍ୱେଷଣ କରିବାକୁ ଯିବାର ଏହି ଅନାଚାରୀ ପ୍ରବୃତ୍ତି କେବଳ ଜାହାଜ ଉପରେ ହିଁ ଦେଖିବାକୁ ମିଳେ । ତେଣୁ ଜାହାଜ ଉପରେ କଦାପି ଖାଲି ବୋତଲର ଅଭାବ ହୁଏ ନାହିଁ । କଟକର ବଡ଼ ଡାକ୍ତରଖାନା ପାଖ ହୋଇଥିଲେ ହୁଏତ କେତେକ ଲୋକ ଏଠୁ ଖାଲି ବୋତଲମାନ ସାଉଁଟିନେଇ ସେଠି ମଳୁମାନଙ୍କୁ ବିକ୍ରି କରି ଭାରି ଲାଭ ଖାଉଥାଆନ୍ତେ । କିନ୍ତୁ ଏଠି ସେପରି ଘଟିବାର କୌଣସି ଆଶା ନାହିଁ । ତେଣୁ ଖାଲି ବୋତଲ ଗୁଡ଼ାକ ଏଠି ପିଲାମାନଙ୍କର ସମ୍ପତ୍ତି ହୋଇଚି । ବିକାହେବାର ଓ ପିଆହେବାର ବଡ଼ କୋଠରୀ ଭିତରେ ପ୍ରାୟ ଡଜନେ ସରିକି ପିଲା ଛକିଛକି ଟେବୁଲକୁ ଟେବୁଲ ଖୋଜି ବୁଲୁଚନ୍ତି, ପିଇବାବାଲାଙ୍କର ପିଇବା ଶେଷହେବା ମାତ୍ରକେ ଦଉଡ଼ିଯାଇ ସେମାନେ ସେଠାରୁ ଖାଲି ବୋତଲ ନେଇ ବାହାରକୁ ଚାଲି ଯାଉଚନ୍ତି । ଏହି କ୍ରୀଡ଼ାରେ ସେମାନଙ୍କ ମଧ୍ୟରେ ବେଶ୍‍ ପ୍ରତିଯୋଗିତା ମଧ୍ୟ ଲାଗିଚି । ପ୍ରଥମେ ପ୍ରଥମେ ତ ସେମାନେ କେବଳ ବୋତଲ ଗୁଡ଼ାକୁ ପାଣି ଭିତରକୁ ପକାଇ ଦେଇ ଆନନ୍ଦ ପାଉଥିଲେ । ଏହି କ୍ରୀଡ଼ାରେ ବର୍ତ୍ତମାନ ଆହୁରି କେତେ ନୂଆ ନୂଆ କୌଶଳର ପ୍ରଣୟନ ଆରମ୍ଭ ହୋଇଗଲାଣି । ଉଦାହରଣ ସ୍ୱରୂପ ଗୋଟିଏ ପିଲା ଦୁଇ ହାତରେ ଦୁଇଟି ବୋତଲ ଧରିବ-। ଆଗ ଗୋଟିକୁ ଉପରକୁ ପକାଇବ, ସେଇଟି ଶୂନ୍ୟରେ ତଳକୁ ଖସି ଆସୁଥିବା ବେଳେ ଅନ୍ୟଟିକୁ ମଧ୍ୟ ଏପରି ଲକ୍ଷ୍ୟ କରି ପକାଇବ ଯେ ସେଇଟି ଯାଇ ପ୍ରଥମଟିର ସହିତ ଢୋ କରି ବାଜିବ ଓ ଦୁଇଟିଯାକ ବୋତଲ ଚୂନା କାଟ ହୋଇ ଯାଇ ପାଣିରେ ପଡ଼ିବେ । ପୁଣି କେତେବେଳେ ଦୁଇଟି ବୋତଲକୁ ଧରି ଦୁଇଜଣ ପିଲା ଏପରିଭାବରେ ବାହାରକୁ ଫୋପାଡ଼ିବେ ଯେ ଶୂନ୍ୟମାର୍ଗରେ ଦୁଇଟିଯାକର ଲଢ଼େଇ ହୋଇଯିବ ।

 

ଜାହାଜ ଉପରେ ଯେ ଖାଲି ବୋତଲର ଅଭାବ ନାହିଁ, ତା' ନୁହେଁ । କାଲି ରାତିରେ ଖାଇସାରି ବାହାରକୁ ଆସିଲାବେଳେ ଜଣେ ବନ୍ଧୁ ରହସ୍ୟ କରି କହୁଥିଲେ ଯେ ଏଠି ପ୍ରତିଦିନ ଯେତେ ହାଡ଼ ଓ ମାଛକଣ୍ଟା ଅଇଁଠା ଥାଳିରୁ ବାହାରକୁ ଫୋପାଡ଼ି ଦିଆଯାଉଚି, ସେଥିରେ ଅତି ସହଜରେ ବଢ଼ିଆ ବଢ଼ିଆ ପ୍ରାୟ ପଚାଶଟି କୁକୁର ପୋଷାହୋଇ ପାରୁଥାନ୍ତେ । ସେମାନଙ୍କର ଖାଇବା ଲାଗି ଆଉ କୌଣସି ଅଧିକ ଖର୍ଚ୍ଚ କରିବାକୁ ପଡ଼ନ୍ତା ନାହିଁ । ଯେଉଁଠି ପ୍ରତ୍ୟହ ଏଗାରଶହ ଲୋକଙ୍କ ଲାଗି ଅହୋରାତ୍ର ଖନ୍ଦା ଲାଗିଚି, ସେଠାରେ ଉଦ୍‌ବୃତ୍ତ ଉଚ୍ଛିଷ୍ଟରୁ ଯେ ଆହୁରି କେତେ ପ୍ରାଣୀଙ୍କର ପେଟ ପୂରୁଥାନ୍ତା, ସେକଥା କିଏ କହି ପାରିବ ? ଆମ ଗାଆଁରେ କୌଣସି ବାହାଘର ସମୟରେ କୋଉଠି ପ୍ରତି ବକ୍ତକୁ ଏଗାରଶହ ଅଇଁଠା ପତ୍ର ଉଠାହୁଏ, ତୁ ଭାବି କହିଲୁ ?

 

ଆରବ ସାଗର ଛାଡ଼ି ବର୍ତ୍ତମାନ ଆମେ ଲୋହିତ ସାଗରରେ ପ୍ରବେଶ କଲୁଣି । କାଲି ରାତି ପ୍ରାୟ ଦଶଟା ବେଳେ ପେରିମ୍ ଦ୍ୱୀପ ପଡ଼ିଥିଲା । ଦ୍ୱିପ ବୋଇଲେ ପଥରର ବଡ଼ ଟାପୁଟାଏ, ଗଛ ପତର କିଛି ନାହିଁ; କେବଳ ଗୋଟିଏ ଆଲୋକ ସ୍ତମ୍ଭ ରହିଚି- ଜଳପଥରେ ଆସୁଥିବା ଜାହାଜମାନଙ୍କୁ ଆପଣାର ସୂଚନା ଦେବାକୁ । ସେହି ପେରିମ୍ ଦ୍ୱୀପ ହେଉଚି ଗୋଟିଏ ପାଖରେ ଆରବସାଗର ଓ ଅନ୍ୟ ପାଖରେ ଲୋହିତ ସାଗରର ମଝିରେ ଥିବା ସରହଦ । ଏହିସ୍ଥାନଟି ହେଉଚି ଆମେ ଭୂଗୋଳ ବହିରେ ପଢ଼ିଥିବା ବାବ୍‍-ଏଲ୍‍ ମଣ୍ଡବ୍‍ ପ୍ରଣାଳୀ । ଡାହାଣପାଖେ ଏସିଆ ଓ ବାଆଁପାଖେ ଆଫ୍ରିକା । ଲୋହିତ ସାଗରରେ ପ୍ରବେଶ କରିବା ପରେ ପରେ ଆମେ ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଚୁ । ଆରବ ମହାସାଗରରେ ସିଧା ପଶ୍ଚିମ ଦିଗକୁ ଗତି କରୁଥିଲୁ । ଲୋହିତସାଗର ଭିତରେ ଏଣେତେଣେ ଅନେକ ପଥରର ଟାପୁ ଦେଖିବାକୁ ମିଳୁଚି । ଦୁଇପାଖର ମାଳଭୂମି ଭିତରେ ଏହି ସାଗର ଠିକ୍ ଗୋଟିଏ ଗର୍ତ୍ତ ପରି । ତେଣୁ ଏଠି ଜଳବାୟୁ ମଧ୍ୟ ବେଶ୍ ଗରମ । ଆଜି ସକାଳ ସାଢ଼େ ଛଅଟା ସମୟରେ ଯେତେବେଳେ ମୁଁ ଉପରକୁ ଯାଇଥିଲି, ସେତେବେଳକୁ ମଧ୍ୟ ସୂର୍ଯ୍ୟଆଡ଼କୁ ଅନାଇଲା ବେଳକୁ ଆଖି କ'ଣ ହୋଇଯାଉଥିଲା । ଗରମ ହେତୁ ମୁହଁରୁ ଝାଳ ବୋହି ଯାଉଥିଲା । ମାନଚିତ୍ର ଦେଖିଲେ ତୁ ବୁଝିପାରିବୁ ଆମେ ବର୍ତ୍ତମାନ କୋଉଠି ଯାଉଛୁ । ତା'ହେଲେ ମୋର ବର୍ଣ୍ଣନା ଗୁଡ଼ିକ ମଧ୍ୟ ତୋତେ ଅଧିକ ସତ୍ୟ ବୋଲି ମନେ ହେବ । ମନେ ହେବ, ଯେପରି ତୁ ନିଜେ ଏହିସବୁ ବାଟ ଦେଇ ଜାହାଜ ଯାତ୍ରା କରି ଯାଉଛୁ ।

 

ଆମର କାବିନ୍ ବା କୋଠରୀରେ ଥିବା ମଣିଷମାନଙ୍କ ବିଷୟରେ ମୁଁ ଆଜି ତୋତେ କିଛି କହିବି । ଏ ଘରେ ଆମେ ଆଠଜଣ ଅଛୁ । ଆମେ ସମସ୍ତେ ବମ୍ବେଠାରୁ ଜାହାଜ ଚଢ଼ିଚୁ ଓ ଭାରତର ଭିନ୍ନ ଭିନ୍ନ ସ୍ଥାନରୁ ଆସିଚୁ । ମୋତେ ଛାଡ଼ିଦେଲେ ଆଉ ସାତଜଣଯାକ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ଭାରତ ଛାଡ଼ି ଇଉରୋପ ଯାଉଚନ୍ତି । ପ୍ରଥମ ଜଣକ ହେଉଚନ୍ତି କଲିକତାର । ବିଲାତରେ ସେ ଆସନ୍ତା ତିନିବର୍ଷ ଲାଗି ରହିବେ ଓ କାଚ ଏବଂ ସେରାମିକ୍ ଶିଳ୍ପ ବିଷୟରେ ଉଚ୍ଚଶିକ୍ଷା ଲାଭ କରିବେ । ଆଉ ଜଣେ ଦିଲ୍ଲୀରୁ ଆସିଚନ୍ତି । ସେ ଯାଉଚନ୍ତି ଇତାଲୀର ରାଜଧାନୀ ରୋମ ସହରରେ ଗୃହ ନିର୍ମାଣ ବିଦ୍ୟା ଅଧ୍ୟୟନ କରିବେ । ଅଠର ଉଣେଇଶି ବରଷର ଦୁଇଜଣ ପିଲା କେରଳରୁ ଜର୍ମାନୀ ଯାଉଚନ୍ତି । ସେମାନେ ଖ୍ରୀଷ୍ଟିଆନ୍, –ମାଟ୍ରିକ୍ ପାସ୍ କରି ଭାରତରେ ବର୍ଷେ ଟ୍ରେନିଂ ପାଇବା ପରେ ସେମାନେ ବିଦେଶରେ ବର୍ତ୍ତମାନ ସାତବର୍ଷ ପଢ଼ିବେ ଓ ତାଲିମ୍ ପାଇ ଭାରତବର୍ଷକୁ ପାଦ୍ରୀ ହୋଇ ଆସିବେ । ଅବଶିଷ୍ଟ ତିନିଜଣ ହେଉଛନ୍ତି ଆଙ୍ଗ୍ଳୋଇଣ୍ଡିଆନ୍, ଏମାନେ ମଧ୍ୟ ଭାରତ ଛାଡ଼ି ବିଲାତ ଯାଉଚନ୍ତି ସେଇଠି ରହିବାକୁ । ଏମାନଙ୍କର ଜନ୍ମ ଭାରତବର୍ଷରେ । କିନ୍ତୁ ଏମାନେ ବର୍ତ୍ତମାନ ସ୍ଥାୟୀ ଭାବରେ ବିଲାତରେ ରହିବାକୁ ଯାଉଚନ୍ତି । ଜଣେ ହେଉଚନ୍ତି ମିଷ୍ଟର ଆଣ୍ଡୃଜ–ତାଙ୍କର ଚଉଦ ବରଷର ପୁଅ କେନ ସହିତ.ସେ ଆମରି ବଖରାଟିରେ ଅଛନ୍ତି । ଝିଅ ଅନ୍ୟ କାବିନ୍‍ରେ ଅଛି । ତାଙ୍କର ବଡ଼ ଝିଅ ବିଲାତରେ ବାହା ହୋଇଚନ୍ତି, ସେଇଠି ଚାକିରି କରିଚନ୍ତି । ମିଷ୍ଟର ଆଣ୍ଡୃଜ୍‍ ଜୀବନର ଅବଶିଷ୍ଟ କେତେ ବର୍ଷ ଝିଅ ପାଖରେ କଟାଇଦେବେ ବୋଲି ଯାଉଛନ୍ତି । ତାଙ୍କର ପତ୍ନୀ ଶ୍ରୀମତୀ ଆଣ୍ଡୃଜ ବର୍ତ୍ତମାନ ମଧ୍ୟ ଭାରତବର୍ଷରେ ଅଛନ୍ତି, ବର୍ଷେ ଦୁଇବର୍ଷ ପରେ ଭାରତରୁ ସଂସାର ଭାଙ୍ଗି ସେ ମଧ୍ୟ ବିଲାତକୁ ଚାଲିଆସିବେ । ଆର ଭଦ୍ରଲୋକ ଜଣକ ଆମ ସହିତ ଏକା ଅଛନ୍ତି । ତାଙ୍କର ଦୁଇ ଝିଅ, ସ୍ତ୍ରୀ ଓ ବୁଢ଼ୀ ମାଆ ଅନ୍ୟତ୍ର ଅନ୍ୟତ୍ର କାବିନ୍‍ରେ ଅଛନ୍ତି । ସେ ମଧ୍ୟ ଭାରତରେ ଜନ୍ମ ନେଇଥିଲେ, ଆଜିଯାଏ ଭାରତରେ ଚାକିରି କରିଥିଲେ । କିନ୍ତୁ ବର୍ତ୍ତମାନ ଭାରତ ଛାଡ଼ି ଇଂଲାଣ୍ଡରେ ସ୍ଥାୟୀ ଭାବରେ ବସବାସ କରିବେ ବୋଲି ଯାଉଚନ୍ତି ।

 

ଅନେକ ଆଗ୍ରହର ସହିତ ମୁଁ ଏମାନଙ୍କ ସହିତ କଥାବାର୍ତ୍ତା କରିଚି, - ଏମାନଙ୍କର ପୋଷାକୀ ଜୀବନର ଆବରଣ ତଳେ ରହିଥିବା ଅନ୍ତରଙ୍ଗ ଜଗତଟିକୁ ବୁଝିବାକୁ ଚେଷ୍ଟା କରିଚି, ଏବଂ ସେଇଥିରୁ ଏମାନଙ୍କର ଜୀବନଭୂମି ଓ ଜୀବନଦୃଷ୍ଟି ବିଷୟରେ କିଞ୍ଚିତ୍ କଥା ଜାଣିବାର ସୁଯୋଗ ପାଇଚି । ସଂସାରରେ ମଣିଷ ସହିତ ଏକାଠି ହେଲାବେଳେ ମୁଁ ଭଲମନ୍ଦ ସବୁ ଭୁଲିଯାଏ-। ତେଣୁ ମୋର ଦୃଷ୍ଟି ସହିତ ଆଉ କାହାରି ଦୃଷ୍ଟି ନମିଳିଲା ବୋଲି ମୁଁ ତାକୁ ଅପଦାର୍ଥ ବୋଲି ମଣି ପିଙ୍ଗି ଦିଏ ନାହିଁ । ହୁଏତ ତା ସହିତ ମୁଁ ପ୍ରତ୍ୟେକ କଥାରେ ଏକମତ ନହୋଇପାରେ, ତଥାପି ତାକୁ ମୁଁ ମଣିଷର ସମ୍ମାନ ଦେଇ ବୁଝିବାକୁ ଚେଷ୍ଟା କରେ । ତା’ର ଭଲକୁ ବୁଝେ, ମନ୍ଦକୁ ମଧ୍ୟ ବୁଝେ । ସଂସାରରେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ନୀତି ପ୍ରଚାର କରିବାକୁ ବାହାରିଥିଲେ ହୁଏତ ମୁଁ ଏପରି କରି ପାରୁନଥାନ୍ତି । ହୁଏତ ସେତେବେଳେ ମୁଁ ଆପଣାକୁ ଏକ ଆଦର୍ଶବାଦୀ କହି ଭାରି ଦମ୍ଭ କରୁଥାନ୍ତି । କିନ୍ତୁ ତଥାପି ସବୁମଣିଷ ସହିତ ଏତେ ଆପଣା ଭାବରେ ସମ୍ଭବତଃ ଆଦୌ ମିଶି ପାରୁନଥାନ୍ତି । ଜାତି ବାରି କେବଳ ଦୂରରେ ରହି ଯାଉଥାନ୍ତି ।

 

ପ୍ରଥମେ ମୁଁ କେରଳରୁ ବାହାରିଥିବା ସାନ ବନ୍ଧୁ ଦୁଇଜଣଙ୍କ ବିଷୟରେ କହିବି । ଏମାନେ ଖ୍ରୀଷ୍ଟିୟାନ୍, ଏମାନେ କାଥୋଲିକ୍ । ଇଂରାଜୀ-ଶାସନ ଅମଳରେ ଆମ ଦେଶକୁ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାର କରିବାକୁ ସଂଗଠିତ ଦଳମାନ ଆସିବା ପୂର୍ବରୁ ଏମାନଙ୍କର ବଂଶଧରମାନେ ମଧ୍ୟ-ଏସିଆରୁ ଆସି ଦକ୍ଷିଣ ଭାରତରେ ବସତି ସ୍ଥାପନ କରିଥିଲେ । ନୂଆ ହୋଇ କ୍ଷମତାପନ୍ନ ହୋଇଥିବା ମୁସଲମାନ ଧର୍ମର ଶାସନଦ୍ଵାରା ଉତ୍‍ପୀଡ଼ିତ ହୋଇ ଏମାନେ ଆପଣା ଧର୍ମ ଓ ଜୀବନ ସହିତ ଭାରତବର୍ଷକୁ ପଳାଇ ଆସିଥିଲେ । ସେହିଦିନଚଁ ଏମାନେ ଭାରତବର୍ଷର ବାସିନ୍ଦା ହୋଇ ରହିଚନ୍ତି । କୌଣସି ପ୍ରକାର ସଂଖ୍ୟାଗରିଷ୍ଠତାର ନିଶାରେ ପଡ଼ି କୌଣସି ହିନ୍ଦୁ କଦାପି ଏମାନଙ୍କୁ ହିନ୍ଦୁ ହେବାକୁ କହି ନାହାନ୍ତି । ଭାରତୀୟ ହିସାବରେ ଏମାନେ ଆଜି ମଧ୍ୟ ଏମାନଙ୍କର ଧର୍ମାନୁସରଣ କରୁଚନ୍ତି । କିନ୍ତୁ ବ୍ରିଟିଶ ଶାସନ ଓ ଇଉରୋପୀୟ ଧର୍ମ-ପ୍ରଚାରକମାନଙ୍କର ଉତ୍କଟ ହାଉଆ ବାଜି ଏମାନେ ମଧ କ୍ରମେ ଟିକିଏ ଉତ୍କଟ ହୋଇ ପଡ଼ିଚନ୍ତି । ଆପଣାର ଧର୍ମକୁ ସଦ୍ଧର୍ମ ଓ ଭାରତର ଅନ୍ୟାନ୍ୟ ଧର୍ମକୁ ଅନ୍ଧବିଶ୍ୱାସ ବୋଲି ବିଚାର କରି ଶିଖିଚନ୍ତି । ତେଣୁ ଭାରି ଆତ୍ମସଚେତ ଭାବରେ ଏମାନେ ମଧ୍ୟ ଆପଣାର ସମ୍ପ୍ରଦାୟକୁ ସୁରକ୍ଷିତ କରିବାରେ ଲାଗି ପଡ଼ିଚନ୍ତି-। ମୁଁ ଯୋଉ ଦୁଇଜଣ ପିଲାଙ୍କ କଥା କହୁଚି, ମାଟ୍ରିକ ପାସ୍ କରିବା ପରେ ସେମାନଙ୍କୁ ସମ୍ପ୍ରଦାୟ ତରଫରୁ ଆଗ ଗୋଟାଏ ବର୍ଷ ଟ୍ରେନିଂ ଦିଆଯାଇ ବର୍ତ୍ତମାନ ପାଦ୍ରୀ ହେବାଲାଗି ସାତବର୍ଷ ସକାଶେ ବିଦେଶକୁ ପଠାଯାଉଚି । ଏମାନେ ପାଦ୍ରୀ ହୋଇ ଫେରିବେ, ଖ୍ରୀଷ୍ଟିଆନ୍‍ ଧର୍ମ ସମ୍ପ୍ରଦାୟକୁ ବୃଦ୍ଧି କରାଇବେ । ‘ପାଦ୍ରୀ’ ଶବ୍ଦ ଇତାଲୀଦେଶର ଭାଷାରୁ ଆସିଛି । ଏହାର ସିଧା ଅର୍ଥ ହେଉଚି 'ପିତା’ । ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସାଧାରଣ ଲୋକମାନଙ୍କ ଲାଗି ଧର୍ମଯାଜକମାନେ ଆଧ୍ୟାତ୍ମିକ ଦୃଷ୍ଟିରୁ ପିତାପରି ହୋଇ ରହନ୍ତି । ତେଣୁ ଏମାନଙ୍କୁ ମଧ୍ୟ ଏକ ଅତିପାର୍ଥିବ ଅର୍ଥରେ ପାଦ୍ରୀ ବୋଲି କୁହାଯାଏ । ଯେପରି ପିତା ଉପରେ ପରିବାରର ବାଳୁତ ପିଲାଙ୍କର ଦାୟିତ୍ଵ ଥାଏ, ଆଧ୍ୟାତ୍ମିକ ଦୃଷ୍ଟିରୁ ବାଳୁତ ପରି ରହିଥିବା ସମ୍ପ୍ରଦାୟର ସାଧାରଣ ଲୋକଙ୍କୁ ଧର୍ମପଥରେ ନିର୍ଦ୍ଦେଶ ଦେବାର ଦାୟିତ୍ୱ ଠିକ୍ ସେହିପରି ପାଦ୍ରୀଙ୍କ ଉପରେ ନ୍ୟସ୍ତ ରହିଥାଏ ।

 

ଖ୍ରୀଷ୍ଟିଆନ୍ ଧର୍ମ ହେଉଛି ଗତ ଦୁଇ ହଜାର ବର୍ଷର ପୁରୁଣା ଧର୍ମ । ଏହି ଦୁଇ ହଜାର ବର୍ଷ ଭିତରେ ଏହି ଧର୍ମ ମଧ୍ୟ-ଏସିଆର ପାଲେଷ୍ଟାଇନରୁ ଇଉରୋପ ଯାଇଚି, ସେଠାରେ ରାଜା ଆଉ ସମ୍ରାଟମାନଙ୍କର ପରାକ୍ରମର ଆଶ୍ରା ପାଇଁ ସମସ୍ତ ଇଉରୋପରେ ପ୍ରଚାରିତ ହୋଇଚି, ଇଉରୋପର ଔପନିବେଶିକ ବାଣିଜ୍ୟ ବଢ଼ିବା ସଙ୍ଗେ ସଙ୍ଗେ ସେଇ ବୋଇତ ଉପରେ ବସି ଖ୍ରୀଷ୍ଟିଆନ୍‍ ଧର୍ମ ଏସିଆ ଓ ଆଫ୍ରିକାକୁ ମଧ୍ୟ ଯାଇଚି ! ବଡ଼ ହେଲେ ତୁ ନିଜେ ଏହି ବିଷୟରେ ଅଧ୍ୟୟନ କରିପାରିବୁ ଓଜାଣି ମଧ୍ୟ ପାରିବୁ । ଖ୍ରୀଷ୍ଟିଆନ୍‍ ଧର୍ମ ପଛରେ ଯୀଶୁଖ୍ରୀଷ୍ଟଙ୍କ ପରି ମହାପୁରୁଷଙ୍କର ଜୀବନ କାହାଣୀ ରହିଚି । କିନ୍ତୁ ପୃଥିବୀର ଅନ୍ୟାନ୍ୟ ସବୁ ଧର୍ମ ପରି ଶାସକ ଓ ସମ୍ପ୍ରଦାୟମାନଙ୍କର ଅଧୀନ ହୋଇ ଖ୍ରୀଷ୍ଟିଆନ୍‍ ଧର୍ମ ମଧ୍ୟ ବଡ଼ ଦୂଷିତ ହୋଇ ପଡ଼ିଛି । ଏଥିରେ ଆଡ଼ମ୍ବର ବଢ଼ିଚି, ପ୍ରଚାର ବଢ଼ିଚି, ପ୍ରକୋପ ଓ ପରାକ୍ରମ ମଧ୍ୟ ବଢ଼ିଚି; କିନ୍ତୁ ଧର୍ମ ହିସାବରେ ମନୁଷ୍ୟର ହୃଦୟରେ ଏହା ସତ୍‌ପ୍ରେରଣା ଦେବାକୁ ବଡ଼ ଅସମର୍ଥ ହୋଇପଡ଼ିଚି । ଇଉରୋପରେ ସବୁ ଦେଶରେ ଏହି ଧର୍ମର ବାନା ଉଡ଼ୁଥିଲେ ମଧ୍ୟ ଇଉରୋପରେ ଲୋକହତ୍ୟା ହୋଇଚି, ଯୁଦ୍ଧ ହୋଇଚି, ନାନାପ୍ରକାର ଭୟ ଓ ଘୃଣାରେ ଇଉରୋପର ଜୀବନ ବିପନ୍ନ ହୋଇ ପଡ଼ିଚି । ତଥାପି ଆଜି ମଧ୍ୟ ଅନେକ ଖ୍ରୀଷ୍ଟିଆନ୍‍ ସମ୍ପ୍ରଦାୟ ଏ ବିଷୟରେ ଆଦୌ ସଚେତ ହୋଇ ନାହାନ୍ତି । ବର୍ତ୍ତମାନ ଜଗତ ବିଷୟରେ ବଡ଼ ଅଜ୍ଞ ଭାବରେ ଆଖି ବୁଜିଦେଇ ସେମାନେ ସମ୍ପ୍ରଦାୟର ବଳ ବଢ଼ାଇଛନ୍ତି, ଘୃଣା ବଢ଼ାଇଛନ୍ତି- ଧର୍ମର ବଳକୁ ଊଣା କରିଛନ୍ତି, ମଣିଷଠାରୁ ମଣିଷକୁ ଅଲଗା କରି ରଖିଛନ୍ତି ।

 

କେରଳରୁ ଯାଉଥିବା ଦୁଇବନ୍ଧୁଙ୍କ ବିଷୟରେ ତୋତେ କହିବାକୁ ଯାଇ ଅନେକ ଏଣୁତେଣୁ କହି ପକାଇଲିଣି । ଏମାନେ କିଶୋର ବୟସର ସ୍ୱଭାବିକ ଉତ୍ସାହ ନେଇ ବିଦେଶ ଯାଉଚନ୍ତି । ପଢ଼ିବେ, ଜାଣିବେ, ମଣିଷ ହେବେ, ଦେଶକୁ ଫେରିବେ । ଏମାନଙ୍କର ନିଷ୍ଠାରେ ମୋର କୌଣସି ସଂଶୟ ନାହିଁ । କିନ୍ତୁ ସମସ୍ତ ପୃଥିବୀରେ ଆଜି ଯେଉଁ ନୂତନ ଯୁଗ ଲାଗି ସଜବାଜ ଆରମ୍ଭ ହେଲାଣି, ଏମାନେ ତାହାର ଯୋଗ୍ୟ ହୋଇ ପାରିବେ ତ ? ଯେଉଁ ଯୁଗରେ ମଣିଷ ସକଳ ବିଭିନ୍ନତା ସତ୍ତ୍ୱେ ମଣିଷକୁ ଶ୍ରଦ୍ଧା କରିବ, ମଣିଷ ପ୍ରତି ସହିଷ୍ଣୁ ହେବ, ପ୍ରତ୍ୟେକ ମଣିଷକୁ ସହଯାତ୍ରୀ ବୋଲି ଗ୍ରହଣ କରିବ, ସେହି ଯୁଗରେ ହୁଏତ ଏମାନଙ୍କର ପାଠ, ଏମାନଙ୍କର ଧର୍ମଜ୍ଞାନ ଓ ଈଶ୍ଵରପରାୟଣତା କେବଳ ଏକ ଅଚଳନ୍ତି ଟଙ୍କା ପରି ଅକାମୀ ହୋଇ ପଡ଼ି ରହିବ ।

 

ଜାହାଜକୁ ଆସି ଏଇ ବନ୍ଧୁ ଦୁଇଜଣ ଅଜସ୍ର ସିଗାରେଟ୍ ଖାଇବା ଆରମ୍ଭ କରି ଦେଇଛନ୍ତି-। ଦେଶରେ ଥିଲାବେଳେ ଗୁରୁଜନ ମାନଙ୍କର ଆକଟ ଏଡ଼ିବାକୁ ଲୁଚାଇଛପାଇ ଖାଉଥିଲେ, ଏଠି ଶତଗୁଣ ଉଚ୍ଛ୍ୱାସରେ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହିତ ଏମାନେ ସିଗାରେଟ୍ ସେବନ କରିବାର ପରିମାଣକୁ ପନ୍ଦରଗୁଣ ବଢ଼ାଇ ଦେଇଛନ୍ତି । ସ୍ଵାଧୀନତା ପାଇବା ମାତ୍ରକେ ଚାରି ଦଉଡ଼ି କାଟି ଦଉଡ଼ିବାର ଏଇ ଖଳ ପ୍ରବୃତ୍ତିକୁ ମୁଁ ଏମାନଙ୍କ ଦୋଷ ବୋଲି କହିବି ନାହିଁ । ଏମାନେ ଯେଉଁ ଶିକ୍ଷା ପାଇଛନ୍ତି, କେବଳ ତାହାରି ଦୋଷ ବୋଲି କହିବି । ଆସିବା ଦିନଠାରୁ ଏମାନେ ମନର ସମସ୍ତ ମନାସକୁ ମେଣ୍ଟାଇ ମଦ ପିଇବାରେ ଲାଗିଛନ୍ତି । ପଇସା ଦେଇ କମ୍, କିନ୍ତୁ ମାଗଣାରେ ଯେତେ ମିଳିବ ସେତେ । ଖାଇବା ଟେବୁଲ ଉପରେ ଦିନକୁ ଦୁଇ ବକ୍ତ ଯେଉଁ ନାଲିଆ ମଦ ମିଳୁଛି, ତାହା ତ ମାଗଣା । ଯେତେ ପିଇଲେ ମଧ୍ୟ କେହି କିଛି କହିବାକୁ ନାହିଁ । ତେଣୁ କୌଣସି ପ୍ରକାର ଦ୍ୱିତୀୟ ଚିନ୍ତା ନ କରି ଘଣ୍ଟିକା ପର୍ଯ୍ୟନ୍ତ ଭର୍ତ୍ତି ହେବାଯାଏ ମଦ ପିଆଯାଇ ପାରିବ । କାଲି ତାଙ୍କରି ଭିତରୁ ଜଣେ ମୋତେ କହୁଥିଲା ମଦ ପିଇବା ଆଦୌ ଖରାପ ନୁହେଁ, ଏହା ବେଶ୍ ଦରକାରୀ । ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳେ । ମୁଁ ଭାବୁଥିଲି, ଝାଡ଼ା ସଫା ହେବାପାଇଁ ଗୁଡ଼ାଖୁ ଘଷିବା ଦ୍ୱାରା ଯେପରି ସାହାଯ୍ୟ ମିଳେ, ସେହିପରି ।

 

ମୋ' ମୁହଁରୁ ଏସବୁ ଶୁଣି ତୋ'ର ପିଲାମନ ଯେପରି ଆତଙ୍କିତ ହୋଇ ନଉଠେ । ଏମାନଙ୍କ ଅର୍ଥରେ ଖ୍ରୀଷ୍ଟିଆନ୍‍ ଧର୍ମ ମଣିଷର ଦୋଷଗୁଣ ଅପେକ୍ଷା ଧର୍ମପୁସ୍ତକ ଉପରେ ବୋଧହୁଏ ଅଧିକ ବିଶ୍ୱାସ କରେ । ଯିଏ ପାଦ୍ରୀ ହେବ, ସେ ଧର୍ମପୁସ୍ତକକୁ ବୁଝାଇ କହିପାରିବାର ଦକ୍ଷତା ହାସଲ କରିବ । ସେଇଟା ହେଉଚି ତାହାର ପ୍ରଧାନତମ ଯୋଗ୍ୟତା; ସିଏ ମଦ ପିଉ କି ଆଉ ଯାହା ପିଉ ପଛକେ, ତଦ୍ଦ୍ୱାରା ତାର ମୁହଁ ଦେଇ ବାହାରୁଥିବା ଧର୍ମକଥାମାନ କଦାପି ଅଶୁଦ୍ଧ ହୋଇ ଯିବନାହିଁ । ଧର୍ମର ପ୍ରଚାର ହେବ, ମାତ୍ର ଏଣେ ଜୀବନକୁ ଉପଭୋଗ କରିବାରେ କୋଉଠି କିଛି କଉଡ଼ିଏ ମଧ୍ୟ ତ୍ରୁଟି ହେବନାହିଁ । ଖାଲି ଖ୍ରୀଷ୍ଟିଆନ୍‍ ଧର୍ମରେ ନୁହେଁ, ଧର୍ମକୁ କୌଣସି ସମ୍ପ୍ରଦାୟର ଅକ୍ତିଆରକୁ ଆଣିବା ମାତ୍ରକେ ତାହାର ଏହି ସହଜ ଗତି ହୋଇଥାଏ । ମଣିଷର ଭିତରଟାକୁ ବଦଳାଇବାର ଧୀର ବାଟକୁ ଛାଡ଼ି ଧର୍ମ ସେତେବେଳେ ଶହ ଶହ ସଂଖ୍ୟାରେ ମଣିଷମାନଙ୍କୁ ଧର୍ମଭୁକ୍ତ କରିବାରେ ସଫଳ ହୁଏ । ଡେନମାର୍କରେ ପାଦ୍ରୀ ହେଉଚି ସରକାରଙ୍କ ଅଧୀନରେ ଜଣେ କର୍ମଚାରୀ । ସେଠି ପାଦ୍ରୀମାନେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି ଧର୍ମର ଡିଗ୍ରୀ ହାସଲ କରନ୍ତି ଓ ସରକାରଙ୍କ ଧର୍ମ ବିଭାଗରେ ଚାକିରି କରି ସମାଜ ଭିତରେ ସରକାରୀ ଲାଇସେନ୍‍ସ୍‍ପ୍ରାପ୍ତ ପାଦ୍ରୀ ଅର୍ଥାତ୍ ପିତା ହୋଇ ରହନ୍ତି ।

Image

 

ସାଗରପଥ

ପାଞ୍ଚ

 

ଲୋହିତ ସାଗର

ତା ୧୪/୧୦/୬୨

ସ୍ନେହର ଜଟି,

 

କାଲି ତୋପାଖକୁ ଆଉ ଏଇ ଚିଠି ଲେଖି ପାରିଲି ନାହିଁ । କାରଣ କାଲି ସତକୁସତ ଆମ ଜାହାଜରେ ଚିଠି ଲେଖିବାର ପାଳି ଥିଲା । ତୁ ଭାବୁଥିବୁ, ଇଏ ପୁଣି କିପରି କଥା ? ଜାହାଜ ତ ପାଣି ଭିତରେ ଯାଏ, ଦୁଇ କୂଳର ଭୂଇଁ ସହିତ ଏହାର କୌଣସି ସମ୍ପର୍କ ବି ନଥାଏ । ତେଣୁ ଜାହାଜରୁ ଚିଠି ନେଇ ଭୂମି ଉପରେ ପହଞ୍ଚାଇ ହେବ କିପରି ? ଜାହାଜରୁ ଯାଉଥିବା ଚିଠିପତ୍ର ଉପରେ ପୁଣି କେଉଁ ଡାକଘରର ମୋହର ବସୁଥିବ ?

 

ଆଜି ଅଧରାତିକୁ ଆମର ଜାହାଜ ସୁଏଜ ବନ୍ଦରରେ ଯାଇ ପହଞ୍ଚିବ ଓ କାଲି ବଡ଼ିସକାଳ ପର୍ଯ୍ୟନ୍ତ ସେଠାରେ ଲଙ୍ଗର ପକାଇ ରହିବ । ବମ୍ବେ ପରେ ସେଇଠି ଆମ ଜାହାଜର ସ୍ଥଳଭାଗ ସହିତ ପ୍ରଥମ ଭେଟ ହେବ । ପଅରଦିନ ଅର୍ଥାତ୍‍ ବାର ତାରିଖ ଦିନ ଆମ ଜାହାଜରେ ଘୋଷଣା କରି ଦିଆଯାଇ ଥିଲା ଯେ ସେଦିନ ଯାତ୍ରୀମାନଙ୍କୁ ଚିଠିଲେଖା କାଗଜ ଓ ପୋଷ୍ଟକାର୍ଡ଼ମାନ ଦିଆଯିବ । ଆମେ ସମସ୍ତେ ଯାଇ ଜଣପିଛା ତିନିଖଣ୍ଡ ଚିଠିଲେଖା କାଗଜ, ସେଥିପାଇଁ ଉଡ଼ାଜାହାଜ ଡାକରେ ଯିବାଭଳି ତିନିଟା ହାଲୁକା ଲଫାପା ଓ ପୋଷ୍ଟକାର୍ଡ଼ ନେଇ ଆସିଥିଲୁ । କାଗଜ, ଲଫାପା ଓ ପୋଷ୍ଟକାର୍ଡ଼ ଉପରେ ଆମ ଜାହାଜର ନାମ ଓ ପତାକାର ଛାପ ରହିଛି । ଏହିସବୁ ଲେଖିବା ସାମଗ୍ରୀ ଲାଗି ଆମକୁ କୌଣସି ପଇସା ଦେବାକୁ ପଡ଼ିବ ନାହିଁ । ବାସ୍, ବାର ତାରିଖରେ କାଗଜ ପାଇବାପରେ ତେର ତାରିଖରେ ଯାତ୍ରୀମାନଙ୍କର ଚିଠିଲେଖା ଆରମ୍ଭ ହୋଇଗଲା । ସମସ୍ତେ ଆପଣା ଆପଣାର ଚିଠି ଲେଖି କାଲି ଉପରବେଳା ପ୍ରାୟ ପାଞ୍ଚଟାବେଳେ ଜାହାଜ ଅଫିସରେ ସେଗୁଡ଼ିକୁ ଜମା କରିଦେଇଆସିଲେ । ସେହି ଦୃଶ୍ୟ ଦେଖିଥିଲେ ତୁ କାବା ହୋଇଥାନ୍ତୁ । ରେଳଷ୍ଟେସନରେ ଟିକେଟ କିଣିଲାବେଳେ ଯେପରି ଧାଡ଼ି ଲାଗିଥାଏ; ସେହିପରି ପ୍ରାୟ ଘଣ୍ଟାକ ପର୍ଯ୍ୟନ୍ତ ଜାହାଜର ଅଫିସରେ ଧାଡ଼ି ଲାଗି ରହିଥିଲା । ପ୍ରତ୍ୟେକଙ୍କ ହାତରେ ଗୋଛାଏ ଲେଖାଏଁ ଚିଠି, - ସମସ୍ତଙ୍କର ଛାତି କେତେ ସ୍ନେହ ଓ ମମତାର ସ୍ମୃତିରେ ଉଲ୍ଲସି ଉଠୁଚି । ଧାଡ଼ିରେ ଠିଆ ହୋଇଥିବା ଯାତ୍ରୀମାନଙ୍କର ଆଖି ଭିତରୁ କେତେ ପରିଚିତ ବାସନା ଓ ମୂର୍ଚ୍ଛନା ଏକ ସ୍ନିଗ୍‍ଧ ଆଲୋକର ବାତାବରଣ ସୃଷ୍ଟି କରି ବାହାରି ଆସୁଚି । ଗତ ସାତଦିନ କାଳ ମୁଁ ଏମାନଙ୍କୁ ଖାଇବାବେଳେ ଦେଖିଛି, ନାଚିବାଘରେ ଓ ମଦ ପିଇବାବେଳେ ଦେଖିଚି । ପଇସା ବାଜି ରଖି ତାଆସର ଜୁଆଖେଳିବାବେଳେ ମଧ୍ୟ ଦେଖିଚି । ହାଟରେ ମଣିଷପଲ ଭିତରେ ଚାଲି ଗଲାବେଳେ ଯେଉଁପରି ଲାଗେ, ସେତେବେଳେ ଠିକ୍ ସେହିପରି ଲାଗିଚି । କିନ୍ତୁ କାଲି ଧାଡ଼ି ଭିତରେ ଠିଆ ହୋଇଥିବାବେଳେ ମୁଁ ସତେ ଯେପରି କେତେ ବାପ, କେତେ ମାଆ, କେତେ ପତି, କେତେ ପତ୍ନୀ, କେତେ ପୁତ୍ର ଓ କେତେ କନ୍ୟାଙ୍କୁ ଦେଖିବାକୁ ପାଇଲି ଏବଂ ସେଇଥିବାଇଁ ସେମାନଙ୍କୁ ଅଧିକ ନିବିଡ଼ କରି ଚିହ୍ନିପାରିଲି, ସବୁ ବେଶ ଓ ଭେକତଳେ ଏହି ସଂସାରର ସାର୍ବଜନୀନ ମଣିଷକୁ ମୁଁ ଆପଣା ଭିତରେ ତଥା ଆପଣାର ବାହାରେ ଆବିଷ୍କାର କରିନେଇ ପାରିଲି ।

 

କାଲି ମୁଁ ତୋ ପାଖକୁ ଚିଠି ଲେଖିଚି, ବୋଉ ପାଖକୁ ଚିଠି ଲେଖିଚି । ଆହୁରି ଅନେକଙ୍କ ପାଖକୁ ଚିଠି ଲେଖିଚି । ସର୍ବମୋଟ ମୋତେ ଏହିସବୁ ଚିଠିର ଡାକ ଖରଚ ପ୍ରାୟ ସାତ ଆଠଟଙ୍କା ଦେବାକୁ ପଡ଼ିଚି । ଜାହାଜର ଯାତ୍ରୀମାନେ ଆପଣା ଆପଣାର ଚିଠିଗୁଡ଼ିକ ଲାଗି କାଲି ଜାହାଜର ଅଫିସରେ ପଇସା ଜମାକରି ଦେଇଛନ୍ତି । କାଲି ସୁଏଜ ବନ୍ଦରଠାରେ ଜାହାଜ ଭିତରକୁ ଜାହାଜ କମ୍ପାନୀର ଲୋକ ଆସିବେ । ସେମାନେ ଏହି ସବୁ ଚିଠି ଓ ଡାକଖରଚ ଲାଗି ଜମା ହୋଇଥିବା ପଇସାକୁ ନେଇଯିବେ ଓ ସୁଏଜ ସହରର କୌଣସି ଡାକଘରେ ଯାଇ ଟିକେଟ ଲଗାଇ ଚିଠିଗୁଡ଼ିକ ପକାଇଦେଇ ଆସିବେ । ତାପରେ ପବନର ଘୋଡ଼ାରେ ଚଢ଼ି ଚିଠିଗୁଡ଼ିକ ଯିଏ ଯାହାର ସ୍ଥାନକୁ ଚାଲିଯିବେ । ପାଣିଭିତରେ ମୁଁ ତୋ ପାଖକୁ ଲେଖୁଥିବା ଚିଠି ଯାଇ ଆଉ ଚାରିଟା ଦିନରେ ତୋ ପାଖରେ,ପହଞ୍ଚିଯିବ । ବୋଉ ପାଖକୁ ଲେଖା ହୋଇଥିବା ଚିଠି ମଧ୍ୟବୋଉ ପାଖରେ ପହଞ୍ଚି ଯିବ । ସଂସାରର ଅନେକ କୁଳରେ ଜାହାଜର ଏହି କୂଳଛଡ଼ା କେତେ ହୃଦୟର କଥା ଯାଇ ଆହୁରି କେତେକେତେ ହୃଦୟ ସହିତ ସମ୍ମିଳିତ ହୋଇ ପାରିବ । ଖାଲି ସୁଏଜଠାରେ ନୁହେଁ- ଏହାପରେ ଆମର ଜାହାଜ ଯେତେ ବନ୍ଦରରେ ଲାଗିବ, ସେହି ସମସ୍ତ ସ୍ଥାନରୁ ଚିଠି ଲେଖି ଆମେ କେତେକେତେ ସ୍ଥାନକୁ ପଠାଇ ପାରିବା । ଅର୍ଥାତ୍ ମୁଁ ଜେନୋଆ ବନ୍ଦରରେ ପହଞ୍ଚିବା ପୂର୍ବରୁ ତୁ ମୋ' ଠାରୁ ମେସିନା ଓ ନେପ୍‍ଲସ୍‍ଠାରୁ ନିଶ୍ଚୟ ଖଣ୍ଡେ ଲେଖାଏଁ ଚିଠି ପାଇବୁ ।

 

ଏତେବେଳକୁ ତୁ ନିଶ୍ଚୟ ବୁଝି ସାରିବୁଣି ଯେ କାଲି ମୁଁ ତୋ'ପାଖକୁ ଯେଉଁ ଚିଠି ଲେଖି ପଠାଇଚି, ସେଥିରେ ମିଶର ଦେଶର ଡାକଟିକେଟ ଲଗା ହୋଇଥିବ । ମେସିନା ଓ ନେପ୍‍ଲସ୍‍ଠାରୁ ଯେଉଁ ଚିଠି ଦୁଇଟି ପଠାଇବି, ସେଥିରେ ଇଟାଲି ଦେଶର ଡାକଟିକେଟ ଥିବ । କିପରି ଡାକଟିକେଟ ଥିବ, ତାହା ମୁଁ ନିଜେ ମଧ୍ୟ ଜାଣିନାହିଁ । ହୁଏତ ଏପରି କୌଣସି ନୂଆ ଡାକଟିକେଟ ଥିବ, ଯାହା କି ମୁଁ ଏପର୍ଯ୍ୟନ୍ତ ମୋ ଟିକେଟ-ସଂଗ୍ରହ ଭିତରେ ରଖି ପାରିନାହିଁ । ମୋ ଆଗରୁ ତୁ ଏହିସବୁ ନୂଆ ଟିକେଟ ପାଇଯିବୁ ବୋଲି ଭାବିଲାବେଳକୁ ମୋର ଭାରି ଈର୍ଷା ହେଉଚି । ତୁ ପ୍ରକୃତରେ ବଡ଼ ଭାଗ୍ୟବାନ । କିନ୍ତୁ ନୂଆ ବା ପୁରୁଣା ଯେଉଁଭଳି ଡାକଟିକେଟ ମିଳୁ ପଛକେ, ଗୋଟାଏ ବିଷୟରେ ଜାହାଜର ଯାତ୍ରୀମାନେ କାଲି ଭାରି କଳ୍ପନା ହୋଇଚନ୍ତି । ଜାହାଜ ଉପରେ ନୁହେଁ, ମିଶର ଦେଶର ସରକାରୀ ଡାକ ବ୍ୟବସ୍ଥା ଉପରେ । ଖଣ୍ଡିଏ ପୋଷ୍ଟକାର୍ଡ଼ ଏଠୁ ଭାରତବର୍ଷକୁ ପଠାଇବାକୁ ଆମକୁ ୧୩୦ ଲିରା (ଇଟାଲିର ମୁଦ୍ରା) ଅର୍ଥାତ୍‌ ପ୍ରାୟ ସତରଅଣା ପଇସା ଜମା କରିବାକୁ ପଡ଼ିଚି । ଖଣ୍ଡେ ଲଫାପାଚିଠିକୁ ଦେଢ଼ଟଙ୍କା । ଆମ ଜାହାଜରେ ଅଷ୍ଟ୍ରେଲିଆର ଅନେକ ଯାତ୍ରୀ ଅଛନ୍ତି । ସେମାନଙ୍କ ଭିତରୁ କାଲି ଅନେକେ ଅଷ୍ଟ୍ରେଲିଆକୁ ଚିଠି ପଠାଇଥିବେ । ବିଚାରା ସେମାନଙ୍କୁ କାଲି ସବୁଠାରୁ ମହଙ୍ଗା ହାଟରେ ସଉଦା କରିବାକୁ ପଡ଼ିଚି । କାରଣ ଅଷ୍ଟ୍ରେଲିଆକୁ ଖଣ୍ଡେ ପୋଷ୍ଟକାର୍ଡ଼ ପଠାଇବାର ମାହାସୁଲ ହେଉଚି ଦେଢ଼ଟଙ୍କା, ଚିଠିପାଇଁ ଆହୁରି ସୁଉକାଏ ଅଧିକ ଦେବାକୁ ପଡ଼ିବ । ତୁ ଜାଣିଛୁ କି ନାହିଁ କେଜାଣି, ଭାରତରୁ ବିଦେଶ ଯାଉଥିବା ପ୍ରତ୍ୟେକ ଯାତ୍ରୀକୁ ଆପଣା ସାଙ୍ଗରେ ନେଇକରି ଯିବାଲାଗି କେବଳ ପଚସ୍ତରି ଟଙ୍କା ଛାଡ଼ ମିଳେ । ଏଇଥିରେ ଏହି ଦୁଇ ସପ୍ତାହର ଜାହାଜ ସଂସାରକୁ ଚଳାଇବା କଥା । ତେଣୁ ଥରେ ଚିଠି ଲେଖିଲେ ଏଇ ନଅଣ୍ଟିଆ ଅଣ୍ଟିରୁ ଯଦି ଏତେ ଗୁଡ଼ାଏ ପଇସା ଚାଲିଯାଏ, ତେବେ ତାହା ପ୍ରକୃତରେ ବାଧିବା କଥା ।

 

ମିଶର ଦେଶରେ ଡାକ ଖରଚ ଅଧିକ ବୋଲି ମୋତେ ଆଗରୁ ଜଣାଥିଲା । ପ୍ରାୟ ଆଠବର୍ଷ ତଳେ ଗୋଟିଏ ସପ୍ତାହ ଲାଗି ପିରାମିଡ଼୍‍ ଆଦି ପ୍ରସିଦ୍ଧ ସ୍ଥାନ ଦେଖିବାକୁ ମୁଁ ମିଶର ଦେଶରେ ଥିଲି । ସେତେବେଳେ ଇଉରୋପରୁ ଦେଶକୁ ଫେରୁଥାଏ । ବାଟରେ ନାନା ଦେଶରେ ଦୀର୍ଘଦିନ କଟାଇ ପଇସା ସରିସରି ଆସୁଥାଏ । ତେଣୁ ମୁଁ ପଇସା ବିଷୟରେ ଟିକିଏ ସତର୍କ ମଧ୍ୟ ହୋଇ ଯାଇଥାଏ । ସେତିକିବେଳେ ଥରେ ଆପଣା ଦେଶକୁ ଚିଠିଖଣ୍ଡେ ପଠାଇଲା ବେଳକୁ ମନ କ'ଣ ହୋଇ ଯାଉଥାଏ । ଥରେ ସହି ନପରି ମୁଁ ମନ ଖୋଲି ଡାକଘରେ ବସି ଟିକେଟ ବିକ୍ରୟ କରୁଥିବା ଜଣେ ଭଦ୍ରମହିଳାଙ୍କୁ ବେଶ୍ କେତେପଦ କଥା ଶୁଣାଇଦେଲି । କହିଲି, ଏଦେଶର ଡାକବିଭାଗ ଗୋଟିଏ ଦୋକାନ ନା କ'ଣ ? ବିଦେଶୀମାନଙ୍କର ହୃଦୟର ଦୁର୍ବଳତାର ସୁଯୋଗ ନେଇ ଏହି ଦେଶ ତ ବେଶ୍ ପଇସା ରୋଜଗାର କରୁଛି । ମୁଁ କିଛି ମିଛକଥା କହି ନଥିଲି । ମିଶରର କୌଣସି ସାଧାରଣ ହୋଟେଲରେ ଗୋଟାଏ ବୋତଲ ବିଅର (beer, ଏକପ୍ରକାର ମଦ) କିଣିଲେ ଯେତେ ପଇସା ପଡ଼େନାହିଁ, ଭାରତବର୍ଷକୁ କିମ୍ବା ଆଷ୍ଟ୍ରେଲିଆକୁ ଖଣ୍ଡେ ପୋଷ୍ଟକାର୍ଡ଼ ଲେଖି ପଠାଇଲେ ତା'ଠାରୁ ଅଧିକ ଲାଗେ । ଆଧୁନିକ ଅର୍ଥକାରୀ ମନର ଏକ ବଢ଼ିଆ ବୁଝାମଣା ଏକା ।

 

ଖାଲି ବ୍ୟବସାୟ ବଢ଼ାଇବାକୁ ତ ଚିଠି ଲେଖା ଯାଏନାହିଁ, ସୌହାର୍ଦ୍ଦ୍ୟ ବଢ଼ାଇବାକୁ ମଧ୍ୟ ଚିଠି ଲେଖାଯାଏ । କୌଣସି ସ୍ଵାର୍ଥ ନଥାଇ କେବଳ ସମ୍ପର୍କ ବଢ଼ାଇବାକୁ ଚିଠି ଲେଖାଯାଏ । ବନ୍ଧୁ ବନ୍ଧୁ ପାଖକୁ ଚିଠି ଲେଖେ, କେତେ ଅପରିଚିତକୁ ପରିଚିତ କରାଇ ଏହି ଚିଠି ପାଖକୁ ଟାଣିଆଣେ । ଏହି ଚିଠି ଲେଖିବା ଦ୍ୱାରା ହୃଦୟ ମଧ୍ୟ ସମ୍ପ୍ରସାରିତ ହୋଇପାରେ, ହୃଦୟରେ ପଡ଼ିଥିବା ଅନେକ ସତର୍କ ସଂସ୍କାରର ଗଣ୍ଠି ଖୋଲିଯାଏ, ଦୂରର ପୃଥିବୀ ଅନ୍ତରର ଧନରେ ପରିଣତ ହୁଏ । ଏହି ଚିଠି ଲେଖିବା ଦ୍ଵାରା ଅନ୍ଧବିଶ୍ୱାସ କଟେ, ଭୟ କମେ, ଘୃଣା ଅପସରି ଯାଏ, - ବଡ଼ ସଂସାରପରି ଆପଣାକୁ ମଧ୍ୟ ବଡ଼ ବୋଲି ଆବିଷ୍କାର କରିବାର ସୌଭାଗ୍ୟ ମିଳେ । ତେଣୁ ମୁଁ ଭାବେ, ଏହି ଚିଠି ଲେଖିବାର ବ୍ୟାପାରରେ କୌଣସି ଦେଶର ସରକାର କୌଣସି ପ୍ରକାରେ କୃପଣ ହେବା ଉଚିତ ନୁହେଁ । ମିଶର ଦେଶରେ କେତେ ଗାଆଁ ଓ ସହରରେ ଲକ୍ଷ ଲକ୍ଷ ପିଲା ରହିଥିବେ । ଚିଠି ଲେଖିବାର ଖରଚକୁ ଏପରି କମ୍ କରି ଦିଆଯାଇଥାଆନ୍ତା ଯେ ସେମାନେ ଅନେକ ସଂଖ୍ୟାରେ ଭାରତର ପିଲାଙ୍କ ପାଖକୁ ଚିଠି ଲେଖି ପାରନ୍ତେ, ଇଂଲଣ୍ଡର ପିଲାଙ୍କ ପାଖକୁ ଚିଠି ଲେଖନ୍ତେ । ଦୂର ଅଷ୍ଟ୍ରେଲିଆର ପିଲାଙ୍କ ପାଖକୁ ଚିଠି ଲେଖି ଅଷ୍ଟ୍ରେଲିଆକୁ ମଧ୍ୟ ଆପଣାର ପରି ଜାଣନ୍ତେ । ଏହାଦ୍ଵାରା ମିଶରର ଓ ଆଉସବୁ ଦେଶର କେତେ ଲାଭ ନ ହୁଅନ୍ତା କହିଲୁ । ଗୋଟିଏ ସିଧା ଉଦାହରଣ ଦେଲେ ତୁ ଏଇକଥାଟି ସହଜରେ ବୁଝି ପାରିବୁ । ମିଶର ଦେଶ ବର୍ତ୍ତମାନ ସାନ ନୂଆ ଇସ୍ରାଏଲ୍ ଦେଶକୁ ସ୍ୱୀକାର କରୁନାହିଁ । ମିଶରବାସୀ ମୁସଲମାନ ଓ ଇସ୍ରାଏଲ୍‌ ବାସୀ ହେଉଚନ୍ତି ଇହୁଦୀ; ଧର୍ମର ଏହି ଭେଦଟାକୁ ରାଜନୀତିର ଚକଟାରେ ମସଲା କରି ପକାଯାଇଚି ଓ ଦୁଇଦେଶର ଅଧିବାସୀମାନେ ଗତ ପନ୍ଦରବର୍ଷ ହେଲା ପରସ୍ପରର ଶତ୍ରୁ ହୋଇ ରହିଚନ୍ତି । ଗୋଟିଏ ପକ୍ଷ ଟିକିଏ ଖୁରି ଖାଇବା ମାତ୍ରକେ ସଙ୍ଗେ ସଙ୍ଗେ ଅପର ପକ୍ଷର ତୁଣ୍ଡ ଓ ହାତର ବନ୍ଧୁକ ଖର ହୋଇ ଉଠୁଚି । ମିଶର ଦେଶର ସୀମାକୁ ଇସ୍ରାଏଲ ଦେଶର ସୀମା ଲାଗିଚି, କିନ୍ତୁ ଦୁଇଦେଶ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଦୁହେଁ ପରସ୍ପରର ନିନ୍ଦା ହିଁ ଗାଇବାରେ ଲାଗିଛନ୍ତି । ତୁ ମୁହୂର୍ତ୍ତକ ପାଇଁ ଭାବିଲୁ, ଯଦି ମିଶରର ପିଲାମାନେ ଇସ୍ରାଏଲ୍‍ର ପିଲାଙ୍କ ସହିତ ଚିଠିପତ୍ର ଲେଖିବାର ସୁବିଧା ପାଆନ୍ତେ, ଇସ୍ରାଏଲ୍‌ର ପିଲାଙ୍କ ମନରେ ମିଶର ବିଷୟରେ ଖାଲି ବିଷ ଜଳା ନହୋଇ ଯଦି ସେମାନଙ୍କୁ ମିଶରର ପିଲାଙ୍କ ପାଖକୁ ଚିଠି ଲେଖିବାର ସୁଯୋଗ ଦିଆଯାଆନ୍ତା, ତେବେ ପରିଣାମ କ'ଣ ହୁଅନ୍ତା ! ଦୃଢ଼ଭାବରେ କହିବି ଯେ ଏହାଦ୍ୱାରା ଦୁଇଦେଶର ରାଜନୀତିକ ନେତାମାନଙ୍କର ନିଶାଖିଆଟା ଅନେକ ପରିମାଣରେ କମିଯାଆନ୍ତା । ପୃଥିବୀରେ ମଧ୍ୟ ଅନେକ ବଡ଼ବଡ଼ ଜାଗାରେ ନିଶାଖୋରି କମ୍ ହୋଇଯାଆନ୍ତା ।

 

କାଲି ସକାଳ ଠାରୁ ସମୁଦ୍ରର ରୂପ ବଦଳିଯାଇଚି । ସମୁଦ୍ର ବଡ଼ ଭୟଙ୍କର ହୋଇ ପଡ଼ିଚି । ଆଗରୁ ମୁଁ ଏ ବାଟ ଦେଇ ଦୁଇଥର ଜାହାଜରେ ଯାଇଚି, ମାତ୍ର ସମୁଦ୍ରର ଏପରି ରୂପ କେବେ ଦେଖିନାହିଁ । ଆରବ ସାଗର ଭିତରେ ଆସିବାବେଳେ ଦୁଇଟାଦିନ ସତେଅବା କେଉଁ ଅହିଂସ ହ୍ରଦ ବା ପୁଷ୍କରଣୀ ଭିତର ଦେଇ ଆସୁଥିବା ପରି ଲାଗୁଥିଲା । କୋଉଠି ହେଲେ ତରଙ୍ଗର କୌଣସି ଚିହ୍ନ ନଥାଏ । ସମୁଦ୍ରଟା ସତେଅବା କୌଣସି ନୀଳବର୍ଷ ପ୍ରାଣୀର କଟା ମାଉଁସଫଡ଼ିଆଟା ପରି ବଡ଼ ନିର୍ଜୀବ ଭାବରେ ପଡ଼ି ରହିଥାଏ । ଆମର ଜାହାଜଟା ଚାଲିଗଲାବେଳେ ତା'ଉପରେ ଯାହା ଜୀବନର ସଞ୍ଚାର ହେଉଥାଏ, କେବଳ ସେତିକି ! ଜାହାଜର ଆଘାତରେ ସମୁଦ୍ରର ଦେହ ଉପରେ ଖଣ୍ଡେ ଦୂର ପର୍ଯ୍ୟନ୍ତ ଯେଉଁ ତରଙ୍ଗାୟିତ ଚଞ୍ଚଳତା ସୃଷ୍ଟି ହେଉଥାଏ, ସେଇଟା ମଧ୍ୟ ଖଣ୍ଡେଦୂର ଯିବାପରେ ଶାନ୍ତ ହୋଇ ଯାଉଥାଏ । ଏହି ତରଙ୍ଗ ଉପରର ଫେଣଗୁଡ଼ାକ ଭାଙ୍ଗିଯାଇ ନାନା ବିନ୍ଦୁରେ କ୍ଷଣକ ମଧ୍ୟରେ ନୀଳବିସ୍ତାରର ଗର୍ଭରେ ଲୀନ ହୋଇ ଯାଉଥାଏ । ଲୀନ ହୋଇଯିବା ପୂର୍ବରୁ ସମତଳ ଜଳ ଉପରେ ଖଇ ବିଞ୍ଚିଦେଇ ଗଲାପରି ମନେ ହେଉଥାଏ ।

 

ଆରବସାଗରର ଶାନ୍ତି ପରେ ଲୋହିତ ସାଗରର ଏହି ଅଶାନ୍ତି ଯାତ୍ରୀମାନଙ୍କୁ ଭାରି ଅଶାନ୍ତକରି ପକାଉଚି । ଅନେକ ଅସୁସ୍ଥ ହୋଇଯିବେ ବୋଲି ଆଶଙ୍କା କରୁଚନ୍ତି । ସମୁଦ୍ରରେ ଯେଉଁ ଅସୁସ୍ଥତା ଭୋଗିବାକୁ ପଡ଼େ, ତାହାକୁ ଅସୁସ୍ଥତା ନକହି ଅରୁଚିରୋଗ ବୋଲି କହିବାକୁ ହେବ । ଖାଇବାକୁ ଇଚ୍ଛା ହୁଏନାହିଁ, ଆଖି ଖୋଲି ଅନାଇବା ମାତ୍ରକେ ଖାଲି ବାନ୍ତି ଲାଗେ, ମୁଣ୍ଡଟା ଭାରି ହୋଇଯାଏ, କୋଉଠି ହେଲେ ମନ ଲାଗେନାହିଁ, ଜୀବନଟା ବଡ଼ ଅନାକର୍ଷଣୀୟ ମନେହୁଏ । ହଠାତ୍ ଏକ ବୀତଶ୍ରଦ୍ଧ ବାର୍ଦ୍ଧକ୍ୟ କୁଆଡ଼ୁ ଆସି ଗ୍ରାସ କରି ପକାଇଥିବା ପରି ଖାଲି ବିଛଣାରେ ମୁହଁମାଡ଼ି ପଡ଼ି ରହିବାକୁ ଇଚ୍ଛାହୁଏ । ସମୁଦ୍ର ଆଡ଼କୁ ଅନାଇବା ମାତ୍ରକେ ହିଁ ମନଭିତରେ ଉତ୍କଟ ବୈରାଗ୍ୟ ଜାତହୁଏ । ତରଙ୍ଗର ଚଞ୍ଚଳତାକୁ ଦେଖି ଈର୍ଷା ହୁଏ, ଖୋଲା ପୃଥିବୀର ପବନଟା ଏତେ ପ୍ରଚଣ୍ଡ ଓ ଉଦ୍ଦଣ୍ଡ ହୋଇ କାହିଁକି ଆସି ମୁହଁ ଉପରେ ବାଜୁଚି ବୋଲି ତାହା ସହିତ ବାଦ କରିବାକୁ ଇଚ୍ଛା ହୁଏ । ଏହି ରୋଗକୁ ଡାକ୍ତରମାନେ ସମୁଦ୍ର ରୋଗ ବୋଲି କହନ୍ତି । ମୁଁ ଏହାକୁ ଅରୁଚି ରୋଗ ବୋଲି କହିବି ।

 

ଆଜି ପ୍ରତ୍ୟେକଟି ଇଞ୍ଚର ରାସ୍ତା ଚାଲିବା ପାଇଁ ଆମ୍ଭ ଜାହାଜକୁ ରୀତିମତ ଯୁଝିକରି ଆଗକୁ ଯିବାକୁ ପଡ଼ୁଚି । ପବନ ମଧ୍ୟ ଆମର ପ୍ରତିକୂଳରେ । ତେଣୁ ତରଙ୍ଗର ଅବୟବ ଫୁଲାଇ ସମୁଦ୍ର ସତେଅବା ପ୍ରଚଣ୍ଡ ରୋଷରେ ଆମର ଜାହାଜକୁ ଗ୍ରାସ କରିବାକୁ ଆସୁଚି । ସକଳ ଦିଗନ୍ତ ବ୍ୟାପି ଏହି ଜଳର ସମତଳ ଉପରେ କେଉଁ ବରୁଣସେନାର କେତେ ଅକ୍ଷୌହିଣି ସୈନ୍ୟ ଯେପରି ଶୁଭ୍ର ଫେଣର ଶିରସ୍ତ୍ରାଣ ପିନ୍ଧି ଆମରି ଆଡ଼କୁ ମାଡ଼ି ଆସୁଚନ୍ତି, ଆଉ ଆମର ଜାହାଜ ଏଗାରଶହ ଯାତ୍ରୀମନର ସକଳ ସମର୍ଥନ ସହିତ ଗୋଟାଏ ଗୋଟାଏ ଲହରୀକୁ ଭାଙ୍ଗି ଆଗକୁ ଆଗକୁ ଚାଲିଛି-। ଏହି ଜାହାଜରେ ମୁଁ ଯେଉଁ କ୍ୟାବିନ୍‍ଟିରେ ଅଛି, ସେଇଟି ହେଉଚି ଏକାବେଳକେ ଆଗ ମଙ୍ଗ ପାଖରେ, ଜାହାଜର ଉପରିଭାଗ ତୁଳନାରେ ଠିକ୍ ଦୁଇ ପୁରୁଷ ଗଭୀରରେ । ତେଣୁ ଆଗପଟରୁ ଆସୁଥିବା ଢେଉ ଗୁଡ଼ାକ ଠିକ୍ ଯେପରି ମୁଣ୍ଡ ପାଖରେ ଆସି ବାଜୁଥିବା ପରି ଶବ୍ଦ ଶୁଭୁଚି । କାଲି ରାତିରେ ମୁଁ କେତେଥର ଏହି ଶବ୍ଦହାବୁକାର ସ୍ଵପ୍ନ ଦେଖିଚି, କେତେଥର ଏହାରି ଶବ୍ଦରେ ମୋର ନିଦ ମଧ୍ୟ ଭାଙ୍ଗିଯାଇଚି । ତଥାପ୍ତି ଡର ମାଡ଼ୁନାହିଁ । ଆପଣାକୁ କୌଣସି ପ୍ରକାରେ ଅସୁସ୍ଥ ବା ପୀଡ଼ିତ ବୋଲି ମନେ ହେଉନାହିଁ । ସମୁଦ୍ରର ଏହି ତରଙ୍ଗ ସହିତ କୁଆଡ଼େ ଲମ୍ଫ ଦେଇ ଚାଲିଯିବାକୁ ମନ ହେଉଚି ।

 

ଆଜି ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ମୁଁ ଡେକ୍ ଉପରେ ଠିଆ ହୋଇ ଅପେକ୍ଷା କରି ରହିଥିଲି । ନିତି ସକାଳେ ଯେପରି ଅପେକ୍ଷା କରି ରହିଥାଏ, ଠିକ୍‍ ସେହିପରି । ସମୁଦ୍ରର କିନ୍ତୁ ସକାଳ ବା ସଞ୍ଜବେଳର ବିଚାର ନାହିଁ, ଆଲୁଅ ବା ଅନ୍ଧାରର ବିଚାର ନାହିଁ । ଆପଣାର ଆକୁଳତାକୁ ଉତ୍ତାଳ ତରଙ୍ଗର ଆଘାତରେ ରୂପାନ୍ତରିତ କରି ସେ ସତେଯେପରି ଚତୁର୍ଦ୍ଦିଗକୁ ଆକୁଳ କରିଦେବାକୁ ଇଚ୍ଛା କରୁଛି । ମୁଁ ଆଉ ନିସ୍ତବ୍ଧ ହୋଇ ଠିଆହୋଇ ରହିପାରୁଚି କେତେକେ? ଝଡ଼ର ପ୍ରାର୍ଥନା ଠିକ୍ ଝଡ଼ପରି ହୋଇଥିବ, ଆକୁଳ ତରଙ୍ଗର ପ୍ରାର୍ଥନା ମଧ୍ୟ ଠିକ୍‍ ତାହାରିପରି ହୋଇଥିବ । ଠିକ୍ ଏହି ସମୟରେ ଆଲୋକର ବୀଣା ବାଜି ଉଠିଲା । ତରଙ୍ଗଗୁଡ଼ିକର ଫେନଚୂଡ଼ା ଉପରେ ଆଲୋକର ଶୁଭ୍ରମଣିମାନ ସଂଜୀବିତ ହୋଇ ଉଠିଲା । ମୁଁ ହଠାତ୍ ଅନୁଭବ କଲି, ଯେପରି ଗୋଟିଏ ଆଲୋକବୀଣା ଝଙ୍କୃତ ହେବା ସଙ୍ଗେସଙ୍ଗେ ଏକାବେଳକେ ସହସ୍ର ତରଙ୍ଗର ବୀଣା ସହସ୍ର ଝଙ୍କାରର ସୃଷ୍ଟିମୟ ଆଲୋଡ଼ନ କରି ପକାଇଲେ । ମୁହୂର୍ତ୍ତକ ମଧ୍ୟରେ ମୋ' ପ୍ରାର୍ଥନାର ସମସ୍ତ ରାଗିଣୀ ବଦଳିଗଲା । ଏହି ପୃଥିବୀରେ ଶାନ୍ତିଲାଭ କରିବାର ସମସ୍ତ ଲାଳସା କୁଆଡ଼େ କାହାର ହାତପାପୁଲିର ଗୋଟାଏ ପୋଛାରେ ପୋଛି ହୋଇଗଲା । ଇଂରେଜ କବି ଶେଲିଙ୍କର ଗୋଟିଏ ପ୍ରାର୍ଥନା ହଠାତ୍ ମୋ’ରି ପ୍ରାର୍ଥନାରେ ପରିଣତ ହେଲା : Oh, Lift me as a wave-! ମୋର ପ୍ରାଣ ଆଜି ଉଡ଼ିଯିବାକୁ ଚାହେ, ଶୁଭ୍ରଫେଣର ମଙ୍ଗଳଟୀକାକୁ କପୋଳ ଉପରେ ମଣ୍ଡାଇ ତାହା ଆଖି ପିଛୁଳାକେ ଦିଦିଗନ୍ତକୁ ଛୁଟିଯିବାକୁ ଚାହେଁ ସବୁ ଦିଗର ସେପାଖକୁ ଡେଇଁ ପଡ଼ିବାକୁ ଚାହେଁ । ଅସ୍ଥିର କବିର ଏହି ଅମର ଧାଡ଼ିଟି ଆଜି ମୋର ମଧ୍ୟ ପ୍ରାର୍ଥନାବାକ୍ୟ ହୋଇ ରହିଲା ।

 

ମୁଁ ପଳାଇଯିବାକୁ ଚାହେ ନାହିଁ । କବି ଶେଲି ମଧ୍ୟ ପଳାଇଯିବାକୁ ଚାହି ନଥିଲେ । ଶେଲିଙ୍କର କବିତାରେ ସବୁ ଅଛି, କିନ୍ତୁ ପଳାଇ ଯିବାର ଉତ୍ତପ୍ତତା ନାହିଁ । ଚେତନା ଓ ବାସନାର ଆରୋହଣ-ଯାତ୍ରାରେ ଏପରି ଏକ ସ୍ତର ରହିଚି, ଯେଉଠି ସଂସାର ପ୍ରତି ଆସକ୍ତି ଓ ପରମାର୍ଥ ପ୍ରତି ଆସକ୍ତି ମଧ୍ୟରେ କୌଣସି ପ୍ରଭେଦ ରହେନାହିଁ । ନଶ୍ୱର ଆଉ ଅବିନଶ୍ୱର ମଧ୍ୟରେ କୌଣସି ଅନ୍ତର ରହେନାହିଁ । ଏହି ଆସକ୍ତିର ଅଭାବ ହିଁ ନିସ୍ୱରତାକୁ ବୁଝାଇଥାଏ । ଏହି ଆସକ୍ତିର ନିର୍ଭର ଭିତରକୁ ଆସି ତଥାଗତ ବୁଦ୍ଧ ଅରହତ୍ ମଧ୍ୟ ହୁଅନ୍ତି । ଭଗବତ୍-ପୁତ୍ର ଯୀଶୁ କୁଳଟା ଅବଳାକୁ ବଳ ଦେବାକୁ ଆସନ୍ତି । ଗୀତାର ପଣ୍ଡିତ ଶ୍ରୀକୃଷ୍ଣ ବିଦୁରଘରେ ଶାଗ ଖରଡ଼ା ଖାଇ ଯାଆନ୍ତି । ତେଣୁ ଉପରକୁ ଉତ୍ତୋଳିତ ହୋଇ ଯିବାର ବାସନାଟି ସଂସାର ଛାଡ଼ି ପଳାଇଯିବାର ଦୁର୍ବାସନାରୂପେ କଦାପି ସିଦ୍ଧହୋଇ ପାରେନାହିଁ । ସାନ ପିଲାଟିଏ ମାଆ କୋଳରେ ବସିଥିବା ବେଳେ ଚାନ୍ଦକୁ ଦେଖି ଚାନ୍ଦପାଖକୁ ଯିବାକୁ ମଧ୍ୟ ମନ ବଳାଏ । କିନ୍ତୁ ଚାନ୍ଦଲାଗି ଉଚ୍ଛନ୍ନ ହୁଏ ବୋଲି ସେ ମାଆର କୋଳ ଛାଡ଼ି ପଳାଇ ଯିବାକୁ ମନ କରେ ବୋଲି କିଏ କାହିଁକି କହିବ ?

 

ଏଠି ବସି ତୋ ପାଖକୁ ଏସବୁ ଲେଖୁଥିବା ସମୟରେ ମୁଁ ଖାଲି ତୋ'ରି କଥା ଭାବୁଚି । ମନକୁ ଉଚ୍ଚାଟ କରି ପକାଉଥିବା ଏହି ସମୁଦ୍ରଲୀଳାକୁ ଦେଖିବା ଲାଗି ତୁ ଏଠି ମୋ’ ସହିତ ଏହି ଜାହାଜରେ ଥାଆନ୍ତୁ କି ! ମୁଁ ବାଜି ରଖି କହୁଚି ତୋତେ ଏସବୁ ଦେଖି କଦାପି ଡର ମାଡ଼ନ୍ତା ନାହିଁ-। ତୁ ମଧ୍ୟ ନିଦ ଆଉ ଭୋକ ଶୋଷ ଭୁଲି ଖାଲି ଏହି ସମୁଦ୍ରର ଭୀମରୂପ ସୌନ୍ଦର୍ଯ୍ୟକୁ ଦେଖିବାରେ ବ୍ୟସ୍ତ ହୋଇ ରହିଥାଆନ୍ତୁ, ଏହି ଉତ୍ତାଳ ପାଣି ଉପରେ ଦିଗଛଡ଼ା ହୋଇ କ୍ଷେପି ବୁଲୁଥାଆନ୍ତୁ । ଖାଲି ତୁ ନୋହୁ କି ମୁଁ ନୁହେଁ, ପ୍ରତ୍ୟେକ ମଣିଷ ଭିତରେ ଗୋଟାଏ ପିଲାମନ ରହିଚି ଓ ଏହି ପିଲାମନ ଭିତରେ ଦିଗ ଭୁଲି, ବାଡ଼ ଡେଇଁ କେବଳ ଉଡ଼ିଯିବାର ଗୋଟାଏ ଅତି ପ୍ରବଳ ବାସନା ମଧ୍ୟ ରହିଚି । ନାନାପ୍ରକାର ଚାପର କବଳରେ ପଡ଼ି ଆମ ଭିତରର ପିଲାମନ କୋଉ ତଳେ ଯାଇ ଅଣଲେଉଟା ହୋଇ ପଡ଼ିରହିଥାଏ, ନାନା ପ୍ରକାର ଆକଟରେ ଆମର ସେହି ଦୁଆରଟା ବନ୍ଦ ହୋଇ ରହିଥାଏ ଓ ସେହି ଦୁଆରଟାକୁ ନଖୋଲିବା ଲାଗି ଆମକୁ ମନା କରାଯାଇ ଥାଏ । ଗୁରୁଜନ ମାନଙ୍କର ଆକଟକୁ ମାନି ମାନି ଆମର ମନଟା ମଧ୍ୟ କ୍ରମେ ଗୁରୁ ହୋଇଯାଇ ଥାଏ । ସଂସାର ମଧ୍ୟରେ ବୁଡ଼ି ରହିଥିବା ବେଳେ ସାଧାରଣତଃ ସେହି କ୍ଷତିର ପରିମାଣକୁ ଅନୁଭବ କରି ହୁଏନାହିଁ । ଆଜିର ସମୁଦ୍ର ଭଳି କୌଣସି ସମୁଦ୍ରରେ ଯାଉଥିବାବେଳେ ତରଙ୍ଗମାଳାର ଉତ୍ତାଳତା ମଧ୍ୟରେ ଠିଆହୋଇ ସେମାନଙ୍କ ସହିତ ସମସ୍ଵରରେ ଜୀବନର ମନ୍ତ୍ରକୁ ଗାଇଉଠି ପାରିଲେ ହଠାତ୍ ଆପଣାର ସେଇ ତାଲାବନ୍ଦ ଘରଟି ଖୋଲିଯାଏ, ଆପଣା ଭିତରର ସେହି ଶକ୍ତିମାନ୍ ଶିଶୁଟି ସହିତ ଚିହ୍ନା ହୋଇଯାଏ ।

 

ମୁଁ ଏସବୁ ଲେଖୁଥିବା ବେଳେ ଆମର ଜାହାଜ ସମୁଦ୍ର ଭିତରର ଦୁଇଟା ଟାପୁକୁ ଅତିକ୍ରମ କରି ଯାଉଚି । ଟାପୁ ଦୁଇଟି ଦେଖିବାକୁ ଚନ୍ଦନପେଡ଼ୀ ପରି ସମତଳ, କେବଳ ଖଣ୍ଡେ ଖଣ୍ଡେ ପଥର ଆକାରରେ ସମୁଦ୍ର ଭିତରୁ ଗଢ଼ାହୋଇ ଉଠିଚି । ଗୋଟିଏ ଛୋଟ, ଆଉ ଗୋଟିଏ ତା'ଠାରୁ ଟିକିଏ ବଡ଼ । ଦୁଇଟିର ନାମକରଣ ଏକାଠି ହୋଇଚି, ଦୁଇଭାଇ । ଗୋଟିକୁ ମୁଁ ବଡ଼ଭାଇ ବୋଲି କହିବି ଓ ଆରଟିକୁ ସାନଭାଇ ବୋଲି କହିବି । ଏହି ଥଳହୀନ ସମୁଦ୍ର ଭିତରେ ଏଇ ଦୁଇଭାଇ ଅଟଳ ବିଶ୍ୱାସ ଓ ନିର୍ଭରର ସନ୍ତକରୂପେ ପରସ୍ପରକୁ ଲାଗି କରି ଠିଆ ହୋଇ ରହିଚନ୍ତି । ସେମାନଙ୍କୁ ମୁଁ ପ୍ରଣାମ କରି ଯାଉଚି ।

Image

 

ଛଅ

 

ସୁଏଜ୍ କେନାଲ

ତା ୧୫/୧୦/୬୨

ସ୍ନେହର ଜଟି,

 

ତୋ ପାଖକୁ ଲେଖିବା ପାଇଁ ବସୁ ବସୁ ଆଜି ଅନେକ ଡେରି ହୋଇ ଗଲାଣି । ନିତି ସାଧାରଣତଃ ସକାଳ ଆଠଟାବେଳେ ମୁଁ ଲେଖିବାକୁ ବସେ । ସକାଳ ସାତଟାବେଳେ ଜଳଖିଆ ଘଣ୍ଟି ବାଜେ । ସେଠାରୁ ଉଠିବା ପରେ ପ୍ରତ୍ୟେକ ଦିନର ରେଡ଼ିଓ ଖବର ପଢ଼ି ଆସିବାକୁ ପଡ଼େ । ଗତ ଗୋଟାଏ ଦିନ ଭିତରେ ଆମର ଜାହାଜ କେତେ ମାଇଲ ପଥ ଅତିକ୍ରମ କରିଚି, ତାହା ମଧ୍ୟ ଦେଖିଆସେ । ଏହିସବୁ କାମ ସାରି ଜାହାଜର ଚାରି ପାଖରେ ଚାରି ପାଞ୍ଚଘେରା ବୁଲି ଟିକିଏ ସତେଜ ହେବାପରେ କାବିନ୍‍କୁ ଫେରି ଆସୁ ଆସୁ ପ୍ରାୟ ଆଠଟା ବାଜିଯାଏ । କିନ୍ତୁ ଆଜି ପ୍ରାୟ ସାଢ଼େ ନଅଟା ବାଜିବାକୁ ବସିଲାଣି । ତେଣୁ ଡେରିରେ ଆସି ସ୍କୁଲରେ ପହଞ୍ଚିଲେ ପିଲାଙ୍କର ମନ ଯେଉଁପରି ହୁଏ, ମୁଁ ଆଜି ଠିକ୍ ସେହିପରି ଅନୁଭବ କରୁଚି ।

 

ଡେରି ହେବାର କାରଣ ମଧ୍ୟ ରହିଛି । କାଲି ରାତି ପ୍ରାୟ ଦୁଇଟାବେଳେ ଆମ ଜାହାଜ ସୁଏଜ ବନ୍ଦରରେ ଆସି ପହଞ୍ଚିଲା । ସେତେବେଳକୁ ମୁଁ ନିଘୋଡ଼ ନିଦରେ ଶୋଇଥିଲି । ଆଜି ସକାଳେ ଉଠିବାବେଳକୁ ଜାହାଜସାରା ମଣିଷଙ୍କର ପାଟି ତୁଣ୍ଡରେ କମ୍ପୁଚି । ମୁଁ ବୁଲି ବୁଲି ସକାଳ ପହରୁ ସେଇଆ ଦେଖୁଥିଲି । ପୁଣି ସାଢ଼େ ସାତଟା ବେଳକୁ ଜଳଖିଆ ଖାଇସାରି ବାହାରକୁ ବାହାରିବା ମାତ୍ରକେ ଦେଖିଲି ଯେ ଆମ ଜାହାଜ ଚାଲିବାକୁ ଆରମ୍ଭ କଲାଣି । ସେତେବେଳେ କି ଆଉ ନିବୁଜ ଘର ଭିତରକୁ ଆସିବାକୁ ମନ ହୁଏ ? ଜାହାଜ ଗୋଟାକର ସବୁ ଯାତ୍ରୀ ଯାଇ ବାହାରେ ଜମା ହୋଇଚନ୍ତି । ତୁ ବାଗଲପୁର ଗାଆଁରେ ଥାଇ ଆଜି ମୋର ମନର ଖୁସିକୁ କଳନା କରି ପାରିବୁ ନାହିଁ । ଗତ ଆଠଦିନ ହେଲା ଆମେ ଗଛ ପତର କିଛି ଦେଖିନାହୁଁ । ଲୋହିତସାଗର ଭିତରେ ଆସିଲାବେଳେ ଯାହା ଗୋଟିଏ ଦୁଇଟା ଟାପୁ ଆମର ହାବୁଡ଼େ ପଡ଼ିଚି । ସେଗୁଡ଼ାକ ପୁଣି ଏକାବେଳକେ ଚନ୍ଦା-ମଥାରେ କୌଣସି ସ୍ଥାନରେ ଚୁଟି ବୋଲି ମଧ୍ୟ କେରାଏ ଦୂବ ନାହିଁ କି ଘାସ ନାହିଁ । ଆଜି ସକାଳେ ସୁଏଜ ସହରରେ କେତେ କୋଠାଘର, କେତେ ମଣିଷ, କେତେ ଗଛ ଓ କେତେ ଫୁଲ ! ଅନେକ ଦିନର ବିଚ୍ଛେଦ ପରେ ଯେତେବେଳେ ଜଣେ ପୁରୁଣା ବନ୍ଧୁ ସହିତ ବାଟ ମଝିରେ ସାକ୍ଷାତ ହୋଇଯାଏ, ସେତେବେଳେ ସବୁ କିଛି ନୂଆ ଲାଗେ । ଆପଣା ଆଖି ଭିତରେ ଯେପରି ନୂତନ ଉତ୍ସାହ ଓ ନୂତନ ନାନା ଆକାଙ୍‍କ୍ଷା ଭରପୂର ହୋଇ ଉଠେ - ସେଇ ଘର, ଗଛ ପତର ଓ ମଣିଷ ଦେଖି । ସେଥିପାଇଁ ଆଜି ତଥାପି ସବୁ ନୂଆକରି ଦେଖିଲାଭଳି ଲାଗୁଚି । ଆଜି ଦିନଟାଯାକ ଆମେ ସୁଏଜ କେନାଲର ମଧ୍ୟ ଦେଇ ଗତି କରିବୁ । ରାତି ପ୍ରାୟ ନଅଟା ବେଳକୁ ଆମର ଜାହାଜ ଯାଇ କେନାଲର ଆର ମୁଣ୍ଡରେ, ଅର୍ଥାତ୍ ପୋର୍ଟସୟଦ୍ ବନ୍ଦରରେ ଯାଇ ପହଂଚିବ ବୋଲି ଅନୁମାନ କରାଯାଉଚି ।

 

ତୁ ତୋର ମାନଚିତ୍ର ଖୋଲି ବସ, ମୁଁ ତୋତେ ଗୋଟିଗୋଟି କରି ସବୁକଥା ପରିଷ୍କାର କରି କହିଦେଉଚି । କାଲି ସଞ୍ଜ ବୁଡିଲାବେଳକୁ ଆମେ ପ୍ରାୟ ଲୋହିତ ସାଗରର ମୁଣ୍ଡରେ ଆସି ପହଞ୍ଚି ସାରିଥିଲୁ । ଲୋହିତ ସାଗର ମୁଣ୍ଡରେ ଦୁଇଟା ଶିଙ୍ଗ ପରି ବାଆଁ ପାଖରେ ସୁଏଜ ଉପସାଗର ଓ ଡାହାଣ ପାଖରେ ଆକାବା ଉପସାଗର । ଆକାବା ହେଉଚି ଜର୍ଡ଼ାନ୍ ଦେଶର ଏକ ପ୍ରଧାନ ବନ୍ଦର । ସେଇଠି ମିଶର, ଇସ୍ରାଏଲ୍ ଓ ଜର୍ଡ଼ାନ୍ -ଏହି ତିନୋଟି ଦେଶର ସୀମା ଆସି ଏକତ୍ର ମିଳିତ ହୋଇଚି । ଠିକ୍ ନଅବର୍ଷ ତଳେ ମୁଁ ଇସ୍ରାଏଲ ଯୁବସଙ୍ଗଠନ ଦ୍ୱାରା ଆୟୋଜିତ ଏକ ପଦଯାତ୍ରାରେ ପ୍ରାୟ ୨୫୦ମାଇଲ ମରୁଭୂମିର ପଥ ଅତିକ୍ରମ କରି ଏହି ଆକାବା ଉପସାଗରରେ ଅବସ୍ଥିତ ଇସ୍ରାଏଲ୍‌ର ଏଲାଥ୍‍ ବନ୍ଦରରେ ଆସି ପହଂଚିଥିଲି ଓ ସେଠାରେ ସମ୍ପୂର୍ଣ୍ଣ ଗୋଟିଏ ଦିନ କଟାଇଥିଲି । ସେହି ଅଭିଜ୍ଞତା କଦାପି ଭୁଲିବାର ନୁହେଁ । ସେହି ଦିନଠାରୁ ମୁଁ ମରୁଭୂମିକୁ ଭଲ ପାଇ ଶିଖିଚି । ମରୁଭୂମିର ତାରାମୟ ଆକାଶତଳେ ଯିଏ କେବେ ଗୋଟିଏ ରାତ୍ରି କଟାଇଥିବ, ଯିଏ ସେହି ଅନନ୍ତ ବାଲି ଉପରେ ଠିଆ ହୋଇ ସକଳ ବିଶ୍ୱ ବ୍ରହ୍ମାଣ୍ଡକୁ ସମ୍ଭାଳି ଧରିଥିବା ଏହି ମହାକାଶ ଆଡ଼କୁ ଥରେ ଶାନ୍ତ ହୋଇ ଅବଲୋକନ କରିଥିବ, ସେ ତା' ଜୀବନରେ ମଧ୍ୟ କେବେହେଲେ ମରୁଭୂମିକୁ ରୁକ୍ଷ ଓ ଶୁସ୍କ ବୋଲି କହିବ ନାହିଁ । କିନ୍ତୁ ଆଜି ସେସବୁ ପଛକଥା ଥାଉ, ତୋର ସମୟ ହେଲେ ଆଉ କେବେ କହିବି ।

 

ବାଆଁ ପାଖରେ ସୁଏଜ ଉପସାଗର । ଦୁଇ ଉପସାଗର ମଝିରେ ସିନାଇ ମାଳଭୂମି, ବାଇବେଲ୍‌ର ଅନ୍ୟତମ ତୀର୍ଥଭୂମି । ସୁଏଜ ଉପସାଗର ଭିତରକୁ ଆମର ଜାହାଜ ପ୍ରବେଶ କଲାବେଳେ ମୁଁ ବାହାରେ ଡେକ୍ ଉପରେ ଠିଆ ହୋଇଥାଏ । ମିଶର ଦେଶର ଏକ ଅନାମଧେୟ ଉଚ୍ଚ ପାହାଡ଼ର ଶିଖରଦେଶରେ ଦିନଟି ଅସ୍ତ ହେବାର ଉପକ୍ରମ କରୁଥାଏ । ସୂର୍ଯ୍ୟ ବୁଡ଼ିଯିବାର ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ପାହାଡ଼ଟିର ସର୍ବାଙ୍ଗ ଏକ ରକ୍ତାଭ ପ୍ରସନ୍ନତାରେ ସପ୍ରତିଭ ହୋଇ ରହିଥିଲା-। ଆପଣାର ବିଶାଳ ବକ୍ଷକୁ ପ୍ରସାରିତ କରିଦେଇ: ତାହା ଯେପରି କେଉଁ କୁଳର ପ୍ରପିତାମହି ପରି ସମୁଦ୍ର ଆଡ଼କୁ ଅନାଇ ରହିଥିଲା । କ୍ରମେ ଧରଣୀ ଅନ୍ଧାର ହୋଇ ଆସିଲା । ରକ୍ତିମ ଆକାଶ ନିର୍ମଳ ନୀଳବର୍ଣ୍ଣ ଧାରଣା କଲା । ସେହି ନୀଳପଟ ଉପରେ କୃଷ୍ଣକାୟ ଆଦିମ ପର୍ବତଟିର ମସୃଣ ଭାଲର ଶୋଭାକୁ ମୁଁ ମୁଗ୍‍ଧ ହୋଇ ଦେଖୁଚି, ଏ ପାଖରେ ସିନାଈ ମାଳଭୂମିର ଶୈଳ-ଶ୍ରେଣୀକୁ ଉଦ୍‌ଭାସିତ କରି ଦେଇ ବାଣୀର ଆଶୀର୍ବାଦ ପରି ଚନ୍ଦ୍ରୋଦୟ ହେଲା । କାଲି ପୂର୍ଣ୍ଣିମା ଯାଇଚି, ତଥାପି ତିଥି ଓ ବାରର ସମସ୍ତ ସଂଗତି ହରାଇ ବସିଥିବା ଏହି ବାଟ ଉପରେ ମୁଁ ଯେପରି ଆଜି ଏହି ଦୃଶ୍ୟଟିର ମଧ୍ୟଦେଇ ମୋର କୁମାର ପୂର୍ଣ୍ଣିମା ପାଳନ କଲି । ଚାହୁଁ ଚାହୁଁ ପୂର୍ଣ୍ଣଶଶୀ ଶିଖର ଉପରୁ ଆକାଶ ଉପରକୁ ଉଠି ଆସିଲା, ଦିଗନ୍ତର ପର୍ବତ ଶ୍ରେଣୀଠାରୁ ଆରମ୍ଭ କରି ସମୁଦ୍ରର ଜଳ ସମତଳ ପର୍ଯ୍ୟନ୍ତ ଚନ୍ଦ୍ରାଲୋକର ଅବଗାହନରେ ସୁନ୍ଦର ହୋଇ ଉଠିଲା । କାଲି ରାତ୍ରି ଅନେକବେଳ ଯାଏ ମୁଁ ଏକୁଟିଆଟି ଠିଆହୋଇ ଏହି ଶୋଭା ଦେଖୁଥିଲି ।

 

ସୁଏଜ ଉପସାଗର ପରେ ଯେଉଁ ଅଣଓସାରିଆ ସ୍ଥଳଭାଗଟି ଏସିଆ ଓ ଆଫ୍ରିକାକୁ ସଯୁକ୍ତ କରି ଦେଉଥିଲା, ତାକୁ ଆଗେ ଭୂଗୋଳ ବହିରେ ସୁଏଜ ଯୋଜକ ବୋଲି ପଢ଼ିବାକୁ ପଡ଼ୁଥିଲା । ସେତେବେଳେ ଏହି ଯୋଜକ ଭୂମଧ୍ୟସାଗରକୁ ଲୋହିତ ସାଗରରୁ ଅଲଗା କରି ରଖିଥିଲା । ସେତେବେଳେ ଇଉରୋପରୁ ଭାରତବର୍ଷ ବା ପୂର୍ବଭୂଖଣ୍ଡର ଯେକୌଣସି ଦେଶକୁ ଆସିବାକୁ ହେଲେ ସମ୍ପୂର୍ଣ୍ଣ ଆଫ୍ରିକା ମହାଦେଶର ଉପକୂଳର ବୁଲାଣିବାଟ ଧରି ଆସିବାକୁ ପଡ଼ୁଥିଲା-। ଇଉରୋପରୁ ଏସିଆକୁ ଆସିଥିବା ପ୍ରଥମ ନାବିକ ଭାସ୍କୋ-ଡ଼ା-ଗାମା ମଧ୍ୟ ଏହି ବୁଲାଣି ବାଟରେ ହିଁ ଆସି ଭାରତବର୍ଷରେ ପହଞ୍ଚିଥିଲେ । ବର୍ତ୍ତମାନ ସୁଏଜ ଯୋଜକରେ ସୁଏଜ କେନାଲ ଖୋଳା ହେବା ଫଳରେ ଏସିଆ ଇଉରୋପର ଅନେକ ନିକଟ ହୋଇ ପାରିଚି । ଇଉରୋପରୁ ଭାରତବର୍ଷକୁ ଆସିବାକୁ ହେଲେ ଆଉ ଆଫ୍ରିକାର ଉପକୂଳକୁ ପରିକ୍ରମା କରିବାକୁ ପଡ଼ୁନାହିଁ ।

 

ସୁଏଜ କେନାଲର ଇତିହାସ ଅନେକ ପୁରାତନ ସମୟର ଇତିହାସ । ସୁଏଜ ଯୋଜକର ଜନହୀନ ସ୍ଥଳଭାଗ ଉପରେ ଏକ କୁତ୍ରିମ ଜଳପଥ ବାହାର କରି ଦୁଇ ପାଖର ଦୁଇ ଜଳଭାଗକୁ ଏକତ୍ର ସଂଯୁକ୍ତ କରିପାରିଲେ ଯେ,ତଦ୍ୱାରା ବାଣିଜ୍ୟ ଓ ଅନ୍ୟାନ୍ୟ ସରବରାହରେ ଅନେକ ଲାଭ ହୋଇ ପାରିବ, ଏହି ବୃଦ୍ଧି ପ୍ରଥମେ ଇଉରୋପୀୟ ମଥାରୁ ବାହାରି ନାହିଁ । ଆଜିକୁ ପ୍ରାୟ ଚାରି ହଜାର ବର୍ଷ ପୂର୍ବେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ବିଂଶ ଶତାବ୍ଦୀରେ ପ୍ରଥମେ ମଣିଷର ମୁଣ୍ଡ ଭିତରେ ଏହି ବିଚାର ପ୍ରବେଶ କରିଚି । ପ୍ରଥମ ସୁଏଜ କେନାଲ ଖୋଳାଇଥିବାର ବାହାଦୂରୀ ମିଶରର ଜଣେ ସମ୍ରାଟଙ୍କୁ ଦେବାକୁ ହେବ । କିନ୍ତୁ ସେତେବେଳେ ଯେଉଁ କେନାଲ ଖୋଳାଯାଇଥିଲା, ସେଥିରେ ଆଧୁନିକ ଯୁଗର ବଡ଼ବଡ଼ ଜାହାଜ ଯାତାୟତ କରିବା କଦାପି ସମ୍ଭବ ହୁଅନ୍ତା ନାହିଁ । ଆମ ଜାହାଜଟି ବର୍ତ୍ତମାନ ଯେଉଁ କେନାଲ ମଧ୍ୟଦେଇ ଯାଉଚି, ତାହା ହେଉଚି, ମୋଟେ ଶହେ ବରଷର ପୁରୁଣା । ଫ୍ରାନ୍ସ ଦେଶରେ ଜଣେ ଇଞ୍ଜିନିଅରଙ୍କର ପରିକଳ୍ପନା ଅନୁସାରେ ଏହି କେନାଲ ଖୋଳା ହେବାର କାର୍ଯ୍ୟ ୧୮୫୯ ଖ୍ରୀଷ୍ଟାବ୍ଦରେ ଆରମ୍ଭ କରାଯାଇଥିଲା ଏବଂ ଦର୍ଶବର୍ଷ ପରେ ସାଧାରଣ ଜଳପଥ ହିସାବରେ ଏହି ନାଳ ୧୮୬୯ ଖ୍ରୀଷ୍ଟାବ୍ଦରେ ସବୁ ଦେଶଲାଗି ଉଦ୍‌ଘାଟିତ ହୋଇଥିଲା । ତୁ ଜାଣିଥିବୁ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ପରେ ମହାନଦୀରେ ଆନିକଟ ବନ୍ଧାହୋଇ ୧୮୬୯ ଖ୍ରୀଷ୍ଟାବ୍ଦରେ ଆମ କଟକ ଜିଲ୍ଲାରେ ନାଳମାନ ଖୋଲା ହୋଇଥିଲା-। ତେଣୁ ଆମ ଗାଆଁ ପାଖ ମାଛଗାଁ ଓ ତାଳଦଣ୍ଡା କେନାଲକୁ ଯେତିକି ବୟସ ହେଲା, ଏହି ସୁଏଜ କେନାଲକୁ ମଧ୍ୟ ପ୍ରାୟ ସେତିକି ବୟସ ବୋଲି ଧରି ନିଆଯାଇ ପାରିବ ।

 

ସୁଏଜ ବନ୍ଦରଠାରୁ ପୋର୍ଟ ସୟଦ ବନ୍ଦର ପର୍ଯ୍ୟନ୍ତ ଏହି କେନାଲଟିର ଲମ୍ବ ହେଉଛି ମୋଟେ ସତାଅଶୀ ମାଇଲ । ଆଗେ ଆଫ୍ରିକାର ଦକ୍ଷିଣ ସୀମା ହୋଇ ବୁଲିକରି ଆସିଲାବେଳେ ଜାହାଜଗୁଡ଼ିକୁ ବୋଧହୁଏ ପ୍ରାୟ ଆଠହଜାର ମାଇଲ ଅଧିକ ପଥ ଅତିକ୍ରମ କରିବାକୁ ପଡ଼ୁଥିଲା । ତେଣୁ ଏହି କେନାଲଟି ଦ୍ଵାରା ଆମ ପୃଥିବୀର କେତେ ଯେ ଉପକାର ହୋଇଛି, ତୁ ସେକଥା ବେଶ୍ ଅନୁମାନ କରି ପାରୁଥିବୁ । କିନ୍ତୁ ଗତ ୧୯୫୬ ମସିହା ପର୍ଯ୍ୟନ୍ତ ଏହି ନାଳଟି ଏକ ଇଉରୋପୀୟ କମ୍ପାନୀ ହାତରେ ଥିଲା । ଇଉରୋପୀୟ ବୋଲି କହିଲେ ଭୁଲ ହେବ, ଇଂରାଜୀ ବା ଫରାସୀ ବୋଲି କହିଲେ ମଧ୍ୟ ଭୁଲ ହେବ । କାରଣ ଇଂଲଣ୍ଡ ଓ ଫ୍ରାନ୍‌ସର କେତେଜଣ ସଦସ୍ୟଙ୍କୁ ନେଇ ଗଢ଼ା ହୋଇଥିବା ଗୋଟିଏ କମ୍ପାନୀ ହାତରେ ଏହି କେନାଲ ଏକ ବ୍ୟକ୍ତିଗତ ସ୍ୱତ୍ୱ ହୋଇ ରହିଥିଲା-। ଏଥିରୁ ଲାଭ ହେଉଥିବା କୋଟି କୋଟି ଟଙ୍କା କେବଳ ଏହି କେତେଜଣଙ୍କର ପକେଟକୁ ହିଁ ଯାଉଥିଲା-। ପୃଥିବୀର ସମସ୍ତ ସଭ୍ୟଦେଶ ଏହି ବ୍ୟବସ୍ଥାଟିକୁ ଇତିହାସ ବୋଲି ମାନି ନେଇଥିଲେ-। ଆଫ୍ରିକା ବା ଏସିଆର ଅନ୍ୟ ଦେଶମାନଙ୍କ ଲାଗି ସେତେବେଳେ ଏହି ବିଷୟରେ କୌଣସି କଥା କହିବାର ହିଁ ଅଧିକାର ନ ଥିଲା । ଯେଉଁ ମିଶରର ଭୂଇଁ ଉପରେ ଏହି ନାଳଟି ଖୋଳା ହୋଇଚି, ଆପଣା ଦେଶର ହୋଇ ମଧ୍ୟ ତଥାପି ସେହି ମିଶରବାସୀଙ୍କର ଏଥିରେ କୌଣସି ହାତ ନ ଥିଲା-। ଗୋରା ଅଫିସରମାନଙ୍କ ଅଧିନରେ ସେତେବେଳେ କୁଲି କାମକରି ସେମାନେ ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେତିକି । ସାମ୍ରାଜ୍ୟ ଓ ସାମ୍ରାଜ୍ୟବାଦୀ ବେପାର ବଣିଜର ନୀତି ଅନୁସାରେ ଏହି ବ୍ୟବସ୍ଥାକୁ ସେତେବେଳେ ଉଚିତ ବ୍ୟବସ୍ଥା ବୋଲି ବିଚାର କରାଯାଉଥିଲା । ଗତ ଶତାବ୍ଦୀରେ ମିଶର ଇଂରେଜମାନଙ୍କର ଅଧୀନରେ ଥିଲା । ତେଣୁ ସେହି ଇଂରେଜମାନଙ୍କର ଜମିଦାରୀରେ ହିଁ ସୁଏଜ କେନାଲ ଖୋଳାଯାଇଥିଲା । ଇଂରେଜ ସାମ୍ରାଜ୍ୟରୁ ମୁକ୍ତ ହୋଇ ଯେତେବେଳେ ସ୍ଵାଧୀନ ମିଶର ଜନ୍ମଗ୍ରହଣ କଲା, ସେତେବେଳେ ସୁଏଜ କେନାଲ ଯେଉଁ କମ୍ପାନୀର ଅଧୀନରେ ଥିଲା, ସେହି କମ୍ପାନୀର ହୋଇ ରହିଲା । କେନାଲର ଦୁଇପାଖରେ ଭୂଇଁ ମିଶରଦେଶର ଅଂଶ ହୋଇ ରହିଲା, କିନ୍ତୁ କେନାଲର ବାଣିଜ୍ୟ ଉପରେ ମିଶରକୁ କୌଣସି ଅଧିକାର ଦିଆଗଲା ନାହିଁ ।

 

୧୯୫୬ ମସିହାରେ ମିଶର ଦେଶର ରାଷ୍ଟ୍ରପତି ଅବଦୁଲ ଗାମେଲ ନାସେର ସୁଏଜ କେନାଲକୁ ମିଶର ଦେଶର ଜାତୀୟ ସମ୍ପତ୍ତି ବୋଲି ଘୋଷଣା କରିଦେଲେ । ଇତିହାସର ପଥର ଏହି ଘୋଷଣାରେ ଦୁଲୁକି ଉଠିଲା । ଇଉରୋପୀୟ ସାମ୍ରାଜ୍ୟ-ପରମ୍ପରାର ସିଂହ ଅର୍ବାଚୀନ ମିଶରର ଆସ୍ପର୍ଦ୍ଧା ଦେଖି ଗର୍ଜନ କରି ଉଠିଲା । ସିନାଇର ପାହାଡ଼ ଭୂଇଁ ଯୁଦ୍ଧ ଭୂଇଁରେ ପରିଣତ ହେଲା । ଇସ୍ରାଏଲକୁ ଆଳକରି ଧରି ଇଂଲଣ୍ଡ ଓ ଫ୍ରାନ୍ସ ମିଶର ସହିତ ଯୁଦ୍ଧ କରିବାକୁ ଧାଇଁ ଆସିଲେ-। କିନ୍ତୁ ସେମାନଙ୍କୁ ଜାଣିବାକୁ ପଡ଼ିଲା ଯେ ସଂସାରରେ ଯୁଦ୍ଧର ସମୟ ଅତୀତ ହୋଇ ଗଲାଣି । ଜନମତର ସମୟ ହେଲାଣି । ମିଳିତ ଜାତିସଂଘର ବିଶ୍ୱସଭାରେ ମିଶରର ଦାବୀ ସ୍ୱୀକୃତ ହେଲା । ତେଣୁ ଗତ ଦୁଇଶହ ବର୍ଷ ଧରି ନାନା ଦେଶରେ ନାନା ନ୍ୟାୟକୁ ଆତ୍ମସାତ୍ କରି ସାମ୍ରାଜ୍ୟ ବଢ଼ାଇବା ସୈନ୍ୟବଳ ପଛକୁ ହଟିଗଲା । ସୁଏଜ କେନାଲ ମିଶରର ସମ୍ପତ୍ତି ହେଲା । ସେହି କନ୍ଦଳବେଳେ ଯେଉଁମାନେ ଇଂଲଣ୍ଡର ପକ୍ଷରେ ରହିଥିଲେ, ସେମାନେ ମଧ୍ୟ କାଳକ୍ରମେ ଏହି ନିଷ୍ପତ୍ତିକୁ ସ୍ୱୀକାର କରିନେଲେ । ବଡ଼ ଅଭିମାନ କରି ଇଂଲଣ୍ଡ ମିଶର ସହିତ ଆପଣାର ସମସ୍ତ ସମ୍ପର୍କ ଛିନ୍ନ କରି ନେଇଥିଲା ଏବଂ ସେହି ଛିନ୍ନ ସମ୍ପର୍କ ଏବେ ପୁଣି ଯୋଡ଼ା ସରିଲାଣି । ଅର୍ଥାତ୍ ଖୋଦ୍ ଇଂଲଣ୍ଡ ମଧ୍ୟ ସୁଏଜ କେନାଲ ଉପରେ ମିଶରର ଅଧିକାରକୁ ମାନିନେଇ ସାରିଲାଣି । ଗତ ଛଅବର୍ଷ ହେଲା ସୁଏଜ କେନାଲ ମିଶରର ଜାତୀୟ ଜଳପଥ ହୋଇ ରହିଚି ।

 

ସାମ୍ରାଜ୍ୟ-ବୃଦ୍ଧି ଓ ସାମ୍ରାଜ୍ୟ-ରକ୍ଷାର ଯୁଗରେ ସୁଏଜ କେନାଲ ପ୍ରଧାନତଃ ସାମାଜ୍ୟବାଦୀମାନଙ୍କର ସେବାହିଁ କରୁଥିଲା । ଆନ୍ତର୍ଜାତିକ ସ୍ୱାର୍ଥ କହିଲେ ସେତେବେଳେ ପ୍ରଧାନତଃ ଇଉରୋପ ଓ ଆମେରିକାର ସ୍ୱାର୍ଥକୁ ବୁଝାଉଥିଲା । ଏସିଆ ମହାଦେଶର ଉପନିବେଶଗୁଡ଼ିକୁ ଶାସନ ଓ ଶୋଷଣ କରିବାରେ ସୁଏଜ କେନାଲ ସେହି ଶତାବ୍ଦୀମାନଙ୍କରେ ଅନେକ ସାହାଯ୍ୟ କରିଥିବ । କିନ୍ତୁ ଏ ଯୁଗରେ ସେପରି ହୋଇ ପାରିବ ନାହିଁ । ଏପରିକି ମିଶରର ଜାତୀୟ ସମ୍ପତ୍ତି ହେଲେ ମଧ୍ୟ ଏହାକୁ କେବଳ ମିଶରର ସ୍ଵାର୍ଥସିଦ୍ଧି ଲାଗି ଏକ ସାଧନ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ । ମିଶରର ସ୍ଵାର୍ଥ ସାଧନ କରୁଥିବା କୌଣସି ଯୁଦ୍ଧରେ ବା କୌଣସି କୂଟନୀତିରେ ସୁଏଜ କେନାଲର ଆନ୍ତର୍ଜାତିକତାକୁ ବାନ୍ଧି ଦିଆଗଲେ ତାହା କେବଳ ଅନ୍ୟାୟହିଁ ହେବ । କିନ୍ତୁ ଦୁଃଖର କଥା, ମିଶର ଏ ପର୍ଯ୍ୟନ୍ତ ଇସ୍ରାଏଲ ଦେଶର ଜାହାଜଗୁଡ଼ିକୁ ଏହି କେନାଲ ଭିତର ଦେଇ ଯିବାକୁ ଅନୁମତି ଦେଉ ନାହିଁ ଏବଂ ଆପଣା ଅଧକାର ଜନିତ ସମ୍ମାନର ଯୋଗ୍ୟ ହୋଇ ପାରି ନାହିଁ । ତୁ ଜାଣିଥିବୁ, ମିଶର ଦେଶ ଇସ୍ରାଏଲର ଅସ୍ତିତ୍ୱକୁ ସ୍ୱୀକାର କରେ ନାହିଁ । ତେଣେ ମିଳିତ ଜାତିସଂଘରେ ଇସ୍ରାଏଲ ଦେଶକୁ ଏକ ସଦସ୍ୟ ହିସାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ତଥାପି ସେହି ଦେଶକୁ ଏପରି ଭାବରେ ଅସ୍ୱୀକାର କରିବାର ଅର୍ଥ ଆଧୁନିକ ଇତିହାସ ଓ ଆଧୁନିକ ନୀତିକୁ ଅସ୍ୱୀକାର କଲାପରି ହେବ । ମିଶର ଓ ଇସ୍ରାଏଲ ମଧ୍ୟରେ ହୁଏତ ଅନେକ ଅମୀମାଂସିତ ସମସ୍ୟା ଥାଇପାରେ । ଦୁଇଦେଶ ମଧ୍ୟରେ ହୁଏତ ଅନେକ ବିବାଦ ମଧ୍ୟ ଥାଇପାରେ-। କିନ୍ତୁ ସେଥିଲାଗି ସୁଏଜ କେନାଲକୁ ଇସ୍ରାଏଲ ଲାଗି ବନ୍ଦକରି ରଖିବା ଆଦୌ ଉଚିତ ନୁହେଁ । ନୀତି ଦୃଷ୍ଟିରୁ ଦେଖିବାକୁ ଗଲେ ସୁଏଜ ହେଉଚି ଏକ ଆନ୍ତର୍ଜାତିକ ସମ୍ପତ୍ତି । ପୃଥିବୀର ସବୁ ଦେଶର ଜାହାଜ ଲାଗି ଏହି କେନାଲ ମଧ୍ୟଦେଇ ଯାତାୟତ କରିବାର ସୁବିଧା ରହିବା ଆବଶ୍ୟକ । ଅବଶ୍ୟ ମିଶର ଦେଶ ଏହି ଆନ୍ତର୍ଜାତିକ ସମ୍ପଦର ମାରଫତଦାର ହୋଇ ରହିବ, ଏହାର ସୁରକ୍ଷା ଓ ତତ୍ତ୍ୱାବଧାନ କରିବାର ପ୍ରତିବଦଳରେ କେନାଲରୁ ଉଦ୍‍ବୃତ୍ତ ଆୟକୁ ଭୋଗ କରିବ–ଆଜି ନ ହେଲେ ମଧ୍ୟ ଦିନେନା ଦିନେ ମିଶରକୁ ଏହି ସତ୍ୟକୁ ସ୍ୱୀକାର କରିନେବାକୁ ପଡ଼ିବ । ସୁଏଜ ବନ୍ଦରଠାରୁ ମିଶର ଦେଶର ଚାଳକ ବର୍ତ୍ତମାନ ଆମ ଜାହାଜକୁ ଚଳାଇ ନେଉଅଛନ୍ତି-। କେନାଲର ଇତିହାସରେ ଅନେକ ଦିନରୁ ଏହି ନିୟମଟି ଚଳି ଆସୁଚି । କେନାଲର ଦୁଇ ପାଖରେ ବାଲି ବନ୍ଧ । ଦୁଇ ପାଖରେ ଭୂମି କେବଳ ମରୁଭୂମି । କେବଳ ଏକ ପତଳା ପଥର-ଗାନ୍ଥନି କରାଯାଇ ଏହି ବାଲିକୁ ଯେକୌଣସି ପ୍ରକାରେ ଅଟକାଇ ରଖାଯାଇଚି । ଆମର ଜାହାଜ ସମୁଦ୍ର ଭିତରେ ଯେଉଁ ଗତିରେ ଯାଉଥିଲା, କେନାଲ ଭିତରେ ମଧ୍ୟ ସେହି ଗତିରେ ଯାଉଥିଲେ, ଦୁଇ ପାଖର ବାଲିବନ୍ଧ ଧସି ଯାଉ ଥାଆନ୍ତା ଏବଂ ସବୁ ଜାହାଜ ଆପଣା ମନ ମୁତାବକ ବେଗରେ କେନାଲ ଭିତରେ ଜାହାଜ ଚଳାଉଥିଲେ କେନାଲଟି ଅଚିରେ ପୋତିହୋଇ ପଡ଼ନ୍ତା । ସେଥିଲାଗି ଏଠାରେ କୌଣସି ଜାହାଜକୁ ଆପଣା ମନମୁତାବକ ଗତିରେ ଯିବାକୁ ଅନୁମତି ମିଳେନାହିଁ । କେନାଲ ଭିତରେ ପ୍ରତ୍ୟେକ ଜାହାଜ ଲାଗି ଉଚିତ ଗତି ହେଉଚି ଘଣ୍ଟାକୁ ୫-୧୦ ମାଇଲ । ଏହି ଗତି ସୀମା ଭିତରେ ଯେପରି ଜାହାଜଗୁଡ଼ିକ ପୋର୍ଟସୟଦ ଯାଏ ଚାଲି ପାରିବ, ସେଥିଲାଗି କେନାଲ ତରଫରୁ ଚାଳକ ଆସି ଏଠି ପ୍ରତ୍ୟେକ ଜାହାଜକୁ ଚଳାଇ ନିଅନ୍ତି । ତଥାପି କେନାଲ ଭିତରେ କିଛି କମ୍ ବାଲି ଅତଡ଼ା ଖସେ ନାହିଁ । ସେଥିପାଇଁ ପ୍ରାୟ ପ୍ରତ୍ୟହ ଯନ୍ତ୍ର ସାହାଯ୍ୟରେ କେନାଲର କୌଣସି ସ୍ଥାନରୁ ବାଲି ଉଠାଇ କୂଳ ଉପରକୁ ଫୋପାଡ଼ି ଦିଆଯାଏ । ତଦ୍ଦ୍ୱାରା କେନାଲର ଗଭୀରତା ଯଥାସମ୍ଭବ ଅକ୍ଷୁଣ୍ଣ ରହେ ।

 

ଆମ ଜାହାଜର ଲୋକସଂଖ୍ୟାରୁ ଆଜି ପ୍ରାୟ ଶହେ ସରିକି ମଣିଷ କମି ଯାଇଥାନ୍ତି । ସେମାନେ ମିଶର ଦେଶ ବୁଲି ଯାଇଚନ୍ତି । ସକାଳ ପାଞ୍ଚଟା ବେଳେ ସେମାନେ ସୁଏଜ ବନ୍ଦରଠାରୁ ସ୍ଥଳଭାଗକୁ ଓହ୍ଲାଇ ଯାଇଚନ୍ତି, ଏବଂ ସନ୍ଧ୍ୟାବେଳକୁ ପୋର୍ଟସୟଦ ବନ୍ଦରଠାରେ ପୁଣି ଆସି ଜାହାଜରେ ଚଢ଼ିବେ । ସୁଏଜ ସହର ଦେଖିବା ପରେ ସେମାନେ ମଟର ଚଢ଼ି ମିଶରର ରାଜଧାନୀ କାଇରୋ ଯିବେ । ସେଠୁ ନଗରର ଉପକଣ୍ଠରେ ଥିବା ଗୀଜାର ପୀରାମିଡ଼ ଦେଖିବାକୁ ଯିବେ ଓ ଉପରବେଳା ନଗରରେ ଥିବା ସଂଗ୍ରାହଳୟ ଓ ପୁରାତନ ମସଜିଦ୍‍ମାନ ମଧ୍ୟ ବୁଲି ଦେଖିବେ । ତା ପରେ ସେଠାରୁ ମଟରରେ ବାହାରି ଆମେ ଠିକ୍ ରାତ୍ରିଭୋଜନ କଲା ବେଳକୁ ସେମାନେ ଆସି ପୋର୍ଟସୟଦ ବନ୍ଦରରେ ଆମ ସହିତ ଯୋଗ ଦେବେ । ମୁଁ ଏହି ଭ୍ରମଣରେ ଯାଇ ନାହିଁ । କାରଣ ଇଉରୋପରୁ ଫେରିଲାବେଳେ ଗତଥର ମୁଁ ମିଶରର ପ୍ରାୟ ସମସ୍ତ ଦର୍ଶନୀୟ ସ୍ଥାନ ଦେଖି ଆସିଛି । ପ୍ରଧାନତଃ ପୀରାମିଡ଼ ଓ କାଇରୋ ସହର ଦେଖିବା ଲାଗି ଗତଥର ମୁଁ ଏହି ଦେଶରେ ପ୍ରାୟ ପାଞ୍ଚଦିନ କଟାଇଥିଲି ।

 

ବନ୍ଦର ଛାଡ଼ି କେନାଲ ଭିତରେ ପ୍ରବେଶ କଲାବେଳକୁ ଆମେ ଦୂରରୁ ସୁଏଜ ସହରର କେତେକ ଅଂଶ ଭଲ ଭାବରେ ଦେଖିବାକୁ ପାଇଚୁ । ମରୁଭୂମିକୁ ସୁନ୍ଦର କରିବାକୁ ହେଲେ ମଣିଷଦ୍ୱାରା ଯେତେ ଯାହା କରିବା ସମ୍ଭବ ହୋଇପାରେ, ତାହା କରାଯାଇ ସୁଏଜ ସହରଟିକୁ ସୁନ୍ଦର କରି ରଖାଯାଇଚି । ସମୁଦ୍ରର କୂଳେ କୂଳେ ରାସ୍ତା-ପ୍ରଶସ୍ତ ରାସ୍ତା ସେପାଖରେ ଭାରି ସୁନ୍ଦର ସୁନ୍ଦର ବଗିଚା ଓ ତା' ସେ ପାଖରେ ସୁଦୃଶ୍ୟ ହର୍ମ୍ୟମାଳା । ବଗିଚା ଭିତରେ ଅବଶ୍ୟ ଫୁଲଗଛର ସଂଖ୍ୟା ବେଶି ନୁହେଁ । ମୋର ଆଖିରେ ପଡ଼ିବା ଭିତରେ ମୁଁ ନାଲି ରଙ୍ଗର କରବୀ ଫୁଲ ଓ ହଳଦିଆ ରଙ୍ଗର ଗୋଟାଏ ପ୍ରକାର କନିଅର ଫୁଲକୁ ଚିହ୍ନି ପାରିଲି । ରାସ୍ତାର ଦୁଇ ପାଖରେ ଝାଉଁଗଛ । ବଗିଚାରେ ଏଠି ସେଠି ଝଙ୍କାଳିଆ ହୋଇ ଖଜୁରୀ ଗଛ । ପଢ଼ିଲାବେଳକୁ ତୋତେ ହସ ମାଡ଼ୁଥିବ । କିନ୍ତୁ ମରୁଭୂମିରେ ଏହି ଖଜୁରୀ ଗଛର ସୌନ୍ଦର୍ଯ୍ୟ କିଛି କମ ମୂଲ୍ୟବାନ୍ ନୁହେଁ । ଅବଶ୍ୟ ଆମ ଦେଶର ଖଜୁରୀଗଛଠାରୁ ମିଶର ଦେଶର ଖଜୁରୀଗଛ ଏକାବେଳକେ ନିଆରା ।

 

ସୁଏଜ ବନ୍ଦରର ଆଉ ଗୋଟିଏ ଘଟଣା ତୋତେ ଲେଖିବାକୁ ଭୁଲି ଯାଉଚି । କାଲି ରାତିରେ ଆମ ଜାହାଜ ଆସି ବନ୍ଦର ଭିତରେ ଠିଆ ହେଲା ପୂର୍ବରୁ ପ୍ରାୟ କୋଡ଼ିଏଟି ସରିକି ଛୋଟିଆ ଷ୍ଟୀମର ଦୁଇପାଖରେ ଧାଡ଼ିବାନ୍ଧି ଆମର ଅପେକ୍ଷା କରି ଠିଆ ହୋଇଥିଲେ । ଆମର ଜାହାଜକୁ ସ୍ୱାଗତ ଜଣାଇବା ପାଇଁ ନୁହେଁ, ଆକ୍ରମଣ କରିବା ପାଇଁ । ଏହିସବୁ ଷ୍ଟୀମର ହେଉଚି ବେପାରୀମାନଙ୍କର । ପ୍ରତ୍ୟେକ ଯାତ୍ରୀବାହୀ ଜାହାଜ ବନ୍ଦର ଭିତରକୁ ଆସିବା ମାତ୍ରକେ ଏମାନେ ମିଶର ଦେଶର ତିଆରି ନାନା ପ୍ରକାର ସାମଗ୍ରୀ ଧରି ଜାହାଜ ଉପରକୁ ଆସନ୍ତି । ଯେଉଁ କେତୋଟି ଘଣ୍ଟା ସକାଶେ ଜାହାଜ ବନ୍ଦରରେ ନଙ୍ଗର ପକାଇ ରହେ, ସେହି କେତେଘଣ୍ଟା ଏମାନେ ଜାହାଜ ଉପରେ ଆପଣା ଆପଣାର ବିପଣି ମେଲାଇ ଦିଅନ୍ତି । ମୁଁ ତ କାଲି ରାତିରେ ଶୋଇପଡ଼ିଥିଲି, ତେଣୁ ଆଜି ସକାଳେ ଯାଇ ଏମାନଙ୍କର ମେଳା ଦେଖିବାକୁ ପାଇଲି ।

 

ଜାହାଜ ଉପରକୁ ବାହାରି ଦେଖିଲି-ବାଟ, ଦୁଆରମୁହଁ କେଉଁଠି ଆଉ ଟିକିଏ ହେଲେ ରାହା ନାହିଁ । ଯେଉଁଠି ଏମାନେ କଣେ ହେଲେ ଜାଗା ପାଇଚନ୍ତି, ସେଠାରେ ଆପଣାର ବଜାର ମେଲାଇ ଦେଇଚନ୍ତି । ଆମ ଜାହାଜର ଯାତ୍ରୀମାନେ ଆପଣା ସଉକ ଓ ସଞ୍ଚିତ ଅର୍ଥର ଅନୁପାତରେ ଏହି ଶୋଭା-ବଜାରରେ ସଉଦାକରି ବାହାରିଚନ୍ତି । ଚମଡ଼ାର ସୁଟକେଶ୍, ହ୍ୟାଣ୍ଡବ୍ୟାଗ୍, ମନିବ୍ୟାଗ, କାଠତିଆରି ସୁନ୍ଦର ସୁନ୍ଦର ଜିନିଷ, ପିଲାଙ୍କ ପାଇଁ ସୌଖିନ୍ କଣ୍ଢେଇ, ମିଶର ଦେଶର ସୁସ୍ୱାଦୁ ଖଜୁର, ଚମତ୍କାର ବୁଣା ହୋଇଥିବା ଗାଲିଚା–ଏହିପରି କେତେକଣ ଜିନିଷ । ଯେଉଁମାନେ ସଉଦା ବିକିବାକୁ ଆସିଚନ୍ତି, ସେମାନଙ୍କ ପାଖରେ ଭାଷାର କୌଣସି ସମସ୍ୟା ନାହିଁ । କାରଣ ଏମାନେ ପ୍ରାୟ ଡଜନେଖଣ୍ଡେ ଭାଷା ଆୟତ୍ତ କରି ରଖିଚନ୍ତି । ଜଣେ କୁଶଳ ବିକାଳୀ ହେବାଲାଗି ଯେଉଁ ପରିମାଣରେ ଯେଉଁ ଭାଷାର ପ୍ରୟୋଜନ, ତାହା ଏମାନଙ୍କର କଣ୍ଠସ୍ଥ ହୋଇ ରହିଚି । ଏମାନେ ଇଂରାଜୀ ଜାଣିଚନ୍ତି, ଜର୍ମାନ୍‍ ଜାଣିଚନ୍ତି, ଫରାସୀ ଓ ଇତାଲୀୟ ଭାଷା ଜାଣିଚନ୍ତି, ହିନ୍ଦୀ ଓ ଉର୍ଦ୍ଦୁ ମଧ୍ୟ କହି ପାରୁଚନ୍ତି । ଯେତେବେଳେ ଯେଉଁ ଭାଷା କହିବା ଦରକାର ହେଉଚି, ଘରଭିତରେ ଗୋଟାକ ପରେ ଆଉ ଗୋଟାଏ ଝରକା ଫିଟାଇଦେଲା ପରି ସେମାନେ ସେହି ଭାଷାର ବ୍ୟବହାର କରି ଚାଲିଚନ୍ତି । କଥାରେ ମଧ୍ୟ ବାଟୁଳି ବାଜୁନାହିଁ ।

 

ପୃଥିବୀଯାକର ଭାଷାକୁ କଣ୍ଠସ୍ଥ କରି ଆସିଥିବା ପରି ଏହି ବେପାରୀମାନେ ପୃଥିବୀଯାକ ବିଭିନ୍ନ ଦେଶରେ ଚଳୁଥିବା ମୁଦ୍ରାକୁ ଆପଣାର ପକେଟସ୍ଥ କରିବାଲାଗି ପ୍ରସ୍ତୁତ ହୋଇ ଆସିଚନ୍ତି । ତୁମେ ଯେ କୌଣସି ଦେଶର ମୁଦ୍ରା ଦିଅ, ଏମାନଙ୍କର କୌଣସି ଆପତ୍ତି ନାହିଁ । କେବଳ ଏମାନଙ୍କଠାରୁ କୌଣସି ନା କୌଣସି ଜିନିଷ ଖରିଦ କଲେ ହେଲା । ପାଉଣ୍ଡ, ଶିଲିଙ୍ଗ୍‍ ଦେଲେ ରାଜି, ଇତାଲୀ ଦେଶର ଲିରା ଦେଲେ ରାଜି ବା ଭାରତୀୟ ଟଙ୍କା ଅଣା ପଇସା ଦେଲେ ମଧ୍ୟ ରାଜି-। ଏଇଟା ବେଶ୍ ଏକ ଚମତ୍କାର ବ୍ୟବସ୍ଥା । ସେଇଥିପାଇଁ ଏମାନଙ୍କର ବେପାର ମଧ୍ୟ ଭାରି ଚମତ୍କାର ଭାବରେ ଜମି ପାରିଚି । ଜିନିଷ ଘେନି ପଇସା ଦେବାବେଳକୁ କାହାକୁ କୌଣସି କଷ୍ଟ ସହିବାକୁ ପଡ଼ୁନାହିଁ । କାରଣ ପ୍ରତ୍ୟେକ ଜିନିଷର ମୂଲ୍ୟ କୋଉ ଦେଶର ମୁଦ୍ରାରେ କେତେ ହେବ, ଏହି ବେପାରୀମାନେ ସେକଥା ବଡ଼ ନିର୍ଭୁଲ ଭାବରେ ହିସାବ କରି କଣ୍ଠସ୍ଥ କରି ରଖିଚନ୍ତି । ଆଜି ସକାଳେ ଜଣେ ଭାରତୀୟ ବନ୍ଧୁ ଜଣେ ବେପାରୀ ଠାରୁ ଗୋଟିଏ ସୁଟ୍‍କେଶ୍ କିଣିଲେ । ତାହାର ମୂଲ୍ୟ ସେ କେଉଁ ଦେଶର ମୁଦ୍ରାରେ ଦେଲେ ଜାଣିବୁ ? ବିଦେଶୀ ମୁଦ୍ରା ଦେବା ତ ଦୂରେ ଥାଉ, ତାଙ୍କୁ ଟଙ୍କା ମଧ୍ୟ ବାହାର କରିବାକୁ ପଡ଼ିଲା ନାହିଁ । ଭାରତବର୍ଷରୁ ସାଙ୍ଗରେ ଆଣିଥିବା ସିଗାରେଟ୍ ଦେଇ ସେ ସୁଟ୍‍କେଶ୍‍ଟି କିଣିଲେ । ବେପାରୀ ଅତି ଆଗ୍ରହର ସହିତ ସୁଟ୍‍କେଶ୍‍ ଦେଇ ସିଗାରେଟ୍‌ଗୁଡ଼ିକୁ ନେଲା । କାରଣ ମିଶର ଦେଶରେ ଭାରତରେ ତିଆରି ହେଉଥିବା ସିଗାରେଟ୍ କୁଆଡ଼େ ଭାରି ମହଙ୍ଗା । ତେଣୁ ସେ ଏହି ସିଗାରେଟ୍‍ଗୁଡ଼ିକୁ ନେଇ ସୁଏଜ୍‍ର ବଜାରରେ ବେଶ୍ ଚଢ଼ା ଦାମରେ ବିକ୍ରି କରି ପାରିବ ଓ ଅଧିକ ଲାଭ କରିପାରିବ । ମୁଁ ମନେ ମନେ ଭାବୁଥାଏ, ଏହାକୁ ହି ସବୁଠାରୁ ବଡ଼ ବେପାର ବୋଲି କୁହାଯାଇ ପାରିବ । କାରଣ ଏଥିରେ କିଣାଳୀ ଆଉ ବିକାଳୀ ଉଭୟ ପକ୍ଷର ମନ ଖୁସି, ନୁହଁ କି ?

 

କିନ୍ତୁ ଆଜି ଏତିକି ଥାଉ । ମୋତେ ଉପରକୁ ଯିବାକୁ ହେବ । କେନାଲର ଦୁଇ କୂଳରେ ଅତିକ୍ରାନ୍ତ ହୋଇ ଯାଉଥିବା ପୃଥିବୀ ମୋତେ କେତେବେଳୁ ଡାକୁଚି । ଅନେକ ସଂଯମର ସହିତ ମୁଁ ଏଠାରେ ଏତେବେଳଯାଏ ବସିରହି ତୋ ପାଖକୁ ଏସବୁ ଲେଖୁଥିଲି । କିନ୍ତୁ ଆଉ ଅଧିକ ପାରିବି ନାହିଁ ।

Image

 

ସାତ

 

ଭୂମଧ୍ୟସାଗର

ତା ୧୬/୧୦/୬୨

ସ୍ନେହର ଜଟି,

 

କାଲି ସକାଳେ ଏତେବେଳକୁ ଆମର ଜାହାଜ ସୁଏଜ ବନ୍ଦର ଛାଡ଼ି ସୁଏଜ କେନାଲ ଭିତରକୁ ପ୍ରବେଶ କରୁଥିଲା । ଆଜି ସକାଳେ ଏତେବେଳକୁ ଆମେ ପୋର୍ଟସୟଦ୍ ବନ୍ଦରକୁ କୋଉ ପଛରେ ପକାଇଦେଇ ଆସିଲୁଣି । ବର୍ତ୍ତମାନ ଆମେ ଭୂମଧ୍ୟସାଗର ଭିତରେ । ଏସିଆ ପଛରେ ପଡ଼ି ରହିଲାଣି । ବାଁଆପାଖରେ ଆଫ୍ରିକା ଓ ଡାହାଣ ପାଖରେ ଇଉରୋପ । କିନ୍ତୁ ସେସବୁର ଅସ୍ତିତ୍ୱ ଆମଠାରୁ ଅନେକ ଦୂରରେ । ବର୍ତ୍ତମାନ କେବଳ ପାଣି ଆଉ ପାଣି । ଠିକ୍ ଆରବସାଗରରେ ଯେପରି ଥିଲା, ଏଠି ମଧ୍ୟ ସେହିପରି । ପଅରିଦିନ ଯାଏ ଆମେ ପାଣି ବ୍ୟତୀତ ଆଉ କିଛିହେଲେ ଦେଖିବାକୁ ପାଇବୁନାହିଁ । ପଅରିଦିନ କେତେ ଚଞ୍ଚଳ ଆସିବ, ଏହି ବ୍ୟସ୍ତତାରେ ଆମଭିତରୁ ଅନେକ ସହଯାତ୍ରୀ ଅସ୍ଥିର ହୋଇ ପଡ଼ିଲେଣି ।

 

ଯେଉଁ ତିନୋଟି ପ୍ରାଚୀନ ସଭ୍ୟତା ଆଧୁନିକ ସଭ୍ୟତାର ମୂଳଦୁଆକୁ ତିଆରି କରିଚି, ବର୍ତ୍ତମାନ ଆମେ ସେହି ତିନୋଟି ସଭ୍ୟତାର ଭୂମି ମଧ୍ୟରେ ଥିବା ସମୁଦ୍ର ଭିତରଦେଇ ଯାଉଚୁ । ଗୋଟିଏ ପାଖରେ ମିଶର-ବିଜ୍ଞାନ ଓ ଜ୍ଞାନର ନଗରୀ ଆଲେକ୍‌ଜାଣ୍ଡ୍ରିଆକୁ କେନ୍ଦ୍ରକରି ଦିନେ ସେଠାରେ ଯେଉଁ ବିରାଟ ସଭ୍ୟତା ଗଢ଼ି ଉଠିଥିଲା, ଆଧୁନିକ ଜ୍ଞାନ ଓ ବିଜ୍ଞାନଲାଗି ତାହାର ଅବଦାନ କିଛି କମ୍ ନୁହେଁ । ଆଫ୍ରିକାକୁ ଯେଉଁମାନେ ଅନ୍ଧକାରାଚ୍ଛନ୍ନ ମହାଦେଶ ବା Dark Continent ବୋଲି କହନ୍ତି, ସେମାନେ ବୋଧହୁଏ ମିଶରକୁ ଭୁଲିଯାଆନ୍ତି କିମ୍ବା ଇଉରୋପର ଗଢ଼ାହେବାରେ ମିଶରର ଉପାଦାନଟିକୁ ସ୍ୱୀକାର କରିବାକୁ ଇଚ୍ଛା କରନ୍ତି ନାହିଁ ।

 

ଆରପାଖରେ ଗ୍ରୀସ୍ । ଇଉରୋପର ରାତି ପ୍ରଥମେ ଏହି ଗ୍ରୀସ୍‍ରେ ପାହିଥିଲା । ଇଉରୋପର ସାଂସ୍କୃତିକ ଗଗନରେ ପ୍ରଥମେ ଗ୍ରୀସ୍‍ର ଏହି ପୂର୍ବ ଦିଗ୍‍ବଳୟରେ ହିଁ ସଭ୍ୟତା ଓ ସଂସ୍କୃତିର ସିନ୍ଦୂରା ଫାଟିଥିଲା । ତୁ ଗ୍ରୀସ୍ ଦେଶର ମହାବୀର ଆଲେକ୍‌ଜାଣ୍ଡରଙ୍କ କଥା ପଢ଼ିଥିବୁ । କିନ୍ତୁ ତାର ବହୁପୂର୍ବରୁ ଗ୍ରୀସ୍‍ର ଦର୍ଶନ, ଗ୍ରୀସ୍‍ର ସାହିତ୍ୟ ଓ ଗ୍ରୀସ୍‍ର ସମାଜ ଯେଉଁ ଉନ୍ନତ ସ୍ତରରେ ପହଞ୍ଚି ପାରିଥିଲେ, ତୁ ବଡ଼ହେଲେ ସେସବୁ ଅବଶ୍ୟ ପଢ଼ିବୁ । କାରଣ ଗ୍ରୀକ୍ ସଭ୍ୟତାର ଏହି ମୂଳ ନାଡ଼ୀଟିକୁ ଠିକ୍ ଭାବରେ ନବୁଝିଲା ପର୍ଯ୍ୟନ୍ତ ଆମେ ଆଧୁନିକ ଇଉରୋପୀୟ ସଭ୍ୟତାର ମୂଳ ପ୍ରାଣ ଓ ପ୍ରେରଣାଟିକୁ କଦାପି ଠିକ୍‌ ଭାବରେ ବୁଝିପାରିବା ନାହିଁ । ଖ୍ରୀଷ୍ଟିଆନ୍ ଧର୍ମ ଏହି ଗ୍ରୀସ୍‍ଦେଶ ଦେଇ ମଧ୍ୟଏସିଆରୁ ଇଉରୋପକୁ ଆସିଥିଲା । ମୂଳ ହିବ୍ର୍ୟୂ ଭାଷାରୁ ବାଇବେଲର ପ୍ରଥମ ଅନୁବାଦ ଏହି ଗ୍ରୀସ୍ ଦେଶର ଭାଷାରେ ହିଁ ହୋଇଥିଲା । ଖାଲି ଇଉରୋପୀୟ ସଭ୍ୟତା କାହିଁକି, ସମନ୍ୱିତ ଭାବରେ ଯେଉଁଦିନ ବିଶ୍ଵମାନବ ବା ବିଶ୍ୱ ସଂସ୍କୃତିର ଇତିହାସ ଲେଖାଯିବ, ସେଦିନ ଗ୍ରୀକ୍ ସଭ୍ୟତାର ବିଶ୍ଵତୋମୁଖ ଦୃଷ୍ଟିକୋଣଟିକୁ ଆମେ ଆହୁରି ଅନ୍ତରଙ୍ଗ ଭାବରେ ବୁଝିବାକୁ ସୁଯୋଗ ପାଇବା । ଅନେକେ କହନ୍ତି, ଗ୍ରୀକ୍‍ ସଭ୍ୟତା କୁଆଡ଼େ ଭାରତୀୟ ପ୍ରାଚୀନ ସଭ୍ୟତା ଦ୍ଵାରା ଭାରି ପ୍ରଭାବିତ ହୋଇଥିଲା । ହୁଏତ ହୋଇଥିବ । କିନ୍ତୁ ଭାରତୀୟ ସଭ୍ୟତା ଓ ସଂସ୍କୃତି ମଧ୍ୟ ଯେ ଗ୍ରୀକ୍ ମନୋଦୃଷ୍ଟି ଦ୍ଵାରା କମ୍ ପ୍ରଭାବିତ ହୋଇ ନଥିଲା, ଏକଥା ମଧ୍ୟ ସମାନ ଦୃଢ଼ତାର ସହିତ କୁହା ଯାଇପାରେ । ତୁ ବଡ଼ ହେଲେ ଯେଉଁଦିନ ମୋ' ସହିତ ମଥୁରା ସହରର ପୁରାତନ ସଂଗ୍ରହାଳୟକୁ ଯିବୁ, ସେଦିନ ତୋତେ ମୁଁ ନାନା ଦୃଷ୍ଟାନ୍ତ ଦେଇ ଏହି କଥାଟି ବୁଝାଇ ଦେଇପାରିବି ।

 

ପୁଣି ଆମ ସମ୍ମୁଖଦେଶରେ ଇଟାଲି; ପ୍ରାଚୀନ ରୋମ୍‍ସଭ୍ୟତାର କ୍ରୀଡ଼ାଭୂମି, ଆଧୁନିକ ଇଉରୋପର ତୃତୀୟ ଜନନୀ । ଆଉ ଦୁଇ ତିନିଦିନ ପରେ ଆମେ ଯାଇ ଇଟାଲିର ଭୂମିକୁ ସ୍ପର୍ଶ କରିବୁ । ଓଡ଼ିଶାର ପ୍ରତ୍ୟେକ ପିଲା ପୁରୀ ଆଉ ଭୁବନେଶ୍ଵର ମନ୍ଦିରବେଢ଼ା ଭିତରେ ଠିଆ ହୋଇଥିବା ବେଳେ ଆପଣାକୁ ଯେପରି ସମ୍ପଦଶାଳୀ ବୋଲି ଅନୁଭବ କରୁକରୁ କେଉଁ ମହାନ୍ ଅତୀତର ସୁନ୍ଦର ଐତିହ୍ୟ ଆଗରେ ତାହାର ମସ୍ତକ ନତ ହୋଇପଡ଼େ, ମୁଁ ବର୍ତ୍ତମାନ ଠିକ୍ ସେହିପରି ଅନୁଭବ କରୁଚି । ମିଶର, ଗ୍ରୀସ୍ ବା ରୋମ୍‍ର ଐତିହ୍ୟ କେବଳ ଇଉରୋପର ନୁହେଁ, ଏହା ମୋର ମଧ୍ୟ ଐତିହ୍ୟ । ଆପଣା ଜାତିଲାଗି ମୁଁ ଯେତିକି ଗର୍ବ ଅନୁଭବ କରେ, ଏହିସବୁ ସଭ୍ୟତା ଓ ସଂସ୍କୃତିର ଫୁଲପାଣି ପଡ଼ି ମୋର ବିଚାର ଓ ଜୀବନଦୃଷ୍ଟିର ମଣ୍ଡନ ହୋଇଥିବାରୁ ମୁଁ ଠିକ୍ ସେତିକି ଗର୍ବ ଅନୁଭବ କରେ । ମୋର ବେଶ୍ ମନେପଡ଼ୁଚି, ଯେତେବେଳେ ମୁଁ ଠିକ୍ ତୋରି ବୟସର ହୋଇଥିଲି, କଟକରେ ହାଇସ୍କୁଲର ତଳକ୍ଲାସରେ ପଢ଼ୁଥଲି, ସେତେବେଳେ ସ୍କୁଲର ପତ୍ରିକାଲାଗି ମୁଁ 'ମହାତ୍ମା ସକ୍ରେଟିସ୍' ବୋଲି ପ୍ରବନ୍ଧଟିଏ ଲେଖିଥିଲି । ଆମ କ୍ଲାସରେ ପଢ଼ା ହେଉଥିବା ଇଂରାଜୀ ବହିରେ ସକ୍ରେଟିସ୍‌ଙ୍କର ବିଷୟ ଥିଲା । ସେହି ବିଷୟଟି ମୋତେ ଏପରି ପ୍ରଭାବିତ କରିଥିଲା ଯେ ଏଠୁ ସେଠୁ ନାନା ସାମଗ୍ରୀ ସଂଗ୍ରହ କରି ମୁଁ ସକ୍ରେଟିସ୍‌ଙ୍କ ସମ୍ବନ୍ଧରେ ଗୋଟିଏ ପ୍ରବନ୍ଧ ଲେଖି ସେହି କିଶୋର ବୟସରେ କେତେ ଆନନ୍ଦ ପାଇଥିଲି । ମୋ’ ଲେଖକ ଜୀବନର ସ୍ତବକଟିରେ ସେଦିନ ସତେ ଯେପରି ସେହି ପ୍ରଥମ କଳିଟି ଫୁଟି ଉଠିଥିଲା । ତୁ ଥରେ ଚିନ୍ତାକରି ଦେଖିଲୁ, ସୁଦୂର ଗ୍ରୀସ୍‍ଦେଶର ସୁଦୂର ପୁରାତନ କେଉଁ ଯୁଗରେ ଦେଶର ଶାସନଦ୍ୱାରା ଅପରାଧୀ ସାବ୍ୟସ୍ତ ହୋଇ ମରିଥିବା କୁମ୍ବିତକାୟ ସକ୍ରେଟିସ୍‍ ପାୟ ଅଢ଼େଇ ହଜାର ବର୍ଷପରେ ପୃଥିବୀର ଆଉଗୋଟାଏ କୋଣ ଓଡ଼ିଶାର ଗୋଟାଏ ଅଜ୍ଞାନ ବାଳକର ମନରେ ଏତେ ପ୍ରେରଣା ଓ ଏତେ ଶ୍ରଦ୍ଧା ଅଜାଡ଼ିଦେଇ ପାରିଲେ କିପରି ? ପିଲାଦିନର ସେହି ମୁଗ୍‍ଧ ହେବାର କାହାଣୀଟିକୁ ମୁଁ ଯେତିକି ମନେପକାଏ, ବାରମ୍ବାର ସେତିକି ବେଶୀ ଅଭିଭୂତ ହୋଇପଡ଼େ-। ଦେଶ, ଜାତି, ଭାଷା ଓ ଭୂଗୋଳର ସବୁ ସୀମା ଡେଇଁ ଆଉ ଯେଉଁ ପ୍ରାଣସୂତ୍ରଗୁଡ଼ିକ ଏହି ସଂସାରରେ ଜୀବନର ଆତଯାତ କରୁଚି, ମୋର ମସ୍ତକ ତାହାରି ପାଖରେ ନତ ହୋଇଯାଏ ।

 

କିନ୍ତୁ ତୁ କହିଲୁ, କେବଳ ବିଜ୍ଞାନ ଫଳରେ ସିନା ଏହିସବୁ କୁହୁକ ସମ୍ଭବ ହୋଇ ପାରୁଚି-! ସଂସାରର ଯେକୌଣସି ସାନଜାଗାରେ ଜନ୍ମହୋଇ ମଧ୍ୟ ମଣିଷ ସକଳ ସଂସାରର କଥା ଜାଣି ପାରୁଚି, ସକଳ ସଂସାରର ଜ୍ଞାନ ଓ ବିଜ୍ଞାନକୁ ସେ ଆପଣାର ଅତିଥି ପରି ଆପଣା ଘରକୁ ଡାକିଆଣି ପାରୁଚି । ସେଇଥିପାଇଁ ଆମ ଦେଶର ଗୀତା ଓ ଉପନିଷଦ ପଢ଼ି ଇଉରୋପ ବା ଆମେରିକାର କୌଣସି ଯୁବକ ଆପଣା ଜୀବନର ପରମ ସତ୍ୟକୁ ଆବିଷ୍କାର କରି ପାରୁଚି, ପୁରାତନ ଭାରତର ସର୍ବଶ୍ରେଷ୍ଠ ଜୀବନଦୃଷ୍ଟି ହୁଏତ ତାହାରି ଜୀବନ ଓ ତାହାରି ବାଣୀ ମଧ୍ୟଦେଇ ପ୍ରକଟିତ ହୋଇ ପାରୁଚି । ପୁଣି ଭାରତବର୍ଷର କେଉଁ ପିଲା ଗ୍ରୀସ୍‍ର ସକ୍ରେଟିସ୍ ବା ଆମେରିକାର ଲିଙ୍କନ୍‍ଙ୍କୁ ଆପଣା ଜୀବନର ବରେଣ୍ୟ ରୂପେ ଗ୍ରହଣ କରି ନେଉଚି । ମୁଁ ତ କହିବି, ରେଡ଼ିଓ, ସିନେମା କିମ୍ବା ମଟରଗାଡ଼ି ଠାରୁ ଏଇଟି ହେଉଚି ଆଧୁନିକ ବିଜ୍ଞାନର ଏକ ଅଧିକ ମୂଲ୍ୟବାନ ଦାନ-। ବିଜ୍ଞାନର ବିକାଶ ଫଳରେ ଜ୍ଞାନର ବିକାଶ ଓ ସମ୍ପ୍ରସାରଣ ହୋଇଚି, ମଣିଷ ତା'ର ଆପଣାକୁ ଓ ଆପଣାର ପୃଥିବୀକୁ ଅଧିକ ସମ୍ପ୍ରସାରିତ କରି ଜାଣିବାକୁ ଓ ଅନୁଭବ କରିବାକୁ ଶିଖିଚି । ଏବଂ ଏହାରି ଫଳରେ ସଂସ୍କୃତିର ଜାତି ଯାଇଚି; ପୁରୀର ବଡ଼ ଦେଉଳରେ ଜଗନ୍ନାଥଙ୍କର ବେଢ଼ା ଭିତରକୁ ଆସିଲେ ମଣିଷର ଯେମିତି ଜାତି ଯାଏ, ଠିକ୍ ସେହିପରି ।

 

ବର୍ତ୍ତମାନ ମୁଁ ତ ଇଉରୋପକୁ ହିଁ ଯାଉଚି । ଆସନ୍ତା କେତେବର୍ଷ ଭିତରେ ଇଉରୋପ ବିଷୟରେ ତୋ ପାଖକୁ କେତେକେତେ କଥା ଲେଖିପାରିବି । ମୋର ଅନୁଭୂତି ଗୁଡ଼ିକୁ ତୋପାଖରେ ଖୋଲି କହିବାକୁ ମୁଁ କେତେ ଅବସର ପାଇବି । ତେଣୁ ଆଜି ତରତର ହୋଇ ଗୁଡ଼ାଏ ଉଦ୍‌ଗାରି ପକାଇବା ଆଦୌ ଉଚିତ ହେବନାହିଁ । ସୁଏଜ୍ କେନାଲ ପାରି ହେଲେ କେଜାଣି କାହିଁକି ଏସିଆ ପଛରେ ରହି ଗଲାପରି ଲାଗେ । ଇଉରୋପର ଆୟତନ ଭିତରକୁ ଖୋଜ ପକାଇଲା ପରି ମନେହୁଏ । ଆଜି ସକାଳୁ ମୁଁ ଠିକ୍ ସେହିପରି ଅନୁଭବ କଲି । ସେଥିପାଇଁ ତୋ'ପାଖକୁ ଆଜି ଅନ୍ୟ କୌଣସି ବିଷୟ ଲେଖିବା ପୂର୍ବରୁ ଇଉରୋପର କଥାରୁ ବହୁତ ଗୁଡ଼ାଏ ଲେଖି ହୋଇଗଲା । ଆଜି ମୋର ଯାହା ହେଲା, ଆଉ କେତେବର୍ଷ ଗଲେ ହୁଏତ ତୋର ମଧ୍ୟ ଠିକ୍ ସେହିପରି ହେବ ।

 

ଛୋଟିଆ ଗାଆଁ ବାଗଲପୁରର ଛୋଟିଆ କରଣସାହୀରେ ତୋର ଜନ୍ମ । ସେଥିରେ କାହାରି କିଛି କହିବାର ନାହିଁ । ତୋ'ର ସେଠି ଆପଣାର ବୋଉ ଅଛି, ଭାଇଭଉଣୀମାନେ ଅଛନ୍ତି । ଘରୁ ବାହାରି ଦାଣ୍ଡ ପାରି ହୋଇଗଲେ ଆମ ଗାଆଁର ଠାକୁରଘର ରହିଛି । ସେଠି ସବୁଦିନ ସନ୍ଧ୍ୟାବେଳେ ତୁ କେତେ ସରାଗରେ ଆରତି ବେଳର ଘଣ୍ଟ ବଜାଇବାକୁ ଯାଇଚୁ । ଗାଆଁକୁ ବେଢ଼ିକରି ରହିଥିବା ନଈରେ ତୁ କେତେ ପହଁରିଚୁ, ସେଇ ନଈର ବାଲିଉପରେ କେତେ ଆନନ୍ଦରେ ମଇଳା ହୋଇ ଖେଳିଚୁ । ଏଥିରେ ମଧ୍ୟ କାହାରି କିଛି କହିବାର ନାହିଁ । ତୋ'ର ଓଡ଼ିଆ ଭାଷା, ତୋ'ର ଓଡ଼ିଆ ଜାତି, ଓଡ଼ିଆ ଦେଶ, ଏସବୁ ଅତି ପ୍ରିୟ । ଠିକ୍ ସେହିପରି ହେବାର ହିଁ ଉଚିତ ଥିଲା-। ସ୍ଵାଭାବିକ ଭାବରେ ବଢ଼ିବାଲାଗି ଏହାହିଁ ହେଉଚି ରୀତି । କିନ୍ତୁ ଜଟି, ତୁ ମଧ୍ୟ ଦିନେ ବଡ଼ ହେବୁ । ତୁ ବଡ଼ ହେବା ସଙ୍ଗେ ସଙ୍ଗେ ତୋର ଭାଷା ମଧ୍ୟ ଆହୁରି କେତେ କେତେ ଭାଷାକୁ ସମ୍ପ୍ରସାରିତ ହୋଇଯିବ । ତୋ'ର ଦୃଷ୍ଟି, ତୋ'ର ବିଚାର ଓ ତୋ'ର ଆଗ୍ରହ କ୍ରମେ କେତେ ଦିଗ୍‌ବଳୟ ପାରି ହୋଇଯିବ । ସେତେବେଳେ ଦେଶ, ଜାତି ବା ଭାଷା କହିଲେ ତୁ ତାହାକୁ ଭିନ୍ନ ଅର୍ଥରେ ବୁଝିବୁ । ତୋ'ର ମନର ଡେଣାକୁ ପରମସଙ୍ଗୀ କରି ତୁ କେତେ କୁଆଡ଼େ ଯିବୁ, କେତେଜାଗାରେ ଆପଣାର ହୋଇଯିବୁ, ପୁଣି କେତେକେତେ ମଣିଷଙ୍କୁ ଆପଣାର କରିନେବୁ । ବାଗଲପୁର ଗାଆଁର ଜଣେ ମଣିଷ ହୋଇ ବଢ଼ିବାର ଅଧିକାରକୁ କେହି ତୋ'ଠାରୁ ଛଡ଼ାଇ ନେଇ ଯିବନାହିଁ । ଓଡ଼ିଆ ଭାଷା କିମ୍ବା ଓଡ଼ିଆ ଜାତି ପ୍ରତି ତୋର ଅନୁରକ୍ତି ସେତେବେଳେ ମଧ୍ୟ କୌଣସି ପ୍ରକାରେ କ୍ଷୁଣ୍ଣ ହେବନାହିଁ-। ତଥାପି ତୁ ସେତେବେଳେ କୌଣସି କୂପ ଭିତରେ ରହି ଆପଣାର ସଂକୀର୍ଣ୍ଣତାକୁ ଆପଣାର ଗୌରବ ବୋଲି କହିବାର ନିର୍ବୋଧପଣିଆ କଦାପି ଦେଖାଇବୁ ନାହିଁ । ଆମ ଆଗରେ ଯେଉଁଭଳି ଏକ ପୃଥିବୀ ଆସୁଚି, ସେଠାରେ ତିଷ୍ଠିକରି ରହିବାକୁ ହେଲେ ଆମକୁ ଏହି ସଂସାରର ବିଜ୍ଞାନ ପରି ବିଶ୍ୱମୁଖ ଓ ବିଶ୍ୱନୀଡ଼ ହେବାକୁ ପଡ଼ିବ । ବର୍ତ୍ତମାନ ମୁଁ ବାଜି ରଖି କହୁଚି ଯେ ଯେତେବେଳେ ତୁ ମୋ’ ବୟସର ହେବୁ, ସେତେବେଳେ ତୁ ମଧ୍ୟ ଆପଣାର ଶ୍ରଦ୍ଧା ଓ ସମର୍ପଣର କ୍ଷେତ୍ରରେ ଏସିଆ ବା ଇଉରୋପର, ଓଡ଼ିଆ ବା ଅଣଓଡ଼ିଆର କିମ୍ବା ଭାରତୀୟ ବା ଅଭାରତୀୟର କୌଣସି ବାରଣ ରଖିବୁ ନାହିଁ । ତଦ୍ୱାରା ତୋ'ର ହାନି ହେବ ନା ଲାଭ ହେବ, ଭାବିକରି କହିଲୁ ?

 

ଆମେ କାଲି ଦିନମାନ ସୁଏଜ କେନାଲରେ କଟାଇବୁ । ଆଗେ କଟକର ନୂଆବଜାରରୁ ଜଗତସିଂହପୁର ଯାଏ ଡଙ୍ଗା ଚାଲୁଥିଲା । ସେତେବେଳେ ଅନେକ ସମୟରେ ମୁଁ କଟକରୁ ଗାଆଁକୁ ଆସିଲାବେଳେ ଡଙ୍ଗାରେ ବସି ଆସୁଥିଲି । ବାଲିଆରେ ଆସି ପହଁଞ୍ଚିଲା ବେଳକୁ ପ୍ରାୟ ସନ୍ଧ୍ୟା ବୁଡ଼ି ଯାଉଥିଲା । କାଲି ଦିନଯାକ ସେହିପରି କୌଣସି ଡଙ୍ଗାରେ ବସି ଥିର ଜଳଉପରେ କୁଆଡ଼େ ଯାଉଥିବା ପରି ମନେ ହେଉଥାଏ । କେନାଲରେ ଯେଉଁ ସୁଅ ଥାଏ, ତାହାକୁ ସୁଅ ବୋଲି ନକହିଲେ ମଧ୍ୟ ଭୁଲ ହେବନାହିଁ । ଆମ ଆଗରେ ଆଉ ପଛରେ ଆହୁରି କେତେକେତେ ଜାହାଜ ମଧ ଧାଡ଼ି ବାନ୍ଧି ଚାଲିଥାଆନ୍ତି । ସୁଏଜନାଳ ଭାରି ଅଣଓସାରିଆ ହୋଇ ଖୋଳା ହୋଇଥିବାରୁ ଏଥିରେ ଏକାବେଳକେ ଦୁଇପାଖରୁ ଜାହାଜର ଯାତାୟତ ସମ୍ଭବ ହୋଇ ପାରେନାହିଁ-। ଆଗ ତେଣୁ ଆସୁଥିବା ଜାହାଜଗୁଡ଼ିକ କେନାଲର ସମସ୍ତ ପଥ ଅତିକ୍ରମ କରି ସାରିଲେ ଯାଇ ଏପାଖର ଜାହାଜଗୁଡ଼ିକୁ କେନାଲ ଭିତରକୁ ଯିବାପାଇଁ ଅନୁମତି ଦିଆଯାଏ । ତେଣୁ ପ୍ରାୟ ପ୍ରତ୍ୟେକ ଜାହାଜକୁ ରାସ୍ତା ଖୋଲିବାଯାଏ କେନାଲର ଏମୁହଁରେ ବା ସେମୁହଁରେ ବେଶ୍ କେତେଘଣ୍ଟା ଅପେକ୍ଷା କରି ଠିଆ ହେବାକୁ ପଡ଼େ ।

 

କେନାଲର ବାଆଁପାଖରେ ହରିତ୍‍ରଙ୍ଗର ବୃକ୍ଷଧାଡ଼ି ଲାଗି ରହିଥାଏ । ତାହାରି କଡ଼େ କଡ଼େ, ରେଲଲାଇନ୍ ଓ ମଟର ରାସ୍ତା, ଡାହାଣ ପାଖରେ ସିନାଇ ମରୁଭୂମି । ଆରଥର ଏଇବାଟେ ଗଲାବେଳେ ମୁଁ ଏଠାରେ କେବଳ ବାଲିଛଡ଼ା ଆଉ କିଛି ଦେଖିଥିଲି ବୋଲି ମୋର ମନେ ହେଉନାହିଁ । ଖାଲି ବାଲି ଆଉ ବାଲି ! ମଝିରେ ମଝିରେ ପାହାଡ଼ର ଭ୍ରମ ଦେଖାଇ ବାଲିର ସ୍ତୂପମାନ ରହିଚି ବୋଲି ଯାହାଏହି ଭୂମିରେ ମଧ୍ୟ କୌଣସି ଆକୃତି ଓ ଆୟତନ ବି ରହିଚି ବୋଲି ମନେହୁଏ । ନଚେତ୍ ଆଖି ଯେତେଦୂରକୁ ବଢ଼ାଇବ, କେବଳ ବାଲି ଆଉ ବାଲି । କିନ୍ତୁ ଆରଥର ଓ ଏଥର ମଧ୍ୟରେ କାଲି ଅନେକ ପ୍ରଭେଦ ଦେଖିବାକୁ ପାଇଲି । କେଉଁଠି ରାସ୍ତା ତିଆରି ହେଉଚି, ରାସ୍ତା ତିଆରି କରିବାର ଆଧୁନିକତମ ଯନ୍ତ୍ରପାତି ସହିତ ଶହଶହ ସଂଖ୍ୟାରେ ମଣିଷ ମଧ୍ୟ କାମରେ ଲାଗିଚନ୍ତି । ମଝିରେ ମଝିରେ ପୁଣି ବସତିମାନ ରହିଚି । ଖୁବ୍ ସମ୍ଭବ ଏଗୁଡ଼ିକ ଅସ୍ଥାୟୀ । ଯେଉଁଠାରେ ସମ୍ଭବ, ସେଠି ଗଛମାନ ଲଗାଯାଇଚି । ସେହି ଗଛସବୁ ଦୂରରୁ ହରିତ ଓ କୃଷ୍ଣବର୍ଣ୍ଣର କୁହୁକ ଲଗାଇ ଦେଇ ମରୁଭୂମିର ବୁକୁ ଉପରେ ଜୀବନର ସମ୍ଭାବ୍ୟ ମାୟାକୁ ବ୍ୟାପ୍ତ କରି ରଖିଚି । ବେଳେବେଳେ ସ୍ତୂପଗୁଡ଼ିକର ଫାଙ୍କରେ ଆଖିର ଜିଜ୍ଞାସା କେତେକେତେ ଯୋଜନ ଦୂରକୁ ଲମ୍ବିକରି ଚାଲି ଯାଉଥାଏ । ମୁଁ ଭାବୁଥାଏ, ଏହି ଭୂମିରେ ପ୍ରଧାନ ସମସ୍ୟା ହେଉଚି ପାଣି । ଏଠି ହୁଏତ ପାଞ୍ଚ ବରଷରେ ମଧ୍ୟ ଥରେ ହେଲେ ବର୍ଷା ହେଉନଥିବ । ଯଦି ଯେକୌଣସି ପ୍ରକାରେ ଏଠାରେ ରହିଥିବା ପାଣିର ଅଭାବଟିକୁ ପୂରଣ କରାଯାଇ ପାରନ୍ତା, ତେବେ ସିନାଇର ମରୁଭୂମି ଦିନେ ସ୍ନେହମୟୀ ଭୂମି ହୋଇ ହସି ଉଠନ୍ତା । ଏଠାରୁ ମାତ୍ର କେତେ ମାଇଲ୍ ଦୂରରେ ଇସ୍ରାଏଲର ଉଦ୍ୟମୀ ମଣିଷ ନେଗେଭ୍‍ ମରୁଭୂମିକୁ ଜଳର ଧାର ଆଣି ଅଭିଶପ୍ତ ମାଟିକୁ ପୁଣି ହସାଇ ଦେବାର ଉଦ୍ୟମ କରୁଚି । କାଲି ମିଶରରେ ମଧ୍ୟ ମୁଁ ଠିକ୍ ସେହି ଉଦ୍ୟମର ଆଭାସ ପାଇଲି । କିଏ କହିପାରିବ, ଆଜି ପରସ୍ପରକୁ ବନ୍ଧୁକ ଦେଖାଇ ରହିଥିବା ମିଶରର ଉଗ୍ର ମୁସଲମାନ ଓ ଇସ୍ରାଏଲର ଉଗ୍ର ଇହୁଦୀ କାଲି ମଣିଷର ମନ ନେଇ ବିଜ୍ଞାନର ବୃଦ୍ଧିକୁ ଏକାଠି ଖଟାଇବାକୁ ଆଗ୍ରହୀ ହେବେ ଏବଂ ପାଣିର ଏହି ସାଧାରଣ ସମସ୍ୟାଟିର ସମାଧାନ କରିବେ ?

 

ସେପାଖରୁ ଆଖି ବୁଲାଇ ଏପାଖକୁ ଆସିଲା ବେଳକୁ ପ୍ରକୃତରେ ଆଖି ପୂରି ଯାଉଥାଏ-। ଆରଥର ଏଇବାଟେ ଗଲାବେଳେ ମୁଁ ମଝିରେ ମଝିରେ ଶସ୍ୟକ୍ଷେତ ଅବଶ୍ୟ ଦେଖିଥିଲି । କୃଷକର ଘର ବି ଦେଖିଥିଲି । କିନ୍ତୁ ମିଶରର ଭୂମି ସେତେବେଳେ ଭାରି ଅବହେଳିତ ହୋଇ ପଡ଼ି ରହିଥିଲା । ଏହି ଦେଶର କ୍ଳାନ୍ତ ଓଟପରି ମଣିଷର ମୁହଁରେ ମଧ୍ୟ କେବଳ କ୍ରାନ୍ତିର ଅବସାଦ ଗୁଡ଼ାକ ଅନ୍ୟ ସଳକ ସମ୍ଭାବନାକୁ ଆଚ୍ଛନ୍ନ କରି ରଖିଥିଲା । କିନ୍ତୁ କାଲି ସକାଳର ସ୍ନିଗ୍ଧ ଆଲୁଅରେ ମୁଁ ମିଶରରେ ଏକ ଅଦ୍ଭୁତ ପରିବର୍ତ୍ତନ ଘଟିଥିବାର ଅନୁଭବ କରି ପାରିଲି । ସବୁଠାରୁ ପ୍ରଥମେ ଯେଉଁ ପରିବର୍ତ୍ତନଟି ଆଖିରେ ପଡ଼ିଯାଉଥିଲା, ସେଇଟି ହେଉଚି କେନାଲର କୂଳେ କୂଳେ ଯାଇଥିବା ଚମତ୍କାର ରାସ୍ତା ରେଳ ଓ ମଟର ଉଭୟ ପାଇଁ ରାସ୍ତା । ମିଶରଦେଶକୁ ଏଥିରେ ଅନେକ ଅର୍ଥ ବ୍ୟୟ କରିବାକୁ ପଡ଼ିଥିବ । ଶୁଣିଲି, କେନାଲକୁ ଆପଣା ହାତକୁ ନେବାପରେ ମିଶର ସରକାର କେନାଲରୁ ଯାହା ଲାଭ ପାଉଚନ୍ତି, ତାହାକୁ ପ୍ରଧାନତଃ କେନାଲ ଓ ଏହାର ପାରିପାର୍ଶ୍ୱିକ କ୍ଷେତ୍ରର ବିକାଶରେ ବ୍ୟୟ କରୁଚନ୍ତି । ଆଗେ କେନାଲରୁ ମିଳୁଥିବା ଲାଭ ପ୍ରଧାନତଃ ଇଂଲଣ୍ଡ ଓ ଫ୍ରାନ୍‌ସଦେଶକୁ ଚାଲି ଯାଉଥିଲା । କୂଳବର୍ତ୍ତୀ ମିଶରବାସୀ କେବଳ ଲକ୍ଷ୍ମୀମନ୍ତ ବିଦେଶୀର ବଡ଼ପଣିଆ ଦେଖି ବକା ହୋଇ ଅନାଇ ରହୁଥିଲା ।

 

ଆଗେ ସୁଏଜ କେନାଲର କଡ଼ରେ ତିନି ଜାଗାରେ ତିନୋଟି ହ୍ରଦ ଥିଲା । ବର୍ତ୍ତମାନ ସେଗୁଡ଼ିକୁ ଆବାଦ କରାଯାଇ ଶସ୍ୟକ୍ଷେତ୍ରରେ ପରିଣତ କରିବାକୁ ଚେଷ୍ଟା କରାଯାଉଚି । ମଝିରେ ବନ୍ଦ ପକାଇ ହ୍ରଦଗୁଡ଼ିକୁ କେନାଲଠାରୁ ଅଲଗା କରି ଦିଆଯାଇଛି । ସେହି ବନ୍ଧଉପରେ ବର୍ତ୍ତମାନ ରେଳ ଓ ମଟର ରାସ୍ତା ତିଆରି ହୋଇଚି । ରାସ୍ତା ସେପାଖରେ ହ୍ରଦର ପାଣିକୁ ଶୁଖାଇ ଦିଆଯାଇ କ୍ରମେ କୃଷିଯୋଗ୍ୟ ଭୂମିରେ ପରିଣତ କରାଯାଉଚି ଓ ସେହି ନୂତନ ଭୂମିକୁ ମିଶରର କୃଷକମାନଙ୍କୁ ଦିଆଯାଉଚି । ଖୁବ୍‍ସମ୍ଭବ ଗତ ଅନେକ ବର୍ଷ ହେଲା ଏମାନେ ଭୂମିହୀନ ଥିଲେ, ବାଧ୍ୟହୋଇ ଆଉକୌଣସି ମାଲିକର ଭୂମିକୁ ଚାଷ କରୁଥିଲେ । ମିଶର ଭାଷାରେ ଫେଲା (Fellah) ବୋଲି କହିଲେ ଯୁଗେ ଯୁଗେ ଏହି ଲାଞ୍ଚିତ ଶ୍ରେଣୀକୁ ହିଁ ବୁଝାଉଥିଲା । ଏମାନେ ବର୍ତ୍ତମାନ ଆପଣାଲାଗି ଭୂମି ପାଇଚନ୍ତି । ଆପଣାର ଜୀବନଲାଗି କିଞ୍ଚିତ ଭୂମି ପାଇଚନ୍ତି । ନୂଆ ହୋଇ ତିଆରି ହେଉଥିବା ଜମି ଉପରେ ଏମାନଙ୍କର ନୂଆ ଘରମାନ ତିଆରି ହୋଇଚି । ଘର ଚାରିପାଖରେ ଛୋଟିଆ ବଗିଚା । ବଗିଚାର ହିଡ଼ ଉପରେ ଶସିଆଳ କଦଳୀଗଛର ବାହୁଙ୍ଗାମାନ କେଡ଼େ ସୁନ୍ଦର ଦେଖାଯାଉଚି । ବାରି ସେପାଖକୁ ଶସ୍ୟକ୍ଷେତ୍ର । ଗହମ, ବାଜରା, ଆଳୁ ଓ ଆହୁରି କେତେକେତେ ଫସଲର ଚାଷ ହୋଇଛି । ରାସ୍ତାକଡ଼ରେ ଥିବା ସବୁଜ ବୃକ୍ଷଧାଡ଼ିର ଫାଙ୍କଭିତରୁ କୃଷକର ଉଦ୍ୟମୀ ଜୀବନର ଏହି ସମ୍ଭାରଗୁଡ଼ିକ କେଡ଼େ ସୁନ୍ଦର ଦିଶୁଚି, ଦେଖିଲା ଲୋକର ମନରେ କେତେକେତେ ଆଶା ଓ ବିଶ୍ୱାସ ଭରିଦେଇ ଯାଉଚି । ମୁଁ ଯେତେବେଳେ ଇସ୍ରାଏଲ ଦେଶକୁ ଯାଇଥିଲି, ସେତେବେଳେ ପ୍ରାୟ ପ୍ରତ୍ୟେକ ମୁଖରୁ ଶୁଣିଥିଲି ଯେ ସେଠି ସେମାନେ ଇସ୍ରାଏଲର ଲଙ୍ଗଳା ଓ ଶୁଖିଲା ଭୂଇଁକୁ ଏକ ସବୁଜ ବଗିଚାରେ ପରିଣତ କରିବାକୁ ଶପଥ ନେଇ ବାହାରିଚନ୍ତି । ସେହି ଶପଥ ଓ ସଂକଳ୍ପର ସଂକ୍ରମଣ ଆଜି ମିଶର ଦେଶକୁ ଆସି ଛୁଇଁ ସାରିଲାଣି ବୋଲି ମନେହେଲା ।

 

ସନ୍ଧ୍ୟା ପ୍ରାୟ ସାତଟାବେଳେ ଆମ ଜାହାଜ ପୋର୍ଟସୟଦ ପୋତାଶ୍ରୟ ଭିତରେ ପଶିଲା-। ଯାତ୍ରୀମାନଙ୍କର ମନ ଜାଣି ଆଜି ଜାହାଜର କର୍ତ୍ତୃପକ୍ଷ ଚଞ୍ଚଳ ଖାଇବାକୁ ଦେଇଦେଲେ । ମିଶର ଦେଶର ପୋଲିସ୍‌ କର୍ମଚାରୀ ଜାହାଜକୁ ଆସିଲେଓ ଆମ ପାସ୍‍ପୋର୍ଟରେ ମୋହର ବାଡ଼େଇଦେଇ ଆମକୁ ସହରରେ ଟିକିଏ ବୁଲି ଆସିବାଲାଗି ଅନୁମତି ଦେଲେ । ରାତି ଏଗାରଟା ବେଳେ ଆମର ଜାହାଜ ପୋର୍ଟସୟଦ୍ ଛାଡ଼ିବ । ତେଣୁ ମଝିରେ ଥିବା ଏହି ଦୁଇ ତିନିଘଣ୍ଟା ସମୟଲାଗି ଯାହା ଗୋଡ଼ଟାକୁ ନେଇ ଟିକିଏ ଖେଳାଇ ଆଣିବା କଥା । ବନ୍ଦୀଶାଳାରୁ ବନ୍ଦୀମାନେ ମୁକ୍ତି ପାଇଲା ପରି ଆମେ ଗୋଟିଗୋଟି ହୋଇ ଜାହାଜରୁ ଓହ୍ଲାଇ ଆସିଲୁ ଓ ନିମେଷମାତ୍ରେ ସହରର ନାନା ଦିଗରେ ଅଦୃଶ୍ୟ ହୋଇଗଲୁ । ଗତ ନଅବର୍ଷ ତଳେ ଦେଖିଥିବା ପୋର୍ଟସୟଦ୍‍ର ଯେଉଁ ଛବିଟି ମୋର ମନଭିତରେ ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଥିଲା, ତାହାରି ସହିତ ବର୍ତ୍ତମାନର ପୋର୍ଟସୟଦ୍‍କୁ ମିଳାଇ ଦେଖିବାର ଚେଷ୍ଟା କଲି । ଭିତରେ କେଉଁଟା କେତେ ପରିମାଣରେ ବଦଳିଚି, ସେକଥା ମୁଁ କହି ପାରିବି ନାହିଁ । କିନ୍ତୁ ବାହାରେ ନିଶ୍ଚୟ ଅନେକ କଥା ବଦଳିଚି । ଆରଥର ମୁଁ ଦେଖିଥିଲି, ଜାହାଜଗୁଡ଼ିକ ବନ୍ଦରର କୂଳକୁ ଆସି ପାରୁନଥିଲା । ସେଥିପାଇଁ କୂଳରୁ ପ୍ରାୟ ଅଧମାଇଲ ଜଳପଥ ଷ୍ଟୀମର୍‍ରେ ବସି ଜାହାଜଯାଏ ଯିବାକୁ ପଡ଼ୁଥିଲା । ବର୍ତ୍ତମାନ କିନ୍ତୁ ସେପରି ନାହିଁ । ଜାହାଜ ସିଧା ଉପକୂଳ ପର୍ଯ୍ୟନ୍ତ ଆସି ପାରୁଚି । ଜାହାଜପାଖରୁ ପ୍ରାୟ ଚାଳିଶି ପଚାଶ ଗଜର ଛୋଟିଆ ରାସ୍ତାଟିଏ ଏକାବେଳକେ ସହରର ରାସ୍ତାଯାଏ ଗଡ଼ିଆସିଚି ।

 

ପୋର୍ଟ ସୟଦ୍‍ ବନ୍ଦରର ସାଜସଜ୍ଜା ପୃଥିବୀର ପ୍ରାୟ ସବୁ ବନ୍ଦରରେ ଥିବା ସହରର ସାଜସଜ୍ଜା ପରି । ଏଠି ସହରର ଜୀବନଟା ପ୍ରଧାନତଃ ଜଳପଥଚାରୀ ଯାତ୍ରୀମାନଙ୍କ ଲାଗି ହିଁ ଚଳେ, ସମୁଦ୍ରଗାମୀ ଜାହାଜଗୁଡ଼ିକର ଜୀବନର ଅନୁପୂରକ ହୋଇ ଚଳେ ସେହିମାନଙ୍କ ଲାଗି ମନୋହରୀ ଦୋକାନମାନ ସଜାହୋଇ ରହିଚି । ସେହିମାନଙ୍କ ପାଇଁ ହୋଟେଲ ଖୋଲାଯାଇଚି, ସେହିମାନଙ୍କ ଲାଗି ପୋର୍ଟସୟଦ୍‍ର ଅଧିକାଂଶ ଅଧିବାସୀ ପ୍ରାୟ ଅଧଡ଼ଜନେ ଭାଷାକୁ ଆୟତ୍ତ କରି ରଖିଚନ୍ତି । ଅବଶ୍ୟ ସମୟ ଅତି କମ୍ ଥିବାରୁ ଆମେ ବନ୍ଦର-ଅଞ୍ଚଳ ଛାଡ଼ି ସହରର ଅଧିକ ସ୍ୱାଭାବିକ ଅଞ୍ଚଳଗୁଡ଼ିକୁ ଯାଇ ପାରିଲୁନାହିଁ । କୌଣସି ଜାହାଜ ଆସି ପୋତାଶ୍ରୟରେ ପହଞ୍ଚିବା ମାତ୍ରକେ ସବୁ ଦୋକାନରେ ଯାଇ ସେହି ଖବରଟି ପହଞ୍ଚି ଯାଉଥିବା ପରି ମୋର ମନେହେଲା । ଦୋକାନଗୁଡ଼ିକର ସମ୍ମୁଖରେ ସତେଅବା ଆମର ସ୍ଵାଗତ କରିବାପାଇଁ କିମ୍ବା ଆମକୁ ସୁବିଧାରେ ଜିନିଷ କିଣାଇ ଦେବାପାଇଁ ଦୋକାନୀ ବେଶରେ ଆମର ବନ୍ଧୁମାନେ ହିଁ ଠିଆହୋଇ ରହିଚନ୍ତି । କେଉଁ ଦେଶରୁ କେଉଁ ଜାହାଜ ଆସି ପହଞ୍ଚିଲା, ସେଥିରେ କେଉଁ କେଉଁ ଦେଶର ଯାତ୍ରୀମାନେ ଅଛନ୍ତି, ଆମେ ଭୂଇଁକୁ ଓହ୍ଲାଇବା ପୂର୍ବରୁ ସେହି ଖବର ଆସି ଏହିସବୁ ଦୋକାନରେ ପହଞ୍ଚି ସାରିଥିଲା । ସେଥିଲାଗି ଆମେସବୁ ଦଳଦଳ ହୋଇ କୌଣସି ଦୋକାନ ଆଗରେ ଚାଲିଯିବା ମାତ୍ରକେ ଦୋକାନୀମାନଙ୍କର ସୁହୃତ୍‍ସମ ଆଖି ଆମକୁ ଚିହ୍ନିନେଇ ପାରୁଥିଲା ଓ ‘ନମସ୍ତେ' ‘ରାମରାମ' ପ୍ରଭୃତି କୁଶଳ-ସମ୍ଭାଷଣ ଦ୍ୱାରା ଆମର ମନକୁ ଲୋଭାଇ ନେଉଥିଲା । ଏହି ବଜାରରୁ କିଛି କିଣିବାର ମତଲବ ନଥିଲେ ମଧ୍ୟ, ଏପରିକି ପାଖରେ ଫଟା ପାହୁଲାଟାଏ ନଥିଲେ ମଧ୍ୟ ଗୋଡ଼ ଦୁଇଟା ଆପେଆପେ ଦୋକାନ ଭିତରକୁ ଟାଣିହୋଇ ଯାଉଥିଲା ।

 

କାଲି ସହର ଭିତରେ ବୁଲୁବୁଲୁ ଅକସ୍ମାତ୍ ଗୋଟିଏ ମିଉଜିଅମ୍ ଦେଖିବାକୁ ମିଳିଲା । ପୁରୁଣା ମିଶରର ‘ମମି’ ସାଇତାହୋଇ ରହିଥିବା ମିଉଜିଅମ୍‍ ନୁହେଁ, ନୂଆ ମିଶରର ମିଉଜିଅମ୍ । ରାସ୍ତାଉପରେ ବୁଲୁଥିବା ବେଳେ ଗୋଟାଏ ସୁଦୃଶ୍ୟ କୋଠାପାଖରେ ଠିଆ ହୋଇ ଏଇଟି କ'ଣ ହୋଇଥିବ ବୋଲି ଭାବୁଚି, ହଠାତ୍ ଦୁଇଜଣ ଯୁବକଙ୍କ ସହିତ ଭେଟ ହେଲା । ସେମାନେ ଚମତ୍କାର ଇଂରାଜୀ କହୁଥାନ୍ତି । ମୁଁ ସେଇମାନଙ୍କଠାରୁ କୋଠାଟି ଗୋଟିଏ ମିଉଜିଅମ୍ ବୋଲି ଜାଣିଲି ଓ ସେଇମାନଙ୍କ ସହିତ ଭିତରକୁ ଗଲି । ୧୯୫୬ ମସିହାରେ ସୁଏଜ କେନାଲକୁ ମିଶର ଆପଣାର ଜାତୀୟ ସମ୍ପତ୍ତି ବୋଲି ଘୋଷଣା କରିବା ପରେ ଇଂଲଣ୍ଡ ଓ ଫ୍ରାନ୍‍ସ୍ ସହିତ ମିଶରର ଯୁଦ୍ଧ ହୋଇଥିଲା-। ପୋର୍ଟସୟଦ୍‍ର ସହର ରାସ୍ତାରେ ମିଶରର ଲୋକେ ଇଂରେଜ ଓ ଫରାସୀ ସୈନ୍ୟଙ୍କ ସହିତ ଲଢ଼ିଥିଲେ । କେତେ ଲୋକ ପ୍ରାଣ ଦେଇଥିଲେ, କେତେ କୋଠାବାଡ଼ି ଭାଙ୍ଗିଥିଲା, ମିଶରବାସୀଙ୍କ ଉପରେ କେତେ ପ୍ରକାର ନିଷ୍ଠୁରତା କରାଯାଇଥିଲା । ସେହି ଇତିହାସର ଘଟଣାମାନ ଫଟୋ ସାହାଯ୍ୟରେ ଏହି ମିଉଜିଅମ୍‍ରେ ସଂଗୃହୀତ ହୋଇ ରହିଚି । ସେଇ ଫଟୋରୁ ଜାଣିବାକୁ ପାଇଲି, ଚଉଦ ପନ୍ଦର ବରଷର ଗୋଟିଏ ପିଲା ମଧ୍ୟ ଏହି ସମ୍ମାନିତ ସଂଗ୍ରାମରେ ଅନେକ ବୀରତ୍ଵ ଦେଖାଇଚି ଓ ଶେଷରେ ଶତ୍ରୁପକ୍ଷର ଅସ୍ତ୍ରଆଗରେ ଜୀବନ ଦେଇଚି । ମିଶର ଦେଶରୁ ଇଂରେଜମାନେ ଯିବା ପ୍ରାୟ ପନ୍ଦରବର୍ଷ ହୋଇଗଲାଣି, କିନ୍ତୁ ୧୯୫୬ ମସିହାକୁ ହଁ ମୁଁ ନୂତନ ମିଶରର ଜନ୍ମସମ୍ବତ୍ସର ବୋଲି କହିବି ।

Image

 

ଆଠ

 

ଭୂମଧ୍ୟ ସାଗର

ତା ୧୭/୧୦/୬୨

ସ୍ନେହର ଜଟି,

 

ଠିକ୍ ନଅବର୍ଷ ତଳେ, ଅର୍ଥାତ୍ ୧୯୫୩ ମସିହାର ଶେଷବେଳକୁ ମୁଁ ମିଶର ଦେଶରେ ଗୋଟିଏ ସପ୍ତାହ କଟାଇଥିଲି । ପିରାମିଡ଼୍‍ ଦେଖିବା ଅବଶ୍ୟ ମୋର ପ୍ରଧାନ ଉଦ୍ଦେଶ୍ୟ ଥିଲା, ତଥାପି ଆନୁଷଙ୍ଗିକ ଭାବରେ ମୁଁ ସେତେବେଳେ ମିଶର ଦେଶର ସାଧାରଣ ଜୀବନ ଉପରେ ମଧ୍ୟ ଆଖି ବୁଲାଇ ନେଉଥିଲି । ସେତେବେଳେ ଏଠି ଯାହାସବୁ ଦେଖିଥିଲି, ସେଥିରେ ପ୍ରସନ୍ନ ହେବାର କୌଣସି କାରଣ ନଥିଲା । ଅବଶ୍ୟ ବାହାରୁ ମିଶରବାସୀଙ୍କୁ ଦେଖି ମନେ ହେଉଥିଲା ଯେ ସେମାନେ ନିଜ ଦେଶର ସାଧାରଣ ସ୍ଥିତି ବିଷୟରେ ବେଶ୍ ପ୍ରସନ୍ନ ଅଛନ୍ତି । କିନ୍ତୁ ଆପଣାକୁ ବାହାରେ ଅପରର ଆଖିରେ ପ୍ରସନ୍ନ ବୋଲି ଦେଖାଇ ହେବାର ପ୍ରଚେଷ୍ଟାଗୁଡ଼ାକ ସତେଅବା ଭାରି ସ୍ପଷ୍ଟ କରି ସୂଚାଇ ଦେଉଥିଲା ଯେ ଭିତରେ ଏମାନେ ବଡ଼ ତ୍ରସ୍ତ ହୋଇ ରହିଚନ୍ତି । ଆପଣା ମନର ତ୍ରାସକୁ ମଧ୍ୟ ପଦାରେ ଧରା ପକାଇଦେବା ସେତେବେଳେ ବଡ଼ ମାରାତ୍ମକ ଥିଲା । ସେଥିପାଇଁ କୁଶଳ ଅଭିନୟ କରୁଥିବା ପରି ସେମାନେ ଉପର ମୁହଁର ପ୍ରସନ୍ନତାରେ ଆପଣା ମନର ସମସ୍ତ ସଂଶୟକୁ ଲୁଚାଇ ରଖୁଥିଲେ ।

 

ସେତେବେଳେ ସେନାପତି ନାଗିବ୍‍ ମିଶର ଦେଶର ଶାସନ କରୁଥିଲେ । ଇଂରେଜମାନଙ୍କର ସୌଖିନ୍ କଣ୍ଢେଇ ରାଜା ଫାରୁକ୍‍ ସିଂହାସନଚ୍ୟୁତ ହୋଇଥାନ୍ତି । ଦରିଦ୍ର ମିଶରର ରାଜା ଥିଲାବେଳେ ଇଂରେଜ ପ୍ରତିପାଳକମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ସହିତ ସିଏ କିପରି ଅଶେଷ ବିଳାସର ରସକୁଣ୍ଡ ଭିତରେ ବୁଡ଼ି ରହିଥିଲେ ଓ ଇଉରୋପର ବଡ଼ଲୋକମାନଙ୍କ ମନରେ ବଡ଼ଲୋକୀ ବିଷୟରେ ବିସ୍ମୟ ଜାତ କରୁଥିଲେ, ସେତେବେଳେ ଅବିରାମ ଭାବରେ କେବଳ ସେହିକଥା ଗୁଡ଼ାକ ଶୁଣିବାକୁ ମିଳୁଥାଏ । କେଉଁ ନୀତି ଅନୁସାରେ ଯେ ବ୍ରିଟେନ୍‌ର ସଭ୍ୟ ଶାସନ ରାଜା ଫାରୁକ୍ ଭଳି ଜଣେ ଅପଦାର୍ଥ ମଣିଷକୁ ଘଣ୍ଟ ଘୋଡ଼ାଇ ରଖିଥୁଲା, ସେ କଥା ସେଇ ଜାଣିଥିବ-। ଯେକୌଣସି ଉପାୟରେ ହେଉ ପଛକେ, ସେନାପତି ନାଗିବ୍ ମିଶରର ଅଗ୍ରଗତି ପଥରୁ ଏହି ପଥରସମ ବାଧାକୁ ଦୂର କରି ପାରିଲେ । ବିଚାରା ଫାରୁକ୍ ମିଶରଦେଶ ଛାଡ଼ି ଇଉରୋପର ଖବରକାଗଜମାନଙ୍କ ଜରିଆରେ ସେଠି ଭାରି ବିଖ୍ୟାତ ହେଲେ ଓ ଅନେକ ପଇସା ମଧ୍ୟ କମାଇଲେ । ଅନେକ ବରଷର ରାଜନୀତିକ ଆଳସ୍ୟ ଭାଙ୍ଗିବାପରେ ମିଶରର ଜୀବନ ସରଗରମ ହୋଇ ଉଠିଲା । ନାଗିବ୍ ଥିଲେ ମିଶରର ସୈନ୍ୟବାହିନୀର ସର୍ବେସର୍ବା; ତେଣୁ ସେ କ୍ଷମତାକୁ ଆସିବାପରେ ମିଶର ଦେଶରେ ସୈନ୍ୟ ଓ ପୋଲିସ୍‍ ମାନଙ୍କର ରାଜତ୍ୱ ଆରମ୍ଭ ହୋଇଗଲା । ଦେଶଟା ଯେ ଖାଲି ପୋଲିସ୍ ଓ ଫଉଜଙ୍କର ଅଢ଼ାରେ ଚାଲିଛି, ସେତେବେଳେ କି ଦେଶୀ କି ବିଦେଶୀ ସେଠି ସମସ୍ତଙ୍କୁ ନାନା କ୍ଷେତ୍ରରେ ଏହାହିଁ ଅନୁଭବ କରିବାକୁ ପଡ଼ୁଥିଲା ।

 

ପୋଲିସ୍ ଚୋରକୁ ଧରେ, ତେଣୁ ସେ ଚୋରକୁ ଭୟ ମଧ୍ୟ କରେ । ଯେକୌଣସି ଲୋକକୁ ଦେଖିଲେ ସେ ତାହାକୁ ଆଗ ଜଣେ ବିଶ୍ୱାସଘାତକ ବୋଲି ଧରିନିଏ, ଶତ୍ରୁପକ୍ଷର ସମର୍ଥକ ବା ଗୁପ୍ତଚର ବୋଲି ଧରିନିଏ । ଏଣେ ରାଜନୀତିକ ପ୍ରଚାରରେ ଯେତେ କଲ୍ୟାଣକର କଥା କହିଲେ ମଧ୍ୟ ସେ ଆପଣାର ବନ୍ଧୁକଟା ଉପରେ ହିଁ ସବୁଠାରୁ ବଡ଼ ଭରସା ରଖିଥାଏ । ପୋଲିସ୍‌ର ଶାସନ ପ୍ରଜାକୁ ସବୁ ଦେଇପାରେ, କିନ୍ତୁ ବିଶ୍ୱାସ ଦେଇ ପାରେନାହିଁ, ଅଭୟ ଦେଇ ପାରେନାହିଁ । କାରଣ ତା' ନିଜଭିତରେ ମଧ୍ୟ କୌଣସି ବିଶ୍ୱାସ ନଥାଏ, କୌଣସି ଅଭୟ ନଥାଏ । ଜଣେ ବିଦେଶୀ ହିସାବରେ ସେତେବେଳେ ମୋତେ ଦିନକୁ ପ୍ରାୟ ଚାରି ପାଞ୍ଚଥର କରି ପୋଲିସ୍‍ଥାନାକୁ ଯିବାକୁ ପଡ଼ୁଥିଲା । ହୋଟେଲର ମାଲପତ୍ର ରଖିବା ପରେ ଆଗ ପୋଲିସ୍‍ଥାନାକୁ ଯାଇ ମୁଁ ଅମୁକ ହୋଟେଲରେ ରହିଲି ବୋଲି କହି ଆସିବାକୁ ପଡ଼ିବ; ପୋର୍ଟସୟଦ୍‍ରୁ କାଇରୋ ଯିବାକୁ ହେଲେ ମୁଁ ପୋର୍ଟସୟଦ୍‍ ଛାଡ଼ି କାଇରୋ ଯାଉଚି ବୋଲି ସେଇ ପୋଲିସ୍‌କୁ ହିଁ କହିବାକୁ ପଡ଼ିବ । କାଇରୋରେ ପହଞ୍ଚି ଅନ୍ୟ କୌଣସି କାର୍ଯ୍ୟ କରିବା ଆଗରୁ ମୁଁ କାଇରୋରେ ଆସି ପହଞ୍ଚିଲି ବୋଲି ପୋଲିସ୍‍ଥାନାରେ ଯାଇ ଜଣାଇ ଆସିବାକୁ ପଡ଼ିବ । ଭୁଲ ହେଉ କି ଠିକ୍ ହେଉ, ବାରମ୍ବାର ଏହି ଉପଚାରଗୁଡ଼ାକ ମାନିବାକୁ ବାଧ୍ୟ ହୋଇ ମୁଁ ଭାବୁଥିଲି ଯେ ମିଶର ଦେଶରେ ସମ୍ଭବତଃ ଏହି ପୋଲିସ୍‍ଗୁଡ଼ାଙ୍କୁ ଛାଡ଼ିଦେଲେ ଆଉ କିଛିହେଲେ ନାହିଁ । ପୁରୁଣା ଆଉ ନୂଆ ଉଭୟ ମିଶରର ସକଳ ଐତିହ୍ୟ ଓ ଆକାଙ୍‍କ୍ଷାକୁ କେବଳ ଆପଣାର ପ୍ରତିପତ୍ତି ଦ୍ଵାରା ଆଚ୍ଛନ୍ନ କରି ରଖି ଏଠି ବର୍ତ୍ତମାନ ପୋଲିସ୍‍ ସର୍ବାଧିକାରୀର ଶାସନ ଚାଲୁଚି ।

 

ସେତେବେଳେ ବିଦେଶୀ କହିଲେ ମିଶରବାସୀଙ୍କର ମନରେ କେବଳ ଆତଙ୍କିତ ହେବାକୁ ହିଁ ବୁଝାଉଥିଲା । କାଇରୋ ଓ ପୋର୍ଟସୟଦ୍‍ର ମଝିରେ ଥିବା ଜାଗାଜିଗ୍ ବୋଲି ଏକ ଛୋଟ ସହରରେ ଦିନେ ଖରାବେଳେ ମୁଁ ରେଳରୁ ଓହ୍ଲାଇ ବଜାର ଭିତରକୁ ଆସିଲି । ମିଶରବାସୀ ଜଣେ ଭଦ୍ରଲୋକଙ୍କ ଘରେ ଦୁଇଦିନ କଟାଇବା ଲାଗି ଏକ ନିମନ୍ତ୍ରଣ ପାଇ ମୁଁ ଅତି ସରାଗରେ ସେଠାରେ ଆସି ପହଞ୍ଚିଥାଏ । ବଜାରର ଭୂଇଁ ମାଡ଼ିବା ମାତ୍ରକେ ମୋର ଚାରିପାଖରେ ପ୍ରାୟ କୋଡ଼ିଏ ସରିକି ଲୋକ ଘେରିଗଲେ । ମୋତେ ନାନାପ୍ରକାର ପ୍ରଶ୍ନ ପଚାରି ଅଥୟ କରି ପକାଇଲେ-। ମୁଁ ଶାନ୍ତ ଭାବରେ କହିଲି, ମୋତେ ଅମୁକଙ୍କ ଘରକୁ ବାଟ ବତାଇ ଦିଅନ୍ତୁ, ମୁଁ ତାଙ୍କରି ଘରକୁ ଯିବାକୁ ଚାହେ । ବାଟ ବତାଇବା ପଛକୁ ରହିଲା–ତତ୍‍ପରିବର୍ତ୍ତରେ ମୋ’ ଉପରେ ପୁଣି ପ୍ରଶ୍ନର କୁଢ଼ ଅଜାଡ଼ି ହୋଇ ପଡ଼ିଲା : ତୁମେ ତାଙ୍କ ଘରକୁ କାହିଁକି ଯିବ, ସେଠି ତୁମର କିଏ ଚିହ୍ନା ଅଛି, ତୁମେ ତାଙ୍କୁ କିପରି ଚିହ୍ନିଲ, ଆଜି ରାତିରେ କଣ ତୁମେ ତାଙ୍କରି ଘରେ ରହିବ ? ଇତ୍ୟାଦି, ଇତ୍ୟାଦି । ତୁ ଭାବିଲୁ, ଗୋଟାଏ ଅଚିହ୍ନା ଜାଗାରେ କୌଣସି ସାହାଯ୍ୟ କରିବା ପରିବର୍ତ୍ତେ ଯଦି ଏକ ନିର୍ମମ କୌତୁହଳ ସହିତ ଏତେ ମଣିଷ ତୋତେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବାକୁ ଆସନ୍ତି, ତେବେ ସେଥିରେ ତୋତେ ବଡ଼ ବିରକ୍ତ ଲାଗିବନାହିଁ କି ? ସେମାନଙ୍କ ସହିତ ମୁଁ ଇଂରାଜୀ ଭାଷାରେ ହିଁ କଥାବାର୍ତ୍ତା କରୁଥାଏ । ସେଥିରେ ସେମାନଙ୍କ ମନରେ ରହିଥିବା ସଂଶୟଟି ଆହୁରି ଦୃଢ଼ ହୋଇ ଯାଉଥାଏ, ତେଣୁ ସେମାନଙ୍କର ଅତ୍ୟାଚାର ବି ଅଧିକ ପ୍ରବଳ ହେବାରେ ଲାଗିଥାଏ । ମୁଁ ବିଦେଶୀ, ସେଥିରେ ପୁଣି ଇଂରେଜୀ ଭାଷାରେ କଥା କହୁଚି । ତେବେ ଇଂରେଜ ଶତ୍ରୁର ସହାୟକ ନହୋଇ ମୁଁ ଆଉ କ'ଣ ହୋଇଥିବି ? ପୋଲିସ୍‍ ଶାସନ ଦ୍ୱାରା ପ୍ରତିପାଳିତ ହେଉଥିବା ମିଶରବାସୀ ଠାରୁ ଏହାଠାରୁ ଅଧୁକ କ'ଣ ଆଶା କରାଯାଇ ପାରିଥାନ୍ତା ? ମୁଁ ବଡ଼ ଅଶ୍ୱସ୍ତ ଭାବରେ ଆଗକୁ ଚାଲିଥାଏ, କେଳା ପଛରେ ପିଲାମାନେ ମେଳା କରି ଚାଲିଥିବା ପରି ମୋ' ସହିତ ପଲେ ମଣିଷ ବି ଚାଲିଥାନ୍ତି । ହଠାତ୍‍ ମୋର ଉଦ୍ଧାରର ପଥ ଖୋଲିଦେଇ ମୋ' ପାଖରେ ଯାଉଥିବା ଜଣେ ଭଦ୍ରଲୋକ ମୋତେ ପଚାରିଲେ–ତୁମର ପାସ୍‍ପୋର୍ଟ୍‍ ଦେଖାଇଲ ? ମୁଁ ପାସ୍‌ପୋର୍ଟ୍‍ କାଢ଼ି ଦେଖାଇଲି । ଏପାଖ ସେପାଖ ଉପର ଭିତର ପରୀକ୍ଷା କରି ଦେଖିବାପରେ ସେ ମୋତେ ପଚାରିଲେ: ଭାରତୀୟ ? ମୁଁ କହିଲି, ହଁ, ଭାରତୀୟ । ତା'ପରେ ଜନତାକୁ ଆଶ୍ୱାସନା ଦେଇ ସେ କହିଲେ: ଇଏ ଜଣେ ଭାରତବାସୀ, ଆମର ବନ୍ଧୁ ! ତା'ପରେ ଜନତା ବୁଝିଗଲା ଓ ଆଡ଼ି ହୋଇଗଲା । କହିବା ବାହୁଲ୍ୟ ଯେ ସେମାନଙ୍କ ମଧ୍ୟରୁ ଦୁଇଜଣ ଲୋକ ମୋତେ ଅତି ଭଦ୍ରଭାବରେ ମୋର ଗନ୍ତବ୍ୟ ସ୍ଥାନରେ ନେଇ ପହୁଞ୍ଚାଇ ଦେଇଗଲେ ।

 

ମଣିଷ ଡରିଲେ ଠିକ୍ ଏହିପରି ଉତ୍ୟକ୍ତ ହୁଏ । ପଶୁ ହୁଏ, ମଣିଷ ବି ହୁଏ । ଘୃଣା ଆଉ ଭୟ ହେଉଚନ୍ତି ଗୋଟିଏ ଆଉ ଗୋଟିକର ସାଥୀ । ଗୋଟିକର ବିହୁନେ ଆରଟି କେତେବେଳେ ହେଲେ ରହି ପାରେନାହିଁ । ଆଧୁନିକ ମିଶରର ଘଟଣା ସମୂହରୁ ମୁଁ ତୋତେ ଆଉଗୋଟିଏ ଉଦାହରଣ ଦେବି । ଇଂରେଜମାନେ ଗତ କେତେବର୍ଷ ହେଲା ମିଶର ଦେଶକୁ ଉପନିବେଶ କରି ରଖୁଥିଲେ । ସଂଗ୍ରାମ କରି ମିଶରବାସୀ ଦେଶର ସ୍ୱାଧୀନତା ହାସଲ କଲେ । କିନ୍ତୁ ଏହି ସଂଗ୍ରାମ ପଛରେ ଯେଉଁ ଘୃଣାର ପୁଞ୍ଜି ସଞ୍ଚିତ ହୋଇ ରହିଥିଲା, ସ୍ଵାଧୀନତା ପାଇବା ପରେ ମଧ୍ୟ ତାହା ମିଶରବାସୀର ମନକୁ କାମୁଡ଼ି ଧରିଥିଲା । ଇଂରେଜଶାସନ ପରି ମିଶରବାସୀ ଇଂରେଜୀ ଭାଷା ଓ ଇଂରାଜୀ କାଇଦାଗୁଡ଼ାକୁ ମଧ୍ୟ ଘୃଣା କରୁଥିଲେ । ତେଣୁ ଇଂରେଜଶାସନ ହଟିଯିବା ସଙ୍ଗେସଙ୍ଗେ ନୂଆ ମିଶରରୁ ଇଂରାଜୀ ଭାଷାକୁ ମଧ୍ୟ ହଟାଇ ଦିଆଗଲା । ଇଂରେଜୀ ଭାଷା ବଦଳରେ ଫରାସୀଭାଷାକୁ ଦେଶର ଦ୍ୱିତୀୟ ଭାଷା କରାଗଲା । ସବୁ ଭାଷାପ୍ରତି ମୋର ସମାନ ଶ୍ରଦ୍ଧା ରହିଚି-। ଇଂରେଜୀଭାଷା ପ୍ରତି କୌଣସି ବିଶେଷ ଆସକ୍ତି ନାହିଁ ଓ ଫରାସୀଭାଷା ପ୍ରତି ମଧ୍ୟ କୌଣସି ବିଶେଷ ଅଶ୍ରଦ୍ଧା ନାହିଁ । କିନ୍ତୁ ବ୍ୟାବହାରିକ ଦୃଷ୍ଟିରୁ ମିଶରର ଏହି ନୀତିକୁ ମୁଁ ଏକ ମୁର୍ଖ ନୀତି ବୋଲି କହିବି । ମିଶରରେ ଇଂରେଜମାନେ ଥିଲେ, ଇଂରେଜୀଭାଷା ଥିଲା; ମିଶରର ଶିକ୍ଷାନୁଷ୍ଠାନ ମାନଙ୍କରେ ଇଂରେଜୀ ଶିକ୍ଷା ଦିଆଯାଉଥିଲା । ତେଣୁ ଇଂରେଜଶାସନ ଚାଲି ଯିବାପରେ ଇଂରେଜୀ ଭାଷାରେ ଶିକ୍ଷା ଦେବାଲାଗି ଦେଶରେ ଶିକ୍ଷକମାନଙ୍କର ଖୁବ୍‍ବେଶୀ ଅଭାବ ହୋଇ ନଥାନ୍ତା । କିନ୍ତୁ ତଥାପି ମିଶରର ଉଗ୍ର ଜାତୀୟତାବାଦୀ ଶାସକମାନେ ଏକଥା ବୁଝି ପାରିଲେନାହିଁ । ଫରାସୀ ଭାଷା ଶିକ୍ଷା ଦେବାଲାଗି ଦେଶରେ ଶିକ୍ଷକ ନଥାନ୍ତୁ ପଛକେ, ତଥାପି ଫରାସୀଭାଷାକୁ ହିଁ ଦେଶର ଦ୍ୱିତୀୟ ଭାଷା କରିବାକୁ ହେବ । ଏହି ଜିଦ୍ ହେଉଚି ମହମ୍ମଦ ଟୋଗଲକଙ୍କର ଆଦର୍ଶବାଦୀ ଜିଦ୍‍ପରି । ଏଥିରେ ଖାଲି ବିପତ୍ତି ହିଁ ରହିଚି ।

 

ବର୍ତ୍ତମାନ ମଧ୍ୟ ମିଶର ଦେଶରେ ସେହି ଇଂରେଜୀ-ଘୃଣା ରହିଚି । ରାସ୍ତାର ନାଆଁଗୁଡ଼ାକ କେବଳ ମିଶରଭାଷା ଓ ଫରାସୀଭାଷାରେ ଲେଖାହୋଇ ରହିଚି । ଇଂରେଜମାନେ ଏହି ଦେଶକୁ ଶାସନ କରୁଥିବା ସମୟରେ ବୋଧହୁଏ ରାସ୍ତାର ନାଆଁଗୁଡ଼ାକ କେବଳ ଇଂରେଜୀ ଭାଷାରେ ଲେଖାହୋଇ ରହିଥିଲା । ଆମ ଦେଶରେ ରାସ୍ତାରେ ଯାଉଥିବା ବେଳେ ସାଇକେଲ ଓ ମଟରଗାଡ଼ି ପ୍ରଭୃତିକୁ ବାଆଁକୁ ରଖି ଚଳାଇବାକୁ ହୁଏନା ? ତାହାର କାରଣ ହେଉଚି, ବ୍ରିଟିଶ୍ ରାଜତ୍ୱ ସମୟରେ ଆମ ଦେଶରେ ଠିକ୍ ତାହାହିଁ ହେଉଥିଲା । ଇଉରୋପରେ କେବଳ ଦୁଇଟି ଦେଶ, ଇଂଲଣ୍ଡ ଆଉ ସୁଇଡ଼େନ୍‍କୁ ଛାଡ଼ିଦେଲେ ଆଉ ସମସ୍ତେ ଡାହାଣ ପାଖକୁ ରଖି ଯାନବାହାନ ଚଳାନ୍ତି । ଭାରତରେ ଆମେ ବ୍ରିଟିଶ ଅମଳର ପରମ୍ପରାଟିକୁ ରଖିବାକୁ କୌଣସି ପ୍ରକାରେ ଅପମାନଜନକ ବୋଲି ମନେ କରିନୁ । କିନ୍ତୁ ମିଶରରେ ଇଂରେଜୀଭାଷା ପରି ଏହି ଅଭ୍ୟାସଟିକୁ ମଧ୍ୟ ବାସନ୍ଦ କରି ରଖାଯାଇଚି । ତୁ ବେଶ୍ ବୁଝି ପାରୁଥିବୁ ଯେ ମିଶରରେ ବର୍ଭମାନ ଗାଡ଼ିମଟର ଓ ସାଇକେଲ ବାଆଁପାଖକୁ ନୁହେଁ, ଡାହାଣ ପାଖକୁ ରଖି ଚାଲୁଚି । ବିଦେଶୀ ବିରୁଦ୍ଧରେ ସଂଗ୍ରାମ ଏଠାକୁ ଆସି ଯାଇ ସମ୍ପୂର୍ଣ୍ଣ ହୋଇଚି ।

 

ସେତେବେଳେ ମୁଁ ମିଶରଦେଶରେ ସର୍ବତ୍ର ସେନାପତି ନାଗିବ୍‍ଙ୍କର ଫଟୋ ଝୁଲୁଥିବାର ଦେଖିବାକୁ ପାଇଥିଲି । ହୋଟେଲ ଠାରୁ ଆରମ୍ଭକରି ପୋଲିସ୍‍ଥାନା ପର୍ଯ୍ୟନ୍ତ ଯେଉଁଠାକୁ ଯିବ, ନାଗିବ୍‍ଙ୍କର ଛୋଟ ବଡ଼ ନାନା ପ୍ରତିକୃତି ଦେଖିବାକୁ ପାଇବ । ଛୋଟବଡ଼ ସବୁ ଦୋକାନରେ ତାଙ୍କରି ଫଟୋ । ଏପରିକି ହୋଟେଲ ଓ ରେସ୍ତୋରାଁର ଯେଉଁ ଟେବୁଲ ଉପରେ ତୁମେ ଖାଇ ବସିବ କିମ୍ବା ଚାହା କପେ ପିଇବାକୁ ଯିବ, ଟେବୁଲ ଉପରେ ପକା ହୋଇଥିବା କାଚ ପରସ୍ତ ତଳେ ନିଶ୍ଚୟ ସେନାପତି ନାଗିବ୍‍ଙ୍କର ଛବି ଦେଖିବାକୁ ପାଇବ । ଏହା ସଂହତିର ଲକ୍ଷଣ ହୋଇପାରେ, ସଂତ୍ରାସର ବି ଲକ୍ଷଣ ହୋଇପାରେ । ମୁଁ ସେତେବେଳେ ଅପାକଳ ମନରେ ଭାବିଥିଲି ଯେ ତାହା ହେଉଚି ସଂହତିର ଲକ୍ଷଣ । କିନ୍ତୁ ମୁଁ ମିଶର ଛାଡ଼ିବାର ମାସକ ଭିତରେ ଯାହା ଘଟିଲା, ତାହାହିଁ ମୋର ଅନୁମାନକୁ ଭୁଲ ବୋଲି ପ୍ରମାଣ କରିଦେଲା । ମାସକ ଭିତରେ ନାଗିବ୍ ଗଲେ, ନାସେର୍‍ ଆସିଲେ । ନାସେର୍ ପ୍ରଥମେ ନାଗିବ୍‍ଙ୍କର ଡାହାଣ ହାତ ଥିଲେ । କିନ୍ତୁ ପରେ ପରିପନ୍ଥୀ ହୋଇ ବାହାରିଲେ ଓ ନାଗିବ୍‍ଙ୍କର ପ୍ରତିପତ୍ତି ଲୋପ କଲେ । ଦେଶର ପରିତ୍ରାଣ କର୍ତ୍ତା ବୋଲି ପୂଜା ପାଉଥିବା ନାଗିବ୍ ଦେଶରୁ ତଡ଼ା ଖାଇଲେ, ତାଙ୍କୁ ଅତି ଉଚ୍ଚସ୍ୱରରେ ଜଣେ ଦେଶଦ୍ରୋହୀ ବୋଲି ସବୁଠାରେ ଘୋଷଣା କରାଗଲା । ଆପଣାର ଦେଶରେ ରହିଥିଲେ ସେ ଆଜି ହୁଏତ କଦାପି ଜୀବନରେ ନଥାନ୍ତେ । ଲୋକମାନଙ୍କର ଭୋଟ୍ ଦ୍ଵାରା ଶାସନ ବଦଳିଲେ ଏପରି ହୁଏନାହିଁ । ଜଣେ ସୈନ୍ୟାଧୀଶ କ୍ରମେ ପ୍ରବଳ ହୋଇ ଶାସନାସୀନ ଆଉଜଣେ ଶାସନାଧୀଶର ବଳ ହରଣ କରିବାକୁ ବସିଲେ ହିଁ ଏପରି ହୋଇଥାଏ ।

 

ପଅରଦିନ ରାତିରେ ପୋର୍ଟସୟଦ୍ ସହରରେ ବୁଲୁଥିବା ବେଳେ ମୁଁ ଥାନରେ ଅଥାନରେ ନାସେରଙ୍କର ଫଟୋ ଦେଖିବାକୁ ପାଇଲି । କାନ୍ଥରେ ନାସେର, ଖୁଣ୍ଟରେ ନାସେର, ଦୋକାନ ବାହାରେ ନାସେର, ଦୋକାନ ଭିତରେ ମଧ୍ୟ ନାସେର । ଧର୍ମ ବା ଦର୍ଶନରେ ଯାହା ହେଉ ପଛକେ, ରାଜନୀତି ଭିତରେ ଅଦ୍ୱୈତବାଦ ହେଉଚି ଏକ ବଡ଼ ମାରାତ୍ମକ କଥା । ନଅବର୍ଷ ତଳେ ମିଶରର ଲୋକେ ଯେତିକି ଉତ୍ସାହ ଓ ଉତ୍ତେଜନାରେ ନାଗିବ୍‍ଙ୍କର ଫଟୋକୁ ସର୍ବବ୍ୟାପୀ କରି ଦେଖାଇବାକୁ ଚେଷ୍ଟା କରୁଥିଲେ, ବର୍ତ୍ତମାନ ସେମାନେ ସେନାପତି ନାସେରଙ୍କୁ ମଧ୍ୟ ସେହିପରି କରି ଦେଖାଇବାକୁ ଚେଷ୍ଟା କରୁଚନ୍ତି । କିନ୍ତୁ ଏହା ସଂହତିର ଲକ୍ଷଣ ନା ସଂତ୍ରାସର ଲକ୍ଷଣ ? ମିଶରବାସୀଙ୍କର ସାଧୁତା ହିଁ ଭବିଷ୍ୟତରେ ତାହାର ମୀମାଂସା କରିବ ।

 

କାଲି ଦିନଯାକ ଭୂମଧ୍ୟସାଗର ଭାରି ଶାନ୍ତ ଥିଲା । ଆଜି ସକାଳୁ ଉଠି ଡେକ୍‍ ଉପରକୁ ଗଲି, କିନ୍ତୁ ସୂର୍ଯ୍ୟଦର୍ଶନ ହୋଇ ପାରିଲାନାହିଁ । ଆଜି ସକାଳର ପାଗକୁ ଏକାବେଳକେ ଇଉରୋପୀୟ ପାଗ ବୋଲି କୁହାଯାଇ ପାରିବ । ଅଧିକ ନିର୍ଭୁଲ ଭାବରେ କହିଲେ ବିଲାତର ପାଗ ବୋଲି କହିବାକୁ ହେବ । ସକାଳର ଏହି ସମୁଦ୍ର ଗୋଟାକରେ କୁଆଡ଼େ କିଛି ଦିଶୁନାହିଁ । ଆକାଶ ଓ ସମୁଦ୍ର କିଛି ଦିଶୁନାହିଁ । ଦୂର ପୂର୍ବଦିଗରେ ସୂର୍ଯ୍ୟ ଉଠି ସାରିବେଣି, ତଥାପି କିଛି ଦିଶୁନାହିଁ । ଚତୁର୍ଦ୍ଦିଗରେ କେବଳ କୁହୁଡ଼ି ଆଉ କୁହୁଡ଼ି, କେବଳ ଅସ୍ପଷ୍ଟତା । ଜଣେ ବନ୍ଧୁ ପାଖରେ ଥାଇ କହିଲେ, ଏହି ପାଗସହିତ ଯଦି ଟିକିଏ ବରଷା କୁଣ୍ଡା ଛାଡ଼ି ଯାଉଥାନ୍ତା, ତେବେ ଏହାକୁ ବାଜି ରଖି ଲଣ୍ଡନ ସହରର ପାଗ ବୋଲି କୁହାଯାଇ ପାରନ୍ତା । ବନ୍ଧୁ ହେଉଚନ୍ତି ସ୍ଵୟଂ ଲଣ୍ଡନବାସୀ, ତେଣୁ ତାଙ୍କର କଥାକୁ କଦାପି ଅବିଶ୍ଵାସ କରାଯାଇ ନପାରେ ।

 

ଆମର ଏହି ସମୁଦ୍ରଯାତ୍ରା କ୍ରମେ ସରିସରି ଆସୁଚି । ବମ୍ବେରୁ ଜାହାଜ ଚଢ଼ିବାପରେ ଆମେ ସମସ୍ତେ କାଲି, ପଅରଦିନ ଆଉ ଅପୁରିଦିନ କରି ଜାହାଜରେ ଉଠିବା ଦିନଟିକୁ ସ୍ମରଣ କରିବାରେ ଲାଗିଥିଲୁ । ଆମର ମନଟା ବାରବାର ପଛକୁ ଫେରି ଚାହୁଁଥିଲା । ଆମେ କେଉଁଦିନ ଗାଆଁରୁ ବାହାରିଲୁ, କେଉଁଦିନ ରାତିରେ ସମସ୍ତଙ୍କଠାରୁ ବିଦାୟ ନେଇ ମୁଁ କଟକ ଛାଡ଼ିଲି, ଏହିସବୁ ଘଟଣାକୁ ମୁଁ ମନେମନେ ବାରବାର ଜପି ହେଉଥିଲି । ଆଜି ଯେପରି ମୋର ଦିଗଗଣନା ଆଗକୁ ଓଲଟି ଯାଇଥିବା ପରି ମନେ ହେଉଚି । ଆଜି, କାଲି ଆଉ ପଅରଦିନ ଗଲେ ଅପୁରିଦିନ ଆମ ଜାହାଜ ଯାଇ ଜେନୋଆ ବନ୍ଦରରେ ପହଞ୍ଚିବ । ସେଇଠାରେ ଜାହାଜପଥର ଯାତ୍ରାଟି ସାଙ୍ଗ ହେବ-। ଗତ କେତେଟା ଦିନର ଜୀବନଳୀଳା ସାଙ୍ଗ କରି ଆମେ ସବୁ ଯିଏ ଯୁଆଡ଼େ ଆପଣା ଆପଣାର ବାସନା ଓ ବ୍ୟଗ୍ରତା ନେଇ ଚାଲିଯିବୁ । କିଏ ଘରେ ଯାଇ ଆପଣା ବୋଉପାଖରେ ପହଞ୍ଚବ, କିଏ ଅନେକଦିନ ପରେ ଆପଣାର ସ୍ତ୍ରୀ ଓ ପିଲାପିଲିଙ୍କ ସହିତ ମିଳିତ ହେବ, କିଏ ଯାଇ କାରଖାନାରେ କାମ କରିବ, କିଏ ପାଠ ପଢ଼ିବ, ପୁଣି ଆଉ କିଏପଢାଇବ । ବଡ଼ ଇଉରୋପର ବୃହତ୍ ଜୀବନ ବିପଣିରେ ଆମେ ସମସ୍ତେ କିଏ କୁଆଡ଼େ ଯାଇ କେତେ ପ୍ରକାରେ ଲାଖିଯିବୁ । କିନ୍ତୁ ଏଠି ଜାହାଜ ଉପରେ ଏହି କେତେଦିନର ଯାତ୍ରା ଆମ ସମସ୍ତଙ୍କର ହୃଦୟରେ ଏକ ସରସ ଓ ସମ୍ପର୍କମୟ ଜୀବନର ଯେଉଁ ପ୍ରତିଭାସ ରଖିଗଲା, ସେଇଟି କେତେଦିନ ଯାଏ ସ୍ଥାୟୀ ହୋଇ ରହି ପାରିବ ?

 

ଆପଣା ମନର ପାତ୍ରରେ ଇଉରୋପର ଭାବନାମାନ ଭରି ଉଠୁଥିବା ବେଳେ ତେଣେ ଆପଣାର ଦେଶଟା ଯେ ଭୁଲିହୋଇ ଯାଉଚି, ସେକଥା ଆଦୌ ନୁହେଁ । ବୋଉ କଥା, ତୋ' କଥା, ଘର କଥା, ମୋର ସବୁ ମନେପଡ଼ୁଚି । କିନ୍ତୁ ଏହିସବୁ ସ୍ମରଣ ମୋତେ ଆଉ ଆଗପରି ଉଦ୍‌ବିଗ୍ନ କରି ପକାଉ ନାହିଁ । ତୁମେ ସମସ୍ତେ ଅତି ସ୍ଥିର ଓ ଅତି ନିଶ୍ଚିତ ଭାବରେ ମୋର ହୃଦୟର ଆସନ ଉପରେ ବସି ରହିଚ । ତୁମମାନଙ୍କର କଥା ମନେ ପକାଇବା ଲାଗି ଆଉ ପଛକୁ ଅନାଇବାକୁ ପଡ଼ୁନାହିଁ, ଆଉ ଆକୁଳ, ଛନଛନ ବା ଚକିତ ହେବାକୁ ପଡ଼ୁନାହିଁ । ଏହି ସ୍ମରଣରେ ଆଉ କୌଣସି ଆଘାତ ନାହିଁ, କୌଣସି ଦଂଶନ ନାହିଁ । ମୋର ସମସ୍ତ ଦେଶ, ମୋର ସକଳ ସଂସ୍କାର ଓ ସଂସ୍କୃତି ଏବଂ ମୋର ହୃଦୟଗତ ସମସ୍ତ ଅତୀତଟିକୁ ନେଇ ଆଜି ମୁଁ ଇଉରୋପକୁ ଯାଉଚି । ତୁମମାନଙ୍କର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ନେଇ ମୁଁ ପୁଣି ଆଉକେତେ ନୂଆ ଘରକୁ ଆପଣାର କରିବାଲାଗି ଯାଉଚି । ନୂଆ ସ୍ନେହରେ ପୁରୁଣା ସ୍ନେହକୁ ସମୃଦ୍ଧ କରିବାକୁ ଯାଉଚି । ମୋର ଆତୁର ଭକ୍ତି ଅଚଳା ଭକ୍ତିରେ ରୂପାନ୍ତରିତ ହୋଇ ଯାଉଚି ।

 

କୌଣସି ତୀର୍ଥକୁ କେବଳ ଥରେମାତ୍ର ଦେଲେ ଆରଜନ୍ମରେ କୁଆଡ଼େ କାଉ ହେବାକୁ ହୁଏ । ଥରେ ପୁରୀ ଗଲେ କିମ୍ବା ଥରେ ଗଙ୍ଗାଗୟା ଗଲେ କୁଆଡ଼େ ପୁଣ୍ୟ ପରିପୂର୍ଣ୍ଣ ହୁଏନାହିଁ । ଏବଂ ଏହି ଅପୂର୍ଣ୍ଣତା ସକାଶେ କାଉ ହୋଇ ଜନ୍ମ ନେବାକୁ ପଡ଼େ । ତୁ ତୀର୍ଥସ୍ଥାନ ମାନଙ୍କରେ କେବେ କାଉମାନଙ୍କୁ ଲକ୍ଷ୍ୟ କରି ଦେଖିବୁ ? ସେମାନଙ୍କର ଉଡ଼ିବାରେ ଆଦୌ କୌଣସି ସ୍ଥିରତା ନଥାଏ, ସେମାନଙ୍କର ବସିବାରେ ମଧ୍ୟ କୌଣସି ସ୍ଥିରତା ନଥାଏ । ଗୋଟାଏ ଥାନରେ ଦିଆଯାଇଥିବା ଭୋଗରୁ ଥଣ୍ଟ ପେଟକୁ ଯିବା ପୂର୍ବରୁ ସେମାନେ ଆଉ କେଉଁଠି ଭୋଗ ଲାଗୁଥିବାର ଦେଖି ସେଠାରେ ମଧ୍ୟ ଥଣ୍ଟ ମାରି ଆସିବାକୁ ଧାଇଁଯାଆନ୍ତି । ଖାଲି ଥଣ୍ଟ ମାରିବାହିଁ ସାର ହୋଇ ରହେ, ପେଟ ପୂରେନାହିଁ । ଆତୁର ସଂଗ୍ରହଲିପ୍ସା କେବଳ ଆତୁର ସଂଗ୍ରହଲିପ୍ସାରେ ହିଁ ଅବଶେଷ ହୋଇ ରହିଯାଏ । ସଂଗ୍ରହ କରିବାର ଆତୁରତାରେ ସାର୍ଥକ ସଂଗ୍ରହ ମଧ୍ୟ ସମ୍ଭବ ହୋଇ ପାରେନାହିଁ । ମଣିଷ ଯେଉଁଠାକୁ ଯାଏ, ସେଠି ସେ ବିକଳ ହୋଇ ଝାସ ଦିଏ, ସେଠାରେ ସେ ନାନା ପଙ୍କ ଭିତରେ ହିଁ ଝାସ ଦେଇଥାଏ । ମନଭିତରେ ଆତୁରତା ରହିଥିବା ପର୍ଯ୍ୟନ୍ତ ଜଳନ୍ତା ଆଗ୍ରହ ମଣିଷକୁ କେବଳ କାଉ କରି ବୁଲାଉଥାଏ ।

 

ଦେଶରୁ ବାହାରିବା ବେଳେ ଅନେକେ ଏହିପରି ଏକ କାଉମନ ନେଇ ବିଦେଶକୁ ଆସନ୍ତି । ଯେଉଁ ଘାଟରେ ପହଞ୍ଚନ୍ତି, ସେଠାରେ ଝାସ ଦେବାକୁ ବସନ୍ତି । ସବୁଠାରେ ସବୁ ହାଉଆ ସହିତ ଉଡ଼ି ଯିବାକୁ ମନ ବଳାନ୍ତି । ଆପଣାର ନିଜର ବୋଲି କହିବାପାଇଁ ଯେ ଗୋଟାଏ ଘାଟ ରହିଚି, ଆପେ ନିଜ ଜୀବନକୁ ନେଇ ଠିଆହେବା ଲାଗି ଯେ ଏକ ଭୂମି ରହିଚି, ସେମାନେ ସେକଥା ପାସୋରି ପକାନ୍ତି । ସେଥିଲାଗି ବମ୍ବେ ଛାଡ଼ିବା ମାତ୍ରକେ ସେମାନଙ୍କର ସମସ୍ତ ବିବେକବୁଦ୍ଧି କେବଳ ବିସ୍ମୃତ ହୋଇଥାଏ । ଗୋଟିଏ ପେଟରେ ସେମାନେ ଦୁଇପେଟ ମଦ ପିଇବାକୁ ବାହାରି ପଡ଼ନ୍ତି; ଯେତେ ନଜାଣିଥାନ୍ତି, ତାହାଠାରୁ ବେଶୀ ଇଂରାଜୀ କହନ୍ତି । ଆପଣାକୁ ଗୋଟାସୁଦ୍ଧା ବିଲାତି ବୋଲି କହିବାକୁ ଅତି ଫୁଲେଇ ହୋଇ ବାହାରନ୍ତି । ଖାଇବାଥାନରେ ପୋଷାକ ପିନ୍ଧି ବାହାରିବା ବେଳେ, ସ୍ଥଳବିଶେଷରେ ବ୍ୟବହାର ନିରୂପଣ କଲାବେଳେ ସେମାନେ ବିଲାତି ଆଚାର ସଂହିତାରେ ଆପଣାକୁ ଗୋଟାଏ ଗୋଟାଏ ମନୁ ବୋଲି ଭାବିନେଇ ଥାଆନ୍ତି ଓ ଏହି ବିଷୟରେ ଆଉ କାହାରି ଅଜ୍ଞତା ଦେଖିଲେ ତାହାପ୍ରତି କରୁଣା ଦେଖାଇବାକୁ ଚେଷ୍ଟା କରନ୍ତି । ଏମାନଙ୍କର ସମସ୍ତ ଇଚ୍ଛା ଓ ଅଧ୍ୟବସାୟକୁ ସମ୍ପୂର୍ଣ୍ଣ ସମ୍ମାନ ଦେଖାଇ ମୁଁ ତଥାପି କହିବି ଯେ ଜୀବନର ତୀର୍ଥରେ ଏଇମାନେ ହିଁ କାଉ ହୋଇ ରହନ୍ତି । ଏମାନଙ୍କର ଆତୁରତା ଏମାନଙ୍କୁ କେବେହେଲେ ଛାଡ଼ି ପାରେନାହିଁ । ତେଣୁ ଏମାନଙ୍କର ଶିଖିବା ମଧ୍ୟ କେବେହେଲେ ଆରମ୍ଭ ହୋଇ ପାରେନାହିଁ ।

 

ଓଡ଼ିଶାରେ ବି ଏପରି ଅନେକ ଓଡ଼ିଆ ଅଛନ୍ତି, ଯେଉଁମାନେ କି ବିଲାତ ଯାଇଚନ୍ତି, ଉଚ୍ଚ ପାଠ ପଢ଼ିଚନ୍ତି, ପଣ୍ଡିତ ହୋଇଚନ୍ତି ଓ ଅନେକ ପଇସା କମାଉଚନ୍ତି । ଆମ ସାହିତ୍ୟରେ, ଆମର ସଂସ୍କୃତିରେ, ଆମର ଶିକ୍ଷା ଓ ଆମର ଶାସନ ଭିତରେ ଅନେକ ସମୟରେ ଏହି ମାନଙ୍କର ଖୋଜ ପଡ଼ିଚି । ମାତ୍ର ଏମାନଙ୍କୁ ଆମଭିତରେ ପାଇ ଆମେ ଖୁବ୍‍ ବେଶୀ ଲାଭବାନ୍ ହୋଇ ପାରିନାହୁଁ । କାରଣ ଏମାନଙ୍କର ସକଳ ମଣ୍ଡନ ସତ୍ତ୍ୱେ ଏମାନେ ମୂଳତଃ କାଉ ହୋଇ ରହିଚନ୍ତି । ଓଡ଼ିଆ ଦେଶରେ ରହି ମଧ୍ୟ ଏମାନେ ପରସ୍ପର ଭିତରେ ଇଂରାଜୀରେ କଥାବାର୍ତ୍ତା ହେବାରୁ ତୀର୍ଥରେ ଭୋଗ ଖାଇବାର ସୁଆଦ ଅନୁଭବ କରନ୍ତି, ଓଡ଼ିଆ ହୋଇ ମଧ୍ୟ ଏମାନେ କେତେକେତେ ବିଦେଶୀ ମୟୂରପୁଚ୍ଛ ସଂଗ୍ରହ କରି ଆପଣାକୁ ସଜାଇ ରଖିବାରେ ଗୌରବ ପାଆନ୍ତି । ଓଡ଼ିଶାରେ ପାଠ ପଢ଼ାଇ ବା ପାଠୁଆ ହୋଇ ମଧ୍ୟ ଏମାନେ ବିଲାତରେ ବିତାଇଥିବା ଆପଣା ପୂର୍ବଜନ୍ମର ସ୍ୱପ୍ନ ଦେଖୁଥାଆନ୍ତି । ତୁ ଯେତେବେଳେ ବଡ଼ ହୋଇ କଟକରେ ପାଠ ପଢ଼ି ଆସିବୁ, ସେତେବେଳେ ଏହାର ଅନେକ ପ୍ରମାଣ ପାଇବୁ ଓ ବଡ଼ ବଡ଼ ଲୋକଙ୍କର ବଡ଼ ବଡ଼ କାକାଚାର ଦେଖି ନହସି ରହି ପାରିବୁନାହିଁ । ଏମାନଙ୍କର ପାଦତଳେ ଆଦୌ କୌଣସି ଭୂଇଁ ନଥାଏ; ଏମାନେ କୌଣସି ବିଲାତି ସର୍କସଦଳରେ ବିଲାତି କାଇଦାରେ କରମର୍ଦ୍ଦନ କରିବାକୁ ଶିକ୍ଷା ପାଇଥିବା ଦେଶୀ ମାଙ୍କଡ଼ପରି କେବଳ ରଙ୍ଗରସ ସୃଷ୍ଟି କରି ବୁଲୁଥାନ୍ତି । ଭାରତୀୟ ବିଶ୍ଵବିଦ୍ୟାଳୟ ମାନଙ୍କରେ ସମାବର୍ତ୍ତନର ଶୁଭାନୁଷ୍ଠାନରେ ଆମର ପଣ୍ଡିତପୁଙ୍ଗବମାନେ ଯେତେବେଳେ ସର୍ବାଙ୍ଗସୁନ୍ଦର କଳାବେଶରେ ମଣ୍ଡଳୀ ବାନ୍ଧି ବସିଥାନ୍ତି, ସେତେବେଳେ ମୋର ଦୁଷ୍ଟ ମନରେ ମୁଁ କେବଳ ଏହି କାଉମାନଙ୍କର କଥା ହିଁ ଭାବୁଥାଏ । ଯେତିକି ଭାବେ, ସେତିକି ହସେ; ପୁଣି ସେତିକି ଥକା ହୁଏ ।

 

ମୁଁ ଏଥର ଦ୍ୱିତୀୟଥର ପାଇଁ ଇଉରୋପ ଯାଉଚି; ତେଣୁ ମୋ ପକ୍ଷରେଏଥର କାଉ ହେବାର କମ୍ ଆଶଙ୍କା ରହିଛି । ଇଉରୋପର କୌଣସି ଫମ୍ପା ସରୋବରରେ ମୁଁ ଝାସ ଦେବାକୁ ଯାଉନାହିଁ, ମୋ'ର ଚିହ୍ନା ଇଉରୋପକୁ ସଙ୍ଖୋଳି ଆସିବାକୁ ମୁଁ ଯାଉଚି । ଇଉରୋପରେ ଆମୋଦ ଅଛି, ଆରାମ ଅଛି, ବିଳାସ ଅଛି ଓ ବାସନା ମଧ୍ୟ ରହିଛି । ମାତ୍ର ଇଉରୋପରେ ମାଆବାପା ମଧ୍ୟ ଅଛନ୍ତି, ସ୍ଵାମୀ ସ୍ତ୍ରୀ ଅଛନ୍ତି; ସ୍ନେହ ଅଛି, ଘର ଅଛି, ଅତୀତ ଓ ଭବିଷ୍ୟତ ଅଛି । ଗତଥର ଇଉରୋପକୁ ମୁଁ ଏହାହିଁ ଆବିଷ୍କାର କରି ଆସିଥିଲି । ମୋ ଦେଶକୁ ଫେରିଯିବା ପରେ ମୁଁ ମୋର ପାଠକୁ ବିକ୍ରିକରି ଭାରତର ବଜାରରେ ପଇସା ରୋଜଗାର କରିବାକୁ କେବେହେଲେ ମନ ବଳାଇନାହିଁ । ଦେଶରେ ଥିଲାବେଳେ ମୁଁ ମୋର ଇଉରୋପୀୟ ଆବିଷ୍କାରକୁ ବଞ୍ଚାଇ ରଖୁବାକୁ ଚେଷ୍ଟା କରିଚି । ସେହି ଆବିଷ୍କାରକୁ ମୋ' ଜୀବନର ଏକ ସମ୍ପଦ କରି ରଖିବାକୁ ଚେଷ୍ଟା କରିଚି । ମୁଁ ଏଥିରେ ଅନେକ ଲାଭବାନ୍‍ ହୋଇଚି । ଆପଣା ଦେଶକୁ ଭଲପାଇବା ଭିତରେ ମୋ୍‍ର ଯେଉଁସବୁ ମୋହ ଥିଲା, ଯେଉଁସବୁ ମଳିନତା ଥିଲା, ମୋର ଇଉରୋପ ଆବିଷ୍କାର ମୋତେ ସେଥିରୁ ମୁକ୍ତ ହେବାପାଇଁ ଅନେକ ସାହାଯ୍ୟ କରିଚି । ମୋ’ର ଭୂମିଟିକୁ ମୁଁ ଅଧିକ ସତ୍ୟ ଓ ଅଧିକ ନିବିଡ଼ କରି ଦେଖି ଶିଖିଚି । ମମତା ଯାଇଚି ସତ, କିନ୍ତୁ ଶ୍ରଦ୍ଧା ବଢ଼ିଛି । ଏହାରି ଦ୍ୱାରା ହିଁ ମୁଁ କାଉ ହେବାର ପ୍ରମାଦରୁ ରକ୍ଷା ପାଇ ଯାଇଚି ।

 

ଅଧିକ ଦେଖିଲେ ଆଖି ଧନ୍ୟ ହୁଏ, ଅଧ୍ୟକ ଶୁଣିଲେ ଶ୍ରବଣ ମଧ୍ୟ ଧନ୍ୟହୁଏ, ଅଧୁକ ସଙ୍ଗ ପାଇଲେ ମଣିଷର ଜୀବନ ଧନ୍ୟ ହୁଏ । ଅଧୁ ବୁଝିଲେ ଶ୍ରଦ୍ଧା ବଢ଼େ, ହୃଦୟ ସମ୍ପ୍ରସାରିତ ହୁଏ-। ନୂଆକୁ ବୁଝିଲେ ଆପେ ନୂଆ ହେବାର ସୌଭାଗ୍ୟ ମିଳେ, କିନ୍ତୁ ତା' ବୋଲି ପୁରୁଣା ହଜି ଯାଏନାହିଁ-। ତେଣୁ ନୂଆକୁ ବୁଝିଲେ ପୁରୁଣା ମଧ୍ୟ ଧନ୍ୟ ହୁଏ । ନୂଆ ବନ୍ଧୁ କଲେ ସବୁ କ୍ଷେତ୍ରରେ ପୁରୁଣା ବନ୍ଧୁକୁ ହରାଇବାକୁ ପଡ଼େନାହିଁ । ନୂଆ ବନ୍ଧୁତ୍ଵରେ ପୁରୁଣା ବନ୍ଧୁତ୍ଵ ଅଧିକ ସମୃଦ୍ଧହୁଏ, ଜୀବନର ସଂଗ୍ରହ ବଢ଼େ ମୁଁ ଅଧିକ ସମ୍ପଦଶାଳୀ ହୁଏ । ତଥାପି ଘରର ପୁଅ ହୋଇ ରହେ, ସହସ୍ର ଘରେ ଆଦର ପାଇଲେ ମଧ୍ୟ ମୁଁ ଆପଣା ଘରର ଅଧିକାର ହରାଏ ନାହିଁ, କାଉ ହୁଏନାହିଁ ।

Image

 

ନଅ

 

ଭୂମଧ୍ୟ ସାଗର

ତା ୧୮/୧୦/୬୨

 

ସ୍ନେହର ଜଟି,

 

ଆଜି ବଡ଼ି ଭୋର ପାଞ୍ଚଟାରୁ ଆମର କ୍ୟାବିନ୍‌ ଭିତରେ ଜୀବନର ଚହଳ ଆରମ୍ଭ ହୋଇଗଲା । ସକାଳ ଜଳଖିଆ ସାତଟା ବେଳେ ଦିଆଯାଏ । ତେଣୁ ସାଧାରଣତଃ ଅନ୍ୟ ଦିନମାନଙ୍କରେ ସମସ୍ତେ ଭାବିଥାନ୍ତି ଯେ ସାଢ଼େ ଛଅଟା ବେଳକୁ ବିଛଣାରୁ ଉଠିଲେ ଜଳଖିଆ ବେଳକୁ ପ୍ରସ୍ତୁତ ହେବାଲାଗି ଯଥେଷ୍ଟ ସମୟ ଅବଶ୍ୟ ମିଳିବ । କିନ୍ତୁ, ଆଜି ଏକ ବିଶେଷ ଘଟଣାରେ ସମସ୍ତେ ଅନ୍ଧାର ଥାଉଁ ଉଠିବସିଲେ । ଅନ୍ୟ ଏକ କ୍ୟାବିନ୍‌ର ଜଣେ ଚିହ୍ନା ଭଦ୍ରଲୋକ ଆସି ଖବର ଦେଲେ ଯେ ସକାଳ ଛଅଟା ବେଳକୁ ଆମ ଜାହାଜ ମେସିନା ବନ୍ଦରରେ ଲାଗିବ । ତେଣୁ ଆମର ଯଦି ସହର ବୁଲି ଦେଖିବାର ମତଲବ ଅଛି, ତେବେ ଶୀଘ୍ର ଗାଧୁଆପାଧୁଆ ସାରି ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । କିନ୍ତୁ, ଆମେ ସିନା ଛଅଟା ବେଳୁ ପ୍ରସ୍ତୁତ ହୋଇ ରହିଲୁ, ମେସିନାଠାରେ ଜାହାଜ ଲାଗିଲା ଦିନ ଦଶଟାରେ ।

 

ସେ କଥା ପରେ କହୁଚି । ଆମ କ୍ୟାବିନ୍‍ରେ ଆଉ ଯେଉଁ ସାଥୀମାନେ ରହିଚନ୍ତି; ସେମାନଙ୍କ ବିଷୟରେ ତୋ ପାଖକୁ ଆଗ ପଦେ ପଦେ ଲେଖିସାରେ, ତା'ପରେ ସେ କଥା କହିବି-। ଆଗରୁ ତିନି ଜଣଙ୍କ କଥା କହିସାରିଚି । ଆଉ ଜଣେ ହେଉଚନ୍ତି ଉତ୍ତର ଭାରତର ଛାତ୍ର । ସେ ଇତାଲୀରେ ଉଚ୍ଚତର ଶିକ୍ଷା ଲାଗି ଯାଉଚନ୍ତି । କାଲି ନେପ୍‍ଲସ୍ ବନ୍ଦରଠାରେ ଜାହାଜରୁ ଓହ୍ଲାଇ ଯିବେ । ଆଉ ତିନିଜଣ ହେଉଚନ୍ତି ଆଂଗ୍ଳୋଇଣ୍ଡିଆନ୍ । ଦୁଇ ଜଣ ବାପା ପୁଅ, ଅନ୍ୟ ଜଣକ ମଧ୍ୟ ପୌଢ଼ ବୟସର । ଏମାନେ ପିଲାପିଲି ନେଇ ବିଲାତ ଯାଉଚନ୍ତି । ଆଂଗ୍ଳୋଇଣ୍ଡିଆନ୍‍ କାହାକୁ କହନ୍ତି, ତୁ ଜାଣିଚୁ ? ଇଂରେଜମାନେ ଭାରତରେ ଶାସନ କରୁଥିବା ସମୟରେ କେତେକ ସ୍ଥାନରେ ଇଂରେଜ ଓ ଭାରତୀୟମାନଙ୍କ ମଧ୍ୟରେ ବିବାହ ମଧ୍ୟ ହୋଇଥିଲା । ଗୋଟିଏ ଜାତି ଆଉ କୋଟିଏ ଜାତିର ସମ୍ପର୍କରେ ଆସିଲେ ସାଧାରଣତଃ ଏହି ସମ୍ମିଶ୍ରଣ ହୋଇଥାଏ । ଏହି ବିବାହଗତ ସମ୍ମିଶ୍ରଣ ଫଳରେ ଯେଉଁ ସନ୍ତାନମାନେ ଜାତ ହେଲେ, ସେହିମାନଙ୍କୁ ଆଂଗ୍ଳୋଇଣ୍ଡିଆନ୍‍ ବୋଲି କୁହାଯାଏ । ଏମାନେ ଭାରତୀୟ ନୁହନ୍ତି, ୟୁରୋପୀୟ ମଧ୍ୟ ନୁହନ୍ତି । ଇଂରେଜ ଅମଳରେ ଏମାନେ ଆପଣାକୁ ସାଧାରଣ ଭାରତୀୟମାନଙ୍କଠାରୁ ପାହାଚେ ଉପରେ ବୋଲି ମନେ କରୁଥିଲେ । ତେଣୁ ଭାରତୀୟ ଭୂମିରେ ଅଧେ ଚେର ଲାଗିଥିଲେ ମଧ୍ୟ ଏମାନେ ସେତେବେଳେ ଆପଣାକୁ ଭାରତୀୟ ବୋଲି କହିବାକୁ ମାନହାନି ବୋଲି ମନେ କରୁଥିଲେ । ପୋଷାକପତ୍ରରେ ଏମାନେ ସାହେବମାନଙ୍କର ପକ୍‍କା ଅନୁକରଣ କରୁଥିଲେ, ନିଜ ଦେହକୁ ଯେତେ ନମାନିଲେ ମଧ୍ୟ ସାହେବଙ୍କ ପରି ଲୁଗାପଟା ପିନ୍ଧୁଥିଲେ । ଏମାନେ ଖାଦ୍ୟ ଖାଉ ନଥିଲେ, କେବଳ ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ଡିନର୍ ଆହାର କରୁଥିଲେ । ଭାରତୀୟ ମନୋରଞ୍ଜନ ଏମାନଙ୍କୁ ଆଦୌ ଆରୋଉ ନଥିଲା । ତେଣୁ ସେମାନେ ସଖୀ କଣ୍ଢେଇ ପରି ସଜ ହୋଇ ୟୁରୋପୀୟ କାଇଦାରେ ବଲ୍-ନୃତ୍ୟ ନାଚିବାକୁ ଯାଉଥିଲେ । ଭାରତୀୟ ଆଉ ଇଂରେଜ ଭିତରେ ବିବାହ ହେଲେ ଭାରତୀୟ ପକ୍ଷକୁ ଅପରପକ୍ଷ ନିକଟରେ ସମ୍ପୂର୍ଣ୍ଣପ୍ରକାରେ ଆତ୍ମସମର୍ପଣ କରିବାକୁ ପଡ଼ୁଥିଲା । କେବଳ ରୁଚି ଓ ସଂସ୍କୃତି ଦୃଷ୍ଟିରୁ ମୁଁ ଏକଥା କହୁଚି । ବିବାହ-ସମ୍ପର୍କର ଆଳ ଦେଖାଇ ଇଂରାଜର ସଂସ୍କୃତି ଭାରତୀୟ ସଂସ୍କୃତିକୁ ଗ୍ରାସ କରି ନେଉଥିଲା । ଏହି ଗ୍ରାସରୁ ଆଂଗ୍ଳୋଇଣ୍ଡିଆନ୍‍ ନାମକ ଏକ ଜୀବନାଚାରର ଉଦ୍ଭବ ହେଉଥିଲା-।

 

ଭାରତରେ ଇଂରାଜ ଶାସନ ଚାଲୁଥିବା ବେଳେ ଆଂଗ୍ଳୋଇଣ୍ଡିଆନ୍‍ମାନେ ଆପଣକୁ ସାହେବ-ପ୍ରଭୁମାନଙ୍କର ଅନୁସମ୍ପର୍କୀୟ ବୋଲି ଭାବି ଯେତିକି ପ୍ରସନ୍ନ ହୋଇ ରହିଥିଲେ, ଇଂରେଜମାନେ ଭାରତବର୍ଷ ଛାଡ଼ି ଚାଲିଯିବା ପରେ ସେମାନେ ସେତିକି ପ୍ରମାଦରେ ପଡ଼ିଲେ । ମୁଁ ଏଠାରେ ଆର୍ଥିକ ବା ରାଜନୀତିକ ପ୍ରମାଦଗୁଡ଼ିକର କଥା କହିବାକୁ ଯାଉନାହିଁ । ମୁଁ ପ୍ରଧାନତଃ ସାଂସ୍କୃତିକ ପ୍ରମାଦର କଥାହିଁ ଭାବୁଚି । କାରଣ ସାଂସ୍କୃତିକ ଦୃଷ୍ଟିରୁହଁ ଏହି ସମ୍ପ୍ରଦାୟର ଜୀବନ ଉପରେ ସବୁଠାରୁ ଅଧିକ ଆଘାତ ଲାଗିଚି ! ଯଦି ଆଗରୁ ଏମାନେ ନିଜକୁ ଭାରତୀୟ ବୋଲି ଭାବି ଥାଆନ୍ତେ, ତେବେ ସ୍ଵାଧୀନତା ଆସିବା ସଙ୍ଗେ ସଙ୍ଗେ ଦେଶର ସାଂସ୍କୃତିକ ଜଳବାୟୁରେ ଯେଉଁ ପରିବର୍ତ୍ତନ ଘଟିଲା, ସେଥିରେ ସେମାନେ ଆପଣାକୁ ବେଶ୍ ଖାପ ଖୁଆଇ ନେଇ ପାରିଥାନ୍ତେ । କିନ୍ତୁ ଆପଣାକୁ ବଡ଼ ବୋଲି ଭାବିବା ଓ ସେହି କାରଣରୁ ଅନ୍ୟାନ୍ୟ ନ୍ୟୁନ ଜନମାନଙ୍କଠାରୁ ଦୂରଛଡ଼ା ହୋଇ ରହିବାର ଯେଉଁ ଉଗ୍ର ମନୋବୃତ୍ତି ଏମାନଙ୍କର ମଜ୍ଜାଗତ ଅଭ୍ୟାସପ୍ରାୟ ହୋଇ ଯାଇଥିଲା, ପରିବେଶର ପରିବର୍ତ୍ତନ ହେତୁ ବର୍ତ୍ତମାନ ତାହାହିଁ ଏହି ହୀନ ଭାବରେ ପରିଣତ ହେଲା-। ଅନ୍ୟମାନଙ୍କଠାରୁ ଆପଣାକୁ ଯିଏ ହୀନତର ବୋଲି ଭାବେ, ତାହାର ହୃଦୟକୁ ଜୀଆଇ ରଖିବାକୁ ହେଲେ ଈର୍ଷାର ଖାଦ୍ୟ ଯୋଗାଇବାକୁ ପଡ଼େ । ତେଣୁ ସ୍ୱାଧୀନ ଭାରତରେ ଏହି ଆଂଗ୍ଳୋଇଣ୍ଡିଆନ୍‍ମାନଙ୍କୁ କିଛି ଭଲ ନ ଲାଗିବା ଅତି ସ୍ୱାଭାବିକ । ତଥାପି ଅନ୍ନମୟ ଜୀବନର ଦଉଡ଼ିରେ ବନ୍ଧା ହୋଇ ସେମାନେ ବାଧ୍ୟ ହୋଇ ଭାରତରେହିଁ ରହିଲେ, ଭାରତରେ ଚାକିରୀ କଲେ, ଭାରତର ନାଗରିକ ହେଲେ । କିନ୍ତୁ ଭିତରେ ରହି ଅସନ୍ତୁଷ୍ଟ ମନଟା ସେମାନଙ୍କର ହୃଦୟଟାକୁ କେବଳ ଦଗ୍‍ଧ କରିବାକୁ ଲାଗିଲା ।

 

ଭାରତୀୟ ସଂବିଧାନ ଅନୁସାରେ ଏମାନେ ହେଉଚନ୍ତି ଏହି ଦେଶର ନାଗରିକ, କୌଣସି ପ୍ରକାର ନାଗରିକ ସୁବିଧାରୁ ଏମାନଙ୍କୁ ବଞ୍ଚିତ କରାଯାଇ ନାହିଁ । ତାହା ହେବାହିଁ ଉଚିତ ଥିଲା । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଯିଏ ଏହି ଦେଶର ନାଗରିକ ହୋଇ ରହିବ, ଯେକୌଣସି ନାଗରିକ ପରି ସେ ସକଳ ସୁବିଧା ଓ ସୁଯୋଗର ଅଧିକାରୀ ହେବ । ତେଣୁ ସେ ଦିଗରୁ ଆଂଗ୍ଳୋଇଣ୍ଡିଆନମାନଙ୍କୁ ସ୍ୱାଧୀନ ଭାରତରେ କୌଣସି ପ୍ରକାର ଅସୁବିଧା ଭୋଗ କରିବାକୁ ପଡ଼ି ନାହିଁ । କିନ୍ତୁ ତଥାପି ଏମାନଙ୍କୁ ଆପଣାର ବିକୃତ ଓ ହୀନଭାବ-ପ୍ରପୀଡ଼ିତ ମନଟା ସକାଶେ ଅନେକ କ୍ଷେତ୍ରରେ ଭାରି ଆଶ୍ଵସ୍ତି ଭୋଗ କରିବାକୁ ପଡ଼ିଚି, ବର୍ତ୍ତମାନ ମଧ୍ୟ ପଡ଼ୁଚି । ଆମ ଦେଶର ଅନେକ ରାଜାମହାରାଜା ଯେପରି ସ୍ୱାଧୀନ ଭାରତବର୍ଷରେ ଅତ୍ୟନ୍ତ ଅଶ୍ଵସ୍ତି ଭୋଗିଚନ୍ତି, ଠିକ୍ ସେହିପରି । ପରାଧୀନ ଭାରତରେ ଭାରତୀୟମାନଙ୍କୁ ହୀନ ଦୃଷ୍ଟିରେ ଦେଖିବାର ଯେଉଁ କୁସଂସ୍କାର ଏମାନଙ୍କର ଥିଲା, ବର୍ତ୍ତମାନ ମଧ୍ୟ ଏମାନେ ଆପଣାର ମନ ଭିତରେ ଠିକ୍ ସେହି କୁସଂସ୍କାର ଦ୍ଵାରା ପ୍ରପୀଡ଼ିତ ହୋଇ ରହିଚନ୍ତି । ନାନା ଆର୍ଥିକ କାରଣରୁ ଭାରତବର୍ଷରେ ରହିବାକୁ ପଡ଼ିଥିଲେ ମଧ୍ୟ ଏମାନଙ୍କର ମନ ସିଧା ଯାଇ ବିଲାତରେ ବାନ୍ଧି ହୋଇ ରହିଛି । କେହି ସାହେବ ହେଲେ ମୋ'ର କୌଣସି ଆପତ୍ତି ନାହିଁ, କେହି ଇଂରାଜୀ କଥା କହିଲେ ବା ଇଂରାଜୀ ସଂସ୍କାରରେ ଚଳିଲେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ସାହେବ ବନିବା ଲାଗି ଯାହାକୁ ଆଗ ଭାରତୀୟ ସକଳ ଜୀବନରୀତିକୁ ଘୃଣା କରିବାକୁ ପଡ଼େ, ଇଂରାଜୀ କଥା କହିଲେ ଯେଉଁମାନଙ୍କୁ ଭାରତୀୟ ଭାଷାପ୍ରତି ଅବଜ୍ଞା ଦେଖାଇବାକୁ ପଡ଼େ, ସେହିମାନଙ୍କର ସଂସ୍କାରକୁ ମୁଁ କେବଳ ଏକ କୁସଂସ୍କାର ବୋଲି କହିବି । ଆପଣା ଦୋଷରୁ ହେଉ ବା ଆପଣାର କୌଣସି ବିଶେଷ ଐତିହାସିକ କାରଣରୁ ହେଉ, ଅଧିକାଂଶ ଆଂଗ୍ଳୋଇଣ୍ଡିଆନ୍‍ମାନଙ୍କ ଭିତରେ ଆଜିଏହି କୁସଂସ୍କାରଟା ବଡ଼ ପ୍ରବଳ ହୋଇ ରହିଚି ଓ ସେମାନଙ୍କ ଜୀବନର ସ୍ୱାଭାବିକ ଗ୍ରହଣ-ଦ୍ଵାର ଗୁଡ଼ିକୁ ବନ୍ଦ କରି ରଖିଚି । ପରାଧୀନ ଭାରତରେ ଆମ ଦେଶରେ ଯେଉ ସଚ୍ଚା ଇଂରେଜ ବା ସାହେବମାନେ ଥିଲେ, ସେମାନେ ବର୍ତ୍ତମାନ ଆପଣ ଆପଣାର ଦେଶକୁ ଫେରି ଯାଇଚନ୍ତି । ପୂର୍ବେ ସେମାନଙ୍କର ଦୃଷ୍ଟିକୋଣ ଯେପରି ଥିଲେ ମଧ୍ୟ ସ୍ୱାଧୀନ ଭାରତର ପରିବର୍ତ୍ତିତ ଭୂମି ସହିତ ସେମାନେ ଆପଣାର ମନକୁ ଖାପ ଖୁଆଇ ନେଇ ପାରିଚନ୍ତି, ଭାରତୀୟମାନଙ୍କ ସହିତ ସ୍ଵାଭାବିକ ସମ୍ପର୍କ ରଖି ପାରୁଚନ୍ତି । କିନ୍ତୁ ଆପଣାର ମନ ଭିତରେ ରହିଥିବା କେଉଁଠି କେଉଁ କ୍ଷତଟା ସକାଶେ ଆଂଗ୍ଳୋଇଣ୍ଡିଆନ୍‍ମାନେ ଏକଥା କରିପାରି ନାହାନ୍ତି । ସେଥିଲାଗି ଏମାନେ ଆଜି ମଧ୍ୟ ଆପଣାର ସାଂସ୍କୃତିକ ଓ ସାମୂହିକ ଜୀବନରେ ବଡ଼ ଦରିଦ୍ର ହୋଇ ରହିଚନ୍ତି ।

 

ଆମ କ୍ୟାବିନ୍‍ରେ ଥିବା ମିଷ୍ଟର ଆଣ୍ଡ୍ରୃଜ୍‍କୁ ବର୍ତ୍ତମାନ ପ୍ରାୟ ପଚାଶ ବର୍ଷରୁ ଅଧୁକ ବୟସ ହେବଣି । ତାଙ୍କ କହିବା ଅନୁସାରେ କଲିକତା ସହରରେ ତାଙ୍କର ଜନ୍ମ ହୋଇଚି । ତଥାପି ସେ ଏପର୍ଯ୍ୟନ୍ତ ବଙ୍ଗଳା ଭାଷା ଶିଖି ନାହାନ୍ତି । ସେହି ଭାଷାରେ କଥା କହି ଜାଣି ନାହାନ୍ତି । ସେ କେବଳ ଗୋଟିଏ ଭାଷା ଜାଣିଚନ୍ତି, ଏବଂ ତାହା ହେଉଚି ଇଂରାଜୀ ଭାଷା । ଏକଥା ଶୁଣି ପ୍ରଥମେ ମୋତେ ଭାରି ଅବାକ୍ ଲାଗିଲା । ତାଙ୍କର ପୁଅ-ବୟସ ଚଉଦ ବରଷ-କଲିକତାର କୌଣସି ସ୍କୁଲରେ ସେ ପାଠ ପଢ଼ିଚି, ସେଠି ଆହୁରି ଅନେକ ଭାରତୀୟ ପିଲା ମଧ୍ୟ ତା’ ସହିତ ପାଠ ପଢ଼ିଚନ୍ତି । ପ୍ରଦିଦିନ ଆପଣା ଘରୁ ସେ ସ୍କୁଲ ପର୍ଯ୍ୟନ୍ତ ଯାଇଚି, ବାଟରେ କେତେ ମଣିଷ ଦେଖିଚି, କେତେ ପିଲାଙ୍କୁ ମଧ୍ୟ ଦେଖିଚି । ତାକୁ ପଚାରି ବୁଝିଲି, ସେ ମଧ୍ୟ ବଙ୍ଗଳା ଭାଷା ବୁଝିପାରେ ନାହିଁ । କହି ପାରିବା ତ ଦୂରର କଥା । ଜୀବନରେ ଏହିସବୁ ଅସମର୍ଥତାକୁ ମୁଁ ଅଭିଶାପ ବୋଲି କହିବି । ଅଭିଶପ୍ତ ହୋଇ ନଥିଲେ ମଣିଷ କଦାପି ଏପରି ଦୁର୍ଗତ ଭାବରେ ତା’ର ମାନବିକ ପରିବେଶଠାରୁ ବିଚ୍ଛିନ୍ନ ହୋଇ ରହି ନ ଥାନ୍ତା । ଅସଲ କଥା ହେଉଚି, ସେହି ପିଲାଟି ହୁଏତ କେବେହେଲେ ଭାରତୀୟ ପିଲାଙ୍କ ସହିତ ମିଶି ନାହିଁ ବା ଖେଳି ନାହିଁ । କ୍ଳାସରେ ବସିବାବେଳେ ସେ କେବଳ ଆଂଗ୍ଳୋଇଣ୍ଡିଆନ୍‍ ପିଲାଙ୍କ ପାଖରେ ବସିଚି ଓ ସେହିମାନଙ୍କ ସହିତ ସାଙ୍ଗ ହୋଇଚି । ଆପଣା ବଂଶର ପ୍ରଚଳିତ ପରମ୍ପରା ଅନୁସାରେ ସେ ଇଂରାଜୀ ଗୀତ ଗାଇଚି, ଇଂରାଜୀ ନାଚ ଶିଖିବାକୁ ଯାଇଚି–ଏହା ବ୍ୟତୀତ ଅନ୍ୟାନ୍ୟ ଗୀତ ଓ ଅନ୍ୟାନ୍ୟ ନାଚକୁ ହୁଏତ ଖରାପ ବୋଲି ବିଶ୍ଵାସ କରି ଶିଖିଚି । ମଣିଷ ଗୋଟିଏ ପରିବାରରେ ଜନ୍ମହୁଏ । ଗୋଟାଏ ପରମ୍ପରା ଓ ଗୋଟାଏ ପ୍ରକାର ସଂସ୍କାର ଭିତରେ ସେ ତା'ର ଜୀବନ ଆରମ୍ଭ କରେ । କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା'ର ଜୀବନସୀମା ମଧ୍ୟ ବଢ଼ିବାକୁ ଲାଗେ ଓ ସେ ଆହୁରି କେତେ ପରିବାର ଓ ପରମ୍ପରାରୁ ଖାଦ୍ୟ ନେଇ ଆପଣାର ଜୀବନଦୃଷ୍ଟିକୁ ପରିପୁଷ୍ଟ କରେ । ସେ ମଣିଷ ହୁଏ । କିନ୍ତୁ ପରମ୍ପରାଗତ ପରିବେଶରୁ ଯାହାର ସବୁ କବାଟ କିଳାହୋଇ ରହେ, ବୟସ ବଢ଼ୁଥିଲେ ମଧ୍ୟ ସେ ସଂସାରଠାରୁ ଅଧିକରୁ ଅଧିକ ବିଚ୍ଛିନ୍ନ ହୋଇ ଯାଉଥାଏ ଓ ଗୋଟାଏ ପ୍ରକାର ଜେଲଖାନା ଭିତରେ ବନ୍ଦୀ ହୋଇ ରହେ । ଏହି ଜେଲଖାନାଟାକୁ ହିଁ ସେ କ୍ରମେ ଆଦରି ନିଏ । ଜେଲଖାନାକୁ ଭଲପାଇ ଶିଖେ ଓ ବହିର୍ଜଗତକୁ ଘୃଣା କରେ ।

 

ଭଲ ହେଉ କି ମନ୍ଦ ହେଉ, ମୋ' ଜୀବନର ରୀତି ଏକାବେଳେକେ ଅଲଗା । ମୁଁ ଗୋଟାଏ ଗାଆଁରେ ଜନ୍ମ ହୋଇଚି ବୋଲି ଗୋଟାଏ ଗାଆଁର ଜେଲଖାନାରେ ବନ୍ଦୀ ହୋଇ ରହିବାକୁ ଚାହେଁ ନାହିଁ । ଗୋଟାଏ ପ୍ରଦେଶ ବା ଗୋଟାଏ ଦେଶରେ ବଢ଼ିଚି ବୋଲି ତାହାରି ଚାରିସୀମା ଭିତରେ ବନ୍ଦୀ ହୋଇ ରହିବାକୁ ଚାହେ ନାହିଁ । ବୋଉ ପାଖରୁ ସେଇ ଗୋଟିଏ ଭାଷା ଶିଖିଛି ବୋଲି ମୋର ମାତୃଭାଷାର କାନି ଭିତରେ ମୁଁ ବାନ୍ଧିହୋଇ ରହିବାକୁ ଚାହେନାହିଁ । ଆପଣାକୁ ଗୋଟାଏ ଗାଆଁ, ଗୋଟାଏ ଦେଶ ବା ଗୋଟାଏ ଭାଷା ଭିତରେ କିଳିକରି ରଖିବାକୁ ମୁଁ କୌଣସି ଦିନ କୌଣସି ବିଦ୍ୟା ପଢ଼ିବାକୁ ଯାଇନାହିଁ । ମୋର ବିଦ୍ୟା ହେଉଚି ମୋର ମନ ଓ ମୋର ହୃଦୟକୁ ଅଧୁକରୁ ଅଧୁକ ମୁକ୍ତ କରିଦେବାର ବିଦ୍ୟା । ବୟସରେ ମୁଁ ଯେତିକି ବଢ଼ିଚି, ଯେତିକି ଅଧିକ ପାଠ ପଢ଼ିଚି, ମୋର ମନ୍ ଭିତରେ ସେତିକି ବେଶୀ ଗଣ୍ଠି ଫିଟିଫିଟି ଯାଇଚି । ପ୍ରାୟ ଶହେବର୍ଷ ତଳେ ଇଂଲଣ୍ଡର ଜଣେ ମନୋବୈଜ୍ଞାନିକ ମଣିଷର ପ୍ରକୃତି ବିଷୟରେ ଖଣ୍ଡେ ବହି ଲେଖିଥିଲେ । ସେଥିରେ ସେ ମଣିଷ ଭିତରେ ଥିବା ଭଲପାଇବା ଗୁଣର ଚର୍ଚ୍ଚା ମଧ୍ୟ କରିଥିଲେ । ସେ ଭାବିଥିଲେ, ଚାଉଳ ମାପିଲାପରି ମଣିଷର ଭଲପାଇବା ଶକ୍ତିକୁ ମଧ୍ୟ ମପାଯାଇ ପାରିବ । ଆପଣାର ସୂତ୍ର ବଖାଣି ସେ କହିଥିଲେ, ମଣିଷ ଯଦି ଜଣକୁ ଭଲପାଇବା ପରିବର୍ତ୍ତେ ଦୁଇଜଣକୁ ଭଲପାଇ ବସିବ, ତେବେ ତା' ଭିତରେ ଥିବା ଭଲପାଇବାତକ ଦୁଇଭାଗରେ ବିଭକ୍ତ ହୋଇଯିବ । ଆପଣା ଜୀବନରେ ସେ ଯେତେ ଅଧିକ ଜଣଙ୍କୁ ଓ ଯେତେ ଅଧିକ ଜିନିଷକୁ ଭଲ ପାଇବ, ପ୍ରତ୍ୟେକଟି ଲାଗି ରହିଥିବା ତା'ର ଭଲ ପାଇବାର ପରିମାଣ ସେତିକି ସେତିକି ପତଳା ହୋଇ ଯାଉଥିବ, ଏହାର ପ୍ରଗାଢ଼ତା ସେତିକି କମ୍ ହୋଇ ଯାଉଥିବ । ଅର୍ଥାତ୍ ମୁଁ ବୋଉର ଗୋଟିଏ ପୁଅ, ଏବଂ ସେ ମୋତେ ଭାରି ଭଲପାଏ । କିନ୍ତୁ ଯଦି କେତେବର୍ଷ ପରେ ମୋର ଆଉ ଗୋଟିଏ ଭାଇ ଜନ୍ମ ହୁଏ ଏବଂ ଯଦି ବୋଉ ତାକୁ ମଧ୍ୟ ଭଲପାଇବାକୁ ଆରମ୍ଭ କରେ, ତେବେ ମୋ' ପ୍ରତି ଆଗରୁ ଥିବା ତାର ଭଲପାଇବା ଗଣିତର ନିୟମ ଅନୁସାରେ ଠିକ୍ ଅଧା ହୋଇଯିବ । ମନେକର, ଓଡ଼ିଆ ହିସାବରେ ମୁଁ ମୋର ଜନ୍ମମାଟି ଓଡ଼ିଶାକୁ ଭଲ ପାଇଚି । ବଡ଼ ହୋଇ ମୁଁ ଯଦି ମୋର ଦେଶ ଭାରତବର୍ଷକୁ ଭଲପାଇ ବସିବି, ତେବେ ଭଲପାଇବା ଭଣ୍ଡାରର ନିୟମ ଅନୁସାରେ ଓଡ଼ିଶା ପ୍ରତି ରହିଥିବା ମୋର ଶ୍ରଦ୍ଧା ଠିକ୍ ଅଧା ହୋଇଯିବ । ଏକଥା ଶୁଣି ତୋତେ ହସ ମାଡ଼ୁଥିବ, ନୁହେଁ-? ଭଲପାଇବା ବିଷୟରେ ବହି ଲେଖିବାବାଲାଙ୍କ କଥା ମୁଁ ଅବଶ୍ୟ କହି ପାରିବି ନାହିଁ । କିନ୍ତୁ ସଂସାରରେ ଯିଏ କୌଣସି ନା କୌଣସି ଉପଲକ୍ଷରେ ଭଲପାଇ ଶିଖିଥିବ, ସିଏ ମଧ୍ୟ ଏହି ସୂତ୍ରକୁ ନ ହସି ରହି ପାରିବ ନାହିଁ । ଭଲପାଇବାକୁ ନେଇ ଯଦି ନିହାତି ସୂତ୍ର ତିଆରି କରିବାକୁ ହୁଏ, ତେବେ ମୁଁ ତ ସମ୍ପୂର୍ଣ୍ଣ ଓଲଟା ଗୋଟାଏ ସୂତ୍ର ବାଢ଼ି ବସିବି । ମୁଁ କହିବି, ଯାହାର ଭଲପାଇବା ଯେତିକି ବ୍ୟାପକ ହୁଏ, ତାହାର ଭଲପାଇବା ସେତିକି ପ୍ରଗାଢ଼ ଓ ଯଥାର୍ଥ ମଧ୍ୟହୁଏ । ପୃଥିବୀରେ ଆହୁରି ଅନେକ ବୋଉଙ୍କୁ ଆପଣାର ବୋଲି ମନେ କରି ପାରିଲେ ଆପଣାର ବୋଉ ପ୍ରତି ରହିଥିବା ଭଲପାଇବା ଅଧୁକ ଧନ୍ୟ ଓ ସମ୍ପଦବାନ୍ ହୁଏ । ପୃଥିବୀର ସବୁ ଦେଶରେ ଥିବା ସବୁ ଲୋକଙ୍କ ପ୍ରତି ସହାନୁଭୂତି ଅର୍ଜନ କରି ପାରିଲେ ଆପଣାର ଦେଶପ୍ରତି ରହିଥିବା ଶ୍ରଦ୍ଧା ମଧ୍ୟ ଧନ୍ୟ ହୁଏ ।

 

ଆମ ଜାହାଜରେ ଏଥର ଅନେକ ଆଂଗ୍ଳୋଇଣ୍ଡିଆନ୍ ପରିବାର ଇଂଲଣ୍ଡ ଯାଉଚନ୍ତି । ସେମାନେ ଭାରତରେ ଜନ୍ମ ହୋଇଚନ୍ତି । ଦେହର ରଙ୍ଗ ଓ ମୁହଁର ଗଢ଼ଣରୁ ବେଶ୍ ଭାରତୀୟ ବୋଲି ଧରାପଡ଼ି ଯାଉଚନ୍ତି । ଆଉ ଭାରତକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି କରି ଏମାନେ ବିଲାତ ଯାଉଚନ୍ତି । ମିଷ୍ଟର ଆଣ୍ଡ୍ରୃଜ୍‍ଙ୍କୁ ମୁଁ ଦିନେ ପଚାରିଲି, ଆପଣ ଏହି ବୟସରେ ଭାରତବର୍ଷ ଛାଡ଼ି ଯାଉଚନ୍ତି କାହିଁକି ? ଜୀବନର ବଜାରରେ ବିଫଳ ହୋଇଥିବା ପରି ମୁହଁ କରି ସେ ଉତ୍ତର ଦେଲେ, ଭାରତବର୍ଷର ଭବିଷ୍ୟତ ଉପରେ ମୋର ଆଉ କୌଣସି ଆସ୍ଥା ନାହିଁ । ସେ ଦେଶରେ ଅତି ଶୀଘ୍ର ଲୋକଜୀବନର ସର୍ବନାଶ ହେବାକୁ ଯାଉଚି । ମୋର ମୁହଁରେ ସଂଶୟର ଚିହ୍ନ ଦେଖିପାରି ସେ ଆପଣାର ମନୋଭାବକୁ ଅଧିକ ସ୍ପଷ୍ଟ କରି କହିଲେ, କଲିକତାରେ ମୋର ଭାରି ଭଲ ବ୍ୟବସାୟ ଥିଲା, ଭଲ ପଇସା ରୋଜଗାର ହେଉଥିଲା । କିନ୍ତୁ ବର୍ତ୍ତମାନ ବ୍ୟବସାୟ ବନ୍ଦ କରିବା ବ୍ୟତୀତ ମୁଁଆଉ କୌଣସି ଉପାୟ ଦେଖିଲି ନାହିଁ । ବ୍ୟବସାୟ ନାମରେ ଭାରତବର୍ଷରେ ଯେଉଁ ଅସାଧୁତାମାନ ଆରମ୍ଭ ହେଲାଣି, ସେଠି ତିଷ୍ଠିବା ଆଉ ମୋ ପକ୍ଷରେ ସମ୍ଭବ ହୋଇନଥାନ୍ତା-। ମୁଁ ତାଙ୍କର ଅଭିଯୋଗକୁ ବେଶ୍ ବୁଝିପାରିଲି । ଖାଲି ବ୍ୟବସାୟ କ୍ଷେତ୍ରରେ କାହିଁକି, ଆମ ଦେଶର ଅନେକ କ୍ଷେତ୍ରରେ ଅନେକ ଅସାଧୁତା ପଶି ଜନଜୀବନକୁ ବିପନ୍ନ କରି ସାରିଲାଣି । କିନ୍ତୁ ତା’ବୋଲି ମୁଁ ଅନ୍ୟ ଦେଶକୁ ପଳାଇ ଯିବି କାହିଁକି ? ଯେଉଁ କ୍ଷେତ୍ରରେ ମୋର ଅସନ୍ତୋଷ ରହିଚି, ମୋତେ ସେହି କ୍ଷେତ୍ରରେ ହିଁ ତାହାର ସମାଧାନ କରିବାକୁ ହେବ । ଆପଣାର ଅସନ୍ତୋଷକୁ ନେଇ ଅନ୍ୟତ୍ର ପଳାଇଗଲେ ମୋତେ କଦାପି ସନ୍ତୋଷ ମିଳିବ ନାହିଁ ।

 

ମେସିନାରେ ଜାହାଜ ଲାଗୁ ଲାଗୁ ପ୍ରକୃତରେ ଦିନ ଦଶଟା ହୋଇଗଲା । ଅବଶ୍ୟ ସୂର୍ଯ୍ୟୋଦୟ ବେଳକୁ ଆମେ ଅତି ସ୍ପଷ୍ଟ ଭାବରେ ଦକ୍ଷିଣ ଇତାଲୀର ପର୍ବତମୟ ସ୍ଥଳଭାଗ ଦେଖିବାକୁ ପାଇଥିଲୁ । ଆରବଦେଶର ପାହାଡ଼ଗୁଡ଼ାକ କେବଳ ଲଣ୍ଡା ଆଉ ଲଙ୍ଗଳା । ଟାଙ୍ଗରା ମୁଣ୍ଡପରି ଅନେକ ସମୟରେ ଦେଖଣାହାରୀର ଆଖିକୁ ଟିକିଏ ବିରକ୍ତକର ବୋଧ ହୁଅନ୍ତି । ମୂଳରୁ ଚୂଳଯାଏ–କୋଉଠିହେଲେ ସବୁଜରଙ୍ଗର ପିଞ୍ଚ ମରାହୋଇ ନାହିଁ । ସେଆଡ଼କୁ ଅନାଇଲେ ମନ ଗମ୍ଭୀର ହୋଇଯାଏ, କିନ୍ତୁ ହୃଦୟ ନାଚି ଉଠେନାହିଁ । ସେଥି ସକାଶେ ଦୀର୍ଘ ଅନେକ ଦିନ ପରେ ଇତାଲୀର ସବୁଜ ସତେଜ ପର୍ବତରାଜ୍ୟ ଦେଖି ପ୍ରାଣ ପୂରିଉଠିଲା ପରି ଲାଗିଲା । ପର୍ବତମୟ ଅଲିଭ୍ ଗଛର ଜଙ୍ଗଲ, ତାହାରି ମଝିରେ ଗାଆଁ, ତାହାରି ଭିତରେ ଚାଷଜମି, ତାହାରି ଭିତରେ କୋଠାବାଡ଼ି । ସମୁଦ୍ରକୂଳରେ ପଡ଼ିଥିବା ରାସ୍ତାରେ ମଟରଗାଡ଼ି ଯା' ଆସ କରୁଚି, ରେଳରାସ୍ତାରେ ରେଳ ଯାଉଚି, ଏତେଦୂରରେ ଥାଇ ମଧ୍ୟ ଆମେ ସବୁ ଦେଖିପାରୁଚୁ । ଜାହାଜର ଯାତ୍ରୀମାନଙ୍କ ଭିତରୁ ବୋଧହୁଏ ଆଜି କେହି ଘରଭିତରେ ନାହାନ୍ତି । ସମସ୍ତେ ବଡ଼ିସକାଳୁ ଉଠିଚନ୍ତି, ସମସ୍ତେ ନିତ୍ୟକର୍ମ ସାରି ବୃହତ୍ତର ଜୀବନ ଉପକୂଳରେ ସକାଳୁ ଲାଗିଯାଇଥିବା ଚଞ୍ଚଳତାକୁ ନିରୀକ୍ଷଣ କରି ଦେଖୁଚନ୍ତି । ଗତ ବାରଦିନ ହେଲା ଜାହାଜର ଏହି ଦ୍ୱୀପଟି ଉପରେ ବନ୍ଦୀ ହୋଇ ରହିଥିବା ଯାତ୍ରୀମନ ହଠାତ୍‍ ଯେପରି ଜୀବନର ଚିହ୍ନା ଅଚିହ୍ନ କେତେ ଦୁଆରକୁ କ୍ଷେପି ଚାଲିଯାଉଚି । ଯେଉଁମାନେ ପ୍ରଥମଥର ପାଇଁ ଇଉରୋପ ଯାଉଚନ୍ତି, ସେମାନେ ସଂଶୟ ଓ ବିସ୍ମୟ ସହିତ କୂଳଆଡ଼କୁ ଅନାଇ ରହିଚନ୍ତି । ଆପଣା ମନଭିତରେ ନାନା କଳ୍ପନାଦ୍ଵାରା ପୁଷ୍ଟ ହୋଇ ରହିଥିବା ଇଉରୋପର ଛବିଟି ବାସ୍ତବ ଇଉରୋପ ଭୂଇଁର ଦର୍ଶନରେ ତଳକୁ ସାକାର ହୋଇ ଲାଗି ଆସିଲାପରି ମନେହେଉଚି । ହଠାତ୍ ଆଖି ବୁଲାଇ ଦେଖିଲି ଜଣେ ଭଦ୍ରମହିଳା ନିର୍ନମେଷ ନୟନରେ ସେହି ଉପକୂଳ ଆଡ଼କୁ ଅନାଇ ରହିଚନ୍ତି । ତାଙ୍କର ଆଖିରୁ ଦୁଇଧାର ଲୁହ ତଳକୁ ବହିଆସି ଓଠ ଉପରର ହସଟିକୁ ଅନୁସିକ୍ତ କରି ଦେଉଛି । ଏହି ଉପକୂଳରେ ତାଙ୍କର ଗାଆଁ; ଦଶବର୍ଷ ପରେ ସେ ଅଷ୍ଟ୍ରେଲିଆରୁ ଆପଣା ଗାଁକୁ ଫେରୁଚନ୍ତି । କାଲି ନେପ୍‍ଲସ୍ ବନ୍ଦରରେ ଓହ୍ଲାଇ ରେଳଗାଡ଼ି ଚଢ଼ି ସେ ଏହିଠାକୁ ଆସିବେ ।

 

ଉତ୍ତରମୁଖା ହୋଇ ଆମର ଜାହାଜ ମେସିନା ପ୍ରଣାଳୀରେ ପ୍ରବେଶ କରୁଚି । ବାଆଁ ଓ ଡାହାଣ ଉଭୟ ଭାଗରେ ଉଚ୍ଚ ପର୍ବତ । ଏପାଖରେ ସିସିଲି, ସେ ପାଖରେ ଇତାଲୀ । ମଝିରେ ଥିବା ଜଳର ପଥ କାଟି ଆମ ଜାହାଜ ଚାଲିବାରେ ଲାଗିଛି । ଏହି ସମୁଦ୍ରକୁ ଆଉ ସମୁଦ୍ର କହିବା ଉଚିତ ହେବନାହିଁ । ଏଠି ତାହାର ସେହି ତରଙ୍ଗ ପ୍ରମତ୍ତତା ଆଉ ନାହିଁ । ଆଉ ଦୁଇଟା ଦିନ ଆମକୁ ପାଣି ଉପରେ ରହିବାକୁ ପଡ଼ିବ, ତଥାପି ଗତ ବହୁଦିନର ସମୁଦ୍ରଯାତ୍ରା ଏଇଠୁ ସରିଗଲା ପରି ଲାଗୁଚି । ବଣୁଆ ହାତୀ ଜଞ୍ଜିରରେ ବନ୍ଧାହୋଇ ଧୀରେ ଧୀରେ ଘରକୁ ଆସିବାପରି ଆମ ଜାହାଜ ଧୀରେ ଧୀରେ ଆଗକୁ ଚାଲିଚି । ପାଣି ସହିତ ସଂଗ୍ରାମ କରିବା ବନ୍ଦହୋଇ ଗଲାଣି । ଆଗରେ ଥିବା ପର୍ବତର କୋଳରେ ମେସିନା ସହର ମଧ୍ୟ ଦେଖାଗଲାଣି । ମେସିନା ହେଉଚି ସିସିଲି ଦ୍ୱୀପର ପ୍ରଧାନ ବନ୍ଦର । ଜଳପଥରେ ଇତାଲୀ ଦେଶର ଦ୍ଵାରସ୍ୱରୂପ । ପର୍ବତର ଶିଖ ଉପରୁ ସମୁଦ୍ରର ଜଳ ପର୍ଯ୍ୟନ୍ତ ପ୍ରଳମ୍ବିତ ହୋଇ ଆସିଥିବା ଏହି ଜନବସତି ଦୂରକୁ ଭାରି ସୁନ୍ଦର ଦିଶିଲା । ଶୁଣିଚି, ସିସିଲିର ପ୍ରାକୃତିକ ଦୃଶ୍ୟ ଭାରି ସୁନ୍ଦର । ଆଜି ସନ୍ଧ୍ୟାବେଳ ଯାଏ ଆମର ଜାହାଜ ମେସିନା ବନ୍ଦରରେ ରହିବ । ତେଣୁ ଆଜି ଦିନମାନ ଆମେ ସହର ବୁଲିପାରିବୁ । ପର୍ବତ ଢାଲୁରେ ସହରର ମଝିରେ ସର୍ବପ୍ରଧାନ ହୋଇ ଦିଶୁଥିବା ସୁନ୍ଦର ଗୀର୍ଜାର ମୂର୍ତ୍ତିଗୁଡ଼ିକ ଆଡ଼କୁ ଅନାଉ ଅନାଉ ଏହି କଥା ମନେ ପଡ଼ି ମୋର ସମସ୍ତ ମନ ଅଥୟ ହୋଇ ଉଠିଲା ।

 

ବାହାରୁ ଦେଖିବାକୁ ମେସିନା ସହର ପ୍ରକୃତରେ ଭାରି ସୁନ୍ଦର । ବିଶେଷତଃ ଯିଏ କେବଳ ଆଠ ଦଶ ଘଣ୍ଟାଲାଗି ସହର ଦେଖିବାକୁ ଆସିବ, ତା’ଲାଗି ଏଠି ସହର ସୁନ୍ଦର ଦେଖାଯିବାହିଁ ଅତି ସ୍ବାଭାବିକ । ଏଠି ବଡ଼ ବଡ଼ କୋଠା ରହିଚି, ନାନା ସୁନ୍ଦର ସାମଗ୍ରୀରେ ସୁସଜ୍ଜିତ ହୋଇ ରହିଥିବା ଦୋକାନମାନ ରହିଚି, ହୋଟେଲ ରହିଚି, ମନଟାକୁ ଟିକିଏ ମଉଜିଆ କରି ଆସିବାଲାଗି ସଭ୍ୟ ମଦ ଦୋକାନମାନ ରହିଚି । ରାସ୍ତାରେ କେତେ ଲୋକ କେତେ ରଙ୍ଗରେ ପୋଷାକ ପିନ୍ଧି ଯିବା ଆସିବା କରୁଚନ୍ତି । ଗାଡ଼ି ମଟରର ଧୂମ୍‍ଧାମରେ ସହରର ଦୈନନ୍ଦିନ ଜୀବନ ଠିକ୍ ଏକ ଉତ୍ସବର ଦିନପରି ମନେ ହେଉଛି । ବିଶେଷ କରି କେବଳ ଭାରତର ସହର ଓ ଜୀବନକୁ ଦେଖିଥିବା ଆଖି ମେସିନାରେ ଆଖି ଫିଟାଇ ୟୁରୋପର ପ୍ରଥମ ଦର୍ଶନ କଲାବେଳେ ବିହ୍ୱଳ ନହୋଇ ରହି ପାରିବ ନାହିଁ । ତା'ର ମନେ ହେବ, ଏଠି ସଂସାରରେ କୌଣସି ଦୁଃଖ ନାହିଁ, ଏଠି କୌଣସି କଥା ଅପୂର୍ଣ୍ଣ ବା ଅପୂରଣୀୟ ହୋଇ ରହି ନାହିଁ । ମଣିଷ ଯେତେବେଳେ ଯାହା ଚାହିବ, ସେତେବେଳେ ଇଚ୍ଛା କଲାମାତ୍ରକେ ତାହା ପାଇ ପାରିବାର ସୌଭାଗ୍ୟକୁ ଯଦି ସ୍ଵର୍ଗ ବୋଲି କୁହାଯାଏ, ତେବେ ଏହାହିଁ ତ ସ୍ଵର୍ଗ ! ଇଉରୋପର ସ୍ଵର୍ଗସମ୍ପନ୍ନତା ଭିତରେ ପ୍ରବେଶ କରିବାଲାଗି ନୂଆ ଆଖି ମେସିନାକୁ ତୋରଣଦ୍ଵାର ବୋଲି ଭାବିବ । କିନ୍ତୁ ସତରେ କଣ ମଣିଷ ଏଠି ସବୁ ପାଇପାରିଚି ? ଏହି ଦ୍ରାକ୍ଷାବନର ସୁଖୀ ଭୂଇଁ ଉପରେ ସତରେ କଣ ମଣିଷ ଲାଗି ଅପୂରଣୀୟ ବୋଲି କିଛି ନାହିଁ ? ନିଜେ ବଡ଼ ହେଲେ ତୁ ଏହି ପ୍ରଶ୍ନର ଉତ୍ତର ପାଇବୁ । ହୁଏତ ବଡ଼ ହୋଇ ତୁ ମଧ୍ୟ ଇଉରୋପର ଭୂଇଁକୁ ଏହି ପ୍ରଶ୍ନର ଉତ୍ତର ଖୋଜି ଆସିବୁ । ଆଗେ ଓଡ଼ିଆ ପୁଅ କେତେ ସାମଗ୍ରୀ ଲଦି ବିଦେଶକୁ ବୋଇତ ଭସାଇ ଯାଉଥିଲା । ବିଦେଶରୁ ବୋଇତ ବୋଝେଇକରି ସେ ପୁଣି ଆପଣାର ଘରକୁ ଫେରି ଆସୁଥିଲା । ସାଧବମାନଙ୍କର ସେହି ଯୁଗ ସିନା ଗଲାଣି, କିନ୍ତୁ ଆପଣା ଜିଜ୍ଞାସାରେ ବୋଇତ ବୋଝାଇ କରି ଏ ଯୁଗରେ ଅଧିକରୁ ଅଧିକ ସମ୍ପଦାଭିଳାଷୀ ମଣିଷ ବିଦେଶ କରି ବାହାରିବେ । ଅତୀତ ଯୁଗର ସାଧବମାନଙ୍କ ଠାରୁ ଏ ଯୁଗର ସାଧବମାନଙ୍କର ଆକାଙ୍‍କ୍ଷା ଓ ଅଭିଳାଷକୁ ମୁଁ କୌଣସି ପ୍ରକାରେ କମ୍ ମହତ୍ଵପୂର୍ଣ୍ଣ ବୋଲି କହିବି ନାହିଁ ।

 

ମେସିନା ସହରରେ ବୁଲିବା ବେଳେ ଗଛପତ୍ର ଆଡ଼କୁ ଅନାଇବା ବେଳକୁ ଠିକ୍ ଆପଣା ଦେଶରେ ବୁଲୁଥିବା ପରି ମନେ ହେଉଛି । ରାସ୍ତାକଡ଼ରେ ସାନସାନ ବଗିଚାମାନଙ୍କରେ ଗେଣ୍ଡୁଫୁଲ ଫୁଟୁଚି । ଘରଗୁଡ଼ିକ ଆଗରେ ଧାଡ଼ି ଧାଡ଼ି ରତିଫୁଲ (Cana indica) ଫୁଟି ଘରର ପରିପାର୍ଶ୍ୱକୁ ସୁମଣ୍ଡନ କରି ରଖିଚି । ରାସ୍ତାକଡ଼ରେ ଫୁଟିଥିବା ମନ୍ଦାର ଫୁଲରେ ଗଛ ଭାଙ୍ଗି ପଡ଼ୁଥଲା ପରି ଦେଖାଯାଉଚି । ଇତାଲୀ ଛାଡ଼ି ଜର୍ମାନୀ ଦେଶକୁ ଗଲେ ଏ ସବୁ ଫୁଲ ଦେଖିବାକୁ ମିଳିବ ନାହିଁ । ଦେଶ ବଦଳିବା ସଙ୍ଗେ ସଙ୍ଗେ ଗଛପତର ମଧ୍ୟ ବଦଳିଯିବ ।

 

ସିସିଲିର ମେସିନା ସହରକୁ ଦେଖି ଏହାକୁହିଁ ସିସିଲି ଦ୍ୱୀପ ବୋଲି ଭାବିନେବା ଉଚିତ ହେବ ନାହିଁ । ଆମଦେଶରେ ଦିଲ୍ଲୀ ବା କଲିକତା ସହରକୁ ଦେଖି ତାହାକୁହିଁ ସମଗ୍ର ଭାରତବର୍ଷ ବୋଲି ଭାବିଲେ ମଣିଷ ଯେଉଁ ଭୁଲ କରିବ, ଏଠି ମଧ୍ୟ ମେସିନାକୁ ସମଗ୍ର ସିସିଲି ବୋଲି ଭ୍ରମ କଲେ ଠିକ୍ ସେହିପରି ଭୁଲ କରି ବସିବ । ମେସିନା ସହରକୁ ମଧ୍ୟ ଖାଲି ଉପରଠାଉରିଆ କରି ନଦେଖି ଭଲ କରି ଦେଖିଲେ ଏଠି ଦାରିଦ୍ର୍ୟର ପରିଚୟ ବେଶ୍ ମିଳିଯିବ । ଏଠାରେ ମଧ୍ୟ ଭିକମଗା ପିଲା ଅଛନ୍ତି, ଏଠି ମଧ୍ୟ ଭଲ ପୋଷାକ ଅଭାବରେ ଅନେକ ମଣିଷ ଶୀତରେ କଷ୍ଟ ପାଉଚନ୍ତି-। ଆମ ଆପଣାଦେଶରେ ତ ଏ ଗୁଡ଼ାକ ଭାରି ଦେହସହିବା ହୋଇଗଲାଣି । କିନ୍ତୁ ଇଉରୋପରେ କିଛିଦିନ ରହିବା ପରେ ଏସବୁ ଦାରିଦ୍ର୍ୟ ଏକ ଅସ୍ୱାଭାବିକ ବ୍ୟତିକ୍ରମ ଭଳି ଆଖିରେ ପଡ଼ିବାକୁ ଆଦୌ ବେଶୀ ଦିନ ଲାଗିବନାହିଁ । ମେସିନା ସହର ଛାଡ଼ି ସିସିଲି ଦ୍ୱୀପର ଭିତରକୁ ଚାଲିଗଲେ ଆମେ ଦରିଦ୍ର ଜୀବନର ଆହୁରି ଅନେକ ପ୍ରକାର କୁରୂପତା ଦେଖିବାକୁ ପାଇବା । ଯେଉଁଠି ଦାରିଦ୍ର୍ୟ ରହିଚି, ସେଠି ଅସାଧୁତା ରହିଛି । ଯେଉଁଠି ଅସାଧୁ ଉପାୟରେ କେତେକ ଲୋକ ସବୁ ଭୋଗ ଓ ସବୁ ସଂଗ୍ରହକୁ ଆପଣାର ଭାଗ୍ୟ ମୁଣିରେ ବନ୍ଦ କରି ରଖି ସଂସାରରେ ଧନୀ ବୋଲାଇବାର ପ୍ରୟାସ କରନ୍ତି, ସେଠି ଆହୁରି ଅନେକ ଲୋକ ମଧ୍ୟ ଆହୁରି ବହୁ ଅପରାଧ ଲାଗି ବାଟ ଫିଟାଇଦିଏ । ଅନ୍ୟାୟକୁ ନ୍ୟାୟ ବୋଲି କୁହାଗଲେ ସେଠି ଆହୁରି ଅନେକ ପ୍ରକାର ଅସାଧୁ ଉପାୟରେ ଏହି ସଂସାରରେ ତିଷ୍ଠି ରହିବାକୁ ବାଧ୍ୟ ହୁଅନ୍ତି । ଗୋଟିଏ ଅପରାଧ ଆହୁରି ବହୁ ଅପରାଧ ଲାଗି ବାଟ ଫିଟାଇଦିଏ । ଅନ୍ୟାୟକୁ ନ୍ୟାୟ ବୋଲି କୁହାଗଲେ ସେଠି ଆହୁରି ଅନେକ ଅନ୍ୟାୟ ଲାଗି ମଧ୍ୟ ବାଟ ଛାଡ଼ି ଦେବାକୁ ହୁଏ, ଆମଦେଶରେ ଠିକ୍ ତାହାହିଁ ହୋଇଛି । ସିସିଲି ଦ୍ୱୀପରେ ମଧ୍ୟ ତାହାହିଁ ହୋଇଚି । ଏଠି ଦରିଦ୍ର ଅଛନ୍ତି, ତେଣୁ ନାନାପ୍ରକାର ଅପରାଧ ମଧ୍ୟ ଏଠି ଅତି ପ୍ରବଳ ପରାକ୍ରମରେ ପ୍ରତିଦିନର ଜୀବନକୁ ବଡ଼ ତ୍ରସ୍ତ କରି ରଖିଚି । ମାସକ ତଳେ ଗୋଟିଏ ଇଉରୋପୀୟ ପତ୍ରିକାରେ ମୁଁ ସିସିଲିର ମାଫିଆମାନଙ୍କ କଥା ପଢ଼ୁଥିଲି ! ମାଫିଆ ଦଳ ହେଉଚି ସିସିଲି ଓ ଦକ୍ଷିଣ ଇତାଲୀକୁ ଆତଙ୍କିତ କରି ରଖିଥିବା ଗୋଟିଏ ପରାକ୍ରମୀ ଡକାଇତ ଦଳ-। ଏମାନଙ୍କର ଚତୁର ସୀମର୍ଥ ଆଗରେ ଇତାଲୀର ପୋଲିସ୍‍ ମଧ୍ୟ ହୀନବଳ ପ୍ରମାଣିତ ହୋଇଚି-। ଦରିଦ୍ର ଦେଶରେ ବିଚାରା ପୋଲିସ୍‍ ମଧ୍ୟ ଅନେକ ସମୟରେ ଚୋରର ବଶ ହୋଇ ରହିବାକୁ ବାଧ୍ୟ ହୁଏ । ଏଠି ବୋଧହୁଏ ସେଇକଥା ହୋଇଚି ।

 

ସିସିଲିର ଭୁଇଁରେ ପାଦ ପକାଇଲା ବେଳକୁ ଦାନିଲୋ ଦୋଲ୍‍ଚି (Danilo Dolci) ଙ୍କ କଥା ମନେ ପଡ଼ିଯାଉଚି । ସିଏ ପ୍ରଥମ କରି ସିସିଲିର ଦାରିଦ୍ର୍ୟକୁ ଏକ ସାମାଜିକ ସମସ୍ୟା ବୋଲି କରିଚନ୍ତି ଓ ଏହି ଦାରିଦ୍ର୍ୟ ଦୂର କରିବା ଲାଗି ଅନେକ ଉଦ୍ୟମ କରୁଚନ୍ତି । ପକ୍‍କା ଅପରାଧୀମାନଙ୍କୁ ମଧ୍ୟ ସେ ସାମାଜିକ ସାଧୁଜୀବନକୁ ଫେରାଇ ଆଣିବାର ଚେଷ୍ଟା କରୁଚନ୍ତି । ଇଉରୋପରେ ସେ ଇତାଲୀର ଗାନ୍ଧୀ ବୋଲି ପରିଚିତ । ବଡ଼ହେଲେ ତୁ ନିଜେ ତାଙ୍କର ବହି ପଢ଼ିବୁ ଓ ତାଙ୍କ ବିଷୟରେ ଅଧିକ ଜାଣିବାକୁ ପାଇବୁ ।

Image

 

ଦଶ

 

ଭୂମଧ୍ୟ ସାଗର

ତା ୧୯/୧୦/୬୨

 

ସ୍ନେହର ଜଟି,

 

କାଲି ମେସିନାରୁ ଜାହାଜ ଛାଡୁ ଛାଡୁ ରାତି ହୋଇଗଲା । ସେତେବେଳକୁ ଆମେ ଖାଇ ବସିଥାଉ । ସୁନ୍ଦର ପର୍ବତବକ୍ଷର ଆଲୁଅ ଗୁଡ଼ିକ ଆମ ଆଖିଆଗରୁ ଗୋଟି ଗୋଟି କରି ବିଦାୟ ନେଇ ଯାଉଥାନ୍ତି । କୁହୁଡ଼ିର ଗର୍ଭ ଭିତରୁ ସେହି ଆଲୁଅ ଆଡ଼କୁ ଅନାଇଲା ବେଳକୁ ବଡ଼ ଅଦ୍ଭୁତ ଓ ରହସ୍ୟମୟ ଲାଗୁଥାଏ । ଏଇଆ ମନ କରି ତ ମୁଁ ମେସିନା ଛାଡ଼ିଲି ଯେ ପରେ ଆଉଥରେ ସମୟ କରି ମୁଁ ଏଠିକି ଆସିବି । ଖାଲି ସହର ଦେଖବାକୁ ନୁହେଁ, ସିସିଲି ଦ୍ୱୀପରେ ଦୂର ଗ୍ରାମାଞ୍ଚଳରେ ପାର୍ବତ୍ୟ ଥଳିମାନଙ୍କରେ ବାସ କରୁଥିବା ମଣିଷମାନଙ୍କୁ ଦେଖିବାକୁ ଆସିବି । ଆମଦେଶ ପରି ଏଠାରେ ମଧ୍ୟ ଦରିଦ୍ର ଅଛନ୍ତି ବୋଲି ମନେ ମନେ ଖୁସି ହେବାକୁ ନୁହେଁ । ସବୁ ଦରିଦ୍ର୍ୟ ସତ୍ୱେ ଏହି ଦ୍ୱୀପର ଅଧିବାସୀମାନଙ୍କ ଅନ୍ତର ଭିତରେ ଯେଉଁ ମଣିଷପଣିଆ ଓ ଯେଉଁ ସ୍ନେହ ରହିଚି, ମୁଁ ତାହାରି ସଙ୍ଗଲାଭ କରିବାକୁ ଆସିବି । ଇଉରୋପର ଭୂଖଣ୍ଡ ଭିତରେ ମୁଁ ପ୍ରବେଶ କରିବା ମାତ୍ରକେ ହୁଏତ କୁଶଳ ଜୀବନର କେତେ ଅଦ୍ଭୁତ କାରିଗରି ଦେଖି ମୋର ଆଖି ବଣା ହୋଇଯିବ । କିନ୍ତୁ ସିସିଲି ଦ୍ୱୀପରେ ବାସ କରୁଥିବା ଦରିଦ୍ର କୃଷକ ଓ ମେଷପାଳକର ସୁନ୍ଦର ଜୀବନମୟ ପାରିପାର୍ଶ୍ୱ ସହିତ ଯେଉଁ ସାନ୍ନିଧ୍ୟ ଓ ସୌହାର୍ଦ୍ଦ୍ୟ ଭରି ରହିଚି, ସଭ୍ୟ ଇଉରୋପରେ ପଶି ମୁଁ ହୁଏତ ତାହାଏତେ ପ୍ରଚୁର ଭାବରେ ଦେଖିବାକୁ ପାଇବି ନାହିଁ ।

 

ସକାଳ ନହେଉଣୁ ଆଜି ଆମର ଜାହାଜ ନେପ୍‍ଲସ୍‍ ବନ୍ଦର ଭିତରେ ଲଙ୍ଗର ପକାଇ ଠିଆହେଇ ସାରିଥିଲା । ସେତେବେଳେ ଆମେ ସମସ୍ତେ ନିଘୋଡ଼ ନିଦରେ ଶୋଇଥିଲୁ । ସକାଳେ ସୂର୍ଯ୍ୟୋଦୟ ବେଳକୁ ବାହାରକୁ ଆସି ମୁଁ ସୁନ୍ଦର ନେପ୍‍ଲସ୍ ସହରକୁ ଦେଖିବାକୁ ସୁଯୋଗ ପାଇଲି-। ମେସିନାଠାରୁ ନେପ୍‍ଲସ୍ ଅନେକ ବଡ଼ ସହର । କିନ୍ତୁ ମୋର ଚିହ୍ନା ସହର । ପ୍ରାୟ ନଅବର୍ଷ ତଳେ ମୁଁ ଏହି ସହରରେ ସପ୍ତାହଖଣ୍ଡେ ରହିଥିଲି । ସବୁ ବୁଲିକରି ଦେଖିଥିଲି, ସହରର ଭିତର ବାହାର ଉଭୟଟା ସହିତ ମୋର ଅଳ୍ପ ବହୁତ ପରିଚୟ ହୋଇ ଯାଇଥିଲା । ଆଜି ଉପରବେଳା ତିନିଟା ପର୍ଯ୍ୟନ୍ତ ଜାହାଜରୁ ଛୁଟି ମିଳିବ । ଆମେ ସହର ବୁଲିବାକୁ ଯିବୁ ।

 

ଗାଡ଼ି, ମଟର ଓ ଟ୍ରାମ୍‍ର ଧାଆଁ ଧପଡ଼ରେ କାନଅତଡ଼ା ପଡ଼ି ଯାଉଚି । ଅନେକଦିନୁଁ ମୁଁ କେବଳ ସମୁଦ୍ରର ତରଙ୍ଗ ଶବ୍ଦ ଶୁଣିଥିବା ଆମର କାନ ହଠାତ୍ ଏହି ଶବ୍ଦ-କୋଳାହଳ ଭିତରେ ସ୍ତମ୍ଭିତ ହୋଇ ଗଲାପରି ଲାଗୁଚି । ଗୋଡ଼ କାଢ଼ି ମୁଁ ବନ୍ଦର ଡେଇଁ ସହରକୁ ଆସିଲି । ସହରର ଏପାଖଟାରେ ତ ସବୁ ଚକଚକ ଝକମକ । ଜାହାଜରୁ ଓହ୍ଲାଇ ବିଦେଶୀମାନେ ସାଧାରଣତଃ ଏହି ପାଖଟାକୁ ହିଁ ଦେଖନ୍ତୁ । ଦେଖି କାବା ହୋଇ ଯାଆନ୍ତି । ଏଠି ଗୋଡ଼ ପକାଇବା ମାତ୍ରକେ ପୃଥିବୀରେ ଆଉ କୋଉଠି କୋଉ ଅଭାବ ଅଛି ବୋଲି ମନେ ହୁଏନାହିଁ । ତତ୍‌କ୍ଷଣାତ୍ ଅର୍ଥଧର୍ମୀ ମନରେ ଡେଣା ଲାଗିଯାଏ–ଉପଭୋଗର ସମସ୍ତ କୁଣ୍ଡକୁ ଯାଇ ଡୁବ ମାରି ଆସିବାକୁ ମନ ହୁଏ । କିନ୍ତୁ ନଅବର୍ଷ ତଳେ ନେପ୍‍ଲସ୍‍ର ଯେଉଁ ଅଞ୍ଚଳରେ ମୁଁ ରହୁଥିଲି, ତାକୁ କେବଳ ସହରତଳି ବୋଲି କହିଲେ ଠିକ୍ ହେବନାହିଁ । ସହରର ଏପାଖଟାକୁ ଯଦି ସ୍ଵର୍ଗ ବୋଲି କୁହାଯାଏ, ତେବେ ସେପାଖଟାକୁ ନରକ ବୋଲି କୁହାଯାଇ ପାରିବ । ସେଠି ଯେଉଁପରି ଘରମାନଙ୍କରେ ମଣିଷ ବାସ କରନ୍ତି, ଯେଉଁପରି ଭାବରେ ଅର୍ଥ ଉପାର୍ଜନ କରି ପେଟ ପୋଷନ୍ତି, ଦାରୁଣ ଶୀତର ପ୍ରକୋପ ସହିତ ସେମାନେ ଯେପରି ଭାବରେ ଲଢ଼ନ୍ତି, ମୁଁ ତାହାକୁ ବର୍ଣ୍ଣନା କରି କହି ପାରିବି ନାହିଁ । ଆମ ଦେଶରେ ଦାରିଦ୍ର୍ୟ ଅଛି, କିନ୍ତୁ ଏଠାପରି ସେଠି ଦାରିଦ୍ର୍ୟର କଟୁଦଂଶନ ନାହିଁ । ଏହି କଥାଟିକୁ ମୁଁ ଟିକିଏ ବୁଝାଇ କରି କହିବି, ନଚେତ୍ ତୁ ହୁଏତ ମୋତେ ଭୁଲ ବୁଝିବୁ ।

 

ଭାରତବର୍ଷ ଓ ଇଉରୋପର ଜଳବାୟୁରେ ଅନେକ ଫରକ ରହିଚି । ଆମ ଗାଁ କଥା ବିଚାର କରି ଦେଖାଯାଉ । ଆମ ଗାଆଁରେ ଖରାଦିନେ କେତେ ମଣିଷ ବାହାରେ ନଶୁଅନ୍ତି ! ଶୀତଦିନେ ବି ପାଖରେ ଗୋଟାଏ କମ୍ବଳ କି ମୋଟା ଚାଦର ଥିଲେ ମଧ୍ୟ ଚଳିବ । ଗାଧୋଇବା ଲାଗି ଆମକୁ କେତେବେଳେ ହେଲେ କୌଣସି ପ୍ରକାର ଦୁଶ୍ଚିନ୍ତାରେ ପଡ଼ିବାକୁ ହୁଏ ନାହିଁ । ଯେତେବେଳେ ମନ ସେତେବେଳେ ଯାଇ ଆମେ ନଈ ବା ପୋଖରୀରେ ବୁଡ଼ିପଡ଼ି ଆସିପାରିବା ବା କିଛି ନହେଲେ ଚାରିଟା ପାଣି କାଢ଼ି କୂଅମୂଳେ ଗାଧୋଇ ପାରିବା । ମୁଁ ତ କହିବି, ଆମ ଗାଁରେ ଯୋତା ନମାଡ଼ିଲେ ଆମକୁ କେହି କଦାପି ଗରିବ ବୋଲି କହିବେ ନାହିଁ, ଗୋଡ଼ରେ ଯୋତା ନାହିଁ ବୋଲି ଆମେ ଶୀତରୁ କୌଣସି କଷ୍ଟ ମଧ୍ୟ ଭୋଗିବା ନାହିଁ; ମୋଜା ପିନ୍ଧିବାର ପ୍ରଶ୍ନ ହିଁ ନାହିଁ । ଲାଜ ଲୁଚାଇବାକୁ ଖଣ୍ଡେ ସଫା ଲୁଗା ଥିଲେ ଆମର ଯଥେଷ୍ଟ । ସେଠି ଆମେ ଘର ଭିତରେ ଯେଉଁପରି ପୋଷାକ ପିନ୍ଧି ଘର ଭିତରେ ଥାଉ, ଠିକ୍ ସେହି ପୋଷାକ ପିନ୍ଧି ଦାଣ୍ଡକୁ ବି ଯାଉ, ବିଲବାଡ଼ିକୁ ଯାଉ; ଯାଉଣୁ ଆସୁଣୁ ଆମକୁ ସେଠି ଦିନରେ ଦଶଥର ଲେଖାଏଁ ପୋଷାକ ବଦଳାଇବାକୁ ପଡ଼େନାହିଁ । ଏ କଥାମାନ କହି ମୁଁ ଆମ ଗାଆଁର ନିନ୍ଦା ବା ପ୍ରଶଂସା କରୁନାହିଁ । ଆମ ଗାଆଁର ଜଳବାୟୁ ଆମକୁ ଯେଉଁପରି ଅଭ୍ୟାସରେ ପକାଇଚି, ଆମେ ଠିକ୍ ସେହିପରି ଅଭ୍ୟାସରେ ପଡ଼ିଚୁ । ଏଥର ଆସିଲାବେଳେ ମୁଁ ବମ୍ବେ ସହରରେ ଦେଖି ଆସିଲି, ସେଠି ଶହ ଶହ ଶ୍ରମିକ ରାତିରେ ରାସ୍ତାକଡ଼ରେ ଆସି ଶୋଉଚନ୍ତି । କାରଖାନାରେ ହୁଏତ ରାତି ଡିଉଟି ଅଛି, ତେଣୁ ସଞ୍ଜବେକୁ ଖାଇପିଇ ବିଛଣାପତ୍ର ଧରି ସେମାନେ କାରଖାନା ପାଖ ରାସ୍ତାକଡ଼କୁ ଚାଲି ଆସୁଚନ୍ତି ଓ ବିଛଣା ପାରି ସେଇଠି ଶୋଉଚନ୍ତି । କିନ୍ତୁ ତୁ କଳନା କରି କହିଲୁ, ଇଉରୋପ ପରି ଥଣ୍ଡା ଦେଶରେ ଏସବୁ ସମ୍ଭବ ହୋଇ ପାରିବ ?

 

ଇଉରୋପର ଉତ୍ତରପଟରେ ଥିବା ଦେଶ ଗୁଡ଼ିକ କଥା ଛାଡ଼ି ଦେ’ ଦକ୍ଷିଣରେ ଥିବା ଇତାଲୀ ଦେଶରେ ମଧ୍ୟ ବର୍ଷକୁ ପ୍ରାୟ ତିନିମାସ ବରଫ ପଡ଼େ । ଆଉ ନଅମାସରୁ ଦୁଇମାସ ସମୟକୁ ଆମ ଆଡ଼ର ଖରାଦିନ ସହିତ ତୁଳନା କରାଯାଇ ପାରିବ । ବାକି ସମୟତକ ଆମ ଗାଆଁର ଶୀତଦିନ ଯେମିତି, ସେଠି ଠିକ୍ ସେମିତି । ହୁଏତ ତାଠାରୁ ଅଧିକ । ତୁ କହିଲୁ, ଏଠି ଆମ ଆଡ଼ ପରି ଘରତିଆରି କଲେ ମଣିଷ ଚଳି ପାରିବ ? ରାତିରେ ଆସି ବାହାରେ ବା ରାସ୍ତାକଡ଼ରେ ଶୋଇଲେ ମଣିଷର ଜୀବନ ରହିବ ? ଆମ ଆଡ଼ ପରି ଏଠି ନଈ ବା ପୋଖରୀକୁ ଯାଇ ଗାଧୋଇଲେ ଦେହ କାଲୁଆ ମାରି ଯିବନାହିଁ, ହାତଗୋଡ଼ କେମ୍ପା ହୋଇଯିବ ନାହିଁ ? ଏଠି ଗାଧୋଇବାକୁ ହେଲେ ଗରମ ପାଣିରେ ଘର ଭିତରେ ଗାଧୋଇବାକୁ ହେବ । ପୋଷାକପତ୍ରରେ ମଧ୍ୟ କେତେଦୂର ସାବଧାନ ହେବା ଆବଶ୍ୟକ, ତୁ ସେକଥା ଅନୁମାନ କରି ପାରୁଥିବୁ । ଗୋଡ଼ରେ ଯୋତା ରହିବା ଦରକାର, ମୋଟା ପଶମର ମୋଜା ରହିବା ଦରକାର, ଦେହକୁ ଘୋଡ଼ାଇ ରଖିବାଲାଗି ତିନି ପରସ୍ତ ପୋଷାକ ରହିବା ଦରକାର । ମୁଣ୍ଡରେ ମଧ୍ୟ ଟୋପି ରହିବା ଦରକାର । ଏସବୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାଲାଗି ଅର୍ଥ ଦରକାର । ସେହି ଅର୍ଥ ରୋଜଗାର କରିବାର ପନ୍ଥା ଯେତେବେଳେ ମଣିଷର ନଥାଏ, ସେତେବେଳେ ସେ ଯେଉଁ ଦାରିଦ୍ର୍ୟ ଭୋଗ କରେ, ତାହା ଆମ ଦେଶର ଦାରିଦ୍ର୍ୟ ଅପେକ୍ଷା ସହସ୍ର ଗୁଣେ ଅଧକ ଶୋଚନୀୟ । ମନେକରି ଆମ ଗାଆଁରେ ମାଘମାସରେ ତୁ ସକାଳୁଆ ସ୍କୁଲ ବୋଲି ତରତର କରି ଘରୁ ବାହାରି ପଡ଼ିଲୁ । ତୋ ଗୋଡ଼ରେ ଯୋତା ନାହିଁ କି ମୋଜା ନାହିଁ, ଦେହରେ ପଶମର ପୋଷାକ ବି ନାହିଁ । ମୋଟା ସୂତାର ଘୋରିହେଲା ଖଣ୍ଡକ ଦେହରେ ପକାଇ ଦେଇ ତୁ ଦାଣ୍ଡକୁ ବାହାରି ପଡ଼ିଲୁ । ଦେଖିଲୁ, ଅନ୍ୟ ପିଲାମାନେ ଦାଣ୍ଡରେ ବସି ନିଆଁ ପୁଉଁଚନ୍ତି । ତୁସେଇଠି କ୍ଷଣେ ବସି ଆପଣାର ହାତଗୋଡ଼କୁ ଗରମ କରିନେଲୁ ଓ ସ୍କୁଲକୁ ଚାଲିଗଲୁ । ଖରା ପଡ଼ିଥିଲେ ତ ଶୀତରୁ କୌଣସି କଷ୍ଟ ଭୋଗିବାର ପ୍ରଶ୍ନହିଁ ଉଠୁନାହିଁ । କିନ୍ତୁ ଇତାଲୀରେ ଯୋତା, ମୋଜା, ଟୋପି ଓ ପଶମର ପୋଷାକ ନଥାଇ ଘରୁ ବାହାରିଲେ ମଣିଷ ବଞ୍ଚିବ ? ସୂର୍ଯ୍ୟ ମହାପ୍ରଭୁଙ୍କର ମଧ୍ୟ ଏହି ଖଣ୍ଡମଣ୍ଡଳଟି ପ୍ରତି ଟିକିଏ ହେଲେ ଦୟା ନାହିଁ । ଖରାଦିନ କହିଲେ ଏଠି ପ୍ରଧାନତଃ ମେଘ, କୁହୁଡ଼ି ଆଉ ଅନ୍ଧାରକୁ ବୁଝାଏ । କୋଉଦିନ.ମନେ ପଡ଼ିଗଲା ପରି ସୂର୍ଯ୍ୟ ଘଡ଼ିକ ପାଇଁ ଦେଖାଦେଇ ପୁଣି ସେଇଠି ଆକାଶତଳେ ଲୁଚିଯାଏ । ଦିନ ଚଞ୍ଚଳ ଯାଏ, ରାତି ବିଳମ୍ବରେ ପାହେ ।

 

ଗତଥର ମୁଁ ନେପ୍‍ଲସ୍ ସହରରେ ଥିବାବେଳେ ଶୀତଦିନ ପଡ଼ି ଆସୁଥାଏ । ରାତିର ପାଣି ସକାଳକୁ ବସି ଯାଉଥାଏ, ଦୂର ପର୍ବତର ଚୂଡ଼ାରେ ବରଫ ପଡ଼ିବା ଆରମ୍ଭ ହୋଇ ଯାଇଥାଏ-। ସହର ଭିତରେ ମଧ୍ୟ ମଝିରେ ମଝିରେ ବରଫ କୁଣ୍ଡା ଛାଡ଼ିଦେଇ ଯାଉଥାଏ । ସେତିକିବେଳେ ଏଠି କେତେ ମଣିଷଙ୍କୁ ମୁଁ ଖାଲି ଗୋଡ଼ରେ ରାସ୍ତା ଉପରେ ଦେଖିଚି । ଗୋଡ଼କୁ ସାନ୍ତ୍ୱନା ଦେବାଲାଗି ଗୋଡ଼ରେ କୁଟା ବାନ୍ଧି ସେମାନେ ରାସ୍ତାରେ କାମକରି ବାହାରିଥାଆନ୍ତି । ହାତରେ ମୋଜା ନଥାଏ । ସେମାନଙ୍କର ପୋଷାକ ସେମାନଙ୍କ ଦେହକୁ ବଡ଼ ହତଶିରୀ କରି ପକାଇଥାଏ । ପିନ୍ଧିଥିବା କୋଟ୍ କହୁଣିପାଖେ କଣା ହୋଇ ଯାଇଥିବାରୁ କହୁଣିର ହାଡ଼ଦୁଇଟା ପଦାକୁ ବାହାରି ପଡ଼ିଥାଏ । ପିନ୍ଧିଥିବା ପ୍ୟାଣ୍ଟଉପରେ ସାତତାଳି ପଡ଼ିଥିଲେ ମଧ୍ୟ ତଥାପି ଆଣ୍ଠୁ ଦୁଇଟା ଅଭିଯୋଗ କଲାପରି ବାହାରକୁ ବାହାରି ପଡ଼ିଥାନ୍ତି । ଘରେ ଗରମପାଣି ନାହିଁ, ତେଣୁ ଗାଧୋଇବାର ପ୍ରଶ୍ନହିଁ ଉଠୁନାହିଁ । ଇଉରୋପରେ ପ୍ରକୃତି ହେଉଛି ମଣିଷର ଶତ୍ରୁ, ଇଉରୋପର ମଣିଷ ଟିକିଏ ମଣିଷ ପରି ବଞ୍ଚିବବୋଲି ଆଦିକାଳରୁ ପ୍ରକୃତି ସହିତ ସଂଗ୍ରାମ କରି ଆସିଛି । ସେଥିଲାଗି ଇଉରୋପ ବିଜ୍ଞାନ ଦିଗରେ ଅନେକ ଅଗ୍ରଗତି କରି ପାରିଚି, ଶୀତର ଦାଉରୁ ଆପଣାକୁ ବଞ୍ଚାଇ ରଖିବାକୁ ଅନେକ ନୂଆ ସାମଗ୍ରୀର ଉଦ୍ଭାବନ କରିଚି । ଭାରତବର୍ଷରେ ଆମକୁ ପ୍ରକୃତି ସହିତ ଖୁବ୍‍ବେଶୀ ଯୁଝିବାକୁ ପଡ଼ିନାହିଁ । ତେଣୁ ଅନେକ କ୍ଷେତ୍ରରେ ପ୍ରକୃତି ସହିତ ଆମେ ଏକାଠି ହୋଇ ଚଳି ଶିଖିଚୁ । ଏହାର ପରିଣାମ ଭଲ ବି ହୋଇଚି, ମନ୍ଦ ବି ହୋଇଚି । ଏହାରି ଫଳରେ ଇଉରୋପୀୟ ଓ ଭାରତୀୟ ସଭ୍ୟତା ଭିତରେ ଏତେ ଅନ୍ତର ହୋଇଯାଇଚି ।

 

ଏହି ସହରରେ ଜୋତାପାଲିସ୍ କଲାବାଲା ଅନେକ ଅଛନ୍ତି । ଆମ ଦେଶରେ କେତେ କେତେ ଛୋଟପିଲା ଯେ ଥାନରେ ଅଥାନରେ ଜୋତା ପଲିସ୍‍କରି ବୁଲୁଚନ୍ତି, କେବେ ସହରକୁ ଆସିଲେ ସେ କଥା ତୁ ଆପେ ଜାଣିବାକୁ ପାଇବୁ । ଆମ ଦେଶରେ ସବୁଘରେ ଗଣ୍ଡାଏ ପେଟପୂରା କରି ଖାଇବାକୁ ମିଳୁଥିଲେ କଞ୍ଚା ବୟସରେ ଆମ ଦେଶର ପିଲା ପାଠ ପଢ଼ିବାଲାଗି ସ୍କୁଲକୁ ଯାଉଥାନ୍ତା, ପେଟଲାଗି କଦାପି ରାସ୍ତା ଉପରେ ବୁଲୁନଥାନ୍ତା । ପେଟ ପୂରାଇବାର ଅନ୍ୟ କୌଣସି ଉପାୟ ରହିଥିବା ପର୍ଯ୍ୟନ୍ତ କେହି କଦାପି ଖୁସି ହୋଇ ଜୋତାପାଲିସ୍‍ କରିବାକୁ ବାହାରିବ ନାହିଁ । ଇଉରୋପର ଏହି ଦକ୍ଷିଣ ପଟଟାକୁ ଛାଡ଼ିଦେଲେ ବୋଧହୁଏ ଆଉ କୌଣସିଠାରେ ଜଣେ ମଣିଷ ରାସ୍ତାରେ ବସି ଆଉ ଜଣେ ମଣିଷର ଜୋତାପାଲିସ୍‍ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିବ ନାହିଁ । ନେପ୍‍ଲସ୍‍ରେ ଏହି ଦୃଶ୍ୟ ଦେଖିବାକୁ ମିଳୁଚି, ତାହାର ଅର୍ଥ ହେଉଚି ଯେ ଏପର୍ଯ୍ୟନ୍ତ ଏ ଦେଶର ଅର୍ଥନୈତିକ ବ୍ୟବସ୍ଥା ଦେଶର ସବୁ ମଣିଷଙ୍କୁ ସମ୍ମାନିତ ଉପାୟରେ ଜୀବିକାଅର୍ଜନ କରିବାର ସୁଯୋଗ ଦେଇ ପାରିନାହିଁ । ଆମ ଦେଶରେ ଥିବାବେଳେ ଏ କଥାଟା ହଠାତ୍ ଆଖିରେ ପଡ଼େନାହିଁ-। ଏକ କୁସଂସ୍କାରଗତ ଅଭ୍ୟାସରେ ପଡ଼ି ଆମେ ଏସବୁ ହୀନ କାର୍ଯ୍ୟକୁ ସମାଜରେ ଅବଶ୍ୟମ୍ଭାବୀ ବୋଲି ମାନିନେଉ । ମଝି ଆଙ୍ଗୁଠିକୁ କାଣି ଆଙ୍ଗୁଠିଠାରୁ ବଡ଼ ବୋଲି ମାନିନେଲା ପରି ଆମେ ଦଳେ ମଣିଷଙ୍କୁ ଅତି ସ୍ୱାଭାବିକ ଭାବରେ ଆଉ ଏକ ଦଳଙ୍କର ଅଧସ୍ତନ ବୋଲି ମାନିନେଉ-। ଆମ ଦେଶର ଅସ୍ୱାଭାବିକ ଅର୍ଥନୈତିକ ଅବସ୍ଥା ହେତୁ ଏକ ଅସ୍ୱାଭାବିକ କଥାକୁ ମଧ୍ୟ ଆମର ଅଶିକ୍ଷିତ ଓ ଅସାମାଜିକ ମନ ସ୍ୱାଭାବିକ ବୋଲି ଗ୍ରହଣ କରିଯାଏ । ଏଥିରେ ତାର ବିବେକକୁ ଟିକିଏ ହେଲେ ବାଧେନାହିଁ । ତା’ର ବିବେକ ବଡ଼ ଚମତ୍କାର ଓ ପରମ୍ପରାଗତ ଭାବରେ ଦେଶ, କାଳ ଓ ପାତ୍ରର ଅଧୀନ ହୋଇ ରହେ । କିନ୍ତୁ ଇଉରୋପକୁ ଆସିଲେ ଏସବୁ କଥା ସ୍ୱତଃ ଆଖିରେ ପଡ଼ିଯାଏ । ଇଉରୋପର ଅଧକାଂଶ ଦେଶରେ ଅଧିକାଂଶ ମଣିଷଙ୍କୁ ସମ୍ମାନିତ ଭାବରେ ଜୀବନ ବଞ୍ଚିବାର ପରିସର ମିଳିଚି । ଏଠି ପେଟ ପୋଷିବାପାଇଁ ରାସ୍ତାଉପରେ ବାଟଚାଲି ଯାଉଥିବା ବାବୁର ଗୋଡ଼ଲାଗି ଅପେକ୍ଷା କରି ବସିବାକୁ ପଡ଼େନାହିଁ । ସୁନ୍ଦର ଓ ସୁଗଠିତ ସମାଜରେ ଏପରି ଏକ କାର୍ଯ୍ୟକୁ ଅସମ୍ମାନ ବୋଲି ବିଚାର କରାଯାଏ । ତେଣୁ କେବଳ ଦକ୍ଷିଣ ଇଉରୋପରେ ଏ ଗୁଡ଼ାକ ଦେଖିଲେ ତାହା ହଠାତ୍ ଆଖିରେ ପଡ଼ିଯାଏ ଓ ଭାରି ଅଶ୍ଵସ୍ତିକର ଲାଗେ-। ଆମ ଦେଶରେ ମଧ୍ୟ ଯେଉଁଦିନ ଆମେ ପ୍ରତ୍ୟେକ ମଣିଷଲାଗି ଏକ ସମ୍ମାନିତ ଜୀବିକାର୍ଜନର ପନ୍ଥା ଖଞ୍ଜିଦେଇ ପାରିବା, ସେଦିନ କୋଉଠି କୌଣସି ପିଲାକୁ ଜୋତାପାଲିସ୍ କରି ବୁଲୁଥିବାର ଦେଖିଲେ ଆମେ ମଧ୍ୟ ସ୍ୱତଃ ବଡ଼ ଅଶ୍ଵସ୍ତିକର ଭୋଗ କରିବା । ସେତେବେଳେ ତାହା ଆମ ବିବେକକୁ ଦଂଶନ ମଧ୍ୟ କରିବ । କିନ୍ତୁ ଆମ ଦେଶର ପାଠ ନ ବଦଳିଲେ ସେହି ଶୁଭଦିନ ଆସିବ କିପରି ?

 

ନେପ୍‍ଲସ୍ ସହରରେ କଟାଉଥିବା ମୋର ଅଧିକାଂଶ ସମୟ ଏଥର ସଂଗ୍ରହାଳୟ ଓ ଚିତ୍ରଶାଳା ଦେଖିବାରେ କଟିଗଲା । ଇତାଲୀର ଅତୀତ ହେଉଚି ବଡ଼ ଗୌରବମୟ । ଗ୍ରୀସ୍‍ ଦେଶ ପରି ଇତାଲୀ ଦେଶରେ ମଧ୍ୟ ଇଉରୋପୀୟ ଜୀବନ ସଂସ୍କୃତିର ପ୍ରଥମ ପ୍ରଭାତ ହୋଇଥିଲା । ଖାଲି ଇଉରୋପ କାହିଁକି, ପୃଥିବୀର ଯେକୌଣସି ଦେଶର ମଣିଷଲାଗି ମଧ୍ୟ ଇତାଲୀୟ ସଂସ୍କୃତିର ପ୍ରାଚୀନ ଅବଶେଷମାନ ଅନେକ ପ୍ରେରଣା ଦେଇ ପାରିବ । ସହରର ଅଦୂରରେ ବିସୁଭିଅସ୍‍ ପର୍ବତ-। ଅନେକ ଶତାବ୍ଦୀ ପୂର୍ବେ ଏହି ପର୍ବତର ଅଗ୍ନି-ଉଦ୍‌ଗାର ପମ୍ପେଇ ଓ ଏର୍କୋଲାନୋ ବୋଲି ଦୁଇଟି ସହରକୁ ଅଗ୍ନିସ୍ରୋତ ତଳେ ପୋତି ପକାଇଥିଲା । ସମୃଦ୍ଧିମନ୍ତ ଜନଜୀବନକୁ ମାତ୍ର କେତେ ଘଣ୍ଟାଭିତରେ ଭବିଷ୍ୟ ବଂଶଧରର ଅଗୋଚରକୁ ଅପସରାଇ ନେଇଥିଲା । ଏବେ ସେସବୁ ଖୋଳାହୋଇ ବାହାରିଚି ଓ ମଣିଷର ଜ୍ଞାନଚକ୍ଷୁ ଲାଗି ସମ୍ପଦର ଭଣ୍ଡାର ଖୋଲିଦେଇଚି । ଗତଥର ପମ୍ପେଇଠାରେ ମୁଁ ଦିନଟିଏ କଟାଇଥିଲି । ଏଠାକୁ ପ୍ରାୟ ପନ୍ଦରମାଇଲ ବାଟ ।

 

ରୋମ୍ ସଭ୍ୟତାକୁ କେବଳ ରୋମ୍ ସଭ୍ୟତା ବୋଲି କୁହାଯାଇ ପାରିବନାହିଁ । ଏହା ହେଉଚି ଗ୍ରୀସ୍ ଓ ରୋମ୍ ଉଭୟ ସଭ୍ୟତାର ସମନ୍ୱୟ । ନେପ୍‍ଲସ୍ ସଂଗ୍ରହାଳୟର ଅନେକ ମୂର୍ତ୍ତିରୁ ତାହାର ପ୍ରମାଣ ମିଳିବ । ଯୁଦ୍ଧ କରି ରୋମ୍ ଗ୍ରୀସ୍‍କୁ ପରାସ୍ତ କରିଥିଲା ସତ, କିନ୍ତୁ ତଦ୍ଦ୍ୱାରା ଗ୍ରୀସ୍‍ର ଶିଳ୍ପକଳା ରୋମ୍‍ର ଶିଳ୍ପକଳା ଉପରେ ଆପଣାର ପ୍ରଭାବ ବିସ୍ତାର କରିବାର ସୁଯୋଗ ପାଇଲା । ଏହି ସମ୍ମିଳନରୁ ଏକ ଆତ୍ମିକ ସମନ୍ୱୟ ସମ୍ଭବ ହୋଇଥିଲା । ପମ୍ପେଇ ଓ ଏର୍କୋଲାନୋ ଆଜି ମଧ୍ୟ ସେହି ସମନ୍ୱୟର ସାକ୍ଷୀ ହୋଇ ରହିଚନ୍ତି ।

 

ଇଉରୋପୀୟ ସଭ୍ୟତାର ମଞ୍ଚ ଭିତରେ କୋଉଠି କି ପୋକ କାମୁଡ଼ି ଧରିଚି କେଜାଣି, ଇଉରୋପୀୟ ମଣିଷ ଯୋଉଠିକୁ ଯାଉଚି, ସେଠି ସେ କେବଳ ଇଉରୋପୀୟ ରଙ୍ଗ ବୋଳି ସକଳ ପ୍ରକାର ସମ୍ପର୍କକ୍ଷେତ୍ରକୁ ବଡ଼ ଆବୁରା ଯାବୁରା କରି ପକାଉଚି ଏବଂ ପୃଥିବୀର ନାନା ରଙ୍ଗ ଓ ନାନା ବୈଚିତ୍ର୍ୟରୁ ସେ ଘରକୁ କିଛି ହେଲେ ସାଉଁଟି ଆଣି ପାରୁନାହିଁ । ସେ ଯୋଉଠିକି ଯିବ, ସେଠି ଖାଇବା ସକାଶେ ଅସ୍ତ୍ରଶସ୍ତ୍ର-ସୁମଣ୍ଡିତ ବ୍ରେକ୍‌ଫାଷ୍ଟ, ଲଞ୍ଚ୍‍ ଓ ଡିନର ରହିଥିବା ଦରକାର, ବିଭିନ୍ନ ସମୟକୁ ଖାପ ଖାଇଲାଭଳି ଇଉରୋପୀୟ ବେଶଭୂଷା ରହିଥିବା ଦରକାର । ଇଉରୋପୀୟ ଜୁଆଖେଳ, ଇଉରୋପୀୟ ନୃତ୍ୟ ଓ ଇଉରୋପୀୟ ସୁରାପାନ ନହେଲେ କୌଣସି ଇଉରୋପୀୟୁ ହୁଏତ ତାହାକୁ ମନୋରଞ୍ଜନ ବୋଲି କହିବାକୁ ମଧ୍ୟ ପ୍ରସ୍ତୁତ ହେବନାହିଁ । କଲିକତା ହେଉ କି କଲମ୍ବୋ ହେଉ, ମେକ୍‍ସିକୋ ହେଉ ବା ମଙ୍ଗୋଲିଆ ହେଉ, ଇଉରୋପ ଓ ଆମେରିକାର ମଣିଷ ଯେଉଁଠିକି ଯିବ, ଆପଣା ସହିତ ଆପଣାର ବେଶଭୂଷା, ଆଚାର ଓ ସଂସ୍କାରଗୁଡ଼ାକୁ ଅବଶ୍ୟ ନେଇକରି ଯିବ । ଆପଣାର ରୁଚିକୁ ହିଁ ସେ ଏକମାତ୍ର ରୁଚିବୋଲି କହିବାକୁ କୌଣସି ପ୍ରକାର କୁଣ୍ଠା ବା କୃପଣତା ଦେଖାଇବ ନାହିଁ । ଜାହାଜରେ ଗତ ବାରଦିନ କାଳ ମୁଁ ଠିକ୍ ସେହିକଥା ଦେଖି ଆସୁଚି । ଆମର ଏଠି ଅନେକ ଦେଶର ଲୋକ ଅଛନ୍ତି, ଇଉରୋପ ଓ ଆମେରିକାକୁ ଛାଡ଼ିଦେଲେ ଭାରତବର୍ଷ ଓ ଇଣ୍ଡୋନେସିଆରୁ ମଧ୍ୟ ଯାତ୍ରୀ ଅଛନ୍ତି । କିନ୍ତୁ ମନୋରଞ୍ଜନ କହିଲେ ଏଠି କେବଳ ଇଉରୋପୀୟ ସଂସ୍କାରଗତ ଜୀବନର ଏକ ନିକୃଷ୍ଟମାର୍କା ମନୋରଞ୍ଜନକୁ ବୁଝାଉଚି । ମଦଦୋକାନ ଏଠି ଆଠପ୍ରହର ଖୋଲା ରହିଚି । ଏପରି ଅନେକ ଲୋକ ଏହି ଜାହାଜରେ ଅଛନ୍ତି, ଯେଉଁମାନେ ଖାଇବା ଓ ଶୋଇବା ସମୟଟାକୁ ଛାଡ଼ିଦେଲେ ମଦ ପିଇବାଛଡ଼ା ଜୀବନରେ ଆଉ କୌଣସି ବ୍ୟାପାର ରହିଚି ବୋଲି ହୁଏତ ବିଶ୍ୱାସ ମଧ୍ୟ କରନ୍ତି ନାହିଁ । ସେମାନେ କହୁଚନ୍ତି, ଜାହାଜରେ ମଦ ଭାରି ଶସ୍ତା । ସ୍ଥଳଭାଗରେ ମଦ ପିଇବାଲାଗି ଯେଉଁ ଅଧିକା ଶୁଳ୍‍କ ଦେବାକୁ ପଡ଼େ, ବରୁଣ ରାଜାର ରାଜ୍ୟରେ ମଦ୍ୟପ ମଣିଷ ସେଥିରୁ ଛାଡ଼ପାଏ । ସେଥିଲାଗି ମଦପ୍ରତି ମମତା ବଢ଼ାଇ ସେ ଆପଣାର ଅବସର ସମୟକୁ ମଧ୍ୟ ଶସ୍ତା ନ କରି ଛାଡ଼େନାହିଁ । ସବୁଠାରୁ ସଂସାରଛଡ଼ା କଥା ହେଉଚି ଯେ ସେ ଏଇଆକୁ ସଭ୍ୟତା ବୋଲି ବିଶ୍ୱାସ ମଧ୍ୟ କରେ ।

 

ଏଠି ଖେଳର ଅର୍ଥ ଜୁଆଖେଳ । ତାସ୍ ଖେଳିବାର ବାହାନାରେ ଏଠି ଜୁଆଖେଳହିଁ ଖେଳାଯାଏ । ଅର୍ଥାତ୍ ପଇସାର ମୂଲରେ ହାରଜିତର ମୂଲ୍ୟ କରାଯାଏ । ମୁଁ ଶୁଣିଚି, ପଇସା ଅତିବେଶୀ ହେଲେ ମଣିଷ ଜୁଆ ଖେଳେ, ପଇସାର ଅଭାବ ହେଲେ ମଧ୍ୟ ମଣିଷ ଜୁଆଖେଳେ । ଜୁଆଖେଳର ଟେବୁଲ ଉପରେ ଜୀବନର ଏହି ଦୁଇ ବିପରୀତର ସମ୍ମିଳନ ହୁଏ ।

 

ରାତିରେ ମନୋରଞ୍ଜନ ପାଇଁ ନୃତ୍ୟର ବ୍ୟବସ୍ଥା ରହିଚି । ତାହା ହେଉଚି କେବଳ ଇଉରୋପୀୟ ଢଙ୍ଗର ନୃତ୍ୟ । ଯେଉଁ ଢଙ୍ଗର ନୃତ୍ୟ ହେଉ ପଛକେ, ଭଲ ହୋଇଥିଲେ ହୁଏତ ଆଖି ଲୋଭ କରି ସେଠି ଘଡ଼ିଏ ଠିଆହେବାକୁ ମନକରନ୍ତା । କିନ୍ତୁ ଏଠି ସେତିକି ମଧ୍ୟ ନାହିଁ । ଭାରତୀୟ ମନକୁ ଏପରି ନାଚ ଭଲ ନ ଲାଗିବାହିଁ ସ୍ୱାଭାବିକ । ତଥାପି ଜାହାଜରେ ଥିବା ଅଧିକାଂଶ ଭାରତୀୟ ବର୍ତ୍ତମାନ ଦେଶ ଛାଡ଼ି ଇଉରୋପ ଯାଉଚନ୍ତି । ସେଠି ଇଉରୋପୀୟ ସମାଜରେ ସେମାନଙ୍କୁ କିଛିଦିନ ରହିବାକୁ ପଡ଼ିବ । କିଏ ବର୍ଷ ରହିବ ତ ଆଉ କିଏ ପାଞ୍ଚବର୍ଷ ରହିବ । ଯେଉଁ ଦେଶକୁ ଯିବା, ସେ ଦେଶର ଫଳ ଖାଇବା । ଆଘ୍ରାଣରୁ ଅର୍ଦ୍ଧଭୋଜନ କଲାପରି ନ ଖାଇଲେ ମଧ୍ୟ ଅନ୍ତତଃ ଅନ୍ୟମାନଙ୍କୁ ଖାଇବାର ଦେଖିବା, ତା'ହେଲେ କ୍ରମେ ଖାଇବା ଲୋକଙ୍କର ଖାତାରେ ଆମ ନାଆଁ ମଧ୍ୟ ଲେଖାହୋଇ ପାରିବ । ସେଥିପାଇଁ ଆମ ଭିତରୁ ଅର୍ଥାତ୍ ଭାରତୀୟମାନଙ୍କ ଭିତରୁ ଅନେକେ ଏହି ଶୁଦ୍ଧ ପ୍ରୟୋଜନବାଦୀ ମନୋଭାବ ନେଇ ଇଉରୋପୀୟ ନୃତ୍ୟ ଦେଖିବାକୁ ଯାଉଥିଲେ । ଅନ୍ୟମାନେ ଭୋଜନ କରୁଥିଲେ, ଏମାନେ କେବଳ ଅର୍ଦ୍ଧଭୋଜନ କରୁଥିଲେ । ମଫସଲି ସହରକୁ ଆସିଲେ ଆପଣାକୁ ସହରୀ ପରି ଦେଖାଇବାର ପ୍ରବଳ ଚେଷ୍ଟା କରୁକରୁ ଯେପରି ତା'ର ଅସଲ ପରିଚୟଟି ପଦାରେ ପଡ଼ିଯାଏ, ଠିକ୍ ସେହିପରି ଆଘ୍ରାଣଂ ଅର୍ଦ୍ଧଭୋଜନଂ ଦ୍ଵାରା ଆପଣାକୁ ଇଉରୋପୀୟ ରୁଚିସମ୍ପନ୍ନ ବୋଲି ପ୍ରମାଣ କରିବାର ପ୍ରବଳ ଚେଷ୍ଟା କରୁକରୁ ଏହି ଭାରତୀୟମାନଙ୍କର ଅର୍ବାଚୀନତା ଆପେ ଆପେ ଧରା ପଡ଼ିଯାଉଚି ! ଏହି ଆଘ୍ରାଣଲାଳସା ଆଗେ ଅତିରିକ୍ତ ପରିମାଣରେ ଥିଲା, ଏବେ କମି କମି ଯାଉଚି । ଆପଣାର ସଂସ୍କୃତି ଓ ସ୍ଵକୀୟତାକୁ ଚିହ୍ନିବା ସଙ୍ଗେସଙ୍ଗେ ଭାରତୀୟର ଏହି ଲାଳସା ହ୍ରାସ ହୋଇଯାଉଚି । କିନ୍ତୁ ଆଗକାଳେଏହା ଯେତେ ପ୍ରବଳ ଥିଲା, କହିଲେ ତୁ ସେକଥା ବିଶ୍ୱାସ କରିବୁ ନାହିଁ । ଟୋକାଦିନେ ପଢ଼ିବାଲାଗି ବିଲାତ ଯାଉଥିବା ସମୟରେ ମହାତ୍ମା ଗାନ୍ଧୀ ମଧ୍ୟ ପରମ ନିଷ୍ଠା ଓ ବିଶ୍ୱାସର ସହିତ ସଭ୍ୟ ହେବାର ଲାଳସାରେ ଇଉରୋପୀୟ ନୃତ୍ୟର ଅଭ୍ୟାସ କରୁଥିଲେ ।

 

ଇଉରୋପୀୟ ନାଚକୁ ବିଦ୍ରୂପ କରିବା ମୋର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ସଂସାରରେ ମନୋରଞ୍ଜନ ଲାଗି ମଧ୍ୟ କେବଳ ଗୋଟାଏ ସ୍ୱୀକୃତ ରାଜମାର୍ଗ ରହିଚି ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ମୁଁ ସେହିମାନଙ୍କର ଦୃଷ୍ଟିକୋଣକୁ ବିଦ୍ରୂପ ନକରି ରହିପାରେ ନାହିଁ । ଆଫ୍ରିକାରେ ପ୍ରଧାନତଃ ଆଦିବାସୀମାନେ ରହନ୍ତି ଏମାନଙ୍କର ନିଜସ୍ଵ ଓ ପରମ୍ପରାଗତ ନୃତ୍ୟମାନ ଅନେକଦିନରୁ ରହି ଆସିଥିଲା । ନୃତ୍ୟ ହେଉଚି ଆଦିବାସୀ ଜୀବନର ଏକ ସ୍ଵାଭାବିକ ଅଙ୍ଗସ୍ଵରୂପ-କର୍ମମୟ ଜୀବନରୁ ଛୁଟିପାଇ ପ୍ରମତ୍ତ ହେବାର ଏକ ବିକୃତ ବିଳାସମାତ୍ର ନୁହେଁ । ଗତ ଶତାବ୍ଦୀରେ ଇଉରୋପୀୟମାନେ ଆଫ୍ରିକାରେ ପ୍ରବେଶ କଲେ, ସେମାନଙ୍କ ସହିତ ସେମାନଙ୍କର ଧର୍ମ ମଧ୍ୟ ସେଠି ପ୍ରବେଶ କଲା । ଧର୍ମ ଓ ରାଜଦଣ୍ଡ ଏକାଠି ମିଶି ସେଠି ସଂସ୍କୃତିର ହତ୍ୟାକଲେ । ଆଫ୍ରିକାର ଅଧକାଂଶ ଦେଶରେ ସଭ୍ୟ ସମାଜରେ ଆମେ ପରମ୍ପରାଗତ ନୃତ୍ୟ ହୁଏତ ଆଉ ଦେଖିବାକୁହଁ ପାଇବାନାହିଁ । କେବଳ ଇଉରୋପୀୟ ନୃତ୍ୟହି ଦେଖିବାକୁ ପାଇବା । ଏହାକୁ ମୁଁ ନୃତ୍ୟ ବୋଲି କହିବି ନାହିଁ-ଏହା କେବଳ ଏକ ହାସ୍ୟାସ୍ପଦ ଅନୁକରଣ ମାତ୍ର ।

 

କୌଣସିଠାରେ ମନୋରଞ୍ଜନର କୌଣସି କାର୍ଯ୍ୟକ୍ରମ ଦେଖିଲାବେଳେ ମୋର ଶାନ୍ତିନିକେତନର ମନୋରଞ୍ଜନ କଥା ମନେ ପଡ଼ିଯାଏ । ସେଠି ପୃଥିବୀର କେତେ ଦେଶର ଛାତ୍ରଛାତ୍ରୀ ଏକାଠି ପଢ଼ୁଚନ୍ତି । କେତେ ଭାଷା ଓ କେତେ ସାଂସ୍କୃତିକ ରୁଚିର ପ୍ରତିନିଧିତ୍ୱ କରୁଥିବା ମଣିଷ ସେଠି ରହିଚନ୍ତି । କିନ୍ତୁ ସେଠାରେ କେବଳ ଗୋଟାଏ ରୁଚି ବା ଗୋଟାଏ ସଂସ୍କୃତି ଦ୍ଵାରା ଅନ୍ୟ ସକଳ ରୁଚି ଓ ସଂସ୍କୃତିକୁ ମାଡ଼ିଦଳି ଦେବାର ଦୁଷ୍ଟ ବିକ୍ରମ କେହି କଦାପି ଦେଖାଏ ନାହିଁ । ପୁଣି ସବୁ ରୁଚିରୁ ପୁଳାଏ ପୁଳାଏ ମିଶାଇ ଗୋଟାଏ ଆନ୍ତର୍ଜାତିକ ରୁଚି ତିଆରି କରିବାର ଅରୁଚିକର ପ୍ରବୃତ୍ତି ମଧ୍ୟ କେହି ଦେଖାଏ ନାହିଁ । ସେଠାରେ ସବୁ ରୁଚିଲାଗି ସ୍ଥାନ ରହିଚି, ସବୁ ଦେଶ ଲାଗି ସ୍ଥାନ ରହିଚି, ସବୁ ଭାଷା ଲାଗି ସ୍ଥାନ ରହିଚି । ନାଚ କହିଲେ ସେଠି କେବଳ ଭାରତୀୟ ନାଚକୁ ବୁଝାଏ ନାହିଁ । ପରସ୍ପର ମଧ୍ୟରେ ଥିବା ବୈଚିତ୍ର୍ୟକୁ ସ୍ୱୀକାର କରି ସେଠି ମଣିଷ ମଣିଷ ସହିତ ସଖ୍ୟ ସ୍ଥାପନ କରେ । ଆପଣଟାକୁ ସଂସାରରେ ଏକମାତ୍ର ଭଲବୋଲି ଦେଖାଏ ନାହିଁ ବା ଅନ୍ୟଗୋଟାକୁ ଦେଖି ନାକ ଟେକେ ନାହିଁ । ଏହାରି ଦ୍ୱାରା ହିଁ ହୃଦୟ ଛୁଇଁବା ସମ୍ଭବ ହୁଏ, ମଣିଷକୁ ସମ୍ମାନ ଦେଖାଇବା ସମ୍ଭବ ହୁଏ, ମଣିଷର ରୁଚି ମଧ୍ୟଦେଇ କଳା ଓ ସଂସ୍କୃତି ବଞ୍ଚିରହେ । ଆମର ଏହି ଜାହାଜରେ କେତେ ଭାଷା କହୁଥିବା କେତେ ଦେଶର ମଣିଷ ଅଛନ୍ତି ।ରାତ୍ରିରେ ମନୋରଞ୍ଜନ ଲାଗି ସମସ୍ତେ ଏକତ୍ର ହେଉଥାନ୍ତେ, ପ୍ରତ୍ୟେକେ ଆପଣା ଦେଶର ଗୀତ ବୋଲୁଥାନ୍ତେ, ଆପଣା ଦେଶର ନୃତ୍ୟ ନାଚୁଥାନ୍ତେ, ତାହା ପ୍ରକୃତରେ କେଡ଼େ ହୃଦୟାଭିରାମ ହେଉନଥାନ୍ତା ! ମଣିଷ ମଣିଷର ପାଖକୁ ଆସି ପାରୁଥାନ୍ତା । ପରସ୍ପରକୁ ସମ୍ମାନ ଦେଇ ପାରୁଥାନ୍ତା, ପରସ୍ପରକୁ ଆପଣାର କରି ପାରୁଥାନ୍ତା ।

 

ଜାହାଜ ଛାଡ଼ିବା ବେଳ ପାଖହୋଇ ଆସିଲା । ଆଜି ବୋଧହୁଏ ଜାହାଜରେ ବସି ମୁଁ ତୋ ପାଖକୁ ଶେଷଥର ପାଇଁ ଚିଠି ଲେଖୁଚି । କାଲି ଦିନ ଏଗାରଟାବେଳେ ଜାହାଜ ଜେନୋଆ ବନ୍ଦରରେ ଲାଗିବ । ଆମର ଏହି ଜଳଯାତ୍ରା ସେଇଠାରୁ ସରିଯିବ । କାଲି ତୋ' ପାଖକୁ କିଛି ଲେଖିବାଲାଗି ମୁଁ ଖୁବ୍ ସମ୍ଭବ ଆଉ ବେଳ ପାଇବି ନାହିଁ । ଅନେକ ଦିନପରେ କାଲି ଜାହାଜର ଜୀବନରେ ପୁଣି କୋଳାହଳ ଲାଗିଯିବ, ସମସ୍ତଙ୍କ ସହିତ ମୁଁ ମଧ୍ୟ ଓହ୍ଲାଇବାକୁ ତରତର ହୋଇ ପଡ଼ିବି, ପାଣି ଉପରର ମନ ଥଳ ଛୁଇଁବାଲାଗି ଅଥୟ ହୋଇଉଠିବ, ସଂସାର ସହିତ ଖିଅ ଲାଗିଯିବ । ସେହି ସଂସାରର କେତେ ଖିଅରେ ଗୁରାଇ ହୋଇ ମୁଁ ମଧ୍ୟ ତାହାରି ସହିତ କୁଆଡ଼େ ମିଶିଯିବି । ଏଠି ଯେତିକି ନିରୀଖି କରି ମଣିଷ ଆଡ଼କୁ ଓ ଆପଣା ଆଡ଼କୁ ଅନାଇ ପାରୁଥିଲି, କାଲିଠାରୁ ହୁଏତ ତାହା ଆଉ ହୋଇ ପାରିବ ନାହିଁ । ଅବଶ୍ୟ ତୋ’ ପାଖକୁ ମୋର ଚିଠି ଲେଖିବା ବନ୍ଦ ହେବନାହିଁ, କିନ୍ତୁ ସଂସାରର ତଟରେ ଏହି ସମୁଦ୍ର ଉପରେ ଥିର ହୋଇ ବସି ତୋ’ ପାଖରେ ମୋର କଥାମାନ କହିବା ଆଉ କାଲିଠାରୁ ସମ୍ଭବ ହେବନାହିଁ ।

 

ଜାହାଜରେ ଯାଉଥିବାର ଏହି ଶେଷ ଦିନ ମୁଁ କାହାଜରେ କାମ କରୁଥିବା ମଣିଷମାନଙ୍କର କଥା ଭାବୁଚି । ଆମର ଦିନଗୁଡ଼ିକ ଯେଉଁମାନେ ନାନାପ୍ରକାର ଚର୍ବି, ଚୋଷ୍ୟ ଓ ଉପଭୋଗ୍ୟ ସାମଗ୍ରୀ ଦେଇ ଆରାମଦାୟକ କରି ରଖିଚନ୍ତି, ସେହିମାନଙ୍କ କଥା । ସେମାନେ ଯେ ଏଠି କିପରି କାମ ଖଟୁଚନ୍ତି, ସେହିମାନଙ୍କ କଥା । ସେମାନେ ଯେ ଏଠି କିପରି କାମ ଖଟୁଚନ୍ତି, ମୁଁ ସେକଥା କଳ୍ପନା ମଧ୍ୟ କରିପାରୁ ନାହିଁ । ସେମାନଙ୍କର ଦେହଟା ମଧ୍ୟ ସମୁଦ୍ର ଉପରର ଏହି ଜୀବନ ସହିତ ଆପଣାକୁ ବେଶ୍ ଦୋରସ୍ତ କରାଇ ନେଲାଣି । ସକାଳ ଚାରିଟାବେଳୁ ଏମାନଙ୍କର କାମ ଆରମ୍ଭ ହେଉଚି । ସାତଟା ବେଳକୁ ଏଗାରଶହ ଯାତ୍ରୀଙ୍କ ଲାଗି ଜଳଖିଆ ପ୍ରସ୍ତୁତ କରି ରଖିବାକୁ ହେବ, ଜାହାଜର ବଟାଣ, କାନ୍ଥ, ବାଡ଼ ପରିଷ୍କାର କରି ରଖିବାକୁ ହେବ । ଝରକା ଓ କବାଟରେ ଲାଗିଥିବା ପିତଳ ପାତିଆକୁ ଘଷିମାଜି ଚକଚକ କରି ରଖିବାକୁ ହେବ, ଇତ୍ୟାଦି, ଇତ୍ୟାଦି । ସୂର୍ଯ୍ୟ ଉଠିବାର ଅନେକ ପୂର୍ବରୁ ଏମାନେ ଉଠୁଚନ୍ତି, ଘରର ମାଆପରି କେତେ ଯତନରେ ଏହି ଜାହାଜଟିକୁ ସେମାନେ ସୁନ୍ଦର କରି ରଖିବାକୁ ଚେଷ୍ଟା କରୁଚନ୍ତି । ରାତିରେ ନାନାପ୍ରକାର ମନୋରଞ୍ଜନ ଶେଷକରି ଆମେ ଶୋଇବାକୁ ଗଲାବେଳେ ମଧ୍ୟ ଏମାନଙ୍କର କାମ ଶେଷ ହେଉନାହିଁ । ଆପଣାର ଘରଠାରୁ, ସ୍ୱାଭାବିକ ଜୀବନର ସ୍ନେହ ମମତାଠାରୁ ଅନେକ ଦୂରରେ ରହି ଏମାନେ କେଡ଼େ ସନ୍ତର୍ପଣ ସହିତ ଆମକୁ ଏଠି ଆପଣାର ଘର ପରି ରହିବାର ଅବକାଶମାନ ଖଞ୍ଜିଦେଇ ଯାଉଚନ୍ତି । ସବୁଠାରୁ ବଡ଼କଥା ହେଉଚି, ମୁଁ ଏତେଦିନ ଭିତରେ କାହାରି ଜଣଙ୍କଠାରେ ମଧ୍ୟ କୌଣସି ବିରକ୍ତିର ଲକ୍ଷଣ ହିଁ ଦେଖିନାହିଁ । ଅନ୍ୟମାନେ, ଅର୍ଥାତ୍ ଯାତ୍ରୀମାନେ ଧୈର୍ଯ୍ୟ ହରାଇଲେ ମଧ୍ୟ ଏମାନେ ଶାନ୍ତଭାବରେ ଆପଣାର କାମ କରିଯାଇଚନ୍ତି । ମୁଁ ଏମାନଙ୍କ ଭିତରୁ କେତେଜଣଙ୍କୁ ପଚାରି ବୁଝିଚି । କାହାଘର ସିସିଲି ଦ୍ୱୀପରେ ତ ଆଉ କାହାର ଘର ହେଉଚି ଦକ୍ଷିଣ ଇତାଲୀର କୌଣସି ଗାଆଁରେ । ଜୀବିକା ଉପାର୍ଜନ ଲାଗି ଅନ୍ୟ କୌଣସି ଯୋଗ୍ୟତା ହାସଲ କରିବାର ସୁଯୋଗ ପାଇ ନଥିବାରୁ ଏମାନେ ସମୁଦ୍ର ପାଖରେ ଜୀବନ ବିକି ଘରୁ ଗୋଡ଼ କାଢ଼ିଛନ୍ତି-। ଏମାନଙ୍କର ଛୁଟି ବୋଲି କିଛି ନାହିଁ । ଏହି ସିଡ଼୍‍ନି ଜାହାଜ ପୁନର୍ବାର ଯାତ୍ରା ଆରମ୍ଭ କରିବା ଆଗରୁ ଜେନୋଆ ବନ୍ଦରରେ ଯେତିକି ଦିନ ରହିବ, କେବଳ ସେତିକି ଦିନ ହେଉଛି ଏମାନଙ୍କର ଛୁଟୀ । ଏତିକି ଛୁଟୀଦିନକୁ ଛାଡ଼ିଦେଲେ, ବଡ଼ଦିନ ହେଉ ବା ନୂଆବର୍ଷ ହେଉ, ଏମାନଙ୍କର ଆଉ ଘରକୁ ଆସିବାର ଚାରା ନାହିଁ । ଜାହାଜ ଉପରେ ଯାତ୍ରୀମାନଙ୍କର ଉତ୍ସବବିନୋଦନ ଲାଗି ଯାବତୀୟ ସାମଗ୍ରୀ ଖଞ୍ଜି ଦେବାରେ ଯେତିକି ଆନନ୍ଦ ମିଳିଥାଏ, କେବଳ ସେତିକି ଆନନ୍ଦ ହେଉଚି ଏମାନଙ୍କର ପ୍ରାପ୍ୟ ।

 

ଜଳଯାତ୍ରା ସରିଆସିଲା । କିନ୍ତୁ ଏହି ଜଳଯାତ୍ରା ଅନେକ ଦିନଯାଏ ମନେ ରହିବ । ଏହି ସମୁଦ୍ର ଅନେକ ଦିନଯାଏ ମନେ ରହିବ । ଜାହାଜର କର୍ମଚାରୀମାନଙ୍କ ପରି ଜୀବନର ଅଧିକାଂଶ ସମୟ ଏହି ଜାହାଜ ଉପରେ କଟାଉଥିଲେ ମୋତେ ଖୁସି ଲାଗୁଥାଆନ୍ତା କି ନାହିଁ, ମୁଁ ସେକଥା କହି ପାରିବିନାହିଁ । କିନ୍ତୁ ଜୀବନରେ ଯେତେଥର ସମୁଦ୍ର ଉପରେ ଯାତ୍ରାକରି ବାହାରିଚି, ମୋତେ ସେତେଥର ଖୁବ୍‍ ଭଲ ଲାଗିଚି । ବନ୍ଧୁମାନଙ୍କ ମୁଖରୁ ଶୁଣିଚି, ସମୁଦ୍ରଯାତ୍ରା କୁଆଡ଼େ ଭାରି ଭେସରିଆ ଲାଗେ; ଦିନ ନାହିଁ, ରାତି ନାହିଁ, କେବଳ ଅଥଳ ସମୁଦ୍ର ଦେଖି ଦେଖି କୁଆଡ଼େ ମୁଣ୍ଡ ବଥାଇବାକୁ ଲାଗେ, ତରଙ୍ଗର ଧକ୍‍କା ଖାଇ ଖାଇ କୁଆଡ଼େ ଏକ ପ୍ରକାର ଅରୁଚିରୋଗ ଆରମ୍ଭ ହୋଇଯାଏ । ମୁଁ କିନ୍ତୁ ସେମାନଙ୍କ ଦଳର ଅନ୍ତର୍ଭୁକ୍ତ ନୁହେଁ । ସମୁଦ୍ରକୁ ଦେଖି ମୋର ଆଖି କେବେହେଲେ କ୍ଳାନ୍ତ ହୋଇ ପଡ଼ିନାହିଁ । ସ୍ଥିର ସମୁଦ୍ରର ସମତଳ ଉପରେ ମୁଁ ଅସ୍ଥିର ଜୀବନର ଉଚ୍ଚାଟନ ଅନୁଭବ କରି ପାରିଚି, ତରଙ୍ଗର ଉନ୍ମତ୍ତ କ୍ରୀଡ଼ା ମୋ' ଭିତରେ ଯୌବନର ସାହସ ଭରିଦେଇ ଯାଇଚି । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରକୁ ନେଇ ଯେତେବେଳେ ସମୁଦ୍ର କେତେପ୍ରକାର ଖେଳ ଖେଳିବାରେ ଲାଗିଥାଏ, ସେତେବେଳେ ମୁଁ ଏକାଗ୍ର ଶିଶୁଟି ପରି ସେହି ସମସ୍ତ ଖେଳକୁ ନିରୀକ୍ଷଣ କରି ଦେଖିଚି । ଆପଣାର ଦୂର ଅଦୃଶ୍ୟ କୂଳରେ ପୃଥିବୀର ସବୁ ସ୍ଥଳଭାଗକୁ ଲୁଚାଇରଖି ଆକାଶ ପରି କେବଳ ବ୍ୟାପ୍ତ ହୋଇ ରହିଥିବା ଏହି ସମୁଦ୍ରର କଳନା କରୁକରୁ ମୁଁ ପୃଥିବୀର ଅନେକ ପ୍ରହେଳିକା ଭିତରେ ବାଟ ପାଇଯିବାପରି ଅନୁଭବ କରିଚି । ସମୁଦ୍ରକୁ ଦେଖି ମୁଁ ସଂସାରର ଅନେକ ତାପକୁ ଶାନ୍ତ କରିଚି, ସଂସାରକୁ ଅଧିକ ଅନ୍ତରଙ୍ଗ ଭାବରେ ଭଲ ପାଇ ଶିଖିଚି, ବୁଝି ଶିଖିଚି; ଶିଶୁପରି ଅନେକ ଖୁସି ଓ ଅନେକ ନିର୍ଭର ନେଇ ମୁଁ ପୁଣି ପୃଥିବୀକୁ ବାହୁଡ଼ି ଯିବାଲାଗି ବଳ ପାଇଛି । ଏହି ଜଳର ସମତଳ ଉପରେ କେତେ କେତେ ସୂତ୍ର ପକାଇ ମୁଁ ଜୀବନରେ ଥଳ ପାଇଚି ।

 

କିନ୍ତୁ ମୁଁ ତୋ' ପାଖକୁ ଏସବୁ ଲେଖିଲି କାହିଁକି ? ତୁ ବର୍ତ୍ତମାନ ପିଲା, - ସଂସାର ବୋଇଲେ ତୁ ଗୋଟିଏ ଗାଆଁକୁ ଜାଣିଚୁ, ଘର ବୋଇଲେ ତୁ ଗୋଟିଏ ଘରକୁ ଚିହ୍ନିଚୁ । ତୁ ମଧ୍ୟ ଦିନେ ବଡ଼ ହେବୁ । ତୁ ମଧ୍ୟ ଦିନେ ସଂସାର ଦେଖିବାର ଉପଲକ୍ଷରେ ଆପଣାର ଆବିଷ୍କାର କରି ବାହାରିବୁ । ସେତେବେଳେ ହୁଏତ ତୁ ଠିକ୍ ମୋର ଏହି ଆଗ୍ରହ ନେଇ ମୋତେ ତୋ'ର ଅନୁଭୂତି ଗୁଡ଼ିକୁ କହିବାକୁ ଆସିବୁ । ତୋର ସେହି ଆନନ୍ଦରେ ସେଦିନ ମୁଁ ମଧ୍ୟ ଭାଗୀ ହୋଇ ରହିବି ।

Image